Friday, December 06, 2019

ଶିକ୍ଷକମାନଙ୍କର ମର୍ଯ୍ୟାଦା


ଶଶିଭୂଷଣ ରାୟ


ତାମିଲନାଡ଼ୁର ଧର୍ମପୁରମରେ ରାମକୃଷ୍ଠ ମଠ ଚଳାଉଥିବା ଏକ ବିଦ୍ୟାଳୟର ବାରଣ୍ଡା
ଟିତ୍ରଟି ୨୦୧୦ ମସିହାରେ ଉତ୍ତୋଳିତ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କେହି କେହି କହିବେ, ଧନରେ ଶକ୍ତି, ଧନରେ ପ୍ରତିପତ୍ତି ଓ ଧନରେ ହିଁ ମର୍ଯ୍ୟାଦା । ଶିକ୍ଷକ ଦରିଦ୍ର, ସେ ସାମାଜିକ ପଦ-ମର୍ଯ୍ୟାଦା ଜାଣନ୍ତି ନାହିଁ । ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେ । ଧନର ଶକ୍ତି ଦେଶରେ ଅନେକ ପ୍ରାଧାନ୍ୟ ଲାଭ କରିଅଛି ସତ୍ୟ; କିନ୍ତୁ ପ୍ରତିଭା, ବିଦ୍ୟା ଓ ଜ୍ଞାନର କାର୍ଯ୍ୟକାରୀ ଶକ୍ତି ଉପରେ ତାହା ଯେ ଏକାବେଳକେ ଆଧିପତ୍ୟ ସ୍ଥାପନ କରିଅଛି, ତାହା ନୁହେଁ । ବିଦ୍ୱାନ୍ ଦରିଦ୍ରକୁ ଲୋକେ ସେପରି ମର୍ଯ୍ୟାଦା ଦିଅନ୍ତି ନାହିଁ ସତ୍ୟ, କିନ୍ତୁ ବିଦ୍ୟାହୀନ ଧନକୁବେରଙ୍କୁ ମଧ୍ୟ ଶ୍ରଦ୍ଧା କରନ୍ତି ନାହିଁ; ପୁଣି ବିଦ୍ୟା ଓ ଧନ ଉଭୟ ଯାହାଙ୍କର ଅଛି, ସେ ଯେବେ... କେବଳ ଆହାର ବିହାର, ଆମୋଦ ପ୍ରମୋଦରେ ଜୀବନ କଟାଇ ଦିଅନ୍ତି, ତାଙ୍କୁ କେତେଗୁଡ଼ିଏ ସ୍ୱାର୍ଥନ୍ୱେଷୀ ଚାଟୁକାର ବ୍ୟତୀତ ଆଉ କେହି ଶ୍ରଦ୍ଧା ଓ ସମ୍ମାନ ଦେଖାନ୍ତି ନାହିଁ । 

ଯେ ଯେଉଁ କର୍ମରେ ବ୍ରତୀ ହୁଅନ୍ତି, ଯେଉଁ ବୃତ୍ତି ଗ୍ରହଣ କରନ୍ତି, ତାଙ୍କ ପ୍ରକୃତିର ଗୁରୁତ୍ୱ ପ୍ରଭୃତିରୁ ସମାଜର ଇଷ୍ଟାନିଷ୍ଟର କେତେ ଦୂର ସମ୍ଭାବନା, ଏହି ସମସ୍ତ ବିବେଚନା ଉପରେ ସାମାଜିକ ପଦମର୍ଯ୍ୟାଦା ଓ ପ୍ରତିପତ୍ତିର ତାରତମ୍ୟ ନିର୍ଭର କରେ । ଧନରୁ ଇଷ୍ଟାନିଷ୍ଟ ସାଧନର ଶକ୍ତି ଅନେକ ପରିମାଣରେ ଆସିଥାଏ । ସୁତରାଂ ଅନ୍ୟ ବଳ ସହିତ ଧନବଳ ଯୁକ୍ତ ହେଲେ ତାହାର କାର୍ଯ୍ୟକାରୀ ଶକ୍ତି ସ୍ୱଭାବତଃ ବୃଦ୍ଧି ପାଇଥାଏ ଏବଂ ସେହି ଶକ୍ତି ସହିତ ସାମାଜିକ ପ୍ରତିପତ୍ତି ମଧ୍ୟ କିଛି ବଢ଼ିଥାଏ ।

ଲୋକେ ଯେବେ ଶିକ୍ଷାକାର୍ଯ୍ୟର ଗୁରୁତ୍ୱ ଓ ମହତ୍ତ୍ୱ ଉପଲବ୍‌ଧ କରିପାରନ୍ତେ, ଶିକ୍ଷକଙ୍କ ହାତରେ ଦେଶର ଓ ସମାଜର ମଙ୍ଗଳ ବିଧାନ ଭାର କି ପରିମାଣରେ ନ୍ୟସ୍ତ ରହିଅଛି, ସମସ୍ତେ ଯେବେ ଏତିକି ବୁଝିପାରନ୍ତେ, ଅଥବା ଶିକ୍ଷକମାନେ ନିଜ କାର୍ଯ୍ୟ ଦ୍ୱାରା ଲୋକଙ୍କୁ ଯେବେ ବୁଝାଇ ଦିଅନ୍ତେ ଯେ, ସମାଜ-ଶକ୍ତିର ଉତ୍ସ ସେହିମାନେ ଉନ୍ମୁକ୍ତ କରୁଅଛନ୍ତି, ଶକ୍ତିର ଭିତ୍ତି ସେମାନେ ପ୍ରତିଷ୍ଠିତ କରୁଅଛନ୍ତି, ସମାଜର ଗୌରବଦୀପ୍ତିର ଉଷାଲୋକ ସେମାନଙ୍କ ସାଧନା ବଳରେ ଫୁଟି ଉଠୁଅଛି, ତେବେ ସହସ୍ର ଦାରିଦ୍ର୍ୟ ମଧ୍ୟରେ, ଦୀନ କୁଟୀରରେ, ଦୀନ ଅନ୍ନଭୋଜନରେ, ପର୍ଣ୍ଣଶଯ୍ୟାରେ ଶାୟିତ ରହି ସୁଦ୍ଧା ରାଜେଶ୍ୱରଙ୍କ ଉର୍ଦ୍ଧ୍ୱରେ ସେମାନେ ସମାଜରେ ପୂଜିତ ହେଉଥାଆନ୍ତେ । ପ୍ରତିଭା, ବିଦ୍ୟା ଓ ଜ୍ଞାନର ଚରମ ସାର୍ଥକତାର ତୃପ୍ତିରେ ନିଜ ନିଜର ଜୀବନକୁ ଧନ୍ୟ ଜ୍ଞାନ କରୁଥାଆନ୍ତେ । ଏହି ତୃପ୍ତିର, ଏହି ଗୌରବର ପ୍ରଲୋଭନରେ ଆକୃଷ୍ଟ ହୋଇ ପ୍ରତିଭା, ବିଦ୍ୟା ଓ ଜ୍ଞାନରେ ଯେଉଁମାନେ ଜ୍ୟେଷ୍ଠ, ସେମାନେ ମଧ୍ୟ ଅର୍ଥକାରୀ ଅନ୍ୟ ସମସ୍ତ ବୃତ୍ତିକୁ ତୁଚ୍ଛ କରି ଏହି ଦୀନ ଶିକ୍ଷକତା ବୃତ୍ତି ଗ୍ରହଣ କରିବା ସକାଶେ ଆଗ୍ରହାନ୍ୱିତ ହେଉଥାଆନ୍ତେ ।

ଦୁଃଖର ବିଷୟ, ସମାଜ ଏହା ବୁଝେ ନାହିଁ ଏବଂ ଏ ସମ୍ୱନ୍ଧରେ ମଧ୍ୟ କିଛି ଚିନ୍ତା କରେ ନାହିଁ । ଶିକ୍ଷକମାନେ ମଧ୍ୟ ନିଜ କାର୍ଯ୍ୟରେ ସମାଜକୁ ଏହା ବୁଝାଇ ପାରନ୍ତି ନାହିଁ । ସମାଜ ଶିକ୍ଷକର ସମ୍ମାନ କରେ ନାହିଁ ଏବଂ ଶିକ୍ଷକ ମଧ୍ୟ ନିଜ ଶକ୍ତିରେ ସେ ସମ୍ମାନ ଆକର୍ଷଣ କରିବାକୁ ଅକ୍ଷମ ହୁଅନ୍ତି । ଏହାର କାରଣ, ସମାଜର ଅବହେଳାରେ ଶିକ୍ଷକତା କରିବାକୁ ସେଭଳି ବ୍ୟକ୍ତି କେହି ବାହାରନ୍ତି ନାହିଁ । 

ଏହି ବିକୃତ ଅବସ୍ଥାର ମୂଳ କାରଣ ସମାଜର ତ୍ରୁଟି ହେଲେ ହେଁ, ବର୍ତ୍ତମାନ ଉଭୟର ତ୍ରୁଟି ମଧ୍ୟରେ ଗୋଟିଏ କାର୍ଯ୍ୟ କାରଣ ସମ୍ୱନ୍ଧ ଘଟିଅଛି । ଏଭଳି ଅବସ୍ଥାରେ ପ୍ରତିକାର ସକାଶେ ଯେଉଁ ତ୍ରୁଟି ଦୂର କରିବା ସମ୍ଭବପର ଓ ସହଜସାଧ୍ୟ, ସେହି ତ୍ରୁଟି ଦୂର କରିବାର ଚେଷ୍ଟା ଅବଶ୍ୟ କର୍ତ୍ତବ୍ୟ ।

ସମାଜର ଯେଉଁ ଅବସ୍ଥା, ତହିଁରେ ସମାଜ ଯେ ନିଜ ମନକୁ ନିଜର ତ୍ରୁଟି ବୁଝିପାରିବ ଏବଂ ବୁଝି ତ୍ରୁଟି ଦୂର କରିପାରିବ, ଯେ ସମ୍ଭାବନା ନିତାନ୍ତ ଅଳ୍ପ । ପ୍ରତିଭା, ମନସ୍ୱିତା, ବିଦ୍ୟା ଓ ଜ୍ଞାନରେ ଯେଉଁମାନେ ଉନ୍ନତ, ଦେଶର ଓ ସମାଜର ଭବିଷ୍ୟତ ମଙ୍ଗଳ ଆଡ଼କୁ ଚାହିଁ ତ୍ୟାଗଧର୍ମ ବଳରେ ଦାରିଦ୍ର୍ୟ ଏବଂ ଦାରିଦ୍ର୍ୟ ଜାତ ଓ ଅନ୍ୟାନ୍ୟ କାରଣପ୍ରସୂତ ସମସ୍ତ ଅବହେଳା ସହିବାକୁ ପ୍ରସ୍ତୁତ ହୋଇ ଯେବେ ସେମାନେ ଶିକ୍ଷକତା ବ୍ରତ ଗ୍ରହଣ କରନ୍ତି, ତେବେ ସେମାନଙ୍କ ପ୍ରତିଭା ଓ ଜ୍ଞାନର ଶକ୍ତିରେ, ତ୍ୟାଗର ମହିମାରେ ଏ ଶିକ୍ଷକତା ବୃତ୍ତି ତାହାର ଯୋଗ୍ୟ ସ୍ଥାନକୁ ଉନ୍ନୀତ ହେବ ଏବଂ ପ୍ରକୃତ ମନୁଷ୍ୟତ୍ୱର ଯେଉଁ ଆଦର୍ଶ ଦେଶରେ ଏକ ସମୟରେ ଥିଲା, (ବର୍ତ୍ତମାନ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ) - ଐଶ୍ୱର୍ଯ୍ୟ, ଗୌରବ ଅପେକ୍ଷା ତ୍ୟାଗ ଓ ଦୀନତାର ମହତ୍ତ୍ୱ ଯେ ମହତ୍ତର - ସେହି ଆଦର୍ଶ ଦେଶକୁ ପୁଣି ଫେରି ଆସିବାର ସମ୍ଭାବନା ।

ଦେଶରେ ପ୍ରତିଭାରେ ଓ ଜ୍ଞାନରେ କଅଣ ଆତ୍ମଦାନର ଏହି ଶକ୍ତି ନାହିଁ ?

ବି.ଦ୍ର.ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ଏହି ବହିଟିର ପ୍ରଥମ ସଂସ୍କରଣ ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

No comments:

Post a Comment