Sunday, September 11, 2016

ଗୋପୀନାଥ ମହାନ୍ତିଙ୍କ ଲିଖିତ ଭୂଗୋଳ ପାଠ -

ଯେଉଁ ଦେଶରେ ଲୋକେ ମୁହଁରେ ଚିତା କୁଟନ୍ତି


ଉନବିଂଶ ଶତାବ୍ଦୀର ମାଓରି ମୁଖିଆ ରେୱି ମାଙ୍ଗା ମାନିଆପୋତୋଙ୍କର ଚିତ୍ର
ଚିତ୍ରକର - ଗଟଫ୍ରେଡ଼୍ ଲିଣ୍ଡୋର୍
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଗୋଟିଏ ଜାତିର ଖେଳ ଦେଖିଛ ? ସବୁ ପିଲାଏ ଏକାଠି ଗୋଲ ହୋଇ ବସିବେ, ତା’ପରେ ସମସ୍ତେ ମୁହଁକୁ ଭ୍ରୁକୁଟି କରି ଦାନ୍ତ ଦେଖାଇ ଆଖି ବୁଲାଇ ମୁହଁକୁ ଏପରି ଭାବରେ କରିବେ, ଯେପରି କି ଯେ ଦେଖିବ ଡରିଯିବ । ଏଣେ ଗର୍ଜନ ଛାଡ଼ୁଥିବେ । ହାତ ଗୋଡ଼ ଦେହ ଟାଙ୍କି ହେଉଥିବ । ଯାହାର ମୁହଁ ସବୁଠାରୁ ଭୟଙ୍କର ଦିଶିବ, ଆଉ ଯାହାର ଗର୍ଜନ ସବୁଠାରୁ ଭୟଙ୍କର ହେବ, ସେହି ଜିତିଲା ବୋଲି ଜାଣିବାକୁ ପଡ଼ିବ ।

ଏ ଖେଳ କେବଳ ଖେଳନ୍ତି ସେହିମାନେ, ଯେଉଁମାନଙ୍କୁ ମାଓରି କୁହାଯାଏ । ଏ ମାଓରିମାନେ ଏଠୁ ବହୁତ ଦୂରରେ ପ୍ରଶାନ୍ତ ମହାସାଗରରେ ଥିବା ଏକାଠି ପାଖ ପାଖ ଦୁଇଟି ଦ୍ୱୀପରେ ରହନ୍ତି । ସେ ଦ୍ୱୀପକୁ ନିଉଜିଲାଣ୍ଡ କୁହାଯାଏ । ସେମାନେ କୁହନ୍ତି ଯେ, ସେମାନଙ୍କ ବଂଶ ଯେଉଁ ଲୋକଠାରୁ ଉତ୍ପନ୍ନ ହୋଇଛି, ତାଙ୍କ ନାମ ଥିଲା ମାଉଇ । ସେ ମାଉଇଙ୍କୁ ଭାରି ଯାଦୁବିଦ୍ୟା ଜଣାଥିଲା, ଆଉ ତାଙ୍କର ଶକ୍ତି ଏପରି ଥିଲା ଯେ, ସବୁ ଦେବତା ତାଙ୍କୁ ଡରୁଥିଲେ । ଦିନକର ମାଉଇ ମାଛ ମାରି ଯାଉଛନ୍ତି । ତାଙ୍କର ବନ୍ସି କଣ୍ଟା ଗୋଟିଏ କାଉଁରିହାଡ଼ରେ ତିଆରି । ବନ୍ସି ଡୋର ସମୁଦ୍ର ଭିତରକୁ ବହୁତ ତଳକୁ ଚାଲିଗଲା - ମାଛ ଦେବତାଙ୍କ ଘର ପର୍ଯ୍ୟନ୍ତ । ମାଛ ଦେବତାଙ୍କ ନାମ ଟୋଙ୍ଗାରୋରା । ସେତେବେଳେ ତାଙ୍କ ନାତି ଟୋଙ୍ଗାନି ରାଜୁତି କରୁଥିଲେ । ମାଉଇଙ୍କ ବନ୍ସି କଣ୍ଟା ଯାଇ ଲାଗିଲା ଟୋଙ୍ଗାନିଙ୍କ ରଜା ନଅରର ମୁଣ୍ଡରେ । ମାଉଇ ଟାଣିଲେ । ସମୁଦ୍ରରେ ବଡ଼ ବଡ଼ ଢେଉ ଉଠିଲା, ପାଣି ଦି’ଭାଗ ହୋଇ ଯାଉଥାଏ । ଟୋଙ୍ଗାନିଙ୍କ ରଜା ନଅର ଆଉ ରାଜ୍ୟ ସବୁଯାକ ପାଣି ଉପରକୁ ଉଠିଆସିଲା । ସେଇ ରାଜ୍ୟ ହେଲା ନିଉଜିଲାଣ୍ଡ । 

ଏ ଦ୍ୱିପ ଭାରି ସୁନ୍ଦର । ଦୁଇ ଦ୍ୱୀପ ଭିତରେ ଅଳ୍ପ ଫାଙ୍କ, ମଝିରେ ମେରୁଦଣ୍ଡ ପରି ଧାଡ଼ିଏ ପର୍ବତ ଉତ୍ତରକୁ ଆସି ତଳେ ବେଶୀ ଚଉଡ଼ା ହୋଇ ଚାଲିଯାଇଛି । ନାନାଜାତି ଫୁଲରେ ପୂର୍ଣ୍ଣ ହୋଇଛି । ଏଠି ବହୁତ ମହୁ ମରା ହୋଇ ବିଦେଶକୁ ପଠାଯାଏ । ସବୁଜ ପାହାଡ଼ ଉପରେ ବରଫ ଚିକ୍ ଚିକ୍ କରୁଛି । ଏଠି ବରଫର ନଈ ବିଜୁଳିବେଗରେ ପାହାଡ଼ ଉପରୁ ଛାଡ଼ିଆସୁଛି । ପୃଥିବୀ ତଳୁ ଗରମ ପାଣି ଝରଣା ହୋଇ ବାହାରୁଛି, ସେଠି ଚାଉଳ ପକାଇ ଦେଲେ ଭାତ ହୋଇଯିବ । ଗରମ ପାଣି ପିଚକାରି ମାରିଲା ପରି ଉପରକୁ ଉଠି ପଡ଼ିଯାଉଛି । ଉଜ୍ଜ୍ୱଳ ସୂର୍ଯ୍ୟକିରଣରେ ଦିଶୁଛି ହୀରାପରି । ମାଓରିମାନେ ସେଥିରେ ରୋଷେଇ କରନ୍ତି ଆଉ ଗାଧୁଅନ୍ତି ।

ଜଙ୍ଗଲରେ ଲେମ୍ବୁ ପାଚି ଲାଲ ଦିଶୁଛି । ଲେମ୍ବୁ ବାସନାରେ ଚାରିଆଡ଼ କମ୍ପିଯାଉଛି । ଅସଙ୍ଖ୍ୟ ମେଣ୍ଢା, ଛେଳି ଚରି ବୁଲୁଛନ୍ତି । ଜଙ୍ଗଲରେ ମସ୍ତ ବଡ଼ ବଡ଼ ଗଛ, ତା’ର ନାଁ କାଉରି ଗଛ । ଦୁଇହଜାର ବର୍ଷର ପୁରୁଣା କାଉରିଗଛ ଏଠି ଅଦ୍ୟାପି ବଢ଼ୁଛି, କଟା ହୋଇ ଜାହାଜର ମାସ୍ତୁଲ ହେଉଛି । ସେ ଗଛରୁ ଅଠା ବାହାରେ, ତହିଁରେ ବାର୍ଣ୍ଣିଶ୍ ତିଆରି ହୁଏ । ଅସଙ୍ଖ୍ୟ ନଈ ପାହାଡ଼ରୁ ଦୌଡ଼ି ଦୌଡ଼ି ସମୁଦ୍ରରେ ପଡ଼ିଛି । ସୁଅ ଏତେ ଟାଣ ଯେ, ତହିଁରେ ମେସିନ୍ ଚଳାହୋଇ ବିଜୁଳି ଶକ୍ତି ତିଆରି ହୁଏ ।

ଏ ସୁନ୍ଦର ଦେଶରେ ସାହେବମାନେ ଅଛନ୍ତି ପୁଣି ଆଦିମ ଅଧିବାସୀ ମାଓରିମାନେ ଅଛନ୍ତି । ଏମାନେ ବଳୁଆ ଲୋକ, ଅତି ଯୋଦ୍ଧା ଜାତି । ପୂର୍ବେ ଏ ଅସଭ୍ୟ ଲୋକେ ନରମାଂସ ଖାଉଥିଲେ । ଏମାନେ ଭୟଙ୍କର ଦିଶିବା ପାଇଁ ମୁହଁଯାକ ଚିତା କୁଟନ୍ତି । ଏ ଚିତା କୁଟିବାକୁ ‘ମୋକୋ’ କରିବା କହନ୍ତି । ଚଢ଼େଇ ହାଡ଼, ମଗରର ଦାନ୍ତ ଓ ଗୋଜିଆ ପଥରରେ ଏମାନେ ‘ମୋକୋ’ ହୁଅନ୍ତି ।

ଏମାନେ ତ ଯୋଦ୍ଧା ଜାତି । ପାହାଡ଼ ଉପରେ ଏମାନେ ଗାଁ ବସାଉଥିଲେ । ଏମାନେ ଡଙ୍ଗାରେ ଚଢ଼ି, ବର୍ଚ୍ଛା, ଫାର୍ସା, ଧନୁଶର ଧରି ଯୁଦ୍ଧ କରିବାକୁ ଯାଉଥିଲେ । ଯୁଦ୍ଧ ଡଙ୍ଗାରେ ନାଲି ରଙ୍ଗ ବେଳା ହୋଇଥାଏ । ପୁଣି ଭାରି ସୁନ୍ଦର ଖୋଳାଇକାମ ହୋଇଥାଏ । ଯୋଦ୍ଧାମାନେ ଦେହଯାକ ଚିତ୍ର କରିଥାନ୍ତି । ସାହେବମାନେ ତ ଏମାନଙ୍କ ଦେଶକୁ ନେଇଗଲେ । ସେମାନେ ଏମାନଙ୍କ ଉପରେ ଅତ୍ୟାଚାର ମଧ୍ୟ କଲେ । ତେଣୁ ଏମାନେ ୧୮୬୧ ସାଲରୁ ୧୮୭୧ ସାଲ ପର୍ଯ୍ୟନ୍ତ ସାହେବମାନଙ୍କ ତୋପ ବନ୍ଧୁକ ବିରୁଦ୍ଧରେ ନିଜର ପୁରୁଣା ବର୍ଚ୍ଛା, ଖଣ୍ଡା ଧରି ଲଢ଼ିଲେ । ହାରିଲେ ତ, କିନ୍ତୁ ଭାରି ବୀରତ୍ୱ ଦେଖାଇଥିଲେ ।

ଏମାନେ ନାଚିବାକୁ ଭାରି ଭଲ ପାଆନ୍ତି । ତାଙ୍କ ନାଚ ସବୁ ପୂଜାପଦ୍ଧତି ପରି ହୁଏ । ବେଳେବେଳେ ସେ ନାଚ ଭିତର ଦେଇ ମୋନଙ୍କ ବିଗତ ଇତିହାସ ସେମାନେ ଦେଖାନ୍ତି । ଗୋଟିଏ ନାଚ ଅଛି, ତା’ର ନାଁ ଡଙ୍ଗା-ନାଚ । ଏଥିରେ ତିରିଶି ଚାଳିଶି ଜଣ ସ୍ତ୍ରୀ’ଲୋକ ଲାଗିଯାଆନ୍ତି । କେତେଜଣ ତ ଏକାଠି ବସି ପଡ଼ନ୍ତି । ସେ ଦଳଟା ହୁଏ ସେମାନଙ୍କର ଡଙ୍ଗା । ତାଙ୍କ ପଛଆଡ଼େ ଅନ୍ୟମାନେ ଠିଆହୋଇ ଦେହକୁ ନାନାପ୍ରକାର ହଲାନ୍ତି, ଫୁଲାନ୍ତି ଆଉ ଝୁଲାନ୍ତି, ଯହିଁରେ ଜଣାପଡ଼ିବ ଯେ, ଢେଉ ସବୁ ଉଠୁଛି ପଡ଼ୁଛି । ସେମାନେ ତ ଫ୍ଲାକ୍ସରେ ତିଆରି ଘାଗରା ପିନ୍ଧିଥାନ୍ତି । ଦେହ ହଲାଇଲାବେଳକୁ ସେ ପୋଷାକଗୁଡ଼ିକ, ପାଣି ବାଜିଲାପରି ଚବ୍ ଚବ୍ କରେ । 

ଏମାନେ ଘରର ଖୁଣ୍ଟ ଉପରେ ଅନେକ ପ୍ରକାରର ଭୟଙ୍କର ଛବି ଖୋଳି ଦେଇଥାନ୍ତି । ବଡ଼ ବଡ଼ ଆଖି, ବଡ଼ ବଡ଼ ଦାନ୍ତ, ଏହିପରି । କିନ୍ତୁ ଏମାନଙ୍କର ଦଣ୍ଡବତ କରିବା ବିଧି ସବୁଠାରୁ ମଉଜି । ଦୁଇଜଣ ଭେଟା ଭେଟି ହେଲେ ହାତ ଧରାଧରି ହୁଅନ୍ତି, ତା’ପରେ ନାକକୁ ନାକ ଘସି କେମିତି ଗୋଟିଏ କରୁଣ ଚିତ୍କାର କରନ୍ତି, - ଏଇ ତାଙ୍କର ଦଣ୍ଡବତ । ମୁହଁକୁ ମୁହଁ ଓଠକୁ ଓଠ ଲଗାଇ ଗେଲ କରିବାକୁ ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ ।

No comments:

Post a Comment