ଚିଲିକାର ବିଭବ - ୪
ଦୁର୍ଗାଚରଣ ପଣ୍ଡା
୩ ଚିଲିକାରେ ଜଳଜୀବ
ବର୍ଷା ଆରମ୍ଭ ଓ ଶୀତ ଶେଷ - ଅର୍ଥାତ୍ ପ୍ରତିବର୍ଷର ଆଷାଢ଼ ମାସଠାରୁ ମାଘ ଶେଷ ପର୍ଯ୍ୟନ୍ତ ଚିଲିକାରେ ଯେତେ ଜାତି ଓ ବର୍ଣ୍ଣର ପକ୍ଷୀ ଦେଖାଯାନ୍ତି ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ସେପରି ଦେଖିବାକୁ ମିଳେ କି ନାହିଁ ସନ୍ଦେହ । ବିଶେଷତଃ, ମାର୍ଗଶୀର ଓ ମାଘମାସ ମଧ୍ୟରେ ଏଗୁଡ଼ିକର ସଂଖ୍ୟା ଗଣନାତୀତ ହୁଏ । ଠିକ ଏହି ସମୟରେ ବହୁସଙ୍ଖ୍ୟକ ଶିକାରୀ ଭାରତର ବିଭିନ୍ନ ସ୍ଥାନରୁ ଆସି ଏଇ ନିରୀହ ପକ୍ଷୀଗୁଡିକୁ ବନ୍ଦୁକ ଚୋଟରେ ମାରିଖାନ୍ତି !
ପ୍ରାୟ ୧୫୦ ଶ୍ରେଣୀର ମାଛ ଚିଲିକା ପ୍ରାଣୀରେ ରହନ୍ତି, ସାଧାରଣ ଚିଙ୍ଗୁଡ଼ି, ଇଲିସୀ, ଓ ପାତୁଆ ଠାରୁ ଆରମ୍ଭ କରି ଅତିବଡ଼ ଖଙ୍ଗା, ଭେକେଟା, ଭୁଆଷୁଣୀ ଓ ମଗର ମଧ୍ୟ ଏଠାରେ ଦେଖାଯାନ୍ତି । ଗୋଟିଏ ଗୋଟିଏ ଭେକେଟା ଶଗଡ଼ରେ ବୁହାହୁଅନ୍ତି । ଭୁଆଷୁଣୀ ଓ ମଗର ମାଛ ଗୁଡ଼ିକ ଗୋଟିଏ ଗୋଟିଏ ମନୁଷ୍ୟକୁ ଗିଳିବାଭଳି ଦେଖାଯାନ୍ତି । ସାଙ୍କୁଚ, ଚିଲ୍ଲି ଓ କାଉନ୍ଦା ପ୍ରଭୃତି ବିଷାକ୍ତ ଜୀବ ମଧ୍ୟ ଚିଲିକାରେ ଦେଖାଯାନ୍ତି । ଏଗୁଡ଼ିକ କ୍ଷତ କଲେ ଲୋକମାନେ ବିଶେଷ ଯନ୍ତ୍ରଣା ଭୋଗନ୍ତି ।
କେବଳ ମାଛଧରି ନିଜର ଜୀବନ ବଞ୍ଚାଉଥିବା ପ୍ରାୟ ୧୦ ହଜାର ମତ୍ସ୍ୟଜୀବି ଜାତି ଚିକିଲା ମଧ୍ୟସ୍ଥ ଦ୍ୱୀପପୁଞ୍ଜରେ ଏବଂ ଏହାର ଚତୁର୍ଦିଗସ୍ତ କୂଳ ଗ୍ରାମ ଗୁଡ଼ିକରେ ବାସ କରନ୍ତି । ପ୍ରତିଦିନ, ନିଶାରାତିରେ ଏବଂ ବଡ଼ିଭୋର କିମ୍ବା ମଧ୍ୟାହ୍ନ ସମୟରେ ଗହୀର ଚିଲିକାରୁ ମାଛ ଧରି ଆଣି ତାକୁ ବିକ୍ରି କରି ସେଇ କଞ୍ଚା ପଇସାରେ ନିଜର ପେଟ ପୋଷିବାହିିଁ ଏଠା ମତ୍ସ୍ୟଜୀବିଙ୍କର ପ୍ରଧାନ ବ୍ୟବସାୟ । ପ୍ରତିବର୍ଷ ସମଗ୍ର ଚିଲିକାରୁ ପ୍ରାୟ ତିନି ଲକ୍ଷ ଟଙ୍କାର ମାଛ ଧରାଯାଏ । ଏଥିରୁ ଅଧିକାଂଶ ମାଛ ରେଳରେ କଲିକତାକୁ ରପ୍ତାନୀ ହୁଏ । ଯେଉଁମାନେ ଏଠା ମାଛ ରପ୍ତାନୀ କରନ୍ତି, ସେଥିରୁ ଅଧିକାଂଶ ମହାଜନ ବିଦେଶୀ ଅଟନ୍ତି । ଏହି ବିଦେଶୀମାନେ ମତ୍ସଦିଆଙ୍କୁ ଆଗତୁରା ଟଙ୍କା ଦେଇ ଅଳ୍ପ ମୂଲ୍ୟରେ ମାଛ ନିଅନ୍ତି ଏବଂ କଲିକତାରେ ବହୁ ମୂଲ୍ୟରେ ବିକ୍ରି କରି ଲାଭବାନ ହୁଅନ୍ତି ! ଗତ କୋଡ଼ିଏ ବର୍ଷ ମଧ୍ୟରେ ଅନେକ ମହାଜନ ଲକ୍ଷାଧିକ ଟଙ୍କା ଏ ପ୍ରଣାଳୀରେ ସଞ୍ଚୟ କରିଛନ୍ତି । କିନ୍ତୁ ଯେଉଁ ଗରିବ ମଳିମୁଣ୍ଡିଆ ମାଛଧରା ହାଡ଼ଭଙ୍ଗା ପରିଶ୍ରମ କରେ ତାର ଘର ଛପର ନହେଇ ପଡ଼ିଛି । ତା ଦେହ ଘୋଡାଇବାକୁ କନା ନାଇଁ କି ପେଟ ପୁରିବାକୁ ଦାନାମିଳୁନି ! ଏଇ ଗରିବଙ୍କ ଦୁରବସ୍ଥା ଦୂର କରିବା ଦିଗରେ କୌଣସି ମହାଜନ କେବେ ଚିନ୍ତିତ ଥିବାର ଦେଖାଯାନ୍ତି ନାଇଁ, ଏହାକି କମ୍ ଚିନ୍ତାର ବିଷୟ ? [କ୍ରମଶଃ]
ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।
No comments:
Post a Comment