Tuesday, January 23, 2018

ଉତ୍କଳରେ ଶିକ୍ଷା ଆନ୍ଦୋଳନ

ଗୋପବନ୍ଧୁ ଦାଶ


ଡେକାନ ଏଜୁକେସନ ସୋସାଇଟିର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦିନ ଥିଲା ଯେବେ ବିଦ୍ୟାଳୟକୁ ପିଲା ପଠାଇବା ଲାଗି ଲୋକଙ୍କୁ ପ୍ରବର୍ତ୍ତାଇବାକୁ ପଡୁଥିଲା । ସ୍ଥାନେ ସ୍ଥାନେ ଏବେ ମଧ୍ୟ ସେ ଅବସ୍ଥା ଅଛି । କିନ୍ତୁ ମୋଟ ଉପରେ ଆଜିକାଲି ଓଡ଼ିଶାର ଚାରିଆଡେ ଶିକ୍ଷା ନିମନ୍ତେ ଲୋକଙ୍କର ଆଗ୍ରହ ଦେଖାଯାଉଅଛି । ଶିକ୍ଷିତ ଓ ନେତୃସ୍ଥାନୀୟ ବ୍ୟକ୍ତିମାନେ ଏତେବେଳେ ଅବସ୍ଥା ଜାଣି ବ୍ୟବସ୍ଥା କରିବା ଉଚିତ । ପଢ଼ିବାକୁ ଅନେକ ଛାତ୍ର ବ୍ୟାକୁଳ । ପଢାଇବାକୁ ଅଭିଭାବକ ମଧ୍ୟ ବ୍ୟାକୁଳ । କିନ୍ତୁ ଅନେକଙ୍କର ଉପାୟ ନାହିଁ । ତଥାପି ପୁରାତନ ବିଦ୍ୟାଳୟ କଥା ଛାଡ଼ନ୍ତୁ ନୂତନ ବିଦ୍ୟାଳୟମାନ ଅତି ଅଳ୍ପ ସମୟ ମଧ୍ୟରେ ଜନାକୀର୍ଣ୍ଣ ହୋଇ ଯାଉଅଛି । ତେଣୁ ଆହୁରି ନୂତନ ବିଦ୍ୟାଳୟ ସ୍ଥାପନ ହେଉଅଛି । ସୁଖର କଥା ସ୍ଥାନେ ସ୍ଥାନେ ଲୋକେ ଏ ଆବଶ୍ୟକତା ବୁଝୁଛନ୍ତି ଏବଂ ନୂତନ ବିଦ୍ୟାଳୟ ସ୍ଥାପନ ଲାଗି ଯତ୍ନ କରୁଅଛନ୍ତି ।

ଗତ କେତେ ମାସ ମଧ୍ୟରେ ଗଞ୍ଜାମର ସୋରାଡ଼ା ଖଲ୍ଲିକୋଟ ଆସ୍କା ଏହି ତିନି ସ୍ଥାନରେ ନୂତନ ବିଦ୍ୟାଳୟମାନ ସ୍ଥାପିତ ହୋଇଅଛି । ସେ ସବୁ ଅଞ୍ଚଳର ଶିକ୍ଷିତ ବ୍ୟକ୍ତିମାନେ ଉତ୍ସାହ ଓ ସ୍ୱାର୍ଥତ୍ୟାଗ ସହକାରେ କାର୍ଯ୍ୟ ଆରମ୍ଭ କରିଅଛନ୍ତି । ଅତି ଅଳ୍ପ ଦିନ ମଧ୍ୟରେ ଶତଶତ ଛାତ୍ର ପ୍ରବେଶ କରିଅଛନ୍ତି । ସମ୍ପ୍ରତି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋର ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପରିଣତ କରିବାର ଆୟୋଜନ ଚାଲିଅଛି । କନିକାର ଉତ୍ସାହୀ ରାଜା ମହୋଦୟ ନିଜଗଡ଼ ବିଦ୍ୟାଳୟକୁ ଉଚ୍ଚ ଇଂରାଜୀ ବିଦ୍ୟାଳୟ କରିବାରେ ବନ୍ଦୋବସ୍ତ କରୁଅଛନ୍ତି । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଏପରି ଉଦ୍ୟମ ଦେଖିଲେ ପ୍ରାଣରେ ବାସ୍ତବିକ ଆହ୍ଲାଦ ଆସେ । ଏହି ସବୁ କ୍ଷୁଦ୍ର ବୃହତ୍ ସ୍ଥାନୀୟ ଶିକ୍ଷା ଉଦ୍ୟମମାନଙ୍କୁ ଶୃଙ୍ଖଳାବଦ୍ଧ କରି ଗୋଟିଏ ଜାତୀୟ ଶିକ୍ଷା ଆନ୍ଦୋଳନର ଅଙ୍ଗୀଭୂତ କରିବା ଆବଶ୍ୟକ ହୋଇଅଛି । କେବଳ ସେକେଣ୍ଡେରୀ ସ୍କୁଲରେ ପାସକଲେ କିମ୍ୱା ମାଟ୍ରିକ୍ୟୁଲେସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଯଥେଷ୍ଟ ହେଲା ନାହିଁ । ବର୍ତ୍ତମାନ ଶିକ୍ଷାର ଏପରି କ୍ରମ ନିର୍ଦ୍ଦିଷ୍ଟ ହେବା ଆବଶ୍ୟକ ହୋଇଅଛି ଯେପରି କି ଗଞ୍ଜାମ ଓଡିଶା ମଧ୍ୟରେ ଶିକ୍ଷାର ବିଷୟ ଓ ପ୍ରଣାଳୀରେ ବିଶେଷ କିଛି ପାର୍ଥକ୍ୟ ନ ରହିବ । ପୁଣି ସ୍ୱଳ୍ପ ବ୍ୟୟରେ କିପରି ସୁଶିକ୍ଷା ଦିଆଯିବ, ତହିଁର ବ୍ୟବସ୍ଥା କରିବା ଅତୀବ ପ୍ରଯୋଜନ । ଶିକ୍ଷା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ଏବଂ ବ୍ୟାବହାରିକ ଶିଳ୍ପ ଜ୍ଞାନର ବୃଦ୍ଧି ଲାଗି ଉପାୟ ଉଦ୍‌ଭାବିତ ହେବା ଉଚିତ ।

ସ୍କୁଲରେ ଦେଶର ଅବସ୍ଥା ଓ ଅଭାବ ଏବଂ ଭବିଷ୍ୟତର ସମ୍ଭାବନା ପ୍ରଭୃତି ସକଳ ବିଷୟ ପ୍ରତି ଲକ୍ଷ୍ୟ ରଖି ସମସ୍ତ ଶିକ୍ଷାନୁଷ୍ଠାନ ପରିଚାଳିତ ହେବା ଉଟିତ । ସମଗ୍ର ଉତ୍କଳଭାଷୀ ପ୍ରଦେଶରେ ଏହି ଉଦ୍ଦେଶ୍ୟରେ ଏକ ଶିକ୍ଷା ସଙ୍ଘ ଗଠିତ ହେଲେ ଅସଙ୍ଗତ ହେବନାହିଁ । ମହାରାଷ୍ଟ୍ର ରାଜ୍ୟରେ ଦାକ୍ଷିଣାତ୍ୟ ଶିକ୍ଷା ସଙ୍ଘ (ଡେକାନ୍ ଏଜୁକେସନ୍ ସୋସାଇଟି) ବହୁ ଦିନରୁ କାର୍ଯ୍ୟକରି ଆସୁଅଛି । ପୁନା ଫର୍ଗୁସନ କଲେଜ ଏହି ସଙ୍ଘର କାର୍ଯ୍ୟ । ବଙ୍ଗଳାରେ ଜାତୀୟ ଶିକ୍ଷା ସମିତି ଅନ୍ୟାନ୍ୟ ଭାରତର ନାନା ଅଞ୍ଚଳରେ ଦେଖାଯାଏ । ସମୂହ ଚେଷ୍ଟାରେ ଯେ କାର୍ଯ୍ୟ ଶୀଘ୍ର ଅନେକ ଦୂର ଅଗ୍ରସର ହେବ, ଏହା ବୋଲିବା ବାହୁଲ୍ୟ ।

(ସତ୍ୟବାଦୀ, ୧ମ ଖଣ୍ଡ ୬ଷ୍ଠ ସଂଖ୍ୟା-୧୯୧୫)

No comments:

Post a Comment