Thursday, September 07, 2017

ମାଛ ମାରିବାର ଅଦ୍ଭୁତ ଉପାୟ

ଗୋପୀନାଥ ମହାନ୍ତି 


ଚିତ୍ର - 'ଷ୍ଟିଲ୍ ଲାଇଫ୍ ୱିଥି ଫିଶ୍' (୧୯୨୮)
ଚିତ୍ରକର - ଗାଏଲା ଦର୍କୋଭିତ୍ସ (୧୮୯୪ - ୧୯୩୪ ହଙ୍ଗେରୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଘୋଡ଼ା ଚଢ଼ି ମାଛମରା


ଯେପରି ଘୋଡ଼ା ଚଢ଼ି ଗାଈ ଜଗିବା ବା ଘୋଡ଼ା ଯୋଚି ଚାଷ କରିବା ଆମ ଦେଶରେ ଜଣା ନାହିଁ, ସେହିପରି ଘୋଡ଼ା ଚଢ଼ି ମାଛ ମାରିବା ଆମକୁ ଆଶ୍ଚର୍ଯ୍ୟ ଲାଗିବ । କିନ୍ତୁ ଅନେକ ଦେଶରେ ଲୋକେ ଘୋଡ଼ା ଚଢ଼ି ମାଛ ମାରନ୍ତି । ଶୀତଦିନେ ଉତ୍ତର-ରୁଷ୍ ଦେଶରେ ନଈ ସବୁ ବରଫ ବାନ୍ଧିଯାଏ । ଲୋକେ ଗୋଟିଏ ସ୍ଥାନରେ ନଈର ଏମୁଣ୍ଡୁ ସେମୁଣ୍ଡ ବରଫକୁ କାଟିଦେଇ ପାଣିରେ ଜାଲ ବସାଇ ଦିଅନ୍ତି । ତା ପରେ ନଈ ଉପରକୁ କିଛି ବାଟ ଯାଇ ସେଠୁ ଏକାଠି ଦଳ ହୋଇ ଘୋଡ଼ା ଚଢ଼ି ଧାଇଁ ଆସନ୍ତି । ଘୋଡ଼ା ଟାପୁରେ ବରଫ ତଳେ ଥିବା ମାଛ ହୁରୁଡ଼ି ଜାଲରେ ଧରା ପଡ଼ନ୍ତି ।

ନଡ଼ିଆ ବାହୁଙ୍ଗାରେ ମାଛ ଧରା


ପ୍ରଶାନ୍ତ ମହାସାଗରରେ ଅନେକ ଛୋଟ ଛୋଟ ଦ୍ୱୀପ ଅଛି । ବେଳେ ବେଳେ କୂଳକୁ ପଲ ପଲ ମାଛ ଉଠି ଆସନ୍ତି । ଗାଁ ଭିତରେ ଗୋଟାଏ ଘଣ୍ଟା ବଜାଯାଏ । ଘଣ୍ଟା ଶୁଣିଲେ ଲୋକେ ବସିଲାଠାରୁ ଉଠି ଆସନ୍ତି, ହାତରେ ଖଣ୍ଡେ ଲେଖାଏଁ ନଡ଼ିଆ ବାହୁଙ୍ଗା ଥାଏ । ସେମାନେ କିଛି ଦୁରକୁ ସମୁଦ୍ର ଭିତରେ ପହଁରି ପହଁରି ଯାଆନ୍ତି । ତା ଉତାରୁ ସମସ୍ତେ ପାଖକୁ ପାଖ ଲାଗି ଅଧା ଗୋଲ ହୋଇ ନଡ଼ିଆ ବାହୁଙ୍ଗାକୁ ପାଣି ଭିତରେ ବାଡ଼ି ପରି ସିଧା ରଖି କ୍ରମେ କୂଳ ଆଡ଼କୁ ଆସନ୍ତି । ଏହିପରି ନଡ଼ିଆ ବାହୁଙ୍ଗା ସବୁ ଗୋଟିଏ ଜାଲ ପରି ହୋଇଯାଏ, ମାଛ ପଲକୁ ସେମାନେ କୂଳକୁ ଘଉଡ଼ାଇ ଆଣନ୍ତି ।

ଉତ୍ତର ଆମେରିକାର ତଳକୁ ଜାମାଇକା ବୋଲି ଗୋଟିଏ ଦ୍ୱୀପ ଅଛି । ସେଠି ଭାରି ଆଖୁ ଚାଷ ହୁଏ । ସେଠା ଲୋକେ ବଡ଼ ଆଶ୍ଚର୍ଯ୍ୟଭାବେ ଗୋଟାଏ ମାଛକୁ ଧରନ୍ତି । ଯେଉଁଠି ସେ ମାଛ ପଲ ପହଁରୁଥାନ୍ତି, ସେଠିକି ଏମାନେ ଗୋଟାଏ ଡ଼ଙ୍ଗା ନେଇ ଯାଆନ୍ତି । ତା ପରେ ଡ଼ଙ୍ଗାକୁ ସ୍ଥିର ରଖି ତା ଉପରେ କଡ଼ରେ ଗୋଟାଏ ବାଡ଼ିରେ ଧଡ଼ ଧଡ଼ କରି ପିଟନ୍ତି । ଏ ମାଛ ଏତେ ଡ଼ରକୁରା ଯେ ଡ଼ଙ୍ଗାରେ ବାଡେ଼ଇଲେ ଏମାନେ ପଲ ପଲ ହୋଇ ଡ଼ିଆଁ ମାରନ୍ତି । ଚାରିଆଡେ଼ ପାଣି ଉପରେ ମାଛ ଫକ ଫକ ହୋଇ ଡେ଼ଇଁଥାନ୍ତି । ଏପରି  ଡେ଼ଇଁ ଡେ଼ଇଁ ଅନେକ ମାଛ ନାହା ଭିତରେ ପଡ଼ନ୍ତି । ଲୋକେ ନାହା ବୋଝାଇ କରି ଫେରିଯାଆନ୍ତି । 

ଉତ୍ତର ଆମେରିକାର ତଳେ ଫ୍ଲରିଡ଼ା ବୋଲି ଗୋଟିଏ ଉପଦ୍ୱୀପ ଅଛି । ଶୀତଦିନେ ଏଠାକୁ ଅନେକ ବିଦେଶୀ ବୁଲିବାକୁ ଆସନ୍ତି । କାରଣ ଏଠି ଜଳବାୟୁ ଭାରି ସୁନ୍ଦର ଥାଏ । ମାଳ ମାଳ ହ୍ରଦ, ମାଳ ମାଳ ଜଳାଭୂଇଁ, ସମୁଦ୍ର ଭିରକୁ ବାଲିର ନାସି ପଶିଯାଇଛି, କେଉଁଠି ସମୁଦ୍ର ଭୂଇଁ ଭିତରକୁ ପଶିଆସିଛି । ଢେ଼ଉ ପରି ବାଲିବନ୍ତ । ଭିତରକୁ ଭିତରକୁ ଆଖୁ କ୍ଷେତ । ଲେମ୍ବୁ ଓ ଅଙ୍ଗୁର ବଗିଚା । ଏଠି ହ୍ରଦମାନଙ୍କରେ ଖାର ମାଛ ବୋଲି ଚାରି ହାତ ଲମ୍ବା ଗୋଟାଏ ଜାତିର ମାଛ ଅଛନ୍ତି । ସେମାନେ ଖାଇବାକୁ ଭଲ ନୁହନ୍ତି, ଭଲ ମାଛ ଗୁଡ଼ାକୁ ଖାଇ ଯାଆନ୍ତି । ଏମାନଙ୍କୁ ମାରିବା ପାଇଁ ଗୋଟାଏ ଭଲ ଉପାୟ କରାଯାଏ । ଖଣ୍ଡେ ଦଉଡ଼ି ଅଗରେ ବନଶୀ କଣ୍ଟାରେ ଖଣ୍ଡେ କଞ୍ଚା ମାଂସର ଥୋପ ଦିଆଯାଇ ଦଉଡ଼ିକୁ ଗୋଟାଏ ଶୁଖିଲା ଲାଉରେ ବାନ୍ଧି ଦିଆଯାଏ । ତା ପରେ ଲାଉଟାକୁ ପାଣିରେ ଭସାଇ ଦିଆଯାଏ । ମାଛ ଆସି ଥୋପ ଗିଳେ ତା ପରେ ଲାଉ ସମେତ ପୋଖରି ଯାକ ବୁଲୁଥାଏ । କେଉଟମାନେ ଡ଼ଙ୍ଗାରେ ଯାଇ ଲାଉଟାକୁ ଉଠାଇ ଆଣି ମାଛକୁ ମାରି ପକାନ୍ତି । 

ଧନୁଶରରେ ମାଛ ମରା-


ଧନୁଶରରେ ଆକାଶରେ ଚଢେ଼ଇକୁ ମାରିବାର ତୁମେ ଶୁଣିଥିବ, କିନ୍ତୁ ଏପରି ସ୍ଥାନ ଅଛି, ଯେଉଁଠି ଧନୁଶରରେ ଲୋକେ ପାଣିର ମାଛକୁ ମାରନ୍ତି । ଭାରତ ବର୍ଷର ବଙ୍ଗୋପ ସାଗରରେ ଆଣ୍ଡାମାନ ବୋଲି ମାଳେ ଦ୍ୱୀପ ଅଛି । ସେ ହେଉଛି ସେହି ‘କଳା ପାଣି’ – ଯେଉଁଠାକୁ ପୂର୍ବେ କଏଦିମାନଙ୍କୁ ଦ୍ୱୀପାନ୍ତର ଦିଆଯାଉଥିଲା । ସମୁଦ୍ର ଯେଉଁଠି ଯେଉଁଠି ଦେଶ ଭିତରକୁ ପଶି ଆସିଛି, ସେଠି ଲୋକେ ପଥର ଉପରେ ନ ହେଲେ ଡ଼ଙ୍ଗାରେ ଠିଆ ହୋଇ କାଚଖୁମ୍ବ ପରି ସଫା ପାଣି ଭିତରକୁ ଧନୁଶର ମାରି ମାଛ ମାରନ୍ତି । ଏମାନଙ୍କର ଆଶ୍ଚର୍ଯ୍ୟ ଲକ୍ଷ୍ୟ । ପୁଣି ପାଣି ସଫା ଥିବାରୁ ବହୁତ ଭିତରକୁ ଦିଶେ । ଆଣ୍ଡାମାନ ପାଖର ନିକୋବର ଦ୍ୱୀପର ଲୋକେ ପାଣି ଭିତରେ ବୁଡ଼ି ଦୁଇ ହାତରେ ଦୁଇଟା ମାଛ ଧରି ଉଠି ପାରନ୍ତି । 

ବନ୍ଧୁକ ଗୁଳିରେ ମାଛମରା


ବିଲାତ ପାଖେ ଆୟାରଲ୍ୟାଣ୍ଡ ବୋଲି ଗୋଟାଏ ବଡ଼ ଦ୍ୱୀପ ଅଛି । ସେଠିକା ସାହେବମାନଙ୍କର ଭାଷା ଭିନ୍ନ ଧରଣର । ସେମାନେ ଭାରି ସ୍ୱାଧୀନତାପ୍ରିୟ ଜାତି, ଭାରି ସୁନ୍ଦର ବନ୍ଧୁକ ମାରି ପାରନ୍ତି । ଦେଶ ଗୋଟାକ ଖାଲି ସନ୍ତସନ୍ତିଆ ଭୂଇଁ ଓ ଜଙ୍ଗଲରେ ପୂର୍ଣ । ତାରି ଭିତରେ ଛପି ଛପି ଏମାନେ ବିଲାତି ସାହେବମାନଙ୍କୁ ମାରି ପକାଉଥିଲେ । ବର୍ତ୍ତମାନ ଏମାନେ ସ୍ୱାଧୀନ । ସେଠି ଗୋଟୋଏ ପ୍ରକାର ମାଛ ଅଛନ୍ତି, ଯେଉଁମାନଙ୍କୂ ସେମାନେ ବନ୍ଧୁକ ଗୁଳିରେ ମାରନ୍ତି । 

ପୁଣି ପ୍ରଶାନ୍ତ ମହାସାଗରରେ ହ୍ୟାଲିବଟ୍ ମାଛ ଗୁଳିରେ ମରା ହୁଏ । ଏ ମାଛ ଦଶ ବାର ମହଣ ହେବ । ପ୍ରଥମରେ ଏହାକୁ ବନଶୀରେ ଧରନ୍ତ; କିନ୍ତୁ ଏତେ ବଡ଼ ମାଛକୁ ଜୀଅନ୍ତା ଉଠାଇଲେ ତାହା ଓଲଟେଇ ଦେବ । ତେଣୁ ମାଛ ବନଶୀରେ ଲାଗିଲେ ତାକୁ ଗୁଳିରେ ମାରି ଦିଆହୁଏ ।

ଚଢେ଼ଇ ସାହାର୍ଯ୍ୟରେ ମାଛମରା


ଚୀନ ଦେଶରେ ମାଛ ମାରିବାକୁ କର୍ମୋରାଣ୍ଟ ଚଢେ଼ଇ ପୋଷନ୍ତି । ଗୋଟାଏ ଟୋକେଇରେ ଏମାନଙ୍କୁ ପୂରାଇ ରାତିରେ ଟୋକେଇକୁ ପାଣି ଉପରକୁ ଝୂଲାଇ ଦିଆଯାଏ । ଟୋକେଇରେ ନିଆଁହୁଳା ଥାଏ । ଆଲୁଅରେ ମାଛ ପାଖକୁ ପାଖକୁ ଲାଗି ଆସିଲେ ଏ ଚଢେ଼ଇମାନେ ମାଛକୁ ଧରିପକାନ୍ତି । ଏମାନଙ୍କ ବେକରେ ଗୋଟାଏ ଲେଖାଏଁ ବଳା ପିନ୍ଧାଇ ଦିଆଯାଇଥାଏ; ତେଣୁ ଏମାନେ ମାଛକୁ ଗିଳି ପାରନ୍ତି ନାହିଁ ।

ଚୀନ ଦେଶ ଖୁବ୍ ବଡ଼ ଦେଶ । ଏଠି ଅଧେ ପାହାଡ଼ ଅଧେ ସମତଳ । ସମତଳ ଭିତରେ ସବୁଠାରୁ ଯେଉଁ ବଡ଼ ନଦୀଟି ବହୁଛି, ତାର ନାମ ହ୍ୱାଙ୍ଗ-ହୋ, ଅର୍ଥାତ ଚୀନ୍ ଦେଶର ଦୁର୍ଦ୍ଦଶା । ଏ ନଈରେ ଖୁବ୍ ବଢ଼ି ହୁଏ; ତେଣୁ ଅନେକ ଲୋକ ମରନ୍ତି । ଥରେ ଏ ନଈ ବାଟ ବଦଳାଇ ଦେଇ ନୂଆ ମୁହାଁଣରେ ପଡ଼ିଲା; ତହିଁରେ ଅନେକ ଲୋକ ମଲେ । ଏ ଦେଶର ଚାଷୀ ପୃଥିବୀର ଅନ୍ୟ ସବୁ ଦେଶର ଚାଷୀମାନଙ୍କଠାରୁ ବେଶୀ ବୁଦ୍ଧିଆ ଓ ବେଶୀ ପରିଶ୍ରମୀ ।

ତୁମେମାନେ ଶୁଣିଥିବ, କେହି କେହି ଓଧ ଓ ଚିଲ ପୋଷି ମାଛ ଖାଆନ୍ତି । ମାଛ ମାରିବାର ଧରଣ ବଡ଼ ବିଚିତ୍ର ।

ଉତ୍ସ - ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଆନିତ ।

No comments:

Post a Comment