Friday, September 01, 2017

ଷଷ୍ଠ ଶ୍ରେଣୀରେ ରାଜନୀତି ବିଜ୍ଞାନ ଶିକ୍ଷା : କିପରି ଓ କାହିଁକି


ମଧ୍ୟପ୍ରଦେଶର ନର୍ସିଂଗଡ଼ଠାରେ ପଞ୍ଚାୟତର ସଭା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଜାତୀୟ ପାଠ୍ୟଚର୍ଯ୍ୟା ପ୍ରାଧାରିକ (ଜା.ପା.ପ୍ରା. - ଇଂରାଜୀରେ, ନ୍ୟାସନାଲ କରିକୁଲମ ଫ୍ରେମୱର୍କ) ୨୦୦୫, ଅନୁସାରେ ବର୍ତ୍ତମାନ ଭାରତୀୟ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ସଞ୍ଚାଳିତ ହେବା କଥା । ଏହି ପ୍ରାଧାରିକ ସମାଜ ବିଜ୍ଞାନର ଶିକ୍ଷଣରେ ଗୋଟିଏ ମୌଳିକ ରୂପାନ୍ତରର ଲକ୍ଷ୍ୟ ନେଇ ଏହି ବିଷୟ ଗୁଡ଼ିକର ବିଦ୍ୟାଳୟ ସ୍ତରୀୟ ଅଧ୍ୟୟନକୁ କୋଣଠେସା ଜନଗୋଷ୍ଠୀମାନଙ୍କର ଦୃଷ୍ଟିଭଙ୍ଗୀରୁ ହିଁ କରିବା ପାଇଁ ଆହ୍ୱାନ ଦିଅନ୍ତି । ଅର୍ଥାତ ସମାଜ ବିଜ୍ଞାନ ପଢ଼ାପଢ଼ି ଉଚ୍ଚ ବର୍ଗର ପରିଚିତି ଓ ଇତିହାସ ଉପରେ ଗୁରୁତ୍ତ୍ୱ ନ ଦେଇ ଆମର ସମାଜ ଯେଉଁମାନଙ୍କର (ଯଥା, ଏହି ଦେଶର ଆଦିବାସୀ ଓ ଦଳିତ) ପରିଚୟକୁ ସ୍ୱୀକାର କରିନାହିଁ (ଯାହାଙ୍କର ଅତୀତକୁ ଜାତୀୟ ଇତିହାସରେ ଆଜି ମଧ୍ୟ ସୀମାଭୁକ୍ତ କରାଯାଇନାହିଁ), ସେମାନଙ୍କୁ ଯଥାଯୋଗ୍ୟ ସ୍ଥାନ ଦେବାର ଆବଶ୍ୟକତା ଉପରେ ଏହି ପ୍ରାଧାରିକ ଗୁରୁତ୍ତ୍ୱ ଦେଇଛି । ଏହା ଛଡ଼ା ଲିଙ୍ଗଗତ ବୈଷମ୍ୟ ତଥା ତଫସିଲ ଭୁକ୍ତ ଜାତି ଓ ଜନଜାତି ତଥା ସଙ୍ଖ୍ୟାଲଘୁ ଗୋଷ୍ଠୀଙ୍କର ସମ୍ବେଦନଶୀଳତାର ଆଲୋକରେ ସମାଜ ବିଜ୍ଞାନ ପଢ଼ାପଢ଼ିର ପୁନଃରଚନା ପ୍ରତି ମଧ୍ୟ ଏହା ଆମର ଦୃଷ୍ଟି ଆକର୍ଷଣ କରନ୍ତି । ନଗର ବିଜ୍ଞାନର ଔପନିବେଶିକ ଭାର ଯୋଗୁଁ ଏହି ବିଷୟକୁ ବଦଳାଇ ରାଜନୀତି ବିଜ୍ଞାନ ବିଦ୍ୟାଳୟ ସ୍ତରରେ ପଢ଼ାଇବା ପାଇଁ ଜା.ପା.ପ୍ରା. ଏହି ପ୍ରସ୍ତାବ ଦିଅନ୍ତି ।

ଏହି ପ୍ରସ୍ତାବନାର ଫଳ ସ୍ୱରୂପ, ଜାତୀୟ ସ୍ତରରେ ବିଦ୍ୟାଳୟମାନଙ୍କରେ ରାଜନୀତି ବିଜ୍ଞାନ ପଢ଼ାରେ ଆମୂଳଚୁଳ ପରିବର୍ତ୍ତନ ଆସୁ କି ନ ଆସୁ, ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନ.ସି....ଟି.)ର ସମାଜ ବିଜ୍ଞାନ ପାଠ୍ୟପୁସ୍ତକେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସି ସାରିଛି । ଉଦାହରଣ ସ୍ୱରୂପ ଷଷ୍ଠ ଶ୍ରେଣୀର ‘ସୋସିଆଲ ଆଣ୍ଡ ପଲିଟିକାଲ ଲାଇଫ’ - ‘ସାମାଜିକ ଓ ଆର୍ଥିକ ଜୀବନ’ ନାମକ ପାଠ୍ୟପୁସ୍ତକଟି ବିବିଧତା ଓ ଭେଦଭାବ ଉପରେ ଦୁଇଟି ଅଧ୍ୟାୟକୁ ନେଇ ଆରମ୍ଭ ହୁଏ । ବିବିଧତା ବିଷୟକ ପ୍ରଥମ ଅଧ୍ୟାଟି ପୁଣି ଆରମ୍ଭ ହୁଏ ପୋଲି ସେନଗୁପ୍ତଙ୍କର ଏକ ଗଳ୍ପ ସହିତ, ଯାହା ଭାରତରେ ପିଲାଙ୍କ ଭିତରେ ସାମାଜିକ ଶ୍ରେଣୀକୁ ନେଇ ଥିବା ଭିନ୍ନତାକୁ ଛାତ୍ରମାନଙ୍କର ନଜରକୁ ଆଣେ ।

ମାତ୍ର ଓଡ଼ିଶା ସରକାର ଷଷ୍ଠ ଶ୍ରେଣୀ ପାଇଁ ଛାପିଥିବା ରାଜନୀତି ବିଜ୍ଞାନ ପୁସ୍ତକଟିରେ (ଯାହା ଇତିହାସ ଓ ରାଜନୀତି ବିଜ୍ଞାନ ବହିଟିର ଉତ୍ତରାର୍ଦ୍ଧ ମାତ୍ର) ଆମେ ଏହି ସବୁ ପରିବର୍ତ୍ତନର କିଛି ଚିହ୍ନ ଦେଖିବାକୁ ପାଉନା । ‘ଆମେ ଓ ଆମ ସମାଜ’ ନାମକ ପ୍ରଥମ ଅଧ୍ୟାୟଟି ଆରମ୍ଭ ହୁଏ (ଗୋଟିଏ ଆଗ୍ରହହନ୍ତା କଥନିକା ପରେ) ପରିବାରର ଏକ ସଜ୍ଞାରୁ । କେବଳ ଏଇଠି ନୁହେଁ । ସମଗ୍ର ରାଜନୀତି ବିଜ୍ଞାନର ପୁସ୍ତକଟି ସାରା ଆମେ ଏହିପରି ନାନାଦି ସଜ୍ଞାର ଉଲ୍ଲେଖ ଦେଖିବାକୁ ପାଇବା, ଯାହା ଛାତ୍ରଛାତ୍ରୀଙ୍କର ବିଷୟରେ ଥିବା ଆଗ୍ରହକୁ କେବଳ କମାଇ ହିଁ ପାରିବ ।
ପ୍ରଥମ ଅଧ୍ୟାୟରେ ହିଁ ଆମେ ବହିଟିରେ ଜା.ପା.ପ୍ରା.ର ବିରୋଧୀ ନାନାଦି କଥା ଦେଖିବାକୁ ପାଇବା । ଉଦାହରଣ ସ୍ୱରୂପ, ବହିର ୯୫ ପୃଷ୍ଠାରେ ଲେଖା ହୋଇଅଛି ଯେ ‘ଭାରତୀୟ ପରିବାରଗୁଡ଼ିକରେ ପିତା ହିଁ ମୁଖ୍ୟ ହୋଇଥାଆନ୍ତି । ଆଉ କେତେକ ପରିବାରରେ ମାତା ମଧ୍ୟ ମୁଖ୍ୟ ହୋଇଥାଆନ୍ତି ।’ ଏପରି କହିବା ସତ୍ୟର ଅପଳାପ ମାତ୍ର । ଏହା ଜନଗଣନା ଆଦି ଅନେକ ପରିସଙ୍ଖ୍ୟାନର ଉତ୍ସରୁ ଜଣାଶୁଣା ଯେ, ଭାରତର ପରିବାରମାନଙ୍କର ଏକ ବଡ଼ ଭାଗରେ (ସଙ୍ଖ୍ୟଲଘୁ ହେଲେ ସୁଦ୍ଧା) ମହିଳାମାନେ ହିଁ ପରିବାର ପ୍ରତିପୋଷଣର ସବୁ ଦାୟିତ୍ତ୍ୱ ଓ ମୁଖ୍ୟ ହିସାବରେ ସମସ୍ତ ଭୂମିକା ତୁଲାଇଥାଆନ୍ତି ।

ସେହିପରି ପୃଷ୍ଠା ୯୬ରେ ଲେଖାଯାଇଛି ଯେ ଗୋତ୍ର ଭାରତର ସବୁ ସମାଜରେ ଓ ଜନଗୋଷ୍ଠୀରେ ଅଛି । ଏହା ପ୍ରମାଦମୂଳକ । କାରଣ, ଭାରତରେ ଅନେକ ସମୁଦାୟରେ, ଯଥା କେତେକ ଆଦିବାସୀ ସମ୍ପ୍ରଦାୟରେ, ସମାଜ ସଂରଚନାର ଏକକ ଗୋତ୍ର ନୁହେଁ । ଏହା ଭାରତରେ ବର୍ଚ୍ଚସ୍ୱ ଜମାଇ ରଖିଥିବା ଉଚ୍ଚ ବର୍ଗର ସମାଜ ସଂରଚନାର ଢ଼ାଞ୍ଚାକୁ ଅନ୍ୟ ସମୁଦାୟଗୁଡ଼ିକ ଉପରେ ଲଦିଦେବାର ଏକ ଅପଚେଷ୍ଟା ମାତ୍ର ।

ଏହି ପ୍ରଥମ ଅଧ୍ୟାୟରେ ହିଁ ଆମେ କେତେକ ମୌଳିକ ଅବଧାରଣାରେ ସ୍ପଷ୍ଟତାର ଅଭାବ ପାଇବା । ଏହି ଅଧ୍ୟାୟରେ ପରିବାର ପରେ ସଙ୍ଘ ଓ ତାହା ପରେ ସମୁଦାୟର ଆଲୋଚନା କରାଯାଇଛି । ଏହାର ଓଲଟା ହେବାର ଥିଲା । କାରଣ ପରିବାର ପରି ସମୁଦାୟ ମଧ୍ୟ ଏକ ପ୍ରାକୃତିକ ସାମାଜିକ ଏକକ । ଯଦିଏ ସଙ୍ଘଗୁଡ଼ିକୁ ମଣିଷ ସଚେତନ ଭାବରେ ଗଢ଼େ । ସଙ୍ଘ, ସମୁଦାୟ ଓ ଜନଜାତି ମଧ୍ୟରେ ଥିବା ତଫାତଗୁଡ଼ିକୁ ପିଲାଙ୍କ ପାଇଁ ସ୍ପଷ୍ଟ କରିଦିଆଯାଇନାହିଁ ।

ବହିଟିର ଦ୍ୱିତୀୟ ଅଧ୍ୟାୟଟି ରାଷ୍ଟ୍ର ଉପରେ । ଏହି ଅଧ୍ୟାୟରେ ରାଷ୍ଟ୍ରର ସମ୍ଭାବ୍ୟ ଉତ୍ପତ୍ତି ଉପରେ ଅନେକ ଆଲୋଚନା ଅଛି । ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ପାଇଁ ଏହା ସମ୍ପୂର୍ଣ୍ଣ ଭାବରେ ଅନାବଶ୍ୟକ । ରାଷ୍ଟ୍ରର ଆବଶ୍ୟକତା ଓ ରାଷ୍ଟ୍ରର ଉତ୍ପତ୍ତି ଓ ବିକାଶ ଉପରେ ପୂରା ତିନୋଟି ପୃଷ୍ଠା ଅଛି । ଏହା ଅନାବଶ୍ୟକ । ରାଷ୍ଟ୍ରର ଉପାଦେୟତା ଉପରେ ମଧ୍ୟ ଅନେକ ଆଲୋଚନା ଏହି ଅଧ୍ୟାୟରେ ଅଛି । ମାତ୍ର ରାଷ୍ଟ୍ର ଶକ୍ତିର ହିଂସ୍ର ରୂପ ଉପରେ ଆମେ ଏହି ଅଧ୍ୟାୟରେ କିଛି ଆଲୋଚନା ପାଉନା । ଉଦାହରଣ ସ୍ୱରୂପ, ଭାରତରେ ଏଇ କେଇ ପୁରୁଷ ତଳ ପର୍ଯ୍ୟନ୍ତ ଗୋଟିଏ ହିଂସ୍ର ଔପନିବେଶିକ ରାଷ୍ଟ୍ର ବିରୁଦ୍ଧରେ ଲଢ଼େଇ ହିଁ ଆମର ଜାତୀୟ ଚରିତ୍ରର ନିର୍ମାଣ କରିଥିଲା । ରାଷ୍ଟ୍ର ବିରୁଦ୍ଧରେ ସମାଜର ଲଢ଼େଇରୁ ପିଲାଙ୍କ ପାଇଁ ଆଲୋଚନାଟି ଆରମ୍ଭ କରାଯାଇପାରିଥାଆନ୍ତା । ଏହା ଫଳରେ ଆଧୁନିକ ରାଷ୍ଟ୍ର ନିର୍ମାଣରେ ସମ୍ପର୍କୀୟ ହିଂସା ବିଷୟରେ ସବିଶେଷ ଆଲୋଚନା କରାଯାଇପାରିଥାଆନ୍ତା । ହେଲେ ଏହି ସୁଯୋଗଟିକୁ ହରାଇ ଅଧ୍ୟାୟଟି ଶେଷ ହୋଇଛି ରାଷ୍ଚ୍ରର ସଜ୍ଞା, ଉତ୍ପତ୍ତି ଓ କାର୍ଯ୍ୟାବଳୀର ଭାରୀ ଆଲୋଚନା ସହିତ ।

ତୃତୀୟ ଅଧ୍ୟାୟଟି ସରକାର ଉପରେ । ଏଥିରେ ଖାଲି ସରକାରକୁ ରାଷ୍ଟ୍ରର ଅପରିହାର୍ଯ୍ୟ ଅଙ୍ଗ ବୋଲି କୁହାଯାଇଛି । ହେଲେ ସରକାର ଓ ରାଷ୍ଟ୍ର ଭିତରେ ତଫାତଟି ପିଲାଙ୍କ ପାଇଁ ସ୍ପଷ୍ଟ କରିଦିଆଯାଇ ନାହିଁ । ପୃଷ୍ଠା ୧୧୧ ରେ ସଂସଦୀୟ ସରକାର ଉପରେ ଆଲୋଚନାରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଉତ୍ତମ ବୁଝାମଣା ଭିତ୍ତିରେ କାର୍ଯ୍ୟ କରିଥାଆନ୍ତି ବୋଲି ଲେଖାଯାଇଛି । ହେଲେ ଏହା ପୂର୍ବରୁ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା କଅଣ, ତାହା କୁହାଯାଇନାହିଁ । ଏହା କେବଳ ପିଲାଙ୍କ ମନରେ ବିଭ୍ରାନ୍ତି ସୃଷ୍ଟିକରିବ । ଅଧ୍ୟାୟଟିର ରାଷ୍ଟ୍ରପତୀୟ ସରକାର ବିଷୟକ ଅଂଶଟିରେ ଲେଖାହୋଇଛି, ଏହି ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ଉଭୟ ରାଷ୍ଟ୍ର ଓ ସରକାରର ମୁଖ୍ୟ ଅଟନ୍ତି । ହେଲେ ଏହା ପୂର୍ବରୁ ଆଲୋଚିତ ସଂସଦୀୟ ସରକାର ବିଷୟରେ କୁହାଯାଇନାହିଁ ଯେ, ସଂସଦୀୟ ସରକାରରେ ରାଷ୍ଟ୍ର ଓ ସରକାରର ମୁଖ୍ୟ ଭିନ୍ନଭିନ୍ନ । ଏହା ମଧ୍ୟ ବିଭ୍ରାନ୍ତିର ଜନନୀ ବନିପାରେ ।

ସ୍ଥାନୀୟ ସ୍ୱାୟତ୍ତ ଶାସନ ଉପରେ ଲିଖିତ ଚତୁର୍ଥ ଅଧ୍ୟାୟଟି ଖାଲି ତିନି ସ୍ତରୀୟ ପଞ୍ଚାୟତି ରାଜ ଓ ନଗର ଶାସନ ବିଷୟରେ ତଥ୍ୟରେ ଭର୍ତ୍ତି । ସେଥିରେ ପିଲାଙ୍କ ଜୀବନ ସହିତ ଜଡ଼ିତ କିଛି ନାହିଁ । ଏହା ସହିତ ଯଦି ଆମେ ଏନ.ସି..ଆର.ଟି. ବହିଟିର ତୁଳନା କରିବା, ଆମେ ଦେଖିବା କିପରି ଏହି ଅଧ୍ୟାୟଟିକୁ ପିଲାଙ୍କର ଅନୁଭୂତି ସହିତ ଯୋଡ଼ି ସେମାନଙ୍କର ସ୍ଥାନୀୟ ରାଜନୀତି ବିଷୟକ ଅବଧାରଣାଗୁଡ଼ିକୁ ଅଧିକ ଶାଣିତ କରିବାରେ ପ୍ରୟୋଗ କରାଯାଇଛି ।

ବହିଟି ଅନେକ ଅନାବଶ୍ୟକ ତଥ୍ୟ, ଅବଧାରଣାରେ ଓ ଆକ୍ଟିଭିଟି ରେ ଭର୍ତ୍ତି, ଯାହା ପିଲାଙ୍କୁ କେବଳ ଭାରାକ୍ରାନ୍ତ କରିବ । ଯଥା, ୧୧୮ ପୃଷ୍ଠାରେ ବଳବନ୍ତ ରାୟ କମିଟିର ଉଲ୍ଲେଖ ରହିଛି । ବିଦ୍ୟାଳୟର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏକ ପାଠ୍ୟପୁସ୍ତକରେ ଏହି କମିଟିର ଆଲୋଚନାର କିଛି ଆବଶ୍ୟକତା ନାହିଁ । ବହିଟିରେ ପିଲାଙ୍କ ପାଇଁ ଅନେକ ଅଯଥା ଆକ୍ଟିଭିଟି ମଧ୍ୟ ଭରି ହୋଇ ରହିଛି । ପୃଷ୍ଠା ୯୬ରେ ଉଲ୍ଲି‌ଖିତ ଗୋଟିଏ ଆକ୍ଟିଭିଟି ହେଲା, ଏକକ ଓ ଯୌଥ ପରିବାରଗୁଡ଼ିକର ତାଲିକା କରି ପରିବାର ମୁଖ୍ୟଙ୍କ ନାମ ଲେଖିବା । ଏହାର ଶୈକ୍ଷଣିକ ଉଦ୍ଦେଶ୍ୟ କଅଣ ? ଏହା ଦ୍ୱାରା ପିଲା କଅଣ ଶିଖିବ ? ସେହିପରି ପୃଷ୍ଠା ୯୭ରେ କେଉଁ ଜନଜାତିର ଲୋକ ଓଡ଼ିଶାର କେଉଁ ଜିଲ୍ଲାରେ ବାସ କରନ୍ତି, ତାହାର ତାଲିକା କରିବା ପାଇଁ ପିଲାଙ୍କୁ କୁହାଯାଇଛି । ଗୋଟିଏ ରାଜନୀତି ବିଜ୍ଞାନର ପାଠରେ ଏହା କରି ପିଲା କଅଣ ଓ କିପରି ଶିଖିବ ତାହା ବୁଝି ହେଉ ନାହିଁ । ସେହିପରି ପୃଷ୍ଠା ୧୦୧ ରେ ଥିବା ପାଠର ‘ଅଭ୍ୟାସ’ରେ ବଣ୍ଡା ଜନଜାତି କେଉଁ ଜିଲ୍ଲାର ବୋଲି ପଚରାଯାଇଛି । ଏହା ଅଭ୍ୟାସ କେମିତି ହେଲା ?


ବହିଟିରେ ଅନେକ ତଥ୍ୟଗତ ପ୍ରମାଦ ମଧ୍ୟ ରହିଛି । ପୃଷ୍ଠା ୯୯ରେ ‘ଆମେ କଣ ଶିଖିଲେ’ ରେ ଲେଖା ହୋଇଛି ‘ଏକ ସାଧାରଣ ନାମ ଥିବା ଦେଶୀୟ ଲୋକମାନଙ୍କର କ୍ଷୁଦ୍ର ସମୁହକୁ ଜନଜାତି କୁହାଯାଏ ।’ ଏପରି କହିବା ପ୍ରମାଦଯୁକ୍ତ । କାରଣ ଅନେକ ବୃହତ ଜନଜାତି ମଧ୍ୟ ଅଛନ୍ତି । ପୃଷ୍ଠା ୧୦୨ରେ ରାଷ୍ଠ୍ର ଏକ ସ୍ଥାୟୀ ଓ ଅତ୍ୟାବଶ୍ୟକ ଅନୁଷ୍ଠାନ ବୋଲି କୁହାଯାଇଛି । ଏହା ସତ ନୁହେଁ । ରାଷ୍ଟ୍ର ଶକ୍ତିର ଉଦ୍ଭବ ମଣିଷ ସମାଜର ଇତିହାସରେ ଅପେକ୍ଷାକୃତ ଭାବରେ ଏକ ନୂଆ ଘଟଣା । ପୃଷ୍ଠା ୧୦୭ରେ ବ୍ୟକ୍ତିର ଅଧିକାର ସୁରକ୍ଷା କରିବାକୁ ରାଷ୍ଟ୍ରର ଇଚ୍ଛାଧୀନ କାର୍ଯ୍ୟ ଭାବରେ ତାଲିକାଭୁକ୍ତ କରାଯାଇଛି । ମାତ୍ର ଆଧୁନିକ ମାନ୍ୟତାରେ ଏହା ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ । ପୃଷ୍ଠା ୧୧୨ ରେ ଲେଖାହୋଇଛି ଯେ ରାଜତନ୍ତ୍ରିକ ସରକାର ସବୁଠାରୁ ପୁରୁଣା ଶାସନ । ଏହା ସର୍ବମାନ୍ୟ ସତ୍ୟ ନୁହେଁ । ଅତଏବ, ଷଷ୍ଠ ଶ୍ରେଣୀର ରାଜନୀତି ବିଜ୍ଞାନମ ପୁସ୍ତକରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି । ଯେତେ ଶୀଘ୍ର ଏହା କରାଯିବ, ତାହା ଭଲ । କାରଣ ଏହା ପରବର୍ତ୍ତୀ ସମାଜବିଜ୍ଞାନ ପାଠର ମୂଳଦୁଆ ।

No comments:

Post a Comment