Wednesday, January 18, 2017

ନୟୀ ତାଲିମ ବକ୍ତୃତାମାଳା-୩


ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ: ମ୍ୟାକଲେବାଦ ବନାମ ଫୁଲେ-ଗାନ୍ଧୀ-ଆମ୍ବେଦକରଙ୍କର ମୁକ୍ତିଦାୟୀ ଶୈକ୍ଷିକ ବିମର୍ଷ




ଆଦରଣୀୟ କୁଳାଧିପତି ନାରାୟଣ ଭାଇ, କୁଳପତି ସୁଦର୍ଶନ ଭାଇ, ବି.ଏଡ୍ କଲେଜର ଅଧ୍ୟକ୍ଷ ଡକ୍ଟର ପାଣ୍ଡ୍ୟା, ବିଦ୍ୟାପୀଠର ବିଦ୍ୟାର୍ଥିଗଣ, ଅଧ୍ୟାପକଗଣ, ଓ ଅହମଦାବାଦର ଚିନ୍ତାଶୀଳ, ବିଚାରଶୀଳ, ସଚେତନ ନାଗରିକଗଣ ଏବଂ ସବୁଠୁଁ ବେଶୀ, ନୟୀ ତାଲିମରେ ମୋର ଗୁରୁ ଜ୍ୟୋତିଭାଇ ଦେଶାଇ।

ଏବେ କୁଳାଧିପତି ନାରାୟଣ ଭାଇ ବହୁତ ହିଁ କମ ଶବ୍ଦରେ ଗୋଟିଏ ଅତି ବିଚାରଶୀଳ ଓ ପ୍ରଖର କଥାଟିଏ କହିଲେ । ସେହି କଥାଟି କହି ସେ ଆମର ସାତଟି ବକ୍ତୃତା ପାଇଁ ଏକ ସ୍ପଷ୍ଟ ଢାଞ୍ଚାଟିଏ ପ୍ରସ୍ତୁତ କରିଦେଲେ । ସେ ଦୁଇଟି ବିନ୍ଦୁ ଉପସ୍ଥାପନ କଲେ: ଆଜିର ଶିକ୍ଷା ଯଥାସ୍ଥିତିକୁ ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ ଓ ଯିଏ ଏହାକୁ ବଦଳେଇବା ପାଇଁ କାମ କରୁଛନ୍ତି, ସେ ନୟୀ ତାଲିମର କାମ କରୁଛନ୍ତି । ଆମର ସାତୋଟି ବକ୍ତୃତାରେ ମୁଁ ଟିକିଏ ଚେଷ୍ଟା କରିବି କି ସେ ଯେଉଁ ଦୁଇଟି ଆହ୍ୱାନ ଆମ ସମ୍ମୁଖରେ ରଖିଛନ୍ତି ଆମେ ତାହା ଉପରେ କିଛି ଧାରଣା ସୃଷ୍ଟି କରିବା ଓ ଭବିଷ୍ୟତ ପାଇଁ ନୂଆ କର୍ମପନ୍ଥା ଖୋଜିବା ।

ଏ ବିଦ୍ୟାପୀଠକୁ ମୁଁ ତୃତୀୟ ଥର ପାଇଁ ଆସୁଛି । ପ୍ରଥମ ଥର ୧୯୭୦ରେ ଆସିଥିଲି, ଚାଳିଶ ବର୍ଷ ପୂର୍ବେ, ଯେତେବେଳେ ଜ୍ୟୋତିଭାଇ ଦେଶାଇଙ୍କର ପ୍ରସ୍ତାବ ଆନୁସାରେ ମୁଁ ନୟୀ ତାଲିମ ସଂସ୍ଥାଗୁଡିକର ଅଧ୍ୟୟନ ଆରମ୍ଭ କରିଥିଲି । ସେତେବେଳେ ମୁଁ ଭାରତ ସରକାରଙ୍କର ଏକ ସଂସ୍ଥା - ଟାଟା ଇନଷ୍ଟିଚ୍ୟୁଟ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚରେ ବୈଜ୍ଞାନିକ ଥିଲି । ସେତେବେଳେ ମୋର ଜ୍ୟୋତିଭାଇଙ୍କ ସହ ସାକ୍ଷାତ ହେଲା ଓ ସେ କହିଲେ – “ପ୍ରଥମେ ବୁଝି ତ ନିଅ, ଦେଶରେ କ’ଣ ଘଟୁଛି !” ତେଣୁ ମୁଁ ସନୋସ୍ରାରେ ଲୋକ ଭାରତୀକୁ ଗଲି, ଗୁଜୁରାଟ ବିଦ୍ୟାପୀଠକୁ ଆସିଲି, ଆଉ ଯେଉଁଠାରେ ଜ୍ୟୋତିଭାଇ ଥିଲେ- ବେଦଚ୍ଚୀ, ସେଠାକୁ ବି ଗଲି । ଏହା ବ୍ୟତୀତ ବିହାର, ଉତ୍ତର ପ୍ରଦେଶ, ତାମିଲନାଡୁ, ପଶ୍ଚିମ ବଙ୍ଗ, ମହାରାଷ୍ଟ୍ରରେ ଅବସ୍ଥିତ ଅନେକ ସଂସ୍ଥାକୁ ଗଲି । ଏହା ମୋର ଅଧ୍ୟୟନ ଯାତ୍ରା ଥିଲା । ସେବେଠାରୁ ମୁଁ ଆଜି ଯାଏଁ ନୟୀ ତାଲିମର ଜଣେ ବିଦ୍ୟାର୍ଥୀ ହୋଇ ରହି ଆସିଛି । 

କୁଳପତି ସୁଦର୍ଶନ ଭାଇଙ୍କ ଦ୍ୱାରା ଦିଆଯାଇଥିବା ମୋର ପରିଚୟରେ ଆପଣ ଯେଉଁ ହୋସଙ୍ଗାବାଦ ବିଷୟରେ ଶୁଣିଲେ, ସେ ଜିଲ୍ଲାରେ ବାଇଶ ବର୍ଷ କାମ କରିଛି ଅବଶ୍ୟ, କିନ୍ତୁ ଛଅ ବର୍ଷ ପୁରାପୁରି ନୟୀ ତାଲିମ ଉପରେ ପ୍ରୟୋଗ କରିବାରେ କଟାଇଛି। ଏବେ ଯେଉଁ କଥା ମୁଁ ଶୁଣିଲି, ନାରାୟଣ ଭାଇ ବାପୁଜୀଙ୍କ ସହ ସନ୍ଧ୍ୟାରେ ବୁଲୁଥିବା ବେଳେ, ଯେତେବେଳେ ତାଙ୍କୁ କୁହାଗଲା ଯେ ସମ୍ନାରେ ଥିବା ବିଦ୍ୟାଳୟଟି ନୟୀ ତାଲିମର ବିଦ୍ୟାଳୟ ନୁହେଁ, ଯେଉଁଟି ଗାନ୍ଧିଜୀଙ୍କ ଆଦର୍ଶରେ ଆର୍ଯ୍ୟନାୟକମ୍ ଆଶାଦେବୀଙ୍କ ସହ ମିଶି ଆରମ୍ଭ କରିଥିଲେ, ମୋର ମଧ୍ୟ ସେହିପରି କାହାଣୀ ଅଛି । ଯେତେବେଳେ ମୁଁ ବେଦଚ୍ଚୀରେ ଥିଲି, ୧୯୭୦ ମସିହାରେ, ସେଠାରେ ଥିବା ସଂସ୍ଥାମାନ- ଶିକ୍ଷା ପାଇଁ ଓ ଜଙ୍ଗଲରେ ଥିବା ଆଦିବାସୀଙ୍କ ପାଇଁ ଗଢାଯାଇଥିବା ସରକାରୀ ସମିତି ସବୁ, ସେସବୁର ପ୍ରଣେତା ଜୋଗତରାମ ଦୁବେଙ୍କ ଠାରୁ ମୁଁ ଆଶୀର୍ବାଦ ମାଗିବାକୁ ଗଲି । ସେ କହିଲେ – “ଏବେ ଯାଏଁ ଯାହା ସବୁ ଦେଖିଲ, ସେ ବିଷୟରେ କ’ଣ କହିବ ?” ସେତେବେଳକୁ ମୋ ବୟସ ତିରିଶ ବର୍ଷ । ନୟୀ ତାଲିମ ବିଷୟରେ ମୋର ଆଲୋଚନା, ମୁଁ ନୟୀ ତାଲିମ ସଂସ୍ଥାମାନଙ୍କରେ ଯାହା ସବୁ ବୁଲି ଦେଖିଥିଲି, କେତୋଟି ବାକ୍ୟରେ ତାହା ତାଙ୍କ ଆଗରେ ରଖିଲି । ମୁଁ ବିଚଳିତ ଥିଲି, ବିବ୍ରତ ଥିଲି, ଯାହା ଗାନ୍ଧିଙ୍କ ବିଷୟରେ ପଢିଥିଲି ଅଥଚ ବାସ୍ତବତାରେ ଦେଖିବାକୁ ପାଇଲି ନାହିଁ, ସ୍ତମ୍ଭୀଭୂତ ହୋଇଥିଲି, କ୍ଷୋଭ ଥିଲା, ଜିଜ୍ଞାସା ବି ଥିଲା, ସେସବୁ ଜୋଗତରାମ ଭାଇଙ୍କ ଆଗରେ ପ୍ରକାଶ କଲି । ତା’ପରେ ମୁଁ କହିଲି, “ଗାନ୍ଧିଜୀ ଯାହା କହିଥିଲେ ତାହା ମୁଁ କରିକି ଦେଖିବାକୁ ଚାହୁଁଛି ।” ସେ ମୋତେ କହିଲେ, “କେଉଁଠାରେ କରିବାକୁ ଚାହୁଁଛ ?” ମୁଁ କହିଲି “ଆପଣ ଯଦି ଅନୁମତି ଦେବେ, ତେବେ ବେଦଚ୍ଚୀରେ କରିବାକୁ ଚାହୁଁଛି ।“ ସେ କହିଲେ, “ମୋ କଥା ମାନ । ଯଦି ବାସ୍ତବରେ କିଛି କରିବାକୁ ଚାହୁଁଛ, ଗାନ୍ଧିଙ୍କ ବିଚାରଧାରାକୁ କାର୍ଯ୍ୟରେ ରୂପାନ୍ତରିତ କରିବାକୁ ଚାହୁଁଛ, ତେବେ ବେଦଚ୍ଚୀ ତୁମ ପାଇଁ ଉପଯୁକ୍ତ ସ୍ଥାନ ନୁହଁ । ତୁମେ ଅନ୍ୟ କେଉଁଠାକୁ ଯାଅ ।” ପରେ ଯେତେବେଳେ ମୁଁ ଏ କଥାଟି ଜ୍ୟୋତିଭାଇଙ୍କୁ କହିଲି, ସେ ମଧ୍ୟ ସେହି କଥା କହିଲେ । ଛଅ ବର୍ଷ ଯାଏଁ ହୋସଙ୍ଗାବାଦ ଜିଲ୍ଲାର ଏକ ଗାଁ ରେ, ଆମେ କେତେଜଣ ସାଥୀ ମିଶି, ନୟୀ ତାଲିମକୁ ଆମ ନିଜ ଆଲୋଚନା, ସମୀକ୍ଷା ହିସାବରେ ବାସ୍ତବ ରୂପ ଦେବାପାଇଁ ଚେଷ୍ଟା କଲୁ - ଗାଁର ଗରିବ କୃଷକ ଓ କୃଷି ଶ୍ରମିକମାନଙ୍କର ପିଲାଙ୍କ ସହ । ଛଅ ବର୍ଷ ପରେ ତାହା ବନ୍ଦ କରିଦେଲୁ ଗୋଟିଏ ନିଷ୍ପତ୍ତି ନେଇ ଯାହା ଉପରେ ଜ୍ୟୋତିଭାଇ ଅନେକ ପ୍ରଶ୍ନ ଉଠେଇଲେ ଓ ଆମକୁ କାମଟି ଜାରି ରଖିବାକୁ ମତେଇଲେ । ଏ କାହାଣୀଟି ଚତୁର୍ଥ ବକ୍ତୃତାରେ ଆସିବ ।

୨୦୦୪ ମସିହାରେ, ଏନ୍.ସି.ଇ.ଆର୍.ଟି ଏକ ନୂଆ ପ୍ରସ୍ତୁତି ଚଳାଇଥିଲା, ଦେଶର ପାଠ୍ୟଚର୍ଯ୍ୟା ଉପରେ, ପାଠ୍ୟଚର୍ଯ୍ୟା କହିଲେ ଇଂରାଜୀରେ କରିକୁଲମ୍ ବୁଝାଏ, ସିଲାବସ୍ ନୁହେଁ, ସିଲାବସ୍ ପାଇଁ ମୁଁ ପାଠ୍ୟକ୍ରମ ଶବ୍ଦଟି ବ୍ୟବହାର କରିବି, ଗୁଜୁରାଟୀରେ ଯେଉଁ ପର୍ଯ୍ୟାୟବାଚୀ ଶବ୍ଦ ରହିଛି ତାହା ଆପଣ ମନେ ପକାନ୍ତୁ । ତ ଏନ୍.ସି.ଇ.ଆର୍.ଟି ଯେତେବେଳେ ପାଠ୍ୟଚର୍ଯ୍ୟାକୁ ନୂଆ ରୂପରେଖ ଦେବା ପାଇଁ ପ୍ରସ୍ତୁତି କରୁଥିଲା, ୨୦୦୪ ମସିହାରେ, ତାଙ୍କ ନିର୍ଦ୍ଦେଶକ ମୋତେ ଫୋନ କଲେ, ଭୋପାଳରେ, କହିଲେ, “ଆମକୁ ସହଯୋଗ କରିବ ?” “କ’ଣ ସହଯୋଗ ଦରକାର ?” ସେ କହିଲେ, ଆମେ ପାଠ୍ୟଚର୍ଯ୍ୟାକୁ ନୂଆ ରୂପରେଖ ଦେବା ପାଇଁ କୋଡିଏଟି ସମୂହ ଗଠନ କରିଛୁ, ଭିନ୍ନ ଭିନ୍ନ ବିଷୟରେ- ଶିକ୍ଷାର ଉଦ୍ଦେଶ୍ୟ କ’ଣ ହେବା ଉଚିତ, ଶିକ୍ଷାରେ ଭାଷାକୁ ନେଇ ରହିଥିବା ପ୍ରଶ୍ନସବୁର କିପରି ସମାଧାନ କରାଯାଇପାରିବ, ଶିକ୍ଷାରେ ବୈଷମ୍ୟ କିପରି ଦୂର କରାଯିବ ଇତ୍ୟାଦି ଇତ୍ୟାଦି ବିଷୟ ସବୁ ଜଣେଇଲେ । ମୋର ହୋସଙ୍ଗାବାଦରେ ଯେଉଁ ଅନୁଭୂତି ହୋଇଥିଲା ତାହା ଆଖି ଆଗରେ ରଖି ବିଜ୍ଞାନ ଶିକ୍ଷା କିପରି ହେବ ସେଥିପାଇଁ ଗଠିତ ସମୁହର ଅଧ୍ୟକ୍ଷତା କରିବାକୁ ସେ ପ୍ରସ୍ତାବ ଦେଲେ । ମୁଁ କହିଲି, “ନା, ସେ ବିଷୟ ତ ମୋ ପାଇଁ ପୁରୁଣା ହୋଇ ଯାଇଛି, ସେ କାମ ତ ଆମେ କରି ଦେଖେଇ ଦେଲୁ, ସେ ବିଷୟରେ ଆଉ ଏବେ କିଛି ଲେଖିବାର ଆବଶ୍ୟକତା ନାହିଁ, ସେ କଥା ସବୁ ଲେଖା ସରିଛି, ଆପଣ ତାହାର ଲାଭ ନିଅନ୍ତୁ ।” ସେ କହିଲେ “ତା’ ମାନେ ଆପଣ ଆମକୁ କୌଣସି ସାହାଯ୍ୟ କରିବାକୁ ଚାହୁଁ ନାହାନ୍ତି ?” “କରିବାକୁ ତ ଚାହୁଁଛି, କିନ୍ତୁ ଏମିତି ବିଷୟରେ ଯାହା ଆପଣ ସ୍ୱୀକାର କରିବେ ନାହିଁ ।“ ମୁଁ ପ୍ରସ୍ତାବ ରଖିଲି ଯେ ଉତ୍ପାଦକ କାମ ଓ ଶିକ୍ଷା ମଧ୍ୟରେ କିପରି ସମ୍ପର୍କ ରହିବା ଉଚିତ ସେ ବିଷୟରେ ଏକ ସମୂହ ଗଠନ କଲେ ମୁଁ ତାହାର ଅଧ୍ୟକ୍ଷତା କରିବାକୁ ପ୍ରସ୍ତୁତ । ସେ ତତକ୍ଷଣାତ୍ ସ୍ୱୀକାର କରିନେଲେ ଓ ୨୧ତମ ସମୂହର ଗଠନ ହେଲା । 

ସେ ଶୃଙ୍ଖଳାରେ ଯେପରି ନାମ ଦିଆଯାଉଥିଲା- ନ୍ୟାସନାଲ ଫୋକସ୍ ଗ୍ରୁପ ଅନ୍ ... ଭିନ୍ନ ଭିନ୍ନ ବିଷୟ, ସେପରି ମୁଁ ଅଧ୍ୟକ୍ଷତା କଲି ନ୍ୟାସନାଲ ଫୋକସ୍ ଗ୍ରୁପ ଅନ୍ ୱର୍କ ଏଣ୍ଡ୍ ଏଜୁକେସନ । ସେଥିରେ ଦେଶର ବିଭିନ୍ନ ରାଜ୍ୟରୁ କୋଡିଏ ଜଣ ଭଳି ଲୋକ ସାମିଲ ହେଲେ । ଆମେ ଛଅ ସାତ ମାସ ପରିଶ୍ରମ କରି ଗାନ୍ଧିଙ୍କର ନିଜ ବିଚାରଗୁଡିକର ତତ୍କାଳୀନ ଅର୍ଥଶାସ୍ତ୍ର ଓ ରାଜନୈତିକ ସନ୍ଦର୍ଭରେ ଏକ ନୂଆ ସମୀକ୍ଷା ଲେଖିଲୁ । ଏହା କାହିଁକି ଦେଶର ବ୍ୟବସ୍ଥା ପାଇଁ ଏକ ମଡେଲ ହୋଇ ପାରିଲା ନାହିଁ ତାହାର ମଧ୍ୟ ସମୀକ୍ଷା ଲେଖିଲୁ । ସ୍ୱାଧୀନତା ପରେ ଗୁଜରାଟ ଓ ଦେଶର ଅନ୍ୟ ପ୍ରାନ୍ତରେ ଏହା ଉପରେ ଆମର ଯେଉଁ ଅନୁଭବ ରହିଛି ତାହାର ମଧ୍ୟ ବ୍ୟାଖ୍ୟା କଲୁ । ତା’ପରେ କହିଲୁ ଆଜିର ନୂଆ ଭାରତରେ ଯେଉଁ ନୂଆ ପରିସ୍ଥିତି ଉପୁଜିଛି –ଯେଉଁ ନବଉଦାରବାଦୀ ଅର୍ଥ ବ୍ୟବସ୍ଥା ଆସିଛି ଯାହାକୁ ଆପଣ ବୈଶ୍ୱୀକରଣ ବା ଜଗତିକରଣ ବା ଭୂମଣ୍ଡଳିକରଣ ନାମରେ ଜାଣିଥିବେ, ଯାହା ଭାରତର ସବୁ ସମ୍ବଳ ଉପରେ ଆକ୍ରମଣ କରୁଛି, ସେହି ସନ୍ଦର୍ଭରେ ଶିକ୍ଷା ଉପରେ ମଧ୍ୟ ଯେଉଁ ଆକ୍ରମଣ ହେଉଛି ତାହା ଧ୍ୟାନରେ ରଖି ଆଜି ନୟୀ ତାଲିମର ନୂଆ ରୂପ କିଭଳି ହେବା ଉଚିଚ, ଯାହା ନୂଆ ଆହ୍ୱାନଗୁଡିକୁ ସାମ୍ନା କରିବ ଓ ବିଦ୍ୟାର୍ଥିମାନଙ୍କୁ ସେହି ଆହ୍ୱାନଗୁଡିକୁ ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ କରିବ, ନୟୀ ତାଲିମର ମୌଳିକ ସିଦ୍ଧାନ୍ତ ଉପରେ ଆମେ ଏକ ନୂଆ ରୂପ ଗଢିଲୁ । ଏହା ଭିନ୍ନ କଥା ଯେ ୨୦୦୫ରେ ଏନ୍.ସି.ଇ.ଆର୍.ଟି ଦ୍ୱାରା ପାଠ୍ୟଚର୍ଯ୍ୟାର ଯେଉଁ ନୂଆ ରୂପ ଦେଶ ଆଗରେ ପ୍ରସ୍ତାବିତ କରାଗଲା ସେଥିରେ ଆମ ସମୂହର ରିପୋର୍ଟକୁ ଅଣଦେଖା କରି ଦିଆଯାଇଥିଲା, ପୁରାପୁରି ଭାବେ । ସେ ତ ଭିନ୍ନ ବିଷୟ, ଏବେ ସେଠାକୁ ଯିବା ନାହିଁ, ହୁଏତ ପରେ କେବେ ସୁଯୋଗ ମିଳିପାରେ । ସେଥିରେ କାମ ଓ ଶିକ୍ଷା ଉପରେ ଯାହା ବି କୁହାଗଲା ତାହା ଆମ ହିସାବରେ ନୟୀ ତାଲିମର ପରିଧି ବାହାରେ ଥିଲା ଓ ତାହାକୁ କେନ୍ଦ୍ରୀୟ ଶିକ୍ଷା ଉପଦେଷ୍ଟା ବୋର୍ଡ ଗ୍ରହଣ କରିନେଲେ ।


No comments:

Post a Comment