Thursday, September 08, 2016

ପଠାଣି ସାମନ୍ତ


ମୃତ୍ୟୁଞ୍ଜୟ ରଥ


ପଠାଣି ସାମନ୍ତ
ଫଟୋ କ୍ରେଡ଼ିଟ୍ - ୱିକିପିଡ଼ିଆ କମନ୍ସ୍

ତୁମ୍ଭର ଜନ୍ମଦିନ, ଗଣେଶ ଚଉଠି, ଶ୍ରୀପଞ୍ଚମୀ, ସ୍କୁଲଛୁଟି, ଓଷା ପର୍ବ ଆଦି କେଉଁ ଦିନ, କେଉଁ ମାସର କେତେ ତାରିଖ, ଏହା ସବୁ ପାଞ୍ଜି ନଥିଲେ ଜାଣିପାରନ୍ତ କି ? ପାଞ୍ଜିରେ ବର୍ଷକ ଯାକର ଦିନ, ବାର, ତିଥି, ସଙ୍କ୍ରାନ୍ତି, ପୁନିଅଁ, ଅମାସ୍ୟା ପୁଣି ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ସବୁ ଗଣାହୋଇ ଲେଖା ଥାଏ ।

ଏବେ ପାଞ୍ଜି ଛପାବହି ହୋଇ ବାହାରୁଛି । ଆଗେ ତାଳପତ୍ର ପୋଥିରେ ଚଳୁଥିଲା । ଏବେ ମଧ୍ୟ ଗାଁମାନଙ୍କରେ ଜ୍ୟୋତିଷ ନାୟକମାନେ ଘରକୁ ଘର ବୁଲି କାଖରୁ ଆପଣା ତାଳପତ୍ର ପାଞ୍ଜି ବିଡ଼ାଟି କାଢ଼ି ଓଷା, ବାର, ସଙ୍କ୍ରାନ୍ତି ବା କୌଣସି ନିମିତ୍ତକୁ ଶୁଭଦିନ ବିଚାରି କହନ୍ତି । ମାତ୍ର ତାଙ୍କର ପାଞ୍ଜି ଅସଲ ପାଞ୍ଜି ନୁହେଁ। ସେ ଛପାପାଞ୍ଜିରୁ କେତେକ ସାର ସାର କଥା ଟିପି ରଖିଥାନ୍ତି ।

ବଡ଼ ଛାପାପାଞ୍ଜି ଜଣେ ଜଣେ ବଡ଼ ଜ୍ୟୋତିଷ ପଣ୍ଡିତ ଗଣନା କରିଥାନ୍ତି । ସେପରି ପାଞ୍ଜି ଆମ୍ଭ ଦେଶରେ ଏବେ ଦୁଇ ତିନିଟା ଚଳୁଛି । ସେସବୁ ପାଞ୍ଜିଠାରୁ ପଠାଣ ସାମନ୍ତଙ୍କ ପାଞ୍ଜି ଶୁଦ୍ଧ । ଆଉ ପାଞ୍ଜିକାରମାନେ ତାଙ୍କରିଠାରୁ ଶିଖି ପାଞ୍ଜି ତୋଳୁଛନ୍ତି । ସେ ପଠାଣି ସାମନ୍ତ କିଏ ଜାଣିଛ ? ସେ ଜ୍ୟୋତିଷ୍କରେ ଜଣେ ବଡ଼ ପଣ୍ଡିତ ଥିଲେ । କିନ୍ତୁ ସେ ଜ୍ୟୋତିଷ ନାୟକ ନଥିଲେ, ସେ ଜଣେ କ୍ଷତ୍ରିୟ ରାଜପୁତ୍ର । ତାଙ୍କର ପୂରା ନାମ ଥିଲା - ସାମନ୍ତ ଶ୍ରୀ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ।

କଟକର ପ୍ରାୟ ୨୦ କ୍ରୋଶ ପଶ୍ଚିମରେ ମହାନଦୀର ଦକ୍ଷିଣକୁ ଖଣ୍ଡପଡ଼ା ବୋଲି ଗୋଟିଏ ଗଡ଼ଜାତ ଅଛି । ସେହି ରାଜ୍ୟର ଆଗ ରାଜା ଥିଲେ ଶ୍ରୀ ନଟବର ସିଂହ ଭ୍ରମରବର ରାୟ । ତାଙ୍କର ସେ କକେଇ ବା ଦାଦା ସାମନ୍ତ ଥିଲେ । ତାଙ୍କର ଜନ୍ମ ଆଜକୁ ୮୫ ବର୍ଷ ହେବ । ପନ୍ଦର ବର୍ଷ ତଳେ ତାଙ୍କର କାଳ ହୋଇଅଛି । 

ବାପା, ମା’ଙ୍କର ଅପ୍ରତ୍ୟାଶି ଥିବାରୁ ତାଙ୍କର ଡାକ ନାମ ହୋଇଥିଲା ‘ପଠାଣି’ । ପଠାଣି ସାମନ୍ତ ପିଲାଦିନେ ଖଡ଼ିପାଠ ଆରମ୍ଭ କରି ତହୁଁ ପୋଥିରୁ ନାନା ଛାନ୍ଦ, ଗୀତ, ପୁରାଣ ଆଉ ରାମାୟଣ, ମହାଭାରତ ପଢ଼ିଥିଲେ । ତାଙ୍କର ବାପା ଶ୍ୟାମବନ୍ଧୁ ସାମନ୍ତ ଜ୍ୟୋତିଷରେ ଜଣେ ଭାରି ପଣ୍ଡିତ ଥିଲେ । ଆପଣା ପୁଅକୁ ତାହା ସେ ଉତ୍ତମରୂପେ ଶିଖାଇଥିଲେ ଆଉ ଆକାଶର ସାନ-ବଡ଼ ତାରାମାନ ଚିହ୍ନାଇ ଦେଇଥିଲେ ।

ମାତୃଭାଷାରେ ଭଲ ଜ୍ଞାନ ହୋଇଯିବା ପରେ ସାମନ୍ତ ଜଣେ ଦୁଇଜଣ ବ୍ରାହ୍ମଣ ପଣ୍ଡିତଙ୍କ ପାଖରେ ସଂସ୍କୃତ ପଢ଼ିଥିଲେ । ତାଙ୍କର ବୁଦ୍ଧି ଏପରି ପ୍ରଖର ଥିଲା ଯେ, ବେଳେବେଳେ ପଣ୍ଡିତଙ୍କୁ ଅସାଧ୍ୟ ପ୍ରଶ୍ନ ପଚାରି ବାଉଳା କରିପକାଉଥିଲେ । ଏହିପରି ପଢ଼ୁ ପଢ଼ୁ ସେ କାବ୍ୟ ନାଟକ, ଅଳଙ୍କାର, ସ୍ମୃତି, କର୍ମକାଣ୍ଡ ଆଦି ବହୁତ ଶାସ୍ତ୍ରରେ ପଣ୍ଡିତ ହୋଇଥିଲେ । ଏସବୁ ଶାସ୍ତ୍ର ଅପେକ୍ଷା ସେ ଜ୍ୟୋତିଷ ଶାସ୍ତ୍ରରେ ପାରଙ୍ଗମ ହୋଇ ଆଶ୍ଚର୍ଯ୍ୟ ଫଳ ଦେଖାଇଥିଲେ । ଜ୍ୟୋତିଷ ବିଷୟରେ ଯେଉଁଠି ଯେତେ ପୋଥି ଥିଲା, ସବୁ ଖୋଜି ଲୋଡ଼ି ଆଣି ସେ ପଢ଼ିଥିଲେ ।

ତୁମ୍ଭେମାନେ ମନେ କରୁଥିବ, ଆଜିକାଲିକା ଛପାବହି ପରି ବହିଖଣ୍ଡମାନ ଧରି ସୁଖରେ ପଢ଼ି ଚାଲିଯାଉଥିଲେ, ତାହା ନୁହେଁ । ତାଙ୍କର ଦେହକଟାଯାକ ତାଳପତ୍ର ପୋଥିରୁ ପଢ଼ା । ତାଳପତ୍ର ଲେଖକ ଛଡ଼ା କାଗଜ କଲମ କେବେ ଧରୁ ନଥିଲେ । ତାଳପତ୍ରରେ ବଡ଼ ବଡ଼ ଅଙ୍କମାନ ମଧ୍ୟ ସେ କଷିପକାଉଥିଲେ, ଅଙ୍କ କଷିବାରେ ତାଙ୍କର ମନ ଏତେ ଟାଣ ଥିଲା ଯେ, କାହିଁରେ କିଛି ନଲେଖି ମଧ୍ୟ ବଡ଼ ବଡ଼ ଅଙ୍କ ସମସ୍ତ କଷି ଚଞ୍ଚଳ ଫଳ କହିଦେଉଥିଲେ - ଏହି ଗୁଣରୁ ସେ ଶେଷକାଳକୁ କ’ଣ କରିଥିଲେ, ତଳେ କହୁଛି ଶୁଣ ।

ପିଲାଦିନରେ ପଠାଣି ସାମନ୍ତ ଆଉ ପିଲାଙ୍କ ପରି ଧୂଳିଖେଳ ନକରି ଆକାଶକୁ ଚାହିଁ ଉଡ଼ନ୍ତା ଶାଗୁଣା ବା ଆଉ ପକ୍ଷୀ ଦେଖିଲେ କେତେଟା ଉଡ଼ୁଛନ୍ତି ବୋଲି ଜାଣିବାକୁ ବଡ଼ ସୁଖ ପାଉଥିଲେ । ବଡ଼ ମେଘ ବର୍ଷିଲାବେଳେ ତାହାର ମୋଟା ମୋଟା ଧାର ସେହିପରି ଗଣି ଖୁସି ହେଉଥିଲେ । ଏହି କୌତୁକରେ ସେ ବାଣ ଦେଖିବାକୁ ମଧ୍ୟ ଭାରି ସୁଖ ପାଉଥିଲେ । ବାଣଟାଏ ମଲେ ତାହା ପର୍ବତ ଉପରୁ କେତେ ଦୂରକୁ ଗଲା ଏବଂ କେତେ ଦୂରରେ ଯାଇ ପଡ଼ିଲା, ତାହା ହିସାବ କରି ଲୋକଙ୍କୁ କହିଦେଉଥିଲେ, କେତେବେଳେ ବା ଆପେ ଟିପି ରଖୁଥିଲେ ।

ଏହି ଅଭ୍ୟାସ ତାଙ୍କର ଏତେ ବଢ଼ିଥିଲା ଯେ, ଶେଷକ ବାଟରେ ଗୋଟାଏ ଦେଉଳ କି ଗଛ କି କୋଠା ଦେଖିଲେ ତାହା କେତେ ଉଚ୍ଚ ମନେ ମନେ କଷି ଯାହା କହିଦେଉଥିଲେ, ମାପିଲାବେଳକୁ ଠିକ୍ ସେୟା ହେଉଥିଲା । ଖାଲି କ’ଣ ଏତିକି ସେ ଗଣନା କରୁଥିଲେ ? ରାତିରେ ଆକାଶକୁ ଏକ ଆଖିରେ ଚାହିଁ ରହିଥା'ନ୍ତି । କେଉଁ ଦିନ କେଉଁ ନକ୍ଷତ୍ର କେତେ ସ୍ଥାନ ଛାଡ଼ିଛି, କେତେ ଉଠିଛି ବା ତଳକୁ ଆସିଛି, କେଉଁ ଦିନ ଚନ୍ଦ୍ରର କେତେ କଳା ବଢ଼ିଛି ବା ଛିଡ଼ିଛି, କେଉଁ ଗ୍ରହର କେତେବେଳେ ଉଦୟ ବା ଅସ୍ତ୍ର ହେଲା, ଏହାକୁ ଦେଖୁ ଦେଖୁ ଦିନେ ଦିନେ ତାଙ୍କର ରାତି ପାହି ଯାଉଥିଲା ।

ପ୍ରତିଦିନ ବେକ ଭାଙ୍ଗି ଆଖିରୁ ପାଣି ମାରି ଏହିପରି ଦେଖି ଦେଖି ତାଙ୍କର ମାସେ ନୁହେଁ, କି ବର୍ଷେ ନୁହେଁ, ଏକାଧାରାକେ କୋଡ଼ିଏ ବର୍ଷ ବିତି ଯାଇଥିଲା । ବେଳେବେଳେ ସେ ରାତିରେ ଖଟ ଉପରେ ଚିତି ହୋଇପଡ଼ି ଚାଳ ଭତର କଣାରେ ଗ୍ରହ ନକ୍ଷତ୍ରକୁ ଚାହିଁ ସେମାନଙ୍କର ଗତି ସ୍ଥିତି ଆଦି ବୁଝୁଥିଲେ । ଏହି କେତକେ ବର୍ଷ କାଳ ଦେଖି ଦେଖି ଯାହା ସେ ଅଙ୍କ କଷି ଫଳ ବାହାର କରୁଥିଲେ, ପୁରୁଣା ଜ୍ୟୋତିଷ ପୋଥିର ଅଙ୍କ ସଙ୍ଗେ ତାହା ନ ମିଳିବାରୁ ପୁରୁଣା ପେୋଥି ସହିତ ସବୁ ବିଷୟ ଥରେ ମିଳାଇଯିବାକୁ ତାଙ୍କର ଆଗ୍ରହ ହେଲା ।

କୋଟିନିଧି ପରି ଯେଉଁ ନୂତନ ତତ୍ତ୍ୱଟିମାନ ସେ ପାଇଲେ, ତାକୁ ଶ୍ଳୋକରେ ନିଜେ ରଚନା କରି ତାଳପତ୍ର ଖେଦାରେ ଟିପି ରଖୁଥିଲେ । ଏହିପରି କୋଡ଼ିଏ ବର୍ଷର ଟିପା ଶ୍ଳୋକମାନ ମିଶି ପଛକୁ ଗୋଟିଏ ବଡ଼ ପୋଥି ପରି ହୋଇଗଲା । ସେଗୁଡ଼ିକ ପୁରୁଣା ପୋଥିର ମାର୍ଗରେ ସଜାଇ ଯେଉଁ ନୂଆ ଜ୍ୟୋତିଷ ଗ୍ରନ୍ଥ କଲେ, ତାହାର ନାମ ‘ସିଦ୍ଧାନ୍ତ ଦର୍ପଣ’ ।

ପୁରୁଣା ଗ୍ରନ୍ଥ ଖଣ୍ଡିର ନାମ ଥିଲା ‘ସିଦ୍ଧାନ୍ତଶିରୋମଣି’ । ଆଜିକୁ ଆଠଶ ବର୍ଷ ତଳେ ଭାସ୍କରାଚାର୍ଯ୍ୟ ବୋଲି ଜଣେ ଦକ୍ଷିଣର ଜ୍ୟୋତିଷ ପଣ୍ଡିତ ରଚନା କରିଥିଲେ । ଏହି ଆଚାର୍ଯ୍ୟଙ୍କ ପରେ ଆଜିଯାଏଁ ଆମ ଦେଶରେ ‘ସିଦ୍ଧାନ୍ତ ଦର୍ପଣ’ ପରି ଜ୍ୟୋତିଷ ଗ୍ରନ୍ଥ ଆଉ କେହି ଲେଖିନାହାନ୍ତି ।

ଏ ଗ୍ରନ୍ଥ ଯେତେବେଳେ ଦେବନାଗରୀ ଅକ୍ଷରରେ ଛପା ହୋଇ ଚାରିଆଡ଼କୁ ଗଲା, ତାକୁ ଦୂର ଦେଶର ପଣ୍ଡିତମାନେ ପଢ଼ି ଆଚମ୍ବିତ ହୋଇଗଲେ । ଭାରତବର୍ଷ ଯାକ ତାଙ୍କର ପ୍ରଶଂସା ହୋଇଗଲା - ବିଲାତରେ ମଧ୍ୟ ତାଙ୍କର ଖୁବ୍ ନାମ ହେଲା । ସେ ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ଯେଉଁଦିନ ଯେତେବେଳେ ହେବ ବୋଲି କହି ଦେଉଥିଲେ, ଠିକ୍ ସେହି ଦିନ ସେତିକିବେଳେ ଘଟିବାର ଦେଖି ସାହେବମାନେ ଆଶ୍ଚର୍ଯ୍ୟ ହୋଇଗଲେ । ବଡ଼ଲାଟ୍ ସାହେବ ତାଙ୍କର ଏପରି ଯୋଗ୍ୟତା ଥିବାର ଶୁଣି ତାଙ୍କୁ ‘ମହାମହୋପାଧ୍ୟାୟ’ ପଦ ଦେଇଥିଲେ। ମୃତ୍ୟୁ ପୂର୍ବରୁ ଅଳ୍ପକାଳ ମାସକୁ ଟ. ୫୦ ସରକାରୀ ବୃତ୍ତି ପାଇଥିଲେ ।

ଏହି ‘ସିଦ୍ଧାନ୍ତ ଦର୍ପଣ’ ଗ୍ରନ୍ଥର ସୂତ୍ର ଧରି ସେ ଯେଉଁ ପାଞ୍ଜି ପ୍ରଥମେ ଛପାଇଲେ, ସେହି ପାଞ୍ଜି ଶୁଦ୍ଧ ବୋଲି ସମସ୍ତେ ଜାଣିଲେ ଏବଂ ଫଳ ଘଟିବା ଦେଖି ମଧ୍ୟ ବୁଝି ପାରିଲେ । ଏବେ ତାଙ୍କର ମଧ୍ୟମ ପୁତ୍ର ଗଦାଧର ସିଂହ ତାଙ୍କ ଅନ୍ତେ ପାଞ୍ଜି କରୁଅଛନ୍ତି । 

ଆଶ୍ଚର୍ଯ୍ୟର କଥା ଯେ, ଆଜି କାଲି ଆକାଶର ଗ୍ରହ ନକ୍ଷତ୍ରତତ୍ତ୍ୱ ପଣ୍ଡିତମାନେ ନଜରନଳୀ ବା ଦୂରବୀକ୍ଷଣରେ ଦେଖି ଯାହା ଠିକ୍ କରି କହିପାରୁ ନାହାନ୍ତି, ତାହାକୁ ସାମନ୍ତ ଖଣ୍ଡେ ମାପ କାଠି ଧରି ନିଜ ଆଖିରେ ଦେଖି କହିଦେଉଥିଲେ । ସେ ମାପ କାଠି ବା ମାନଯନ୍ତ୍ର ତାଙ୍କର ନୂଆ ଭିଆଣ । ସେଥିରେ ଦେଖି ଯେଉଁ ଅନ୍ତରା କଳା ବା ଅଂଶ ଆଦି କାଢ଼ି ହିସାବ କରି ସେ ଯେଉଁ ଫଳ କହିଅଛନ୍ତି ତାହା ବିଲାତରେ ନଜର ନଳୀରେ ଦେଖି ସାହେବମାନେ ଯାହା କିଛି କହିଅଛନ୍ତି, ତାହା ସହିତ ମୁଣ୍ଡାମୁଣ୍ଡି ସମାନ । ଏପରି ମହାତ୍ମା ଆମ୍ଭ ଦେଶରେ ଜନ୍ମିଥିବାରୁ ଆମ୍ଭ ଦେଶ ଧନ୍ୟ ହୋଇଅଛି । ଯାହା ଯୋଗରେ ଦେଶ ଧନ୍ୟ ହୁଏ, ଆଉ କୁଳ ପବିତ୍ର ହୁଏ, ସେହି ସିନା ବଡ଼ଲୋକ ।

ପଠାଣି ସାମନ୍ତ ଭାରି ନିଷ୍ଠାପର ଓ ଆଚାରବନ୍ତ ଲୋକ। ଶୌଚ ଆଉ ପୂଜା ହୋମରେ ତାଙ୍କ ଆଗରେ ପୁରୋହିତ ବ୍ରାହ୍ମଣ ବି ମାନ ହେବେନାହିଁ । ତାଙ୍କ ଆଖିରେ ଟିକିଏ ଦୋଷ ସୁହାଯାଏ ନାହିଁ । ସେପରି ନିର୍ମଳଚଳିତ୍ର ଲୋକ ଆଉ ଦେଖାଯାଉ ନାହାନ୍ତି । ପୁରୁଷୋତ୍ତମରେ ପିଣ୍ଡରୁ ପ୍ରାଣ ଗଲେ ତାଙ୍କର ସଦ୍‌ଗତି ହେବ ବୋଲି ବହୁ ଦିନର ବାଞ୍ଛା ଥିଲା । ଶେଷ କାଳକୁ ସେ ଆଗରୁ ଦିନ ଅନୁମାନ କରି ପୁରୀକୁ ଯାଇଥିଲେ ଏବଂ ବଡ଼ ଦେଉଳରେ ଜଗନ୍ନାଥଙ୍କୁ ଦର୍ଶନ କରି ମେଲାଣି ମାଗିଥିଲେ - ସେତିକି ଯାହା ଦର୍ଶନ, ତହିଁର ପ୍ରାୟ ୧୨ ଦିନରେ ତାଙ୍କର ସ୍ୱର୍ଗପ୍ରାପ୍ତି ହୋଇଥିଲା ।

ବି.ଦ୍ର. - ଏହି ଲେଖାଟି ୧୯୨୦ ମସିହାରେ ପ୍ରକାଶିତ 'ପଞ୍ଚାମୃତ' ପତ୍ରିକାର ପ୍ରଥମ ଭାଗର ପ୍ରଥମ ସଂଙ୍ଖ୍ୟାରେ ଛପା ହୋଇଥିଲା । ପତ୍ରିକାଟି ସୃଜନିକ ସଂସ୍ଥାଙ୍କର ଡିଜିଟାଲ୍ ଅଭିଲେଖାଗାର 'ଓଡ଼ିଆ ବିଭବ' ସୂତ୍ରରୁ  ମିଳିଥିବାରୁ ଆମେ ଅନୁଷ୍ଠାନ ପାଖରେ କୃତଜ୍ଞ ।

No comments:

Post a Comment