Thursday, October 12, 2017

ଦେଖରେ ଦେଖ

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦେଖରେ ଦେଖରେ ଦେଖ
କାନ୍ଥରେ ଘଡ଼ି ଏକ ।

ମୂଷା ଗଲା ତାକୁ ଚଢ଼ି
ଏକ ବଜାଇଲା ଘଡ଼ି
ମୂଷା ଗଲା ତଳେ ପଡ଼ି
ପଳାଇଲା ଡରି ମରି ।

କାନ୍ଥରେ ଘଡ଼ି ଏକ
ଦେଖରେ ଦେଖରେ ଦେଖ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Wednesday, October 11, 2017

ଘୋଡ଼ା

କବି - ଜଗନ୍ନାଥ ପ୍ରସାଦ ଦାସ


ଘୋଡା ଓ ମଣିଷଙ୍କର ଚିତ୍ର (ପ୍ରସ୍ତର ଯୁଗ - ମଧ୍ୟପ୍ରଦେଶର ଭୀମବେଟକା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏକମାତ୍ର ଜନ୍ତୁ ମିଛିମିଛିକା
ଡିମ୍ବ ଦିଏ ବୋଲି ଜଣା
କିଣା ହୋଇଥାଏ ଛ' ଟଙ୍କାରେ କିନ୍ତୁ
ଖାଏ ନ' ଟଙ୍କାର ଦାନା ।

ସରି ନୁହେଁ ସିଏ ଯୋଡ଼ାକୁ
ଦେଖିଚ ଏ ଭଳି ଘୋଡ଼ାକୁ ?

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Tuesday, October 10, 2017

ଓଟ

କବି - ଜଗନ୍ନାଥ ପ୍ରସାଦ ଦାସ


ଇଦ ଉପଲକ୍ଷେ ମୋଗଲ ସମ୍ରାଟଙ୍କର ଶୋଭାଯାତ୍ରାରେ ଓଟ (୧୮୪୦)
ସମ୍ଭାବ୍ୟ ଚିତ୍ରକର - ଖାନ୍ ମଜାର୍ ଅଲି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଓଟରେ ଓଟ
ବେକ ପିଠି ତୋର ଛୋଟ କି ମୋଟ ?

ନଡ଼ ବଡ଼ ଚାଲି ଲହଲହକା
ଯୁଆଡ଼ୁ ଦେଖିଲେ ଦିଶଇ ବଙ୍କା

ବେଢଙ୍ଗ ବେଢ଼ବ ବେଜାର ମାପ
କିଏ ଦେଲା ତତେ ଏ ଭଳି ରୂପ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Sunday, October 08, 2017

ଆଠଗଡ଼ର ପିଲା

କବି - ଜଗନ୍ନାଥ ପ୍ରସାଦ ଦାସ


ମିନୋଆର ସୁରେଇରେ ଅକ୍ଟୋପସର ଚିତ୍ର (୧୫୦୦ ଖ୍ରୀଷ୍ଟପୂର୍ବ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନିଘୋଡ଼ ନିଦରେ ଶୋଇ ରାତି ଆଠଟାରେ
ସ୍ୱପ୍ନରେ ଦେଖିଲା ଯାହା ହେଉଛି ସେଠାରେ :

ଆଠ ଜଣ କାଠୁରିଆ କାଟୁଛନ୍ତି କାଠ
ଆଠ ଗୋଟି ପୁଅ ମିଶି କରୁଛନ୍ତି ନାଟ ।

ଅକ୍ଟୋପସ ବସିଅଛି ଆଠ ହାତ ଖୋଲି
ଆଠଟି ସମୁଦ୍ର ଜୀବ ଧରିନେବ ବୋଲି ।

ସମ୍ମୁଖରେ ଅଷ୍ଟଧାତୁ ଦେବୀ ପ୍ରତିମାର
ଅଷ୍ଟ ଅବଧାନୀ କରେ ସାଷ୍ଟାଙ୍ଗ ଜୁହାର ।

ଏତେବେଳେ ଆଠ ଜଣ ଚିରଗୁଣୀ ଆସି
ଆଠଟି ଡାହାଣୀ ଆଠ ଭୂତ ସଙ୍ଗେ ମିଶି 
ଡରାଇଲେ ନାଚିକୁଦି ତା ସ୍ୱପ୍ନ ଭିତରେ
ଚମକି ଉଠିଲା ପିଲା ନିଦ ବାଉଳାରେ ।

ଆଖି ଖୋଲି ଦେଖିନେଲା ଚାରିଆଡ଼େ ତାର
ଜଗି ରହିଛନ୍ତି ତାକୁ ଆଠ ଦିକ୍-ପାଳ ।

ଏଥରକ ଆଉ କିଛି ଭୟ ନାହିଁ ଜାଣି 
ନିଦରେ ନିଦକ ହୋଇ ଶୋଇଗଲା ପୁଣି ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Friday, October 06, 2017

ଛୋଟ

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଛୋଟ କଂସା ତାଟିଆ
ଛୋଟ ଥାଳି ଥାଳିଆ
ଛୋଟ ଖଟ ଖଟିଆ
ଛୋଟ ଚାଳ ଚାଳିଆ ।

ଛୋଟ ଘର କୁଡ଼ିଆ
ଛୋଟ ଡଙ୍କା ଚାମୁଚା
ଛୋଟ ପୁଡ଼ା ପୁଡ଼ିଆ
ଛୋଟ ଲୁଗା ଗାମୁଛା ।

ଛୋଟ ହାଣ୍ଡି ଆଟିକା
ଛୋଟ ତାଡ଼ ତାଡ଼ିଆ 
ଛୋଟ କୋଠା ବାଟିକା
ଛୋଟ ଦୀଘି ଗଡ଼ିଆ ।

ଛୋଟ କୁଲା କୁଲେଇ
ଛୋଟ ବାଘ ବିଲେଇ
ଛୋଟ ଝିଅ ଫୁଲେଇ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Wednesday, October 04, 2017

ଘର

କବି - ଜଗନ୍ନାଥ ପ୍ରସାଦ ଦାସ


ମୋଶେ ସାମୁଦ୍ରିକ କଇଁଛ
୨୦୦ ସାଲ,  ପେରୁ ଦେଶର ଲିମାଠାରେ ସ୍ଥିତ ଲାର୍କୋ ସଙ୍ଗ୍ରହାଳୟ
  ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ରଜା ରହିଥାଏ ରାଜବାଟୀରେ
ଜେଲ ଘରେ ରହେ ଚୋର
ଦଦରା କୋଠାରେ ବାବନା ଭୂତ
ଚଷାର କୁଡ଼ିଆ ଘର ।

ସାପ ରହିଥାଏ ଉଇ ହୁଙ୍କାରେ
ଡାଳରେ ଚଢ଼େଇ ବସା
ପଙ୍କ ଗାଡ଼ିଆରେ ବେଙ୍ଗର ଘର
ଗାତ ଖୋଳି ରହେ ମୂଷା ।

ମହୁମାଛି ଥାଏ ମହୁଫେଣାରେ
ଦେଉଳ ହେଉଛି ଦିଅଁଙ୍କ ଘର
ଗୁମ୍ଫାରେ ରହନ୍ତି ମୁନି ୠଷି ଭାଲୁ
ଗୁଣ୍ଡୁଚିର ଘର ଗଛ କୋରଡ଼ ।

ନିଜ ନିଜ ଘର ଗେଣ୍ଡା କଇଁଛ
ବସ୍ତାନି ବହିର ଘର
କୁନି ପିଲା ଘର ମା'ର କୋଳ
ସପନର ଆଖି ତଳ ।

କିନ୍ତୁ,
ଫୁଟପାଥ ନୁହେଁ ମଣିଷର ଘର
ବାଘ ଘର ନୁହେଁ ଚିଡ଼ିଆଖାନା
ପଞ୍ଜୁରୀ ନୁହଇ ଚଢ଼େଇର ବସା
କାହା ଘର ନୁହେଁ ପୁଲିସ ଥାନା ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Sunday, October 01, 2017

ବିଲେଇ ନାନୀ


କବି - ଜଗନ୍ନାଥ ପ୍ରସାଦ ଦାସ


ଅଷ୍ଟାଦଶ ଶତାବ୍ଦୀର ସାଇବେରିଆର ଲୋକକଳା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବିଲେଇ ନାନୀ କରିଛି ଓଷା
ଏ ଯାଏ ଖାଇଛି ଗୋଟିଏ ମୂଷା
ଦୁଇଟି ପୋକ, ତିନିଟି ଜୋକ
ତଥାପି ଲାଗୁଛି ଆହୁରି ଭୋକ ।

ଚାରି ଝିଟିପିଟି ପାଞ୍ଚଟି ବଣି
କେମିତି କୋଉଠୁ ଖାଇବ ଆଣି
ଅନେଇ ବସିଛି ବିଲେଇ ନାନୀ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।