Thursday, December 05, 2019

ହୁଏନ୍‌ସାଂଙ୍କ ଭ୍ରମଣ ବୃତ୍ତାନ୍ତ

କେଦାରନାଥ ମହାପାତ୍ର


ହୁଏନ୍‌ସାଂ (୬୦୨-୬୬୪ ଖ୍ରୀଷ୍ଟାବ୍ଦ )
ୱିକିମିଡିଆ କମନ୍ସ୍

ହୁଏନ୍‌ସାଂ ଭାରତର ବୌଦ୍ଧ ପୀଠମାନ ଦେଖିବା ପାଇଁ ଓ ଧର୍ମଶାସ୍ତ୍ର ଅଧ୍ୟୟନ କରିବା ପାଇଁ ଭାରତକୁ ଆସିଥିଲେ । ସେ ଭାରତରେ ଖ୍ରୀ: ୬୩୦ରୁ ଖ୍ରୀ: ୬୪୫ ପର୍ଯ୍ୟନ୍ତ ରହିଥିଲେ । ସେ ସମଗ୍ର ଭାରତରେ ବୁଲି ବିଭିନ୍ନ ରାଜ୍ୟ, ରାଜ୍ୟବଂଶ, ରାଜା, ହିନ୍ଦୁ ଓ ବୌଦ୍ଧପୀଠ ମାନଙ୍କ ସମ୍ୱନ୍ଧରେ ବିସ୍ତୃତ ବିବରଣ ଦେଇଛନ୍ତି । ସେ ହର୍ଷଙ୍କର ଜଣେ ପରମବନ୍ଧୁ ଥିଲେ ଓ ତାଙ୍କର ରାଜସଭାରେ କିଛି କାଳ କଟାଇଥିଲେ । ସେ ଲେଖିଛନ୍ତି ଯେ, ହର୍ଷ ଦୟାଳୁ ଓ ଧର୍ମପରାୟଣ ଥିଲେ । ସେ ବୌଦ୍ଧ ଥିଲେ ସୁଦ୍ଧା ଅନ୍ୟ କୌଣସି ଧର୍ମ ପ୍ରତି ଅନାଦର ଦେଖାଉ ନ ଥିଲେ । 

ପ୍ରୟାଗ ବା ଆଲ୍ଲାହାବାଦରେ ସେ ପ୍ରତି ପାଞ୍ଚ ବର୍ଷରେ ଗୋଟିଏ ବୌଦ୍ଧ ମେଳା ବସାଉଥିଲେ । ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏହି ମେଳା ବସୁଥିଲା । ଧର୍ମାଲୋଚନା ଓ ଲୋକମାନଙ୍କୁ ଧର୍ମ ଉପଦେଶ ଦେବା ଏହି ସଭାର ଉଦ୍ଦେଶ୍ୟ ଥିଲା । ଏହି ସଭାରେ ତାଙ୍କର ଅଧୀନସ୍ଥ ରାଜାମାନେ ମଧ୍ୟ ଯୋଗ ଦେଉଥିଲେ । ସେ ମେଳା ଶେଷରେ ନିଜ ରାଜ୍ୟ ଓ ସେନା ଛଡ଼ା ରାଜକୋଷରେ ସଞ୍ଚିତ ସମସ୍ତ ଧନରତ୍ନ, ଏପରି କି ନିଜ ପୋଷାକ ମଧ୍ୟ ବୌଦ୍ଧ ସନ୍ନ୍ୟାସୀ ଓ ଗରିବ ଲୋକ ମାନଙ୍କୁ ଦାନ କରୁଥିଲେ । 

ହର୍ଷଙ୍କର ପ୍ରକାଣ୍ଡ ସେନା ଥିଲା । ସୁଶାସନ ପାଇଁ ସେ ରାଜ୍ୟର ସମସ୍ତ କାର୍ଯ୍ୟ ନିଜେ ବୁଝୁଥିଲେ ଓ ରାଜ୍ୟରେ ବେଳେ ବେଳେ ଗସ୍ତ କରୁଥିଲେ । ପ୍ରଜାମାନେ ସୁଖ ଶାନ୍ତିରେ ଥିଲେ । ସେମାନେ ବେଠି କରୁ ନ ଥିଲେ ଓ ଭୂମିର ଆୟର ଏକ ଷଷ୍ଠାଂଶ ରାଜସ୍ୱ ସ୍ୱରୂପ ଦେଉଥିଲେ ।

ପାଟଳୀପୁତ୍ର ନଗରୀ ଧ୍ୱଂସ ପ୍ରାପ୍ତ ହୋଇଥିଲା । କିନ୍ତୁ ହର୍ଷଙ୍କ ରାଜଧାନୀ କାନ୍ୟକୁବ୍‌ଜ ସମଗ୍ର ଭାରତରେ ଗୋଟିଏ ଶ୍ରେଷ୍ଠ ନଗରୀ ଥିଲା । ପାଟଳୀପୁତ୍ରର ଦକ୍ଷିଣରେ ନାଳନ୍ଦା ନାମକ ସ୍ଥାନରେ ଗୋଟିଏ ପ୍ରସିଦ୍ଧ ବିଦ୍ୟାପୀଠ ବା ବିଶ୍ୱବିଦ୍ୟାଳୟ ଥିଲା । ଭାରତର ସବୁ ସ୍ଥାନରୁ ଓ ଚୀନ, ଜାପାନ ପ୍ରଭୃତି ସୁଦୂର ବିଦେଶରୁ ଶତ ଶତ ଛାତ୍ର ସେଠାକୁ ପଢ଼ିବାକୁ ଆସୁଥିଲେ ।

ଦଶ ହଜାର ଛାତ୍ର ରହିବା ପାଇଁ ସେଠାରେ ଗୋଟିଏ ଛାତ୍ରାବାସ ବା ବୋର୍ଡିଂ ଥିଲାଛାତ୍ରମାନ ବିନା ଦରମାରେ ପାଠ ପଢ଼ୁଥିଲେ । ରାଜା ମହାରାଜାମାନେ ଛାତ୍ରମାନଙ୍କୁ ଖାଦ୍ୟ ଓ ପରିଧାନ ଯୋଗାଉଥିଲେ । ଭାରତର ପ୍ରସିଦ୍ଧ ପଣ୍ଡିତମାନେ ସେଠାରେ ଶିକ୍ଷା ଦେଉଥିଲେ । ପଢ଼ିବା ପାଇଁ ବଡ ବଡ ପୁସ୍ତକାଗାର ବା ଲାଇବ୍ରେରି ଥିଲା । ସେଠାରେ ନାନା ପ୍ରକାର ଶିକ୍ଷା ଦିଆ ଯାଉଥିଲା । ନାଳନ୍ଦା ପରି ଆଦର୍ଶ ବିଶ୍ୱବିଦ୍ୟାଳୟ ଏ ଯୁଗରେ ମଧ୍ୟ ପୃଥିବୀରେ କ୍ୱଚିତ ଦେଖାଯାଏ ।

ହୁଏନ୍‌ସାଂଙ୍କ ସମୟରେ ଓଡିଶା ପ୍ରଦେଶରେ ଉତ୍କଳ, କଙ୍ଗୋଦ, କୋଶଳ, କଳିଙ୍ଗ ନାମକ ଚାରୋଟି ବିଭାଗ ଥିଲା । ପୁଷ୍ପଗିରି (କଟକ ଜିଲ୍ଲାର ଲଳିତଗିରି) ଓ ସମ୍ୱଲପୁର ଅଞ୍ଚଳର ପରିମଳଗିରି ଓଡିଶାର ଦୁଇଟି ପ୍ରସିଦ୍ଧ ବୌଦ୍ଧପୀଠ ଥିଲା । ଦକ୍ଷିଣରେ ଚାଲୁକ୍ୟମାନେ ବଡ଼ ଶକ୍ତିଶାଳୀ ଥିଲେ । ଭାରତର ଅନ୍ୟାନ୍ୟ ପ୍ରଦେଶ ସମ୍ୱନ୍ଧରେ ମଧ୍ୟ ସେ ଅନେକ କଥା ଲେଖିଛନ୍ତି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

No comments:

Post a Comment