Friday, January 13, 2017

ନୟୀ ତାଲିମ ବକ୍ତୃତାମାଳା-୧

 ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ



ଗୁଜରାଟ ବିଦ୍ୟାପୀଠ, ଅହମଦାବାଦ ଦ୍ୱାରା ୨୦୧୧ ମସିହାରେ ୨୮ ଫେବୃଆରୀରୁ ୬ ମାର୍ଚ୍ଚ ଯାଏ ଏକ ନୟୀ ତାଲିମ ବକ୍ତୃତାମାଳାର ଆୟୋଜନ କରାଯାଇଥିଲା । ନୟୀ ତାଲିମ ବିଚାରଧାରାକୁ ଆଜିର ସାମାଜିକ, ଆର୍ଥିକ ପରିସ୍ଥିତି ଓ ବର୍ତ୍ତମାନ ଶିକ୍ଷାନୀତିର ପରିପ୍ରେକ୍ଷୀରେ ଆକଳନ କରିବା ଓ ସେଥିରୁ ଶୈକ୍ଷିକ ସମ୍ଭାବନାଗୁଡିକୁ ଖୋଜିବା ଏହି ବକ୍ତୃତାମାଳାର ଉଦ୍ଦେଶ୍ୟ ଥିଲା । ସାତୋଟି ବକ୍ତୃତାର ଏହି ବକ୍ତୃତାମାଳାର ବକ୍ତା ଥିଲେ ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଅନିଲ ସଦଗୋପାଲ । 

ଡକ୍ଟର ସଦଗୋପାଲଙ୍କର ଚାରି ଦଶକ ବ୍ୟାପୀ ବହୁମୁଖୀ ସାମାଜିକ ଓ ବୌଦ୍ଧିକ କର୍ମମାନ ତାଙ୍କର ତୃଣମୂଳସ୍ତରୀୟ ଅନୁଭୂତିଗୁଡିକ ଦ୍ୱାରା ପରିପୁଷ୍ଟ । ଏଇଥି ପାଇଁ ଅଳ୍ପ କେତୋଟି ଶବ୍ଦରେ ଡକ୍ଟର ସଦଗୋପାଲଙ୍କର ପରିଚୟ ଦେବା ଏକ କଷ୍ଟକର ବ୍ୟାପାର । ମୂଳତଃ ସେ ଜଣେ ବୈଜ୍ଞାନିକ । କାଲିଫର୍ଣ୍ଣିଆ ଇନଷ୍ଟିଚୁଟ୍ ଅଫ୍ ଟେକ୍ନୋଲୋଜି, ଆମେରିକାରୁ ବାୟୋକେମେଷ୍ଟ୍ରୀ ଓ ମଲିକ୍ୟୁଲାର ବାୟୋଲଜିରେ ପି.ଏଚ୍.ଡି ଅର୍ଜନ କରି ସେ ଭାରତର ମୁମ୍ବାଇଠାରେ ସ୍ଥିତ ଟାଟା ଇନଷ୍ଟିଚୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ରେ ଗବେଷଣା ଓ ଅଧ୍ୟାପନା କଲେ । ଏକତିରିଶ ବର୍ଷ ବୟସରେ ସେଠାରୁ ଇସ୍ତଫା ଦେଇ ଡକ୍ଟର ସଦଗୋପାଲ ମଧ୍ୟପ୍ରଦେଶର ହୋସଙ୍ଗାବାଦ ଜିଲ୍ଲାରେ ଏକ ଆଦିବାସୀ ଗାଆଁରେ କିଶୋର ଭାରତୀ ନାମରେ ଏକ ସଂସ୍ଥା ସ୍ଥାପନ କଲେ । ପରବର୍ତ୍ତୀ କୋଡିଏ ବର୍ଷ ସେ ସେହିଠାରୁ ଗ୍ରାମୀଣ ବିକାଶ, ବିଦ୍ୟାଳୟସ୍ତରୀୟ ଶିକ୍ଷା, ଜନଶିକ୍ଷା, ଗଣତାନ୍ତ୍ରିକ ଅଧିକାର ଓ ଗାନ୍ଧିଜୀଙ୍କର ନୟୀ ତାଲିମ ଉପରେ ଅନେକଗୁଡିଏ ପ୍ରୟୋଗ ଓ କାର୍ଯ୍ୟକ୍ରମ ଚଳାଇଲେ । କିଶୋର ଭାରତୀ ଜରିଆରେ ଡକ୍ଟର ସଦଗୋପାଲ “ହୋସଙ୍ଗାବାଦ ବିଜ୍ଞାନ ଶିକ୍ଷଣ କାର୍ଯ୍ୟକ୍ରମ” (ହୋ.ବି.ଶି.କା)ର ନେତୃତ୍ୱ ନେଲେ । ସେଥିରେ ହୋସଙ୍ଗାବାଦ ଜିଲ୍ଲାର ପ୍ରାୟ ୩୦୦ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ନିଜେ ପ୍ରୟୋଗ କରି ବିଜ୍ଞାନ ଶିଖିବାର ପାଠ୍ୟଚର୍ଯ୍ୟା ପ୍ରଣୟନ କରାଗଲା । ହୋ.ବି.ଶି.କା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କଥାଟିଏ ହେଲା ଏହି ଅନନ୍ୟ କାର୍ଯ୍ୟକ୍ରମର ଦୃଷ୍ଟିଭଙ୍ଗୀ ଗ୍ରହଣ କରି ସରକାରୀ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଅନେକ ପରିବର୍ତ୍ତନ କରାଗଲା । ନୂଆ ପାଠ୍ୟସାମଗ୍ରୀ ଓ ପ୍ରୟୋଗ କିଟ୍ ନିର୍ମାଣ କରାଗଲା । ଶିକ୍ଷକଙ୍କ ତାଲିମ ପାଇଁ ନୂଆ ଢାଞ୍ଚା ବିକଶିତ ହେଲା । ନୂଆ ପ୍ରଶାସନିକ ପ୍ରାବଧାନ ତିଆରି ହେଲା । ଏପରିକି ମୂଲ୍ୟାଙ୍କନ ଓ ବୋର୍ଡ ପରୀକ୍ଷାର ପ୍ରଣାଳୀଗୁଡିକ ମଧ୍ୟ ବଦଳିଲା । ଦଶ ବର୍ଷର ଉପଲବ୍ଧି ପରେ ଏକଲବ୍ୟ ସଂସ୍ଥାର ନିର୍ମାଣ ହେଲା ଯାହା ମାଧ୍ୟମରେ ହୋ.ବି.ଶି.କା ମଧ୍ୟ ପ୍ରଦେଶର ଆଉ ତେରଟି ଜିଲ୍ଲାରେ ହଜାରେ ବିଦ୍ୟାଳୟରେ ପହଞ୍ଚି ଗଲା । ତିରିଶ ବର୍ଷ ଯାଏଁ ଚାଲିଥିବା ହୋ.ବି.ଶି.କା ସରକାରୀ ବ୍ୟବସ୍ଥାରେ ନିହିତ ସମସ୍ତ ସମ୍ଭାବନା ଉଜାଗର କରି ଦେଶ ଆଗରେ “ସମାନ ବିଦ୍ୟାଳୟ ବ୍ୟବସ୍ଥା” ପକ୍ଷରେ ଜୋରଦାର ଯୁକ୍ତି ରଖିଲା । 

ଡକ୍ଟର ସଦଗୋପାଲ ପଚିଶ ବର୍ଷ ଧରି ଭାରତ ସରକାର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ଗଠିତ ଶିକ୍ଷା ସମ୍ବନ୍ଧୀୟ କମିଟି ଓ ଆୟୋଗଗୁଡିକରେ ସକ୍ରିୟ ଅଂଶଗ୍ରହଣ କଲେ । ଯଥା ରାଷ୍ଟ୍ରୀୟ ଶିକ୍ଷକ ଆୟୋଗ, କେନ୍ଦ୍ରୀୟ ଶିକ୍ଷା ଉପଦେଷ୍ଟା ବୋର୍ଡ ଓ ଏହାର ତିନୋଟି ସମିତି, ରାଷ୍ଟ୍ରୀୟ ଶିକ୍ଷାନୀତି ସମୀକ୍ଷା ସମିତି, ବିଦ୍ୟାଳୟ ପାଠ୍ୟଚର୍ଯ୍ୟାରେ କାମ ଓ ଶିକ୍ଷାର ସମ୍ପର୍କକୁ ନେଇ ଏନ.ସି.ଇ.ଆର.ଟି ଦ୍ୱାରା ଗଠିତ ନ୍ୟାସନାଲ ଫୋକସ ଗ୍ରୁପର ରିପୋର୍ଟ, ବିହାର ରାଜ୍ୟ ସରକାରଙ୍କର ସମାନ ବିଦ୍ୟାଳୟ ବ୍ୟବସ୍ଥା ଆୟୋଗ । ଏହି ଆୟୋଗ ଓ ସମିତି ଗୁଡିକରେ ନୀତିଗତ ପରିବର୍ତ୍ତନ ଓ ବିକଳ୍ପ ପାଇଁ ତାଙ୍କ ଲଢେଇ ଜନବାଦୀ ସଂଘର୍ଷର ପ୍ରେରଣାଦାୟକ ଉଦାହରଣ ଅଟେ ।
ସରକାରୀ ବ୍ୟବସ୍ଥା ସହ ତିନି ଦଶକରୁ ଉର୍ଦ୍ଧ୍ୱ ଅନୁଭୂତି ପରେ ଡକ୍ଟର ସଦଗୋପାଲ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ସରକାରୀ ନୀତି ନିର୍ଦ୍ଧାରଣରେ ଅଂଶଗ୍ରହଣ ଦ୍ୱାରା କୌଣସି ଢାଞ୍ଚାଗତ ପରିବର୍ତ୍ତନ ସମ୍ଭବପର ନୁହେଁ, ସରକାର ଦ୍ୱାରା ପୂର୍ବରୁ ନିର୍ମିତ ଢାଞ୍ଚାରେ କେବଳ କିଛି ମାମୁଲି ଅଦଳବଦଳ କରାଯାଇପାରେ । ବ୍ୟବସ୍ଥାମୂଳକ ପରିବର୍ତ୍ତନ ପାଇଁ ଜନଚେତନାର ଚାପ ଆବଶ୍ୟକ । ତେଣୁ ବିଗତ ପାଞ୍ଚ ବର୍ଷରୁ ମ୍ୟାକଲେଙ୍କର ଶିକ୍ଷା ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ଅଖିଳ ଭାରତୀୟ ଶିକ୍ଷା ଅଧିକାର ମଞ୍ଚ ଜରିଆରେ ଦେଶବ୍ୟାପୀ ଆନ୍ଦୋଳନ ଛିଡା କରିବା କାମରେ ସେ ଲାଗି ପଡିଛନ୍ତି । ସରକାରୀ ବ୍ୟବସ୍ଥା ବିରୋଧରେ ଏହି ସର୍ଜ୍ଜନାତ୍ମକ ପ୍ରତିରୋଧ ପାଇଁ ଡକ୍ଟର ସଦଗୋପାଲ ଜଣେ ବିଦ୍ରୋହୀ ଶିକ୍ଷାବିତ ରୂପେ ଜଣା । ସେ ୟୁନିଅନ କାରବାଇଡ ବିରୁଦ୍ଧରେ ଚାଲିଥିବା ଭୋପାଳ ଗ୍ୟାସ ପୀଡିତଙ୍କ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନେଇଥିଲେ ଓ ପୀଡିତଙ୍କ ଚିକିତ୍ସା, ପୁନର୍ବାସ ଓ କ୍ଷତିପୂରଣ ପାଇଁ ଲଢେଇ କରି ଜେଲ ମଧ୍ୟ ଯାଇଥିଲେ । ପରବର୍ତ୍ତୀ କାଳରେ ନର୍ମଦା ବଞ୍ଚାଅ ଆନ୍ଦୋଳନରେ ସଂଶ୍ଳିଷ୍ଟ ହୋଇ ବଡ ବନ୍ଧ ସନ୍ଦର୍ଭରେ ବିଶ୍ୱବ୍ୟାଙ୍କର ଜନବିରୋଧୀ ମତ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ପୁନଶ୍ଚ ଜେଲ ଯିବାକୁ ପଡିଲା । ଛତିଶଗଡରେ ଶହୀଦ ଶଙ୍କର ଗୁହା ନିୟୋଗୀଙ୍କ ନେତୃତ୍ୱରେ ଚାଲିଥିବା କ୍ରାନ୍ତିକାରୀ ଶ୍ରମିକ ଆନ୍ଦୋଳନ ସହ ମଧ୍ୟ ସେ ଜଡିତ ଥିଲେ । ଏହି ଆନ୍ଦୋଳନ ଉପରେ ଡକ୍ଟର ସଦଗୋପାଲ ସଂଘର୍ଷ ଓ ନିର୍ମାଣ ଶୀର୍ଶକ ପୁସ୍ତକଟିଏ ସଙ୍କଳନ କରିଛନ୍ତି । 

ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷା ବିଭାଗରେ ପ୍ରାଧ୍ୟପକ ତଥା ଡିନ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଭାରତ ସରକାରଙ୍କର ନେହେରୁ ମେମୋରିଆଲ ମ୍ୟୁଜିଅମ୍ ଆଣ୍ଡ୍ ଲାଇବ୍ରେରୀରେ ସିନିଅର ଫେଲୋ ଭାବେ ଶିକ୍ଷାନୀତି ଉପରେ ହେଉଥିବା ନବଉଦାରବାଦୀ ଆକ୍ରମଣ ବିଷୟରେ ସେ ପ୍ରଖର ଗବେଷଣା ଓ ଲେଖାଲେଖି କଲେ । “ଶିକ୍ଷାରେ ପରିବର୍ତ୍ତନର ପ୍ରଶ୍ନ” ନାମକ ବହି ଓ ଅନେକ ପତ୍ରପତ୍ରିକାରେ ଇଂରାଜୀ ଓ ହିନ୍ଦୀରେ ଲେଖାଲେଖି କରି, ଜନସଭା, ଧାରଣା, ରାଲିରେ ଭାଷଣ ଦେଇ ଡକ୍ଟର ଅନିଲ ସଦଗୋପାଲ ଆଜି ମଧ୍ୟ ତାଙ୍କ ବୈଚାରିକ ସଂଘର୍ଷ ଜାରି ରଖିଛନ୍ତି ।

ସାତ ଦିନ ଧରି ଚାଲିଥିବା ଏହି ବକ୍ତୃତାମାଳରେ ବ୍ରିଟିଶରାଜୁତି ପାଇଁ ମ୍ୟାକଲେଙ୍କ ଦ୍ୱାରା ନିର୍ମିତ ଶିକ୍ଷାନୀତିକୁ ମହାତ୍ମା ଜ୍ୟୋତିରାଓ ଫୁଲେ, ଗାନ୍ଧୀ ଓ ବାବାସାହେବ ଆମ୍ବେଦକରଙ୍କ ରାଜନୈତିକ ବିଚାରଧାରା ସନ୍ଦର୍ଭରେ ବିଶ୍ଳେଷଣ କରାଯାଇଛି । ଏଥି ସହିତ ଏକ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ସମତାମୂଳକ, ନ୍ୟାୟଶୀଳ ଓ ପ୍ରବୁଦ୍ଧ ସମାଜ ଗଢିବା ପାଇଁ ବିକଳ୍ପ ଶିକ୍ଷା ବ୍ୟବସ୍ଥାର ଦୃଷ୍ଟି ଉପସ୍ଥାପନ କରାଯାଇଛି । ଏହି ବକ୍ତୃତାଗୁଡିକରୁ ରାଜନୈତିକ ଅର୍ଥଶାସ୍ତ୍ର ଓ ବୈଶ୍ୱିକ ପୁଞିର ନବଉଦାରବାଦୀ ଏଜେଣ୍ଡା ସନ୍ଦର୍ଭରେ ଶିକ୍ଷାର ଏକ ତୀକ୍ଷ୍ଣ ସମୀକ୍ଷା ଆଗକୁ ଆସିଛି । ଏବଂ ଶୈକ୍ଷିକ ପରିବର୍ତ୍ତନ ପାଇଁ ଏକ ଜନ ଆନ୍ଦୋଳନ ଛିଡା କରିବାର ଆହ୍ୱାନ କରି ଶହୀଦ ଶଙ୍କର ଗୁହା ନିୟୋଗୀଙ୍କ ‘ସଂଘର୍ଷ ଓ ନିର୍ମାଣ’ ଦର୍ଶନର ପଥ ଆପଣେଇବାର ଆବଶ୍ୟକତା ଉପରେ ଜୋର ଦିଆଯାଇଛି ।

No comments:

Post a Comment