ଶିକ୍ଷାବିଧାନରେ ନିଷ୍ଠା
ଗୋପବନ୍ଧୁ ଦାଶ
ଯୁକ୍ତରାଜ୍ୟ ଆମେରିକାର ୱିସ୍କନ୍ସିନ୍ ରାଜ୍ୟର ଭିରୋକ୍ୱାଠାରେ ସ୍ଥିତ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ପ୍ରଚଳିତ
ଶିକ୍ଷାବିଧାନରେ ପରିଦର୍ଶନ-କର୍ମଚାରୀଙ୍କ
ସଙ୍ଖ୍ୟା ପୂର୍ବଠାରୁ ଖୁବ୍ ବଢ଼ା
ଯାଇଅଛି । ଶିକ୍ଷକମାନଙ୍କୁ ଉପଯୁକ୍ତ
କରିବା ନିମନ୍ତେ ସରକାର ସ୍ଥାନେ
ସ୍ଥାନେ ଟ୍ରେନିଂ ସ୍କୁଲ ଫିଟାଇ
ଅଛନ୍ତି । ଶିକ୍ଷକ ଓ ପରିଦର୍ଶନ
କର୍ମଚାରୀମାନଙ୍କୁ ସେହି ସବୁ
ଟ୍ରେନିଂ ସ୍କୁଲମାନଙ୍କରେ
ପଢ଼ାଇବାକୁ ସରକାରଙ୍କର ମଧ୍ୟ
ଭାରି କଟକଣା, ତଥାପି ଏ
ଦେଶର ଶିକ୍ଷକ ଓ ପରିଦର୍ଶକ ସାଧାରଣ
ଶିକ୍ଷାର କୌଣସି କୌଣସି ମନୋବିଜ୍ଞାନଗତ
ବିଧାନ ପ୍ରତି ତାଦୃଶ ନିଷ୍ଠାବାନ
ହେବାର ଦେଖାଯାଉ ନାହିଁ । ଟ୍ରେନିଂ
ସ୍କୁଲମାନଙ୍କରରେ ଯେଉଁ ସବୁ
ବିଧାନ ଶିକ୍ଷା ଦିଆଯାଉଅଛି,
ସେ
ସବୁ ଯେ ଏକାବେଳେକ ଏ ଦେଶରେ
ଚଳିପାରିବ ତାହା ସର୍ବଦା ସମ୍ଭବ
ନୁହେଁ । ସରକାରଙ୍କର ବିଧାନ ଯାହା
ହେଉ କ୍ଷେତ୍ରରେ କର୍ମ କରିବା
ଶିକ୍ଷକ ଓ ପରିଦର୍ଶକମାନଙ୍କର
କାର୍ଯ୍ୟ । ଦେଶରେ ପ୍ରଚଳିତ ବିଧାନ
ସଙ୍ଗେ ନବ ବିଧାନ ଯଥା ସମ୍ଭବ
ମିଶାଇ ନେବାକୁ ହେବ । ନୀରସ
ଶିକ୍ଷାକାର୍ଯ୍ୟରେ ସର୍ବଦା ଜୀବନ
ଓ ସରସତା ଫୁଟାଇବାକୁ ହେବ । ମାତ୍ର
ସରକାରଙ୍କର ଶତ ସଦିଚ୍ଛା ସତ୍ତ୍ୱେ
ଏ ଦିଗରେ ବିଶେଷ କାର୍ଯ୍ୟ ହେଉଛି
କି ନା ସନ୍ଦେହ ।
ଇଉରୋପର
ଚିନ୍ତାଶୀଳ ବ୍ୟକ୍ତିମାନେ ଏ
ବିଷୟରେ ସର୍ବଦା ନୂତନ ନୂତନ ମତ
ପ୍ରଚାର କରୁଅଛନ୍ତି ଏବଂ ସେ ସବୁ
ଯଥାସମ୍ଭବ ଏ ଦେଶକୁ ଆମଦାନି ହୋଇ
ଟ୍ରେନିଂ ସ୍କୁଲମାନଙ୍କରେ ଶିକ୍ଷା
ଦିଆଯାଉଅଛି । କିନ୍ତୁ ଯେଉଁମାନଙ୍କୁ
ତାହା ଶିକ୍ଷା ଦିଆଯାଉଅଛି,
ସେମାନେ
ସବୁବେଳେ ତାହାର ନୂତନତ୍ୱର ଗାରିମା
ଓ ଉପଯୋଗିତା ପ୍ରତି ସମ୍ୟକ
ପ୍ରଣିଧାନ ଦେଉ ନାହାନ୍ତି । ସେ
ଦିନ ଶିଶୁମାନଙ୍କ ନିମନ୍ତେ
ଫ୍ରୋବେଲ ପ୍ରଚଳିତ କିଣ୍ଡର
ଗାର୍ଟନ ବିଧାନ ପ୍ରତି ବିଶେଷ
ଦୃଷ୍ଟି ଦିଆଯାଉଥିଲା ଶିକ୍ଷକମାନେ
ତାକୁ ପଢ଼ି ଆସି କଳର ପିତୁଳା ପରି
ନିଜ ନିଜ ସ୍କୁଲମାନଙ୍କର ଆବୃତ୍ତି
କରିବାକୁ ଲାଗିଲେ । କିନ୍ତୁ କିଣ୍ଡର
ଗାର୍ଗନ ବିଧାନ ଯେ ଶିଶୁମାନଙ୍କର
ଭିତରର ଶକ୍ତି ବିକାଶ କରାଇ ଅତର୍କିତ
ଭାବରେ ଶିଶୁମାନଙ୍କୁ ବହିଜଗତର
ଶକ୍ତିରାଶି ସମ୍ପର୍କରେ ଆଣିବାକୁ
ହେବ ବୋଲି କଳ୍ପିତ ହୋଇଥିଲା
ଏବଂ ସେଥିରେ କୌଣସି ନୂତନ ଜ୍ଞାନ
ନ ଦେଇ ଶିଶୁପ୍ରାଣରେ ସ୍ୱାଭାବିକ
ଆତ୍ମବିକାଶ ପନ୍ଥା ଅବଲମ୍ୱନ କରି
ଜ୍ଞାନରାଜ୍ୟର ବିଭାଗ ସବୁ ଅଧିକାର
କରିବାରେ ଶିଶୁକୁ ସାହାଯ୍ୟ
କରିବାକୁ ହେବ, ଏ
କଥା କେତେ ଜଣ ଶିଶୁ ଶିକ୍ଷକ ମନ
ଦେଇ ଆଲୋଚନା କରିଅଛନ୍ତି ?
ଅବଶ୍ୟ
ଏଠାରେ କହିବାର ଅଛି,
ଫ୍ରୋବେଲ
ପ୍ରଦର୍ତ୍ତିତ ପ୍ରଣାଳୀ ଆମ୍ଭମାନଙ୍କୁ
ଚାଟଶାଳୀ ଶିକ୍ଷା ପକ୍ଷରେ ନିତାନ୍ତ
ନୂତନ ଏବଂ ଦୁଇଟି ବିପରୀତ ଭାବାପନ୍ନ
କହିଲେ ଚଳେ । ଏଥିରେ ଶିଶୁକୁ କିଛି
ଶିଖାଇବାକୁ ହୁଏ ନାହିଁ । କୌଣସି
ନୂତନ ଜ୍ଞାନ ଶିଶୁକୁ ଦେଲେ ଶିଶୁର
ମାନସିକ ବିକାଶ ପ୍ରତିହତ ହୁଏ
ବୋଲି ଫ୍ରେବେଲଙ୍କର ମତ । ଚାଟଶାଳୀର
ଶୋଧୀପଣିକିଆ ସଙ୍ଗେ ଏହା ହଠାତ୍
ଖାପ ଖାଇବ କାହୁଁ ?
କିନ୍ତୁ
ବର୍ତ୍ତମାନ ଶିକ୍ଷକମାନଙ୍କୁ
ପାଠଟୀକା କରିବାକୁ ଶିକ୍ଷା
ଦିଆଯାଉଅଛି ।
ହାରବାଟ
ସାହେବଙ୍କ ପଞ୍ଚସୋପାନ ପଦ୍ଧତି
ସେଥିରେ ପ୍ରଧାନ ଅବଲମ୍ୱନ । ଏ
ପଦ୍ଧତିରେ ନୂତନତ୍ୱ ବିଶେଷ ନାହିଁ ।
ମନୋବିଜ୍ଞାନରେ ଏହାର ମୂଳ ଦେଖି
ବସିଲେ ଫ୍ରୋବେଲ ପଦ୍ଧତିର ଏହା
ସମ୍ପୂର୍ଣ୍ଣ ବିପରୀତ । ଆମ୍ଭମାନଙ୍କର
ପ୍ରାଚୀନ ଚାଟଶାଳୀ ଶିକ୍ଷାଦାନ
ରୀତି ବୈଜ୍ଞାନିକ ଭାବରେ ଆଲୋଚନା
କଲେ ସେଥିରେ ପଞ୍ଚସୋପାନ ପଦ୍ଧତି
ଅଛି । ବସ୍ତୁତଃ ନୂତନ ଜ୍ଞାନ
ଦେବା ହିଁ ପଞ୍ଚସୋପାନ ପଦ୍ଧତିର
ଲକ୍ଷ୍ୟ । ଛାତ୍ରର ଆତ୍ମାବିକାଶ
ଅବାନ୍ତର ଫଳ ମାତ୍ର । ତେଣୁ
ଶିକ୍ଷାବିଧାନରେ ଏହି ଏ ପଦ୍ଧତି
ବର୍ତ୍ତମାନ ପାଇଁ ଆମ୍ଭମାନଙ୍କ
ଦେଶରେ ବିଶେଷ ଉପଯୋଗୀ । ଶିକ୍ଷାରେ
ଯେଉଁ ଶିଳ୍ପ ଚଳି ଆସୁଥିଲା ଏହା
ତାହାର ବୈଜ୍ଞାନିକ ଆଲୋଚନା
ମାତ୍ର । ସୁଖର କଥା ଯେଉଁମାନଙ୍କ
ହାତରେ ଦେଶର ସାଧାରଣ ଶିକ୍ଷାର
ଭାର ଅଛି, ସେମାନେ
ଏ ସବୁ ଆଲୋଚନା ପ୍ରତି ଆସ୍ଥାଦାନ
ହେଉଅଛନ୍ତି ନିଜର ଶିକ୍ଷାପଦ୍ଧତିକୁ
ବୈଜ୍ଞାନିକ ପ୍ରଣାଳୀରେ ଚଳାଇବାକୁ
ପ୍ରୟାସ କରୁଅଛନ୍ତି । ଏ ସମ୍ପର୍କରେ
ଆମ୍ଭେମାନେ ଏହି ପତ୍ରରେ ପ୍ରକାଶିତ
କଟକ ବିରିବାଟି ଗୁରୁ ଟ୍ରେନିଂ
ସ୍କୁଲ ପଣ୍ଡିତ ଶ୍ରୀ ଗୋବିନ୍ଦ
ଚନ୍ଦ୍ର ମିଶ୍ରଙ୍କର ପଢ଼ାଇବାରେ
ପଞ୍ଚସୋପାନ ପଦ୍ଧତି ଶୀର୍ଷକ
ପ୍ରବନ୍ଧ ପ୍ରତି ପାଠକମାନଙ୍କର
ଦୃଷ୍ଟି ଆକର୍ଷଣ କରୁଅଛୁଁ ।
ପଞ୍ଚସୋପାନ ପଦ୍ଧତିର ବିଜ୍ଞାନ
କାର୍ଯ୍ୟରେ କିପରି ଅନୁବର୍ତ୍ତନ
କରିବାକୁ ହେବ, ତାହା
ସେ ଯଥାସାଧ୍ୟ ଉଦାହରଣରେ ବୁଝାଇଅଛନ୍ତି ।
ତାଙ୍କର ପ୍ରବନ୍ଧ ପଞ୍ଚସୋପାନ
ପଦ୍ଧତିର ବୈଜ୍ଞାନିକ ବ୍ୟାଖ୍ୟା
ଶିକ୍ଷକ ସାଧାରଣଙ୍କୁ ଦେଇଅଛି ।
ଏହାଛଡ଼ା ଏ ପ୍ରବନ୍ଧ ପଢ଼ାଇବା
ଶିଳ୍ପ ସଙ୍ଗେ ବିଜ୍ଞାନ ମିଳାଇ
ଆଲୋଚନା କରିବା ନିମନ୍ତେ ଶିକ୍ଷକ
ଓ ପରିଦର୍ଶକମାନଙ୍କର ଆଗ୍ରହ
ଜନ୍ମାଇବା ବୋଲି ଆଶା ହୁଏ ।
ଟ୍ରେନିଂ ସ୍କୁଲରେ ଶିକ୍ଷାଦିଆଯାଏ
ବୋଲି କଳଚାଞ୍ଚରେ ତିଆରି କଲେ
ହେଲା ନାହିଁ । ମୌଳିକ ଆଲୋଚନା
ବିନା କୌଣସି ବିଧାନରେ ସରସତା ବା
ସଜୀବତା ଆସିବା ସମ୍ଭବ ନୁହେଁ ।
(ସତ୍ୟବାଦୀ
୨ୟ ଖଣ୍ଡ, ପ୍ରଥମ
ଓ ଦ୍ୱିତୀୟ ସଂଖ୍ୟା ୧୯୧୬)
No comments:
Post a Comment