Saturday, October 05, 2019

ଶିକ୍ଷକମାନଙ୍କର ଆର୍ଥିକ ସ୍ଥିତି


ଶଶିଭୂଷଣ ରାୟ


ଚିତ୍ର 'ସ୍କୁଲ୍ ଟିଚର୍' (୧୭୨୭ ମସିହାରେ କାନ୍‌ଭାସ୍ ଉପରେ ଅଙ୍କିତ ତୈଳଚିତ୍ର)
ଚିତ୍ରକର - କ୍ରିସ୍ତଫ୍ ଲୁବିଏନିଏଚ୍‌କି (୧୬୫୯ - ୧୯୨୯; ପୋଲାଣ୍ଡ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଶିକ୍ଷକମାନେ ଦରିଦ୍ର । ଅନ୍ୟାନ୍ୟ ବୃତ୍ତି ତୁଳନାରେ ଶିକ୍ଷକର ବେତନ ନିତାନ୍ତ ଅଳ୍ପ । ଯେ ନିଜ ଶକ୍ତିବଳରେ ଅଧିକ ଅର୍ଥ ଉପାର୍ଜନ-କ୍ଷମ, ସେ ଅଳ୍ପ ଅର୍ଥରେ କାହିଁକି ସନ୍ତୁଷ୍ଟ ହେବେ ?
ଏହି ହେତୁରୁ ଅନେକେ କହିଥାଆନ୍ତି ପ୍ରତିଭାଶାଳୀ ବ୍ୟକ୍ତି ଅନ୍ୟ ବୃତ୍ତି ଅବଲମ୍ୱନ କଲେ ସହଜରେ ଶିକ୍ଷକ ହେବାକୁ ଇଚ୍ଛୁକ ହୁଅନ୍ତି ନାହିଁ । ପୁଣି ଶିକ୍ଷକଙ୍କର ପଦମର୍ଯ୍ୟାଦା ଏବଂ ପ୍ରତିପତ୍ତି ବଡ ଅଳ୍ପ । ଶିକ୍ଷକ ସାଧାରଣତଃ ନିତାନ୍ତ ଅବଜ୍ଞାତ; ବିଦ୍ୟା, ଜ୍ଞାନ, ଧର୍ମ, ଚରିତ୍ର ଏବଂ ମନସ୍ୱିତାରେ ସମକକ୍ଷ, ଏପରି କି ମହତ୍ତର ହେଲେ ହେଁ ପଦସ୍ଥ ରାଜକର୍ମଚାରୀ, ଆଇନ-ବ୍ୟବସାୟୀ ଏବଂ ଚିକିତ୍ସିକ ପ୍ରଭୃତି ସମାଜରେ ଯେପରି ଆଦୃତ ଏବଂ ସମ୍ମାନିତ ହୁଅନ୍ତି, ଶିକ୍ଷକ ସେପରି ହୁଅନ୍ତି ନାହିଁ; ସେମାନଙ୍କର ସମାଜରେ ଯେଭଳି ପ୍ରତିପତ୍ତି ଥାଏ, ଶିକ୍ଷକ ତାହା ପାଆନ୍ତି ନାହିଁ । ଅନେକ ଯୋଗ୍ୟ ଶିକ୍ଷକ ଏହା ଅନୁଭବ କରିଅଛନ୍ତି, ସୂକ୍ଷ୍ମଦର୍ଶୀ ମାତ୍ରକେ ଏହା ଲକ୍ଷ୍ୟ କରୁଥିବେ; ସତ୍ୟାନୁରାଗୀ କୌଣସି ବ୍ୟକ୍ତି ଏହା ଅସ୍ୱୀକାର କରିପାରିବେ ନାହିଁ ।
ପ୍ରତିଭାଶାଳୀ ବ୍ୟକ୍ତି କେହି ଶିକ୍ଷକତା ଅବଲମ୍ୱନ କରି ଅଛନ୍ତି ଶୁଣିଲେ ଅନେକେ ନାସିକା କୁଞ୍ଚିତ କରିଥାଆନ୍ତି । ମନେ କରନ୍ତି ଏବଂ କହନ୍ତି, 'ଲୋକଟି ଅପଦାର୍ଥ ହୋଇଗଲା, ତାହାର ଶକ୍ତି ସମସ୍ତ ବିଫଳ ହେଲା । ଏତେ ଶିଖି, ଏତେ ଯୋଗ୍ୟତା ଲାଭ କରି ଶେଷରେ ମାଷ୍ଟର ହେଲା? ସମସ୍ତ ଶକ୍ତି ଶେଷରେ ବୃଥା କରିବାକୁ ବସିଲା? ଯେବେ ବଡ ନ ହେଲା, ପଦମର୍ଯ୍ୟାଦା ଲାଭ ନ କଲା, ତେବେ ଏତେ ଶକ୍ତି, ଏତେ ବିଦ୍ୟାଲାଭର କି ପ୍ରୟୋଜନ ଥିଲା?' 
ଏଭଳି ପ୍ରଶ୍ନସମୂହର ଉତ୍ତର ଅନେକ ଶିକ୍ଷକଙ୍କୁ ସ୍ୱୀୟ ହିତୈଷୀ ଆତ୍ମୀୟ ବାନ୍ଧବଙ୍କ ନିକଟରେ ଦେବାକୁ ହୋଇଥାଏ । ବାଳକ ଭବିଷ୍ୟତରେ ଶିକ୍ଷକ ହେବ, କୌଣସି ଅଭିଭାବକ ଏହା ସହଜରେ ଇଚ୍ଛା କରନ୍ତି ନାହିଁ । ସମାଜରେ ପଦଗୌରବ ଓ ପ୍ରତିଷ୍ଠା ଲାଭରେ ଯେଉଁମାନଙ୍କର ଆକାଂକ୍ଷା ରହିଅଛି, ଏଭଳି ଯୁବକ ଶିକ୍ଷକ ହେବାକୁ ସମ୍ପୂର୍ଣ୍ଣ ଅନିଚ୍ଛୁକ ।
ଶିକ୍ଷକ ଦରିଦ୍ର, ଶିକ୍ଷକ ଅବଜ୍ଞାତ । ସମ୍ପଦ ଏବଂ ସମ୍ମାନ-ପାର୍ଥିବ ପ୍ରଧାନ ଦୁଇ ବସ୍ତୁ, ଯହିଁରୁ ଗୋଟିଏ ସୁଦ୍ଧା ଯେଉଁ ବୃତ୍ତିରେ ନାହିଁ, ସେହି ବୃତ୍ତି ଗ୍ରହଣରେ ଲୋକଙ୍କର, ବିଶେଷତଃ ପ୍ରତିଭାବାନ୍ ଲୋକଙ୍କର ଆଗ୍ରହ ହେବ କାହିଁକି ?
ଶିକ୍ଷକ ଦରିଦ୍ର, ତାଙ୍କୁ ଦରିଦ୍ର ହୋଇ ରହିବାକୁ ହେବ । ଦରିଦ୍ର ଦୋଷ ଦୂର କରି ସମ୍ପଦର ପ୍ରଲୋଭନ ଏହି ବୃତ୍ତିରେ ଆନୟନ କରିବା ଦୁଃସାଧ୍ୟ । ଦେଶ ଦରିଦ୍ର, ଦେଶରେ ଯେତେ ବାଳକ ପଢ଼ନ୍ତି, ସେମାନଙ୍କ ପାଇଁ କେତେଗୁଡ଼ିଏ ବିଦ୍ୟାଳୟ ପ୍ରୟୋଜନ, ସମସ୍ତ ସ୍ଥାପନ କରି ତହିଁରେ ଶିକ୍ଷାର ଅନ୍ୟ ସମସ୍ତ ବନ୍ଦୋବସ୍ତ ଯାହା ଅଭାବରେ ସୁଶିକ୍ଷା ହେବ ନାହିଁ ଦେଶ ଏହାର ବ୍ୟୟ ଦେବାକୁ ଅସମର୍ଥ । ସେହି ଦେଶ ଯେ ଶିକ୍ଷକଙ୍କୁ ବେଶି ବେତନ ଦେଇପାରିବ, ଏଭଳି ଆଶା କରିବା ବିଡ଼ମ୍ୱନା ମାତ୍ର ।
ପାର୍ଥିବ ସୁଖସ୍ୱାଚ୍ଛନ୍ଦ୍ୟ ଓ ଭୋଗବିଳାସସମ୍ଭୋଗ ଅର୍ଥସାପେକ୍ଷ । ଅର୍ଥବଳ ସାମାଜିକ ପଦମର୍ଯ୍ୟାଦା ଓ ପ୍ରତିପତ୍ତି ଲାଭରେ ଅନେକ ସହାୟତା କରିଥାଏ । ସୁତରାଂ ପ୍ରତିଭା ଓ ବିଦ୍ୟାବଳରେ ଅର୍ଥୋପାର୍ଜ୍ଜନର ଶକ୍ତି ଯାହାଙ୍କର ଅଛି, ତାଙ୍କ ପକ୍ଷରେ ଅର୍ଥୋପାର୍ଜ୍ଜନର ପ୍ରଲୋଭନ ବଡ଼ ପ୍ରବଳ । କିନ୍ତୁ ଏହି ହେତୁରୁ ପ୍ରତିଭା ଏବଂ ବିଦ୍ୟାର ଅଧିକାରୀ ହିଁ ଯେ ଏହି ପ୍ରଲୋଭନରେ ପ୍ରଲୁବ୍‌ଧ ହେବେ, ସମସ୍ତେ ହିଁ ଯେ ଅର୍ଥୋପାର୍ଜ୍ଜନ ଓ ଅର୍ଥଲଭ୍ୟ ସୁଖସମ୍ମାନ ବ୍ୟତୀତ ନିଜର ପ୍ରତିଭା ଓ ବିଦ୍ୟା ନିରର୍ଥକ ହେଲା ବୋଲି ମନରେ ପାଞ୍ଚିବେ, ଏହା ଅନୁମାନ କରିବା ମଧ୍ୟ ଭୁଲ । 
ସୁତରାଂ ଦାରିଦ୍ର୍ୟ ଭୟରେ ଯେ ସେମାନେ ଶିକ୍ଷକତା ଗ୍ରହଣ କରନ୍ତି ନାହିଁ, ଏହା ମଧ୍ୟ ସତ୍ୟ ନୁହେ । ଦାରିଦ୍ୟ ଅନେକେ ସହି ପାରନ୍ତି; କିନ୍ତୁ ଅବଜ୍ଞା ସହିବା ବଡ଼ କଠିନ । ଶିକ୍ଷକମାନେ ଯେବେ ଦେଖୁଥାଆନ୍ତେ, ସମାଜରେ ସେମାନଙ୍କର ଯୋଗ୍ୟ ପଦ ଓ ଯୋଗ୍ୟ ସମ୍ମାନରେ ସେମାନେ ପୂଜିତ ହେଉଅଛନ୍ତି, ତାହା ହେଲେ କେବଳ ଦାରିଦ୍ୟ ଭୟରେ ସେମାନେ କୁଣ୍ଠିତ ହୁଅନ୍ତେ ନାହିଁ ।
କାହିଁକି ସେମାନେ ଏ ସମ୍ମାନ ପାଆନ୍ତି ନାହିଁ ? ଦେଶରେ ଶିକ୍ଷକ କାହିଁକି ଏତେ ଅବଜ୍ଞାତ ?
ବି.ଦ୍ର. - ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ଏହି ବହିଟିର ପ୍ରଥମ ସଂସ୍କରଣ ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

No comments:

Post a Comment