Tuesday, November 29, 2016

ନାରୀମାନଙ୍କ ପାଇଁ ମତଦାନର ଅଧିକାର


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କୌଣସିଠାରେ ସରକାରମାନେ ସ୍ୱେଚ୍ଛାପୂର୍ବକ କ୍ଷମତାରେ ଭାଗପ୍ରଦାନ କରିନାହାନ୍ତି ସରକାରରେ ଅଂଶଗ୍ରହଣର ଅଧିକାର ପାଇଁ ସାରା ୟୁରୋପରେ ଆମେରିକାରେ ଗରୀବ ଲୋକଙ୍କୁ ମହିଳାମାନଙ୍କୁ ଲଢ଼ିବାକୁ ପଡ଼ିଛି ମହିଳାମାନଙ୍କର ମତାଧିକାର ପାଇଁ ଆନ୍ଦୋଳନ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୟୁରୋପରେ ବଳସଙ୍ଗ୍ରହ କଲା ଏହି ଆନ୍ଦୋଳନକୁ ନିର୍ବାଚନାଧିକାର ଆନ୍ଦୋଳନ କୁହାଯାଏ

ଏହି ସମୟରେ ଅନେକ ପୁରୁଷଲୋକେ ଯୁଦ୍ଧ ପାଇଁ ଦୂରଦେଶରେ ଥିଲେ ଆଗରୁ ଯେଉଁ ସବୁ କାମକୁ ପୁରୁଷଜନୋଚିତ କାମ ବୋଲି ଗଣା ଯାଉଥିଲା, ସେସବୁ କ୍ଷେତ୍ରଗୁଡ଼ିକରେ ଏବେ ସ୍ତ୍ରୀଲୋକମାନେ କାମ କରିବାକୁ ଲାଗିଲେ ଅନେକ ମହିଳାମାନେ ନାନା ପ୍ରକାରର କାମ ସଙ୍ଗଠିତ କରିବାକୁ ପରିଚାଳିତ କରିବାକୁ ଲାଗିଲେ ଏହା ଦେଖି ଲୋକେ ସ୍ତ୍ରୀଲୋକମାନଙ୍କ ବିଷୟରେ ସେମାନଙ୍କର ନାନାଦି କାମ କରିବାର କ୍ଷମତା ବିଷୟରେ ସେମାନଙ୍କ ନିଜର ଧରାବନ୍ଧାଚିତ୍ରଗୁଡ଼ିକ ନେଇ ପ୍ରଶ୍ନ ଉଠାଇବାକୁ ଲାଗିଲେ ଏଣୁ ସ୍ତ୍ରୀଲୋକମାନେ ନିଜକୁ ନିଷ୍ପତ୍ତି ନେବାରେ ସମାନ ବୋଲି ଜ୍ଞାନ କରିବାକୁ ଲାଗିଲେ

ନିର୍ବାଚନାଧିକାରର ଆନ୍ଦୋଳନକାରୀମାନେ ମହିଳାମାନଙ୍କ ପାଇଁ ଭୋଟ ଦେବାର ଅଧିକାର ଦାବୀ କଲେ ଏଥି ପ୍ରତି ଦାବୀ ଆକର୍ଷିତ କରିବା ପାଇଁ ସେମାନେ ନିଜକୁ ଶିକୁଳିରେ ରେଲିଙ୍ଗ ଇତ୍ୟାଦିରେ ବାନ୍ଧୁଥିଲେ ସେମାନଙ୍କ ମଧ୍ୟରୁ ଅନେକ ଜେଲ ମଧ୍ୟ ଗଲେ ଅନଶନରେ ମଧ୍ୟ ବସିଲେ ଅନଶନରେ ବସିଥିବା ଅନେକ ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ଖାଦ୍ୟ ଖୁଆଯାଉଥିଲା ଆମେରିକାର ମହିଳାମାନେ ୧୯୨୦ ମସିହାରେ ଭୋଟ ଦେବାର ଅଧିକାର ପାଇଲେ ପୁରୁଷମାନଙ୍କ ସହିତ ସମତା ଭିତ୍ତିରେ ଭୋଟ ଦେବାର ଅଧିକାର ବିଲାତର ମହିଳାମାନଙ୍କୁ ୧୯୨୮ ମସିହାରେ ମିଳିଲା

ବି.ଦ୍ର. - ଏନ.ସି.ଇ.ଆର.ଟି. ଛାପିଥିବା ଷଷ୍ଠ ଶ୍ରେଣୀର ସମାଜ ବିଜ୍ଞାନ ପୁସ୍ତକ 'ସୋସାଲ ଆଣ୍ଡ ପଲିଟିକାଲ ଲାଇଫ - ୧'ର ତୃତୀୟ ଅଧ୍ୟାୟର କିଛି ଅନୁଦିତ ତଥା ସମ୍ପାଦିତ ଅଂଶ ।

Sunday, November 27, 2016

ଲଦ୍ଦାଖ ଓ କେରଳ : ଭାରତରେ ବିବିଧତା


ଲଦ୍ଦାଖର ହେମିସ ମଠର ଚିତ୍ର (୧୮୭୬ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଲଦ୍ଦାଖ ଜାମ୍ମୁ କାଶ୍ମୀର ରାଜ୍ୟର ପୂର୍ବଭାଗରେ ଅବସ୍ଥିତ ପର୍ବତାଞ୍ଚଳର ଏକ ମରୁଭୂମି ଏଠାରେ ବହୁତ ଅଳପ ଭାବରେ ଚାଷବାସ ସମ୍ଭବ କାରଣ ଏହି ଅଞ୍ଚଳରେ ପ୍ରାୟତଃ ବରଷା ହୁଏ ନାହିଁ ବରଷଯାକର ଅଧିକାଂଶ ସମୟ ଭୂଇଁ ବରଫରେ ଢାଙ୍କି ହେଇଥାଏ ଏହି ଅଞ୍ଚଳରେ ବହୁତ କମ ପ୍ରକାରର ଗଛବୁରୁଛ ଉଧେଇପାରିବେ ଖରାଦିନେ ତରଳୁଥିବା ବରଫ ଉପରେ ହିଁ ଲୋକମାନେ ନିଜର ପିଇବା ପାଣି ପାଇଁ ନିର୍ଭର କରନ୍ତି

ଏଠାକାର ଲୋକେ ମେଣ୍ଢା ପୋଷନ୍ତି ଏହି ମେଣ୍ଢାଗୁଡ଼ିକ ଏକ ବିଶେଷ ପ୍ରକାରର ମେଣ୍ଢା କାରଣ ଏମାନଙ୍କର ରୁମରୁ ପଶ୍ମିନା ଉଲ ମିଳେ ଏହି ଉଲ  ଚାହିଦା ବହୁତ ପଶ୍ମିନାରୁ ବୁଣାହୋଇଥିବା ଚାଦରର ଦାମ ବହୁତ ବେଶୀ ଲଦ୍ଦାଖର ଲୋକମାନେ ଏହି ମେଣ୍ଢାଙ୍କର ଉଲ କୁ ଅତି ଯତ୍ନର ସହିତ ସଙ୍ଗ୍ରହ କରନ୍ତି ଏହି ଉଲକୁ ସେମାନେ କାଶ୍ମୀରର ବେପାରୀମାନଙ୍କୁ ବିକନ୍ତି ପଶ୍ମିନା ଚାଦର କାଶ୍ମୀରରେ ହିଁ ବୁଣାଯାଏ

ଲୋକେ ପ୍ରାୟତଃ ମାଂସ ଖାଆନ୍ତି ଦୁଗ୍ଧଜାତ ପଦାର୍ଥ, ଯଥା ଛେନା ଲହୁଣୀ ଆଦି ଖାଆନ୍ତି ପ୍ରତ୍ୟେକ ପରିବାରର କେତୋଟି ଲେଖାଏଁ ଛେଳି, ଗାଇ ଜୋ ( ଏକ ପ୍ରକାରର ଚମରୀ ଗାଇ) ଥାଏ ଲଦ୍ଦାଖ ଗୋଚିଏ ମରୁଭୂମି ନିଶ୍ଚୟ । ମାତ୍ର ତାହାର ମାନେ ଏହା ନୁହେଁ ଯେ ଏଠାକୁ ବେପାର ବଣିଜ କରିବା ପାଇଁ ବେପାରୀମାନେ ଆସୁନଥିଲେ ଏହି ଅଞ୍ଚଳ ଗୋଟିଏ ଭଲ ବୈପାରିକ ରାସ୍ତା ଭାବରେ ଅତୀତରେ ଜଣାଶୁଣା ଥିଲା କାରଣ ଲଦ୍ଦାଖରେ ଅନେକ ଘାଟିରାସ୍ତା ଅଛି ଯାହା ଦେଇ ଆଜିକାଲିର ତିବ୍ବତକୁ କାର୍ୱାଁ ଯାଉଥିଲା ଏହି କାର୍ୱାଁରେ ଲୁଗାପଟା, ମସଲା, କଞ୍ଚା ରେଶମ ଇତ୍ୟାଦି ବୁହାହୋଇ ନିଆଯାଉଥିଲା

ବୌଦ୍ଧ ଧର୍ମ ତିବ୍ବତ ଦେଇ ଲଦ୍ଦାଖରେ ପହଞ୍ଚିଲା । ଲଦ୍ଦାଖକୁ କୁନି ତିବ୍ବତ ମଧ୍ୟ କୁହାଯାଏ । ଚାରିଶହ ବରଷ ପୂର୍ବେ ଏହି ଅଞ୍ଚଳରେ ଇସଲାମ ଧର୍ମର ପ୍ରସାର ଆରମ୍ଭ ହେଲା । ଏବେ ଏଠାରେ ବଡ଼ ଆକାରରେ ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ଦେଖିବାକୁ ମିଳନ୍ତି । ଲଦ୍ଦାଖରେ ମୌଖିକ ଭାବରେ ପ୍ରଚଳିତ ଗୀତ ଓ କବିତାର ଏକ ସମୃଦ୍ଧ ପରମ୍ପରା ପ୍ରଚଳିତ ଅଛି । ତିବ୍ବତୀୟ ଜାତୀୟ ପୁରାଣ କେଶର ଗାଥାର ସ୍ଥାନୀୟ ସଂସ୍କରଣ ଲଦ୍ଦାଖରେ ପ୍ରଦର୍ଶିତ ଓ ଗାୟନ କରାଯାଏ ।

କେରଳ ଦେଶର ଦକ୍ଷିଣ ପଶ୍ଚିମ କୋଣରେ ଅବସ୍ଥିତ ଏକ ରାଜ୍ୟ । ଏହାର ଗୋଟିଏ ପଟେ ପାହାଡମାଳା ତ ଅନ୍ୟ ପଟେ ସମୁଦ୍ର । ଏହି ରାଜ୍ୟରେ ପର୍ବତମାନଙ୍କରେ ଗୋଲମରିଚ, ଲବଙ୍ଗ ଓ ଡାଲଚିନି ଆଦି ମସଲା ଚାଷ କରାଯାଏ । ଏହି ମସଲାଗୁଡ଼ିକ ପାଇଁ ଏହି ଅଞ୍ଚଳ ପ୍ରତି ବ୍ୟବସାୟୀମାନେ ସର୍ବଦା ଆକର୍ଷିତ ହୋଇ ଆସିଛନ୍ତି । ଇହୁଦୀ ଓ ଆରବ ବେପାରୀମାନେ ଏଠାକୁ ସବୁଠୁ ଆଗେ ଆସିଥିଲେ । ଯୀଶୁଙ୍କର ଧର୍ମଦୂତ ସନ୍ଥ ଥମା ଏଠାକୁ ପାଖାପାଖି ଦୁଇ ହଜାର ବରଷ ଆଗରୁ ଆସିଥିବାର ବିଶ୍ୱାସ କରାଯାଏ । ତାଙ୍କୁ ଭାରତକୁ ଖ୍ରୀଷ୍ଟଧର୍ମର ଆଗମନ ପାଇଁ ଶ୍ରେୟ ମଧ୍ୟ ଦିଆଯାଏ ।

ଅନେକ ଆରବ ବଣିକମାନେ ମଧ୍ୟ ଏଠାକୁ ଆସି ଏଠାରେ ବସବାସ କରିବା ଆରମ୍ଭ କଲେ । ଇବନ ବତୁତା ନାମକ ପ୍ରସିଦ୍ଧ ପରିବ୍ରାଜକ ମଧ୍ୟ ସାତଶହ ବରଷ ଆଗରୁ ଏଠାକୁ ଭ୍ରମଣକରିବାକୁ ଆସି ଏଠିକାର ଅନୁଭୂତି ବିଷୟରେ ଏକ ଭ୍ରମଣ କାହାଣୀ ଲେଖିଥିଲେ । ସେଥିରେ ସେ ସ୍ଥାନୀୟ ମୁସଲମାନମାନଙ୍କର ଜୀବନଚର୍ଯ୍ୟା ବିଷୟରେ ବର୍ଣ୍ଣନା କରି କୁହନ୍ତି ଯେ ସେମାନେ ଏକ ସମ୍ମାନାଷ୍ପଦ ଭାବରେ ଜୀବନଯାପନ କରୁଥିଲେ । ଯେତେବେଳେ ଭାସ୍କୋଡିଗାମା ୟୁରୋପରୁ ଭାରତକୁ ସିଧା ସାମୁଦ୍ରିକ ପଥର ଆବିଷ୍କାର କଲେ, ସେତେବେଳେ ତାଙ୍କର ଜାହଜ ଆସି କେରଳ ଉପକୁଳରେ ହିଁ ଲାଗିଲା ।

ଏହି ସବୁ ନାନାଦି ଐତିହାସିକ ପ୍ରଭାବଗୁଡ଼ିକ ଯୋଗୁଁ କେରଳର ଲୋକେ ଇହୁଦୀ ଧର୍ମ, ଇସଲାମ, ଖ୍ରୀଷ୍ଟଧର୍ମ, ହିନ୍ଦୁଧର୍ମ ଓ ବୈଦ୍ଧଧର୍ମ ଆଦି ଅନେକ ଧାର୍ମିକ ପରମ୍ପରାର ଅନୁସରଣ କରନ୍ତି ।

ଏଠାରେ ପ୍ରଚଳିତ ମାଛମରା ଜାଲ ଚୀନ ଦେଶର ଜାଲ ପରି ଦୁଶେ ଓ ଏହାକୁ ଚୀନା-ଭାଲ ମଧ୍ୟ କୁହାଯାଏ । ଏପରିକି ଛଣାଛଣି ପାଇଁ ବ୍ୟବହାର କରାଯାଉଥିବା ବାସନକୁ ଚୀନାଚଟ୍ଟି କୁହାଯାଏ । ଏହା ବିଶ୍ୱାସ କରାଯାଏ ଯେ ଚୀନ ଶବ୍ଦଟି ଚୀନ ଦେଶରୁ ହିଁ ଆସିଛି । ଏଠିକାର ଉର୍ବର ମାଟି ଓ ଜଳବାୟୁ ଧାନ ଚାଷ ପାଇଁ ଉପଯୁକ୍ତ । ଏଠିକାର ଅଧିକାଂଶ ଲୋକେ ଭାତ, ମାଛ ଓ ପନିପରିବା ଖାଆନ୍ତି । 

ନିଜର ଭୌଗଳିକ ବୈଶିଷ୍ଟ୍ୟ ଦୃଷ୍ଟିରୁ କେରଳ ଓ ଲଦ୍ଦାଖ ପରସ୍ପରଠାରୁ ଅଲଗା ହେଲେ ମଧ୍ୟ ଏହି ଦୁଇଟି ଅଞ୍ଚଳର ଇତିହାସରେ ଆମେ ବିବିଧ ସାଂସ୍କୃତିକ ପ୍ରଭାବର ସ୍ପର୍ଷ ଦେଖିବାକୁ ପାଇବା । ଉଭୟ ଅଞ୍ଚଳ ଚୈନିକ ଓ ଆରବୀୟ ବଣିକ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । କେରଳର ଭୂଗୋଳ ଯୋଗୁଁ ହିଁ ସେଠାରେ ମସଲାମସଲି ଇତ୍ୟାଦିର ଚାଷବାସ ହୋଇପାରିଲା ତଥା ଲଦ୍ଦାଖର ବିଶେଷ ଭୌଗଳିକ ଅବସ୍ଥିତି ଓ ଏହାର ପଶମ ଯୋଗୁଁ ହିଁ ଏହି ଅଞ୍ଚଳଗୁଡ଼ିକୁ ବେପାରିମାନେ ଆକର୍ଷିତ ହୋଇ ଆସିଲେ । ଅତଏବ ଗୋଟିଏ ଅଞ୍ଚଳର ସାଂସ୍କୃତିକ ଜୀବନରେ ଅନେକ ସମୟରେ ଇତିହାସ ଓ ଭୂଗୋଳ ଛନ୍ଦିହୋଇଥାଆନ୍ତି ।

ବିଭିନ୍ନ ସଂସ୍କୃତିର ପ୍ରଭାବ ପଡ଼ିବା କେବଳ ଅତୀତର କଥା ନୁହେଁ । ଆମର ସମସାମୟିକ ଜୀବନରେ ମଧ୍ୟ ଆମେ ଯେତେବେଳେ ଜୀବିକା ଅର୍ଜନ ପାଇଁ ସ୍ଥାନରୁ ସ୍ଥାନାନ୍ତର ହେଲାବେଳେ ଆମର ସାଂସ୍କୃତିକ ପରମ୍ପରା ଓ ଜୀବନଶୈଳୀ ଆମର ନୂଆ ବାସସ୍ଥାନର ଅଂଶବିଶେଷ ବନିଯାଏ । ସେହିପରିଭାବରେ ଆମେ ଆମର ନିଜର ପଡ଼ିଶାରେ ମଧ୍ୟ ଭିନ୍ନଭିନ୍ନ ଜନଗୋଷ୍ଠୀର ଲୋକମାନଙ୍କ ସହିତ ମିଶି ଚଳୁଛୁ । ପରସ୍ପରର କାମ କରିବାର ବାଟ ବିଷୟରେ ଜାଣିବା ତଥା ନିଜର ଓ ଅନ୍ୟର ଜୀବନ, ପରମ୍ପରା ଓ ଚଳଣୀ ବିଷୟରେ ଗପଟିମାନ ଶୁଣିବାରେ ଆମେ ଆମର ଦୈନନ୍ଦିନ ଜୀବନ ଅତିବାହିତ କରୁ ।
 
ବି.ଦ୍ର. - ଏନ.ସି.ଇ.ଆର.ଟି. ଛାପିଥିବା ଷଷ୍ଠ ଶ୍ରେଣୀର ସମାଜ ବିଜ୍ଞାନ ପୁସ୍ତକ 'ସୋସାଲ ଆଣ୍ଡ ପଲିଟିକାଲ ଲାଇଫ - ୧'ର ପ୍ରଥମ ଅଧ୍ୟାୟର କିଛି ଅନୁଦିତ ତଥା ସମ୍ପାଦିତ ଅଂଶ ।

Thursday, November 24, 2016

ଉପେନ୍ଦ୍ର ଭଞ୍ଜ 


ଶ୍ରୀ ରାମଚନ୍ଦ୍ର ଆଚାର୍ଯ୍ୟ, ବି.ଏ. 


କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ

ଅନେକ ଦିନ ପୂର୍ବେ ଗଞ୍ଜାମ ଜିଲ୍ଲାର ଗୁମସରରେ ଭଞ୍ଜବଂଶର ରାଜାମାନେ ରାଜପଣ କରୁଥିଲେ । କୁଲାଡ଼ ସେମାନଙ୍କର ରାଜଧାନୀ ଥିଲା । ସେହି ବଂଶର ରାଜାମାନେ ସେଠାରେ ଆଉ ନାହାନ୍ତି । ଗୁମସର ଏବେ ଇଂରାଜ ସରକାରଙ୍କ ଅଧୀନ ହୋଇଅଛି । 

ଆଜକୁ ପ୍ରାୟ ୨୨୨ ବର୍ଷ ତଳେ ସେହି ବଂଶର ନୀଳକଣ୍ଠ ଭଞ୍ଜ ନାମକ ଜଣେ ରାଜା ସେଠାରେ ରାଜୁତି କରୁଥିଲେ । ସେ କେବଳ ଦୁଇ ବର୍ଷ କାଳ ରାଜା ହୋଇଥିଲେ । ତାଙ୍କ ଭାଇମାନେ ଶତୃ ହୋଇ ରାଜ୍ୟରୁ ତାଙ୍କୁ ତଡ଼ି ଦେବାରୁ, ସେ ନିଜ ପରିବାର ସହିତ ନୂଆଗଡ଼କୁ ପଳାଇଥିଲେ । ଉପେନ୍ଦ୍ର ଭଞ୍ଜ ନୀଳକଣ୍ଠ ଭଞ୍ଜଙ୍କ ପୁତ୍ର ।

ଉପେନ୍ଦ୍ର ଭଞ୍ଜ ପ୍ରାୟ ୧୬୮୫ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ରାଜ୍ୟ ଛାଡ଼ି ପଳାଇବା ବେଳକୁ ଉପେନ୍ଦ୍ର ଭଞ୍ଜ ଅଳ୍ପ ବୟସର ବାଳକ ଥିଲେ । ବାଲ୍ୟକାଳରେ ସେ ମନ୍ଦ ବାଳକମାନଙ୍କ ସଙ୍ଗେ ମିଶି ସର୍ବଦା ଦୁଷ୍ଟ କାମ କରିଥାନ୍ତି ।

ଯୁବକ ହେବା ମାତ୍ରେ ତାଙ୍କ ମନରେ ବିଦ୍ୟା ଶିକ୍ଷା କରିବାର ଇଚ୍ଛା ଜାତ ହେଲା । ସେ ବହୁ ପରିଶ୍ରମ ସହିତ ଜ୍ଞାନ ଅର୍ଜନ କରିବାକୁ ଲାଗିଲେ । ସେ ଜଣେ ପ୍ରଧାନ ରାମଭକ୍ତ । ସେ ଶ୍ରୀ ରାମଚନ୍ଦ୍ରଙ୍କ ଠାରେ ଦୃଢ଼ ବିଶ୍ୱାସ ରଖି ଲେଖା ପଢ଼ା ଆରମ୍ଭ କଲେ । ସେ ପ୍ରତ୍ୟହ ରାମତାରକ ମନ୍ତ୍ର ଜପୁଥାନ୍ତି । ସାଧନା ବଳରେ ସେ ସକଳ ଶାସ୍ତ୍ରରେ ଗଭୀର ଜ୍ଞାନ ଲାଭ କରି ପାରିଲେ । ଇଶ୍ୱରଙ୍କ ପ୍ରତି ଦୃଢ଼ ଭକ୍ତି, ବିଶ୍ୱାସ ରଖି ପରିଶ୍ରମ ସହିତ ପାଠ ପଢ଼ିଲେ ଉତ୍ତମ ବୁଦ୍ଧି ଓ ଜ୍ଞାନ ହୁଏ । ସଂସ୍କୃତ ବ୍ୟାକରଣ, ଜ୍ୟୋତିଷ, ଆୟୁର୍ବେଦ ଇତ୍ୟାଦି ଶାସ୍ତ୍ରରେ ଉପେନ୍ଦ୍ର ଭଞ୍ଜଙ୍କର ଜ୍ଞାନ ଥିଲା । 

ପରେ ସେ ଅନେକ କବିତା ରଚନା କଲେ । ତାଙ୍କର କବିତା ସବୁ ଅତ୍ୟନ୍ତ ସୁନ୍ଦର ଓ ସରସ । ତାଙ୍କର ପଦ୍ୟ ଲେଖାରେ ସେହି ସମୟର ପଣ୍ଡିତମାନେ ବିଶେଷ ପ୍ରୀତ ହେଲେ । ଏଣୁ ଉପେନ୍ଦ୍ର ଭଞ୍ଜ ଅଧିକ ଉତ୍ସାହରେ ଅନେକ ପୁସ୍ତକ ଲେଖିଗଲେ । ତାଙ୍କ ଲେଖାରେ ସନ୍ତୁଷ୍ଟ ହୋଇ ସେହି ସମୟର ନୂଆଗଡ଼ ରାଜା ତାଙ୍କୁ 'ବୀରବର' ଉପାଧି ଦେଇଥିଲେ । 

ପୁସ୍ତକ ଲେଖାରେ ତାଙ୍କର ବଡ଼ ନାମ ହେଲା । ସେହି ସମୟର ବାଣପୁର ରାଜା ଉପେନ୍ଦ୍ର ଭଞ୍ଜଙ୍କ ସହିତ ନିଜ କନ୍ୟାଙ୍କର ବିବାହ ଦେଲେ । ଉପେନ୍ଦ୍ର ଭଞ୍ଜ ବାଣପୁରରେ କେତେକ ଦିନ କଟାଇଲେ । ତାଙ୍କ ପତ୍ନୀ ମଧ୍ୟ ପଣ୍ଡିତା ଥିଲେ । 

ଉପେନ୍ଦ୍ର ଭଞ୍ଜ ରାଜପୁତ୍ର ହେଲେ ହେଁ ରାଜପଣ କରିପାରି ନଥିଲେ ।  କିନ୍ତୁ ସେଥିପାଇଁ ତାଙ୍କର ଦୁଃଖ ନଥିଲା । ସେ ତାଙ୍କର ଜୀବନଟା ଶାସ୍ତ୍ର ପାଠ ଓ ପୁସ୍ତକ ରଚନାରେ କଟାଇଥିଲେ । 

ଆଜି ପର୍ଯ୍ୟନ୍ତ ତାଙ୍କର କୋଡ଼ିଏ ଖଣ୍ଡ ମାତ୍ର ଗ୍ରନ୍ଥ ପ୍ରକାଶିତ ହୋଇଅଛି । ସେଥି ମଧ୍ୟରୁ 'ବୈଦେହୀଶବିଳାଶ' ପ୍ରଧାନ ।

ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଭାଷାର ଅଶେଷ ଉପକାର କରିଅଛନ୍ତି । ତାଙ୍କର ଲେଖା ଓଡ଼ିଆର ଗୌରବ ରଖିପାରିଛି । ସେ ପ୍ରାୟ ୪୦ ବର୍ଷ ଜୀବିତ ଥିଲେ । ସେ ୧୭୨୧ ଖ୍ରୀଷ୍ଟାବ୍ଦରେ ପରଲୋକ ଯାତ୍ରା କରିଥିଲେ । 

ବି.ଦ୍ର. ଏହି ଲେଖାଟି ପ୍ରଥମେ ପିଲାଙ୍କ ପତ୍ରିକା ପଞ୍ଚାମୃତର ତୃତୀୟ ଖଣ୍ଡର ତୃତୀୟ (୧୯୨୬?) ସଂଖ୍ୟାରେ ଛପାଯାଇଥିଲା । 

Monday, November 07, 2016

ଜାତିରେ ମୁଁ ମାହାର


ନଅ ବର୍ଷ ବୟସରେ ଆମ୍ବେଦକର ଭୋଗିଥିବା ଜାତିଗତ ବିଦ୍ୱେଷର କାହାଣୀ



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଭାରତର ମହାନତମ ନେତାଙ୍କ ଭିତରେ ଅନ୍ୟତମ ଡକ୍ଟର ଭୀମରାଓ ଆମ୍ବେଦକର ୧୯୦୧ ମସିହାରେ ତାଙ୍କୁ ନଅ ବରଷ ହୋଇଥିବା ସମୟରେ ସେ ଭୋଗିଥିବା ଜାତିଗତ ବିଦ୍ୱେଷର ଅନୁଭୁତିର ଏକ ବିବରଣୀ ଆମକୁ ଦିଅନ୍ତି । ସେ ନିଜ ଭାଇ ଓ କୁଟୁମ୍ବର ଲୋକମାନଙ୍କ ସହିତ ବର୍ତ୍ତମାନର ମହାରାଷ୍ଟ୍ରର କୋରେଗାଓଁ ଯାଇଥିଲେ ନିଜର ବାପାଙ୍କୁ ଭେଟିବା ପାଇଁ ।

" ଆମେ ବହୁତ ସମୟ ଅପେକ୍ଷା କଲୁ । ହେଲେ କେହି ଆସିଲେ ନାହିଁ । ଘଣ୍ଟେ ଚାଲିଗଲା । ଷ୍ଟେସନ ମାଷ୍ଟର ପଚରାଉଚରା କରିବାକୁ ଆସିଲେ । ସେ ଆମକୁ ଟିକଟ ଦେଖାଇବାକୁ କହିଲେ । ଆମେ ତାଙ୍କୁ ଦେଖାଇଲୁ । ସେ ଆମକୁ ପଚାରିଲେ ଯେ ଆମେ ସେଠାରେ କାହିଁକି ଲନ୍ଦରପନ୍ଦର ହେଉଛୁ । ଆମେ ତାଙ୍କୁ କହିଲୁ ଯେ ଆମକୁ କୋରେଗାଓଁକୁ ଯିବାର ଅଛି । ଆମେ ଆମର ବାପା ଓ ଚାକରବାକରଙ୍କ ପାଇଁ ଅପେକ୍ଷା କରୁଛୁ । ହେଲେ ସେମାନଙ୍କ ଭିତରୁ କେହି ଏ ପର୍ଯ୍ୟନ୍ତ ଆସିନାହାନ୍ତି । ଆମେ କିପରି କୋରେଗାଓଁ ଯିବୁ ଆମକୁ ଜଣାନାହିଁ ।

ଆମେ ଭଦ୍ରଜନୋଚିତ ଲୁଗାପଟା ପିନ୍ଧିଥିଲୁ । ଆମର ଜାମା କିମ୍ବା କଥାବାର୍ତ୍ତାରୁ କେହି ଜାଣିପାରିବ ନାହିଁ ଯେ ଆମେ ଅଛୁଆଁମାନଙ୍କର ପିଲା ଥିଲୁ । ଷ୍ଟେସନ ମାଷ୍ଟର ପୂରା ନିଶ୍ଚିତ ଥିଲେ ଯେ ଆମେ ବ୍ରାହ୍ମଣ ପରିବାରର ବୋଲି ଓ ଆମକୁ ସେପରି ଅବସ୍ଥାରେ ଦେଖି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ସାଧାରଣ ହିନ୍ଦୁ ଚଳଣି ଅନୁସାରେ ସେ ଆମକୁ ପଚାରିଲେ ଯେ ଆମେ କିଏ । ମୁଁ ଆଦୌ ମୂହୁର୍ତ୍ତକର ଚିନ୍ତା ଭାବନା ନ କରି କହିପକାଇଲି ଯେ ଆମେମାନେ ମାହାର । (ମାହାର ସେ ସମୟର ବମ୍ବେ ପ୍ରେସିଡେନ୍ସିରେ ଅଛୁଆଁ ବୋଲି ଗଣାଯାଉଥିବା ଜାତିମାନଙ୍କ ଭିତରୁ ଗୋଟିଏ ଥିଲା ।) ସେ ଏହା ଶୁଣି ସ୍ତବ୍ଧ ହୋଇଗଲେ । ତାଙ୍କର ମୁହଁରେ ହଠାତ କରି ଏକ ପରିବର୍ତ୍ତନ ଆସିଲା । ଆମେ ଦେଖି ପାରିଲୁ ଯେ ସେ ଜୁଗୁପ୍ସାର ବିଚିତ୍ର ଭାବନା ତାଙ୍କୁ ବଶକରିଦେଲା । ସେ ମୋର ଉତ୍ତର ଶୁଣି ତତକ୍ଷଣାତ ନିଜର କୋଠରୀକୁ ଚାଲିଗଲେ । ଆମେ ଯେଉଁଠାରେ ଥିଲୁ, ସେହିଠାରେ ଠିଆହୋଇରହିଲୁ । ପନ୍ଦର କୋଡ଼ିଏ ମିନିଟି କଟିଗଲା । ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥିଲା । ଆମ ବାପା ସେ ପର୍ଯ୍ୟନ୍ତ ଆସିନଥିଲେ । ନା ସେ ଚାକରବାକରମାନଙ୍କୁ କାହାକୁ ପଠାଇଥିଲେ । ଏବେ ଷ୍ଟେସନମାଷ୍ଟର ମଧ୍ୟ ଆମକୁ ଛାଡ଼ି ଚାଲିଯାଇଥିଲେ । ଆମେ କିଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲୁ । ଯାତ୍ରାରମ୍ଭ ସମୟର ଆନନ୍ଦ ଓ ଖୁସିର ସ୍ଥାନ ଏବେ ଉତ୍କଟ ଦୁଃଖ ନେବାକୁ ଆରମ୍ଭ କରିଥିଲା ।

ଅଧ ଘଣ୍ଟାଏ ପରେ ଷ୍ଟେସନମାଷ୍ଟର ଫେରିଆସିଲେ । ସେ ଆମକୁ ଆମର ଭବିଷ୍ୟତ କର୍ମପନ୍ଥା ବିଷୟରେ ପଚାରିଲେ । ଆମେ କହିଲୁ ଯେ ଆମେ ଯଦି ଭଡ଼ାରେ ବଳଦଗାଡ଼ି ଗୋଟିଏ ପାଇବୁ ତାହାହେଲେ ଆମେ କୋରେଗାଓଁ ଅଭିମୁଖେ ଯାତ୍ରା ଆରମ୍ଭ କରିବୁ । ଯଦି ଗନ୍ତବ୍ୟସ୍ଥାନ ବେଶୀ ଦୂର ନୁହେଁ ତାହାହେଲେ ଆମେ ସାଙ୍ଗେସାଙ୍ଗେ ଚାଲିଯିବା ପାଇଁ ଚାହିଁବୁ । ଭଡ଼ାପାଇଁ ସେଠାରେ ଅନେକ ବଳଦଗାଡ଼ି ଥିଲେ । କିନ୍ତୁ ଆମେ ଯେ ମାହାର ଜାତିର ପିଲା, ସେ ବିଷୟରେ ଷ୍ଟେସନ ମାଷ୍ଟରଙ୍କୁ ମୋର ଉତ୍ତର ଶଗଡ଼ିଆମାନଙ୍କ ଭିତରେ ଖେଳିଯାଇଥିଲା । ଅଛୁଆଁ ଜାତିର ଲୋକଙ୍କୁ ଗାଡ଼ିରେ ନେଇ ଜାତି ଚାଲିଯିବାର ଭୟରେ ସେମାନଙ୍କ ଭିତରୁ କେହି ଜଣେ ବି ଆମକୁ ନେବାପାଇଁ ରାଜି ନଥିଲେ । ଆମେ ସାଧାରଣ ଭଡ଼ାର ଦୁଇଗୁଣା ଅଧିକା ମଧ୍ୟ ଦେବାପାଇଁ ରାଜିଥିଲୁ । ହେଲେ ଆମକୁ ଜଣାପଡ଼ିଲା ଯେ ସେଠାରେ ଟଙ୍କାକଉଡ଼ିର କିଛି ମୂଲ୍ୟ ନଥିଲା । ଆମ ପାଇଁ କଥାବାର୍ତ୍ତା କରୁଥିବା ଷ୍ଟେସନ ମାଷ୍ଟର କଅଣ କରିବେ ଜାଣି ନପାରି ଚୁପ ହୋଇ ଠିଆ ହୋଇଥିଲେ । "


[ ଉତ୍ସ – ଡ. ବି.ଆର. ଆମ୍ବେଦକର, ରଚନାବଳୀ ଓ ଭାଷଣ । ଦ୍ୱାଦଶ ଭାଗ । ବସନ୍ତ ମୁନ (ସମ୍ପାଦକ) । ବମ୍ବେ : ଶିକ୍ଷା ବିଭାଗ, ମହାରାଷ୍ଟ୍ର ସରକାର ]

Sunday, October 30, 2016

ଭାରତରେ ଶିଶୁ-କୈନ୍ଦ୍ରିକ ଶିକ୍ଷା


ବିଶ୍ୱଜିତ ଆପଟ


ଶତାୟୁ ନୟି ତାଲିମ କର୍ମୀ ଚିତ୍ତଭୂଷଣ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 



ଭାରତାୟ ଶିକ୍ଷା ବ୍ୟବସ୍ଥା ପାଠ୍ୟପୁସ୍ତକ-କୈନ୍ଦ୍ରିକ ଓ ପରୀକ୍ଷା-କୈନ୍ଦ୍ରିକ । ଏଥିରେ ବିଦ୍ୟାର୍ଥୀଙ୍କୁ ପୁସ୍ତକଗତ ବିଦ୍ୟାକୁ ମୁଖସ୍ତକରି ପରୀକ୍ଷା ଖାତାରେ ଢାଳିଦେବାକୁ ପଡେ । ଶ୍ରେଣୀଗୃହରେ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଏକଛତ୍ରବାଦ ଚାଲେ । ଏହି ପରିପ୍ରେକ୍ଷୀରେ ଶିଶୁ-କୈନ୍ଦ୍ରିକ ଶିକ୍ଷା ନିମନ୍ତେ ବର୍ତ୍ତମାନ ଯେଉଁସବୁ ପଦକ୍ଷେପମାନ ନିଆଯାଉଛି, ସେସବୁ ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବ ବୋଲି ଆମେ ସମସ୍ତେ ଆଶା ବାନ୍ଧିଛୁ । କିନ୍ତୁ ଟିକେ ନିରୀକ୍ଷଣ କଲେ ଆମେ ଦେଖିବା ଯେ ଶିଶୁ-କୈନ୍ଦ୍ରିକ ଶିକ୍ଷା ବୋଲି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଶୈକ୍ଷଣିକ ପ୍ରଣାଳୀ ନାହିଁ । ଅଲଗା ଅଲଗା ଦାର୍ଶନିକ ଉତ୍ସ ଦ୍ୱାରା ପ୍ରେରିତ ଭିନ୍ନ ଭିନ୍ନ ଶୈକ୍ଷଣିକ ଶୈଳୀ ଯେଇଁ ପ୍ରଗତିଶୀଳ, ମାନବିକ ଓ ଗଠନମୂଳକ ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ ରଖିଲେ, ତାହା ଶିଶୁ-କୈନ୍ଦ୍ରିକ ଶିକ୍ଷା ନାମରେ ବିଦିତ ହୋଇଛି । ୧୯୬୦ ଓ ୭୦ ଦଶକର ବ୍ରିଟେନରେ ଯେତେବେଳେ ଶିଶୁ-କୈନ୍ଦ୍ରିକ ଆନ୍ଦୋଳନର ସୂତ୍ରପାତ ହେଲା, ଶିକ୍ଷାଦାନର ଲକ୍ଷ୍ୟ “ଶିଶୁର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱର ବିକାଶ” ବୋଲି କୁହାଗଲା । ଶିଶୁ-କୈନ୍ଦ୍ରିକ ଶିକ୍ଷାର ଲକ୍ଷ୍ୟ ରଖି ଏବେ ଯେଉଁ ଉପକ୍ରମଗୁଡ଼ିକ ଭାରତରେ ଆରମ୍ଭ ହୋଇଛି, ସେସବୁ ବିଦ୍ୟାଳୟ ସ୍ତରରେ ବେଳେ ବେଳେ ଭାରି ଭିନ୍ନ ଭିନ୍ନ ସ୍ୱରୂପ ଧାରଣ କରୁଛନ୍ତି । ଗଣତାନ୍ତ୍ରିକ ପରିବେଶରେ ଶିକ୍ଷାଦାନ, ପାଠ୍ୟକ୍ରମ ଓ ବିଦ୍ୟାର ସୀମା ସରହଦକୁ ନେଇ ଆମର ପୁରୁଣାକାଳିଆ ମନୋବୃତ୍ତିରେ ପରିବର୍ତ୍ତନ, ତଥା ଶିଶୁ ଓ ଶିକ୍ଷକଙ୍କ ମଧ୍ୟରେ ରହୁଥିବା ଭୟ ଉଦ୍ରେକ କଲାପରି ବ୍ୟବଧାନ ହ୍ରାସ କରିବା ଆଦି ବିଷୟରେ ଅବଶ୍ୟ ସବୁଠାରେ ଗୁରୁତ୍ୱାରୋପ କରାଯାଉଛି । ଏସବୁ ବିଷୟର ଆଲୋଚନା ବର୍ତ୍ତମାନ ଅଭିନବ ମନେହେଉଥିଲେ ମଧ୍ୟ ଭାରତରେ ଏତାଦୃଶ ଦୃଷ୍ଚିକୋଣର ଚର୍ଚ୍ଚା ବହୁ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି । 

ଇଂରେଜ ଅଧୀନସ୍ଥ ଭାରତରେ ବିଦ୍ୟାଳୟର ଶିକ୍ଷା ଉଚ୍ଚ ଜାତିର ଓ ଶ୍ରେଣୀର ପୁରୁଷମାନଙ୍କ ମଧ୍ୟରେ ପ୍ରାୟ ସୀମାବଦ୍ଧ ଥିଲା । ଔପନିବେଶିକ ଶାସନ ପ୍ରଦତ୍ତ ଏହି ଶିକ୍ଷାର ମୂଳ ଲକ୍ଷ୍ୟ ଥିଲା ସାମାଜିକ ନିୟନ୍ତ୍ରଣ । ଏଣୁ ଏ କାଳର ଶୈକ୍ଷଣିକ ପଦ୍ଧତି ମଧ୍ୟ ଶାସନ କଳ ଦ୍ୱାରା ବହୁଳ ମାତ୍ରାରେ ନିୟନ୍ତ୍ରିତ ହୋଇ ରହୁଥିଲା । ଶିକ୍ଷାଦାନ ଶିଶୁ ମନରେ ଉତ୍ସୁକତା ଜାଗ୍ରତ କରାଇବାକୁ ଅକ୍ଷମ ଥିଲା । ସ୍ୱାଧୀନତା ସଙ୍ଗ୍ରାମ ସମୟରେ ଭାରତୀୟ ଦାର୍ଶନିକ ଓ ଶିକ୍ଷାବିତମାନେ ଏକ ନୂତନ ଶିକ୍ଷା ବ୍ୟବସ୍ଥାର ରୂପରେଖ କଳ୍ପନାରେ ଲାଗିପଡିଲେ । 

ଯେଉଁମାନେ ଭାରତୀୟ ଜାତୀୟତାର ପ୍ରଚ୍ଛଦରେ ଥିବା ଭାରତୀୟ ଆଧ୍ୟାତ୍ମିକତା ଓ ପାଶ୍ଚାତ୍ୟ ବସ୍ତୁବାଦୀ ସଭ୍ୟତା ଭିତରେଥିବା ପାର୍ଥକ୍ୟକୁ ଭିତ୍ତିକରି ଏକ ପୁନଃଉତ୍ଥାନବାଦୀ ଧାରାର ଆବାହକ ଥିଲେ, ସେମାନେ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଆଧ୍ୟାତ୍ମିକତାର ଭୂମିକା ଉପରେ ଜୋର ଦେଲେ । ସ୍ୱାମୀ ବିବେକାନନ୍ଦ ଓ ଶ୍ରୀ ଅରବିନ୍ଦ ଘୋଷଙ୍କର ଶିକ୍ଷା ଦର୍ଶନରେ ଆମେ ପୁନଃଉତ୍ଥାନବାଦୀ ଜାତୀୟତା ଓ ଆଧୁନିକ ଶିକ୍ଷଣ ବିଦ୍ୟା, ଏ ଉଭୟ ଆଦର୍ଶ ଦେଖିବାକୁ ପାଉ । କିନ୍ତୁ ଗାନ୍ଧିଜୀ ଓ ରବୀନ୍ଦ୍ରନାଥ ଠାକୁରଙ୍କର ଦୃଷ୍ଟିକୋଣ ସ୍ୱାଧୀନ ଭାରତର ଔଦ୍ୟୋଗୀକରଣର ସମ୍ଭାବନାଗୁଡିକୁ ଆଖି ଆଗରେ ରଖି ପ୍ରସ୍ତୁତ ହୋଇଥିଲା । ରବୀନ୍ଦ୍ରନାଥ ୟୁରୋପୀୟ ପରମ୍ପରାର ଆଧୁନିକ ମାନବବାଦୀ ଶିକ୍ଷାରୁ ଉପାଦାନ ସଙ୍ଗ୍ରହ କରି ଏକ ମୁକ୍ତିକାମୀ ଶୈକ୍ଷଣିକ ପଦ୍ଧତିର ରଚନା କଲେ । ଏହାର କେନ୍ଦ୍ରବିନ୍ଦୁ ଥିଲା ଶୈଶବ । ଦାର୍ଶନିକ ଡେୱି ଓ ଶିକ୍ଷାବିତ ମଣ୍ଚେସରିଙ୍କ ଆଦିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏପରି ଏକ ଶିକ୍ଷା ଦର୍ଶନ ବାଢିଦେଲେ ଯେଉଁଥିରେ ଶିକ୍ଷକଙ୍କ ମୂଳ କର୍ତ୍ତବ୍ୟଥିଲା ଶିଶୁମାନେ ସୃଜନାତ୍ମକ କାର୍ଯ୍ୟକଳାପରେ ବ୍ରତୀ ହୋଇପାରିବା ଭଳି ଏକ ପରିବେଶର ବିକାଶ । ତାଙ୍କର ଆକ୍ଟିଭିଟି-ଭିତ୍ତିକ ପାଠ୍ୟକ୍ରମରେ ଶିଶୁର ଉତ୍ସୁକତା, ସୃଜନଶୀଳତା ଓ ସ୍ୱୟଂଚାଳିତ ହେବାର କ୍ଷମତା ପ୍ରତି ବିଶେଷ ଗୁରୁତ୍ୱ ରହିଥିଲା । 

ଗାନ୍ଧିଜୀଙ୍କ ପ୍ରସ୍ତାବ ‘ନୟୀ ତାଲିମ୍’ ନାମରେ ଜଣାଶୁଣା । ସେ ଆଞ୍ଚଳିକ ହସ୍ତକର୍ମ ଓ ହସ୍ତଶିଳ୍ପ ମାଧ୍ୟମରେ ଶି‌କ୍ଷାଲାଭକୁ ପ୍ରାଧାନ୍ୟ ଦେଲେ । ଏହି ପ୍ରସ୍ତାବ ଇଂରେଜମାନେ ଚଳାଇଥିବା ଅତ୍ୟଧିକ କେନ୍ଦ୍ରିଭୂତ ପାଠ୍ୟକ୍ରମ ଓ ଶୈକ୍ଷଣିକ ପ୍ରଣାଳୀର ବିପରୀତ ଥିଲା । ‘ନୟୀ ତାଲିମ୍’ ର ଶିକ୍ଷା ପଦ୍ଧତି ବିଦ୍ୟାଳୟ ଶିକ୍ଷାକୁ ଶିଶୁର ସାମାଜିକ ଜୀବନ ସହ ଯୋଡି ପାରିଥିଲା । ଶି‌କ୍ଷକଙ୍କ ଦକ୍ଷତା, ଆଞ୍ଚଳିକ ବିଦ୍ୟା ଓ କର୍ମ ମାଧ୍ୟମରେ ବିଦ୍ୟାର୍ଜନ ଥିଲା ଗାନ୍ଧୀଙ୍କ ପ୍ରସ୍ତାବର ଆଧାରଶୀଳା । ଏହିସବୁ ପ୍ରଗତିବାଦୀ ଶୈକ୍ଷଣିକ ପଦ୍ଧତିଗୁଡିକୁ ନେଇ ମଧ୍ୟବିତ୍ତ ଓ ଉଚ୍ଚବର୍ଗୀୟ ବ୍ୟକ୍ତିମାନଙ୍କ ପ୍ରୋତ୍ସାହନରେ ବେସରକାରୀ ବିଦ୍ୟାଳୟ କିଛି ଗଢିଉଠିଲା । 

ସରକାରୀ ନୀତି ନିର୍ଦ୍ଧାରଣ ସ୍ତରରେ ଶିଶୁ-କୈନ୍ଦ୍ରିକ ଶିକ୍ଷା ସମ୍ବନ୍ଧୀୟ ଚିନ୍ତନର ପ୍ରଥମ ସ୍ପଷ୍ଟ ସଙ୍କେତ ମିଳେ ୧୯୮୬ ମସିହାର ଜାତୀୟ ଶିକ୍ଷାନୀତିରେ । ସ୍ୱାଧୀନତା ପରବର୍ତ୍ତୀ ତିନି ଦଶକରେ ପ୍ରାଥମିକ ଶିକ୍ଷା ପ୍ରସାରିତ ହୋଇଛି । ଯଦିଓ ୧୯୮୧ର ଜନଗଣନା ତଥ୍ୟ ହିସାବରେ ସାକ୍ଷରତା ହାର ମାତ୍ର ୪୩.୭ ପ୍ରତିଶତ ଥିଲା । ଏହି ପରିପ୍ରେକ୍ଷୀରେ ୧୯୮୬ର ଶିକ୍ଷାନୀତିରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ଓ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ ହୁଏ । ସେହି ଯୋଜନାରୁ ଜନ୍ମ ନିଏ ଅପରେସନ୍ ବ୍ଲାକବୋର୍ଡ: ବିଦ୍ୟାଳୟଗୁଡିକୁ ସର୍ବନିମ୍ନ ସାଧନ ଯୋଗାଇ ଦେବାପାଇଁ ; ତଥା ଜିଲ୍ଲାସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥା, ଶିକ୍ଷକଙ୍କ ପ୍ରଶିକ୍ଷଣ ପାଇଁ ।

ପ୍ରାଥମିକ ଶିକ୍ଷାରେ ଶିଶୁ-କୈନ୍ଦ୍ରିକ ଓ. ଆକ୍ଟିଭିଟି-ଭିତ୍ତିକ ଶୈଳୀ ଆପଣେଇ ନେବା ପାଇଁ ଶିକ୍ଷାନୀତି ପରାମର୍ଶ ଦେଲେ । ଏହା ସହିତ ରହିଥିଲା ଦଣ୍ଡମୁକ୍ତ ଶିକ୍ଷାଦାନ, ଶିଶୁଙ୍କୁ ପରୀକ୍ଷାରେ ପାସ୍-ଫେଲ୍ ର ଜଞ୍ଜାଳରୁ ମୁକ୍ତ କରିବା, ମୂଲ୍ୟାଙ୍କନ ବ୍ୟବସ୍ଥାରେ ସଂସ୍କାର ଆଣିବା, ଶିଶୁଙ୍କ ସୁବିଧା ଅନୁସାରେ ବିଦ୍ୟାଳୟ ସମୟ ସାରଣୀ ପ୍ରସ୍ତୁତ କରିବା ଇତ୍ୟାଦି ଆଲୋଚନା । ଏଥିରେ ମୁଖ୍ୟବିନ୍ଦୁଟି ଏଇ ଯେ, ଶିଶୁଙ୍କୁ ଅବୋଧ ଓ ଅଜ୍ଞାନ ମନେକରି ଶିକ୍ଷାନୀତି ପ୍ରସ୍ତୁତ କରିବା ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପକାଇ ଶିଶୁଙ୍କୁ ଉତ୍ସୁକ ବିଦ୍ୟାର୍ଥୀ ରୂପେ କଳ୍ପନା କରି ପ୍ରସ୍ତାବମାନ ପରିବେଷିତ ହୋଇଥିଲା । ଜଣେ ବିଦ୍ୟାର୍ଥୀ ନିଜ ସୁବିଧା ଅନୁସାରେ ଶିଖୁ, ନିଜ ବେଗରେ ଶିଖୁ ଓ ନିଜେ ଶିଖିବା ଶିଖୁ; ଏକଛତ୍ରବାଦୀ ଶିକ୍ଷକଙ୍କ ଛାଟ ଅବା ବାର୍ଷିକ ପରୀକ୍ଷାରେ ଫେଲ୍ ହେବା ଭୟରେ ନୁହେଁ । କିନ୍ତୁ ଏହି ଶିକ୍ଷାନୀତିରେ ଶିଶୁ-କୈନ୍ଦ୍ରିକ ଶିକ୍ଷାର ତତ୍ତ୍ୱ-ଦର୍ଶନ ବିଶେଷ କିଛି ନଥିଲା । କାରଣ ନୀତି ନିର୍ଦ୍ଧାରକଙ୍କ ଲକ୍ଷ୍ୟ ଥିଲା ବିଦ୍ୟାଳୟରେ ନାମଲେଖା ଓ ଉପସ୍ଥାନରେ ବୃଦ୍ଧି ।

୧୯୯୮ରେ ଜାତୀୟ ପାଠ୍ୟଚର୍ଯ୍ୟା ଖସଡ଼ା ବା ଜା.ପା.ଖ. (ନାଶନାଲ କରୁକୁଲମ ଫ୍ରେମୱର୍କ) ପ୍ରସ୍ତୁତ କରାଗଲା । ଏଥିରେ ୧୯୮୬ ଶିକ୍ଷାନୀତିର ସିଦ୍ଧାନ୍ତଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ମାର୍ଗଦର୍ଶନ ରହିଥିଲା । ଶିଶୁଙ୍କୁ ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷାଦାନ ଯୋଜନାର କେନ୍ଦ୍ରରେ ରଖିପାରିଲେ ହିଁ ଶି‌କ୍ଷା ଦ୍ୱାରା ଶିଶୁର ବ୍ୟକ୍ତିତ୍ୱ ବିକାଶ ସମ୍ଭବ ହେବ, ଏଇ ବିଶ୍ୱାସ ସହିତ, ଶିଶୁ ପାଇଁ ଯଥୋଚିତ ସମ୍ମାନ ଓ ଶିଶୁର ଆବଶ୍ୟକତା, ଆଗ୍ରହ ଓ ଦକ୍ଷତା ଇତ୍ୟାଦି ବିଷୟ ପ୍ରତି ସଚେତନତା ସୃଷ୍ଟି କରାଗଲା । ଏହା ହେଉଛି ଶିଶୁ ପ୍ରତି ଏକ ମାନବିକ ଦୃଷ୍ଟିକୋଣ । ଶିକ୍ଷାଦାନ ବେଳେ ଶିଶୁ-କୈନ୍ଦ୍ରିକ ହେବାର ଅର୍ଥ କଅଣ ତାହାର ମଧ୍ୟ ବିସ୍ତୃତ ବର୍ଣ୍ଣନା ଜା.ପା.ଖ. ରେ ଦିଆଗଲା । ଶିକ୍ଷକଙ୍କୁ ସହାୟକର ଭୂମିକା ତୁଲାଇବାକୁ ହେବ । ଶିକ୍ଷକଙ୍କ ଭାଷଣ ଓ ବିଦ୍ୟାର୍ଥୀଙ୍କ ଘୋଷା ରେ ପରିବର୍ତ୍ତନ ଆଣିବାକୁ ହେବ । ଶିଶୁର ସ୍ୱାଧୀନ ଚିନ୍ତାଧାରା, ଉତ୍ସୁକତା, ଯୋଜନା କରିବାର ଓ ସ‌ମସ୍ୟା ସମାଧାନ କରିବାର ଦକ୍ଷତା ହେବ ଶିକ୍ଷକଙ୍କର ଫୋକସ୍ । 

ଜା.ପା.ଖ. ଦ୍ୱାରା ଶିଶୁ-କୈନ୍ଦ୍ରିକ ଚିନ୍ତାଧାରା ପ୍ରସାରିତ ହୋଇଥିଲେ ମଧ୍ୟ ଶିଶୁଠାରୁ ଆଶା କରାଯାଉଥିବା ପରିଣାମ ସବୁ ପୂର୍ବ ପରି ସଂକୀର୍ଣ୍ଣ ରହିଲା । ୧୯୯୧ରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ହେଲା ମିନିମମ୍ ଲେଭେଲସ୍ ଅଫ୍ ଲର୍ଣ୍ଣିଙ୍ଗ୍ ଆଟ୍ ପ୍ରାଇମେରୀ ଷ୍ଟେଜ୍ (ଏମ୍.ଏଲ୍,ଏଲ୍) ଶୀର୍ଷକ ଏକ ଦସ୍ତାବେଜ ଯେଉଁଥିରେ ବିଦ୍ୟାର୍ଥୀମାନଙ୍କ ଠାରୁ ଆଶା କରାଯାଉଥିବା ଦକ୍ଷତା ସବୁ ଶ୍ରେଣୀ ଓ ବିଷୟ ଅନୁସାରେ ବିସ୍ତୃତ ଭାବେ ଦିଆଯାଇଥିଲା । ଯଦିଓ ଏହି ଦସ୍ତାବେଜଟି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଓ ବିଦ୍ୟାଳୟସ୍ତରରେ ମାର୍ଗଦର୍ଶନ ଓ ଉତ୍ତରଦାୟିତ୍ୱ ବଢାଇବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଗଲା, ଏହାର ଦୃଢ ଢାଞ୍ଚା ଶିଶୁ-କୈନ୍ଦ୍ରିକ ଶିକ୍ଷା ଆଦର୍ଶର ବିରୋଧୀ ଥିଲା । 

ଏଣେ ୧୯୮୬ ଶିକ୍ଷିାନୀତି ପ୍ରଣୟନ ପରବର୍ତ୍ତୀ ଆଲୋଚନାମାନଙ୍କରେ ପାଠ୍ୟକ୍ରମର ଭାର କଥାଟି ମଧ୍ୟ ପଦାକୁ ଆସିଲା । ଅଯଥା ବିସ୍ତୃତ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ଉପରେ ଅନାବଶ୍ୟକ ଗୁରୁତ୍ୱ ଶୈଶବକୁ ଭାରାକ୍ରାନ୍ତ କରି ରଖିଥିଲା । ୧୯୯୩ ରେ ପ୍ରକାଶିତ ୟଶପାଲ କମିଟି ରିପୋର୍ଟ ‘ଲର୍ଣ୍ଣିଙ୍ଗ୍ ଉଇଦାଉଟ୍ ବର୍ଡନ୍’ ଏ ବିଷୟରେ ସବିଶେଷ ଆଲୋଚନା ବାଢିଲେ । କେମିତି ଆମର ତଥ୍ୟ ଦ୍ୱାରା ଭାରାକ୍ରାନ୍ତ ପାଠ୍ୟପୁସ୍ତକ ସବୁ ଓ ତାହା ଉପରେ ତଥ୍ୟ ସମ୍ବଳିତ ପରୀକ୍ଷାର ଜଞ୍ଜାଳ ଏକ ଆନନ୍ଦବିହୀନ ଶିକ୍ଷାର ପରମ୍ପରା ସୃଷ୍ଟି କରିଛି, ଏହା ଥିଲା ଏ ରିପୋର୍ଟ ର ମୁଖ୍ୟ ବିଷୟବସ୍ତୁ । 

ୟଶପାଲ କମିଟି ଶ୍ରେଣୀଗୃହର କାରବାରରେ ଆନନ୍ଦ ଓ ଅନୁସନ୍ଧାନ ମନୋବୃତ୍ତି ଉପରେ ଧ୍ୟାନ ଦେବାପାଇଁ ଉପଦେଶ ଦେଲେ । ଶିଶୁର ନିଜସ୍ୱ ପରିବେଶ, ଅନୁଭବ, ଭାବାବେଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଏହା ହେଉଛି ଶିଶୁ ପ୍ରତି ଏକ ଭାବାତ୍ମକ ଦୃଷ୍ଟିକୋଣ । ଅଥଚ ଶିକ୍ଷା ପ୍ରଶାସନର ବୋଝରେ ଚାପି ହୋଇ ରହିଥିବା ଶିକ୍ଷକ ଓ ଇଂରେଜ କାଳରୁ ଚାଲି ଆସିଥିବା ଅଭ୍ୟାସ ଓ ପରମ୍ପରା ସବୁ ୟଶପାଲ ରିପୋର୍ଟ କାର୍ଯ୍ୟକାରୀ ହେବା ଦିଗରେ ସହାୟକ ହେଲେ ନାହିଁ । ବରଂ ୨୦୦୦ ମସିହାରେ ଭାଜପା ସରକାର ହିନ୍ଦୁତ୍ତ୍ୱ ର ଢ଼ାଞ୍ଚାରେ ଏନ୍.ସି.ଏଫ୍ ର ପୁନର୍ଲିଖନ କରାଇଦେଲେ । ଏହି ସଂସ୍କରଣର ପୃଷ୍ଠଭୂମିରେ ରହିଲା ଜାତୀୟତା, ତଥାକଥିତ ଆଧ୍ୟାତ୍ମିକତା ଓ ନୈତିକତାର ଉଦ୍ରେକ ପାଇଁ ଶିକ୍ଷାର ଭୂମିକା । ଶିକ୍ଷାର ସାମାଜିକ ଲକ୍ଷ୍ୟ ବଦଳି ଗଲା । କିନ୍ତୁ ଶିଶୁ-କୈନ୍ଦ୍ରିକ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ଅପରିବର୍ତ୍ତିତ ରହିଲା । ଅବଶ୍ୟ ଏ ଆଲୋଚନା ଏତେ ସୂକ୍ଷ୍ମ ରୂପ ଧାରଣ କରିସାରିଥିଲା ଯେ ଶିକ୍ଷା ବ୍ୟବସ୍ଥା ଏଥିରୁ ପ୍ରେରଣା ପାଇବା ସମ୍ଭବପର ହେଲାନାହିଁ । 

ଶିଶୁ-କୈନ୍ଦ୍ରିକ ଆଦର୍ଶ ପ୍ରଥମ ଥର ପାଇଁ କିଛି ମାତ୍ରାରେ ଯୋଜନାବଦ୍ଧ ହୋଇଥିଲା ଡିଷ୍ଟ୍ରିକ୍ଟ ପ୍ରାଇମେରୀ ଏଜୁକେଶନ୍ ପ୍ରୋଗ୍ରାମ୍ (ଡି.ପି.ଇ.ପି.) । ଏହି କାର୍ଯ୍ୟକ୍ରମ ବିଶ୍ୱ ବ୍ୟାଙ୍କ ଓ ଆଉ କିଛି ଆନ୍ତର୍ଜାତୀୟ ସଂସ୍ଥାମାନଙ୍କର ପୁଞ୍ଜି ଓ ଆଦେଶର ନିୟନ୍ତ୍ରଣରେ ଥିଲା । ଆଞ୍ଚଳିକ ସଂସାଧନ କେନ୍ଦ୍ର, ଶିକ୍ଷକଙ୍କ ପ୍ରଶିକ୍ଷଣ, ଭିତ୍ତିଭୂମିର ବିକାଶ ଇତ୍ୟାଦି ଏହି ଯୋଜନାର ଅନ୍ତର୍ଗତ ଥିଲା । ଏହା ସହିତ ଆକ୍ଟିଭିଟି-ଭିତ୍ତିକ ଶିକ୍ଷାଦାନ ଓ ଆନନ୍ଦମୂଳକ ଶିକ୍ଷା ଇତ୍ୟାଦି ଆଦର୍ଶ ମଧ୍ୟ ବିଭିନ୍ନ ପ୍ରକଳ୍ପର ରୂପ ନେଲା । ପରବର୍ତ୍ତୀ କାଳରେ ଏହି ପ୍ରକଳ୍ପଗୁଡ଼ିକୁ ସର୍ବ ଶିକ୍ଷା ଅଭିଯାନରେ ସାମିଲ କରାଗଲା । ଡି.ପି.ଇ.ପି ର ମୂଖ୍ୟ ଚେଷ୍ଟା ଥିଲା ପାଠ୍ୟପୁସ୍ତକରେ ପରିବର୍ତ୍ତନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା । ତାହା ମଧ୍ୟ ଏମ୍.ଏଲ୍.ଏଲ୍. କୁ ଆଖି ଆଗରେ ରଖି । ଏଣୁ ଶିକ୍ଷକ, ବିଦ୍ୟାର୍ଥୀ ଓ ଶ୍ରେଣୀଗୃହ ମଧ୍ୟରେ ଥିବା ଜଟିଳ ସମ୍ପର୍କଟି ସମ୍ପୂର୍ଣ୍ଣ ଅଣଦେଖା ହୋଇଗଲା । 

ଡି.ପି.ଇ.ପି. ର ପ୍ରତିଶୃତି ଓ ପରିଣାମ ଭିତରେ ଥିବା ବ୍ୟବଧାନକୁ କମାଇବା ପାଇଁ ପୁନର୍ବିଚାରର ଆବଶ୍ୟକତା ପଡିଲା । ଏଥିରୁ ଜନ୍ମ ନେଲା ୨୦୦୫ ମସିହାର ଜା.ପା.ଖ. । ନୂତନ ଜା.ପା.ଖ. ସମାଜ ଗଠନର ସାମ୍ବିଧାନିକ ଆଦର୍ଶ ଆପଣାଇଲା । ଏଥିରେ ପାଠ୍ୟକ୍ରମ ସଂସ୍କାରରେ ଆସୁଥିବା ଢାଞ୍ଚାଗତ ଓ ତତ୍ତ୍ୱଗତ ସମସ୍ୟାଗୁଡ଼ିକ ଆଲୋଚିତ ହେଲା । ଏହି ବିଷୟଗୁଡିକ ହେଲା ଶିକ୍ଷାର ସାମାଜିକ ସନ୍ଦର୍ଭ, ଶିକ୍ଷାର ପରିବେଶ, ବିଦ୍ୟାର ନିର୍ମାଣ, ଶିଖିବାର ପ୍ରକ୍ରିୟା, ଶିକ୍ଷକଙ୍କ ଶିକ୍ଷା, ପରୀକ୍ଷା ଢାଞ୍ଚା ଓ ଶିକ୍ଷା ପ୍ରଶାସନରେ ସୁଧାର ଇତ୍ୟାଦି । ପୂର୍ବରୁ ଶିଶୁର ଗ୍ରହଣଶୀଳତା ଉପରେ ଜୋର ଦିଆଯାଉଥିଲା । ନୂତନ ଜା.ପା.ଖ.ରେ ଶିଶୁକୁ ଜଣେ ସକ୍ରିୟ ଓ ସୃଜନଶୀଳ ବ୍ୟକ୍ତି ରୂପରେ ଦେଖାଗଲା । ଶିଶୁ-କୈନ୍ଦ୍ରିକ ଶିକ୍ଷାର ଅର୍ଥ ଶିକ୍ଷଣ ପ୍ରକ୍ରିୟାରେ ଶିଶୁର ଅନୁଭବ, ଶିଶୁର ସ୍ୱର ଓ ଶିଶୁର ସକ୍ରିୟ ଅଂଶଗ୍ରହଣ । ଶିଶୁର ମାନସିକ ବିକାଶ ଓ ଆଗ୍ରହକୁ ଆଖି ଆଗରେ ରଖି ଶିକ୍ଷାଦାନ ଯୋଜନା ପ୍ରସ୍ତୁତ କରିବାକୁ ହେବ । ବିଦ୍ୟାଳୟର ଶିକ୍ଷାକୁ ବିଦ୍ୟାଳୟ ବାହାରେ ଶିଶୁର ଜୀବନ ସହ ଯୋଡିବାକୁ ହେବ । ଘୋଷା ବିଦ୍ୟା ଓ ପାଠ୍ୟପୁସ୍ତକ-କୈନ୍ଦ୍ରିକ ନ ହୋଇ ଶିଶୁର ସାମଗ୍ରିକ ବିକାଶ ଦିଗରେ ଧ୍ୟାନ ଦେବାକୁ ହେବ । ଜା.ପା.ଖ. ୨୦୦୫ ଶିଶୁ-କୈନ୍ଦ୍ରିକ ଶିକ୍ଷା ଦିଗରେ ନୂଆ ଦୃଷ୍ଟିକୋଣ ରଖିଛି ଓ ନୂଆ ସମ୍ଭାବନାର ଦ୍ୱାର ଖୋଲିଦେଇଛି । ଏବେ ଶିକ୍ଷକଙ୍କର ଭୂମିକାକୁ ପାଠ୍ୟକ୍ରମର ବନ୍ଧନରୁ ମୁକୁଳାଇ, ଶିଖିବା-ଶିଖେଇବାର ପ୍ରକ୍ରିୟାରେ ଗୁରୁତର ଭାବେ ଜଡିତ ଜଣେ ଜଣେ ଶିକ୍ଷାବିତ ରୂପେ ପୁନର୍ଗଠନ କରିବାର ସମୟ ଆସିଛି ।