Friday, January 20, 2017

ଟୀକାଯୁକ୍ତ ପାଠ୍ୟସୂଚୀ-୧



Bang, Abhay. Magic School.

           
ନିଜ ବିଦ୍ୟା‌ଳୟ ଜୀବନର କିଛି ସ୍ମୃତିକୁ ନେଇ ଡାକ୍ତର ବାଙ୍ଗ୍ ଏହି ଛୋଟ ବହିଟିକୁ ଲେଖିଛନ୍ତି । ମହାରାଷ୍ଚ୍ରର ୱାର୍ଦ୍ଧା ନିକଟରେ ଅବସ୍ଥିତ ସେବାଗ୍ରାମ ଆଶ୍ରମରେ ଲେଖକ ବିଦ୍ୟାଳୟ ଶିକ୍ଷା ଲାଭ କରିଥିଲେ । ଏହି ବିଦ୍ୟାଳୟରେ ଗାନ୍ଧିଜୀଙ୍କ ଦ୍ୱାରା ପରିକଳ୍ପିତ “ନୟୀ ତାଲିମ୍” ବା ମୌଳିକ ଶିକ୍ଷା ପଦ୍ଧତି ଅନୁସରଣ କରାଯାଉଥିଲା । ସେଠାରେ ବିଦ୍ୟାଳୟ ଶିକ୍ଷାକୁ ନେଇ ବିଭିନ୍ନ ପ୍ରକାରର ପ୍ରୟୋଗ ହେଉଥିଲା । ଏହି ବହିଟିରେ ଲେଖକ ସେହିଭଳି କେତେକ ପ୍ରୟୋଗର ସ୍ମୃତିଚାରଣ କରିଛନ୍ତି । ସେଗୁଡିକ ହେଲା: ଶିକାରୀରୁ ବନ୍ୟଜୀବଙ୍କ ଫଟୋଗ୍ରାଫରରେ ପରିଣତ ହୋଇଥିବା ଜଣେ ଶିକ୍ଷକଙ୍କ ଠାରୁ କାହାଣୀ ମାଧ୍ୟମରେ ବନ୍ୟଜୀବଙ୍କ ବିଷୟରେ ଜ୍ଞାନ ଆହରଣ କରିବା, ସନ୍ଥଙ୍କର ଉତ୍ସବ ପାଳନ କରି ଭାଷା, ସଙ୍ଗୀତ ଓ ଦର୍ଶନ ବିଦ୍ୟା ଶିକ୍ଷା କରିବା, ଖବରକାଗଜ ଓ ଭ୍ରମଣ କାହାଣୀରୁ ଭୂଗୋଳ, ଇତିହାସ ଓ ରାଜନୀତି ବିଜ୍ଞାନର ଆଲୋଚନା ଇତ୍ୟାଦି ବିଷୟ। ବିଦ୍ୟାଳୟରେ ପଢୁଥିବା ସମୟରେ ଲେଖକ ଶିକ୍ଷକ ଓ ସହପାଠୀଙ୍କ ସହ ପରିଭ୍ରମଣ କରି ଗଛଲତାମାନଙ୍କ ବିଷୟରେ ଯେଉଁ ଜ୍ଞାନଲାଭ କରିଥିଲେ ତାହା କିପରି ପରବର୍ତ୍ତୀ କାଳରେ ତାଙ୍କୁ ଉଦ୍ଭିଦବିଜ୍ଞାନ ଅଧ୍ୟୟନରେ ବିଶେଷ ସହାୟତା କରିଥିଲା ତାହା ମଧ୍ୟ ଆମେ ଜାଣିବାକୁ ପାଉ । 

ବର୍ତ୍ତମାନର ଶିକ୍ଷା ପଦ୍ଧତି ଯେ କେତେ ନୀରସ ଓ ବାସ୍ତବ ଜୀବନଯାପନ ଦୃଷ୍ଟିରୁ ଅପ୍ରାସଙ୍ଗିକ ତାହା ସୂଚାଇବା ପାଇଁ ଲେଖକ ତାଙ୍କ ବିଦ୍ୟାଳୟର ବିକଳ୍ପ ପଦ୍ଧତିଗୁଡିକର ଅବତାରଣା କରିଛନ୍ତି । କୃଷିକାର୍ଯ୍ୟ, ରୋଷେଇ ଓ ଅନ୍ୟାନ ଗଠନମୂଳକ କାର୍ଯ୍ୟକଳାପ କିପରି ଶିକ୍ଷଣ ପ୍ରକ୍ରିୟାର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ସାଜିଥିଲା ତାହାର ଏକ ସାବଲୀଳ ବର୍ଣ୍ଣନା ଲେଖକ ଦେଇଛନ୍ତି ଓ ଶେଷରେ ଶୋକ ପ୍ରକାଶ କରିଛନ୍ତି ଯେ ସେହି ଯାଦୁକରୀ ବିଦ୍ୟାଳୟଟି ଆଉ ଏବେ ନାହିଁ ।

No comments:

Post a Comment