Thursday, September 21, 2017

ନୟୀ ତାଲିମ ବକ୍ତୃତାମାଳା-୪


ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ: ମ୍ୟାକଲେବାଦ ବନାମ ଫୁଲେ-ଗାନ୍ଧୀ-ଆମ୍ବେଦକରଙ୍କର ମୁକ୍ତିଦାୟୀ ଶୈକ୍ଷିକ ବିମର୍ଷ



ଅହମଦାବାଦସ୍ଥିତ ଗୁଜରାଟ ବିଦ୍ୟାପୀଠର ମୂଖ୍ୟ ଫାଟକ (ଉତ୍ସ: ୱିକିମିଡିଆ)

ଗତ ବର୍ଷ ଅକ୍ଟୋବର-ନଭେମ୍ବର ବେଳେ, ସେହି ରିପୋର୍ଟ ଲେଖିବାର ପାଞ୍ଚ ବର୍ଷ ପରେ, ମୁଁ ନିର୍ଣ୍ଣୟ ନେଲି ଯେ ନୟୀ ତାଲିମକୁ ପୁଣି ଏକ ନୂଆ ଦୃଷ୍ଟିକୋଣରୁ ଅଧ୍ୟୟନ କରିବି । ସେହି ମାସ ମୁଁ ଭୋପାଳରେ, ମୋ ପାଖରେ ଯାହା କିଛି ବି ଥିଲା ସେତେବେଳେ ଓ ଯାହା କିଛି ମୁଁ ଏକାଠି କରିପାରିଲି, ସବୁକୁ ଧରି ପୁରା ମୂଳରୁ ଅଧ୍ୟୟନ କରିବା ଆରମ୍ଭ କରିଦେଲି । ବିଗତ ପାଞ୍ଚ ବର୍ଷ ଭିତରେ ବହୁତ କିଛି ନୂଆ କଥା ଲେଖାଯାଇଥିଲା । ଗାନ୍ଧୀ ଏକ ଅଦ୍ଭୁତ ବିଷୟ ହୋଇ ରହିଆସିଛନ୍ତି । ମୁଁ ଭାବୁଛି କେହିଜଣେ ବ୍ୟକ୍ତି ଅନୁମାନ କରି କହି ପାରିଛନ୍ତି ଯେ କେତେ ଲକ୍ଷ ଶବ୍ଦ ଗାନ୍ଧୀଙ୍କ ଉପରେ ଲେଖାଯାଇଛି, କେତେ ବହି ଲେଖାଯାଇଛି, କେତେ ଗବେଷଣା ହୋଇଛି, କେତେ ପ୍ରକାରର ବ୍ୟାଖ୍ୟା ହୋଇଛି । ଏସବୁର ହିସାବ ଜଣେ କେହି କରିଛନ୍ତି । ସଂଖ୍ୟାଗୁଡିକ ଏବେ ମୋ ପାଖରେ ଉପଲବ୍ଧ ନାହିଁ । 

ଏଥିରେ ଆଉ ଗୋଟେ ଯୋଡିପାରିବି ଭାବି ମୁଁ କାମ ଆରମ୍ଭ କଲି । ଆମେ ଦେଶ ସାରା ଶିକ୍ଷା ଅଧିକାର ପାଇଁ ଲଢୁଛୁ । ଅଧିକାର ଆଇନ ପାଇଁ ଲଢୁନାହୁଁ । ଆଇନ ଅଧିକାର ଦିଏନାହିଁ ବରଂ ହରିନିଏ । ସେ କଥା ପରେ ଆସିବ ନିଶ୍ଚୟ । ଦେଶର ସମ୍ବିଧାନରେ ଶିକ୍ଷା ଅଧିକାରକୁ ନେଇ ଯେଇଁ ଦୃଷ୍ଟିଭଙ୍ଗୀ ରହିଛି ଆମେ ବାସ୍ତବରେ ସେଇଥି ପାଇଁ ଲଢୁଛୁ । ସେହି ସନ୍ଦର୍ଭରେ ନୟୀ ତାଲିମକୁ ଆମେ କିପରି ଦେଖିବା ତାହାର ମୁଁ ତାଜା ଅଧ୍ୟୟନ କଲି । 

ସେ ତିରିଶ ଦିନର କାମରେ ଏକ ଅଦ୍ଭୁତ ଅନୁଭବ ଆସିଲା । ସେସବୁ ମୁଁ ପ୍ରାୟ ୨୫୦୦୦ ଶବ୍ଦର ଏକ ଲେଖାରେ ଟିପି ରଖିଛି । ଏଯାଏଁ ପ୍ରକାଶ ପାଇ ନାହିଁ ଲେଖାଟି କାରଣ ମୋ ନିଜ ଭିତରେ ଏବେ ବି ଅନେକ ପ୍ରଶ୍ନ ଓ ସନ୍ଦେହ ରହିଛି – ଠିକ କରିଛି କି ନାହିଁ । ଏଇ ପାଞ୍ଚ ବର୍ଷ ପୂର୍ବରୁ ଏନ.ସି.ଇ.ଆର.ଟି ପାଇଁ ଯେଇଁ ରିପୋର୍ଟ ପ୍ରସ୍ତୁତ କରିଥିଲୁ, ତାହା ଉପରେ ଆମେ ନିଜେ ପ୍ରଶ୍ନବାଚୀ ଲଗାଇବା ଆରମ୍ଭ କରିଦେଲୁ । କଥାଗୁଡିକ ହୁଏତ ଅପୂର୍ଣ୍ଣ ରହିଯାଇଥିଲା ବା ଏକ ନୂଆ ବ୍ୟାଖ୍ୟାର ଆବଶ୍ୟକତା ଅନୁଭୂତ ହେଉଥିଲା । ସେ ରିପୋର୍ଟରେ ଅନେକ ଜିନିଷ ଠିକ ବି ଥିଲା । ସେସବୁକୁ ମଧ୍ୟ ମୁଁ ପ୍ରଶ୍ନ କଲି । ସେସବୁ ଲେଖିଲି । ଲେଖୁ ଲେଖୁ ମନେହେଲା ଯଦି ଏସବୁ କାହାକୁ ଶୁଣେଇ ଦିଆଯାଇପାରିବ ତେବେ ଅନେକ ପ୍ରଶ୍ନ ଉଠିବ, ଆଲୋଚନା ହେବ , ତର୍କ ହେବ ଓ ମୋ ଭିତରେ ବି ଯେଉଁ ପ୍ରଶ୍ନ, ସନ୍ଦେହ ସବୁ ଉଠୁଛି ସେଗୁଡିକ କଥାବାର୍ତ୍ତା ମାଧ୍ୟମରେ ଦୂର ହୋଇପାରିବ ।

ତେଣୁ ମୁଁ ଫୋନ ଲଗେଇଲି ଆପଣଙ୍କ କୁଳପତି ସୁଦର୍ଶନ ଭାଇଙ୍କୁ ଆଉ ପଚାରିଲି ଏପରି କିଛି କରିବାକୁ ସେ ପ୍ରସ୍ତୁତ କି ବୋଲି । ସେ କହିଲେ, “ମୁଁ ତ ଅନେକ ଦିନରୁ ଆପଣଙ୍କୁ ଅନୁରୋଧ କରୁଛି ବିଦ୍ୟାପୀଠ ପାଇଁ କିଛି ସମୟ ଦେବା ପାଇଁ ।” ସେ ସମୟ ଏବେ ମିଳିଲା । ଗତ କିଛି ମାସ ଭିତରେ ମୁଁ ଯାହା ଅଧ୍ୟୟନ କରିଛି ଓ ଲେଖିଛି ତାହାର ପ୍ରଥମ ଉପସ୍ଥାପନା ଏଇଠି କରୁଛି । ଏଇ ଆଶା ରଖିଛି ଯେ ଆପଣ କେବଳ ବସି ଶୁଣିବେ ନାହିଁ, ଗ୍ରହଣ ତ ନକଲେ ହିଁ ଭଲ ।

ଆଶା କରୁଛି ଯେ ଆପଣଙ୍କ ଭିତରି କିଛି ପ୍ରଶ୍ନ ଉଦ୍ରେକ ହେବ । ଆପଣଙ୍କ ଚାରିପାଖରେ, ଦେଶ ଦୁନିଆରେ, ଗୁଜରାଟରେ, ଏ ବିଦ୍ୟାପୀଠରେ ଯାହା କିଛି ଘଟୁଛି ସେସବୁକୁ ନେଇ ଯଦି ଆପଣ ସନ୍ତୁଷ୍ଟ ତେବେ ଆପଣଙ୍କୁ ଟିକେ ବିଚଳିଚ କରିପାରିଲେ ମୁଁ ଜାଣିନେବି ଯେ ମୁଁ ଠିକ ରାସ୍ତାରେ ଅଛି । ଏଣୁ ଆଶା କରୁଛି ଯେ ପ୍ରତି ବକ୍ତୃତା ପରେ ଆପଣ ପ୍ରଶ୍ନ କରିବେ । ବିଦ୍ୟାର୍ଥୀଙ୍କ ସହ ମୋର ଏକ ବିଶେଷ ସମ୍ପର୍କ ରହିଛି କାରଣ ମୁଁ ନିଜେ ଜଣେ ମାଷ୍ଟର, ଅନେକ ଦିନ ଯାଇ ମାଷ୍ଚରଗିରି କରିଛି ।

ଏଣୁ ପ୍ରତିଦିନ ସକାଳେ ବକ୍ତୃତା ଆରମ୍ଭ ହେବା ପୂର୍ବରୁ ଏକ ଘଣ୍ଟା ତାଙ୍କ ସହ ବସିବି କାରଣ ଏ ପରିବେଶରେ ଯଦି କେହି ପ୍ରଶ୍ନ କରିବାକୁ ସଙ୍କୋଚ କରୁଥିବେ ତେବେ ସକାଳେ ପଚାରି ପାରିବେ । ପ୍ରଶ୍ନ କରନ୍ତୁ, ଅସହମତି ଥିଲେ ଜଣାନ୍ତୁ, ରାଗ ଆସିଲେ ପ୍ରକଟ କରନ୍ତୁ, କିନ୍ତୁ ମୁହଁ ଖୋଲନ୍ତୁ । ଚୁପ ରୁହନ୍ତୁନି । ସେମିତି ହେଲେ ହିଁ ଆମ କଥାବାର୍ତ୍ତା ସମ୍ବାଦ ସ୍ତରରୁ ବିମର୍ଶ ସ୍ତରକୁ ଯାଇପାରିବ । ସମ୍ବାଦ ଓ ବିମର୍ଶ ଭିତରେ ମହତ୍ତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି । ସମ୍ବାଦ ଦିଗହୀନ କିନ୍ତୁ ବିମର୍ଶର ଏକ ନିର୍ଦ୍ଦିଷ୍ଚ ଦିଗ ଥାଏ । ଆପଣ ମୁହଁ ଖୋଲିଲେ ସେ ଦିଗ ଜଣା ପଡିବ ।

No comments:

Post a Comment