Monday, January 16, 2017


ନୟୀ ତାଲିମ ବକ୍ତୃତାମାଳା-୨


ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ



ବିଦ୍ୟାପୀଠର କୁଳାଧିପତି ଶ୍ରୀ ନାରାୟଣ ଦେଶାଇ, କୁଳପତି ଶ୍ରୀ ସୁଦର୍ଶନ ଆୟଙ୍ଗାର, ତାଲିମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଜେ.ପି. ପାଣ୍ଡ୍ୟା, ଗାନ୍ଧିବାଦୀ ଶିକ୍ଷାବିତ ଶ୍ରୀ ଜ୍ୟୋତିଭାଇ ଦେଶାଇ ଏବଂ ବିଦ୍ୟାପୀଠର ବିଦ୍ୟାର୍ଥୀ, ଅଧ୍ୟାପକ ଓ ଅନ୍ୟ ନାଗରିକଗଣ ଏହି ବକ୍ତୃତାମାଳାରେ ଅଂଶ ଗ୍ରହଣ କରିଥିଲେ । ପ୍ରତି ବକ୍ତୃତାର ଶେଷରେ ଲୋକମାନେ ଉଠାଇଥିବା ପ୍ରଶ୍ନଗୁଡିକୁ ସମ୍ପାଦିତ କରି ଡକ୍ଟର ସଦଗୋପାଲଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତରଗୁଡିକୁ ମଧ୍ୟ ଏଠାରେ ଦିଆଯାଇଛି । 

ବିଦ୍ୟାପୀଠର କୁଳାଧିପତି ଶ୍ରୀ ନାରାୟଣ ଦେଶାଇ ବକ୍ତୃତାମାଳା ଉଦଘାଟନ ଅବସରରେ ନିଜ ବିଚାର ସବୁ ଏପରି ପରିବେଷଣ କରିଥିଲେ:

ଆମେ ଯେଉଁ ଶିକ୍ଷା ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଏଠାରେ ଏକତ୍ରିତ ହୋଇଛୁ. ଆମେ କ’ଣ ନିଜ ନିଜ ପାଇଁ ନୟୀ ତାଲିମ ଖୋଜିବା ନା ସେହି ପୁରୁଣା କଥାଗୁଡିକୁ ହିଁ ଦୋହରେଇ ଚାଲିବା ? ଏ ବାବଦରେ ମୋ ପାଖରେ ଦୁଇଟି ପ୍ରଶ୍ନ ରହିଛି । ବାସ୍ତବରେ ଏହା ଗୋଟିଏ ପ୍ରଶ୍ନର ହିଁ ଦୁଇଟି ବିଭାବ । ମୋର ମନେ ହୁଏ, ଆପଣମାନେ ଖରାପ ଭାବିବେନି, ଆଜିର ଚାଲୁ ଶିକ୍ଷା ବ୍ୟବସ୍ଥାଟି ଅତି ଉତ୍ତମ ଶିକ୍ଷା ଅଟେ । କାରଣ ଏହା ଦୁଇଟି ବଡ ଉଦ୍ଦେଶ୍ୟ ସାଧନ କରୁଛି । ଏକ, ବର୍ତ୍ତମାନର ଯାହା ପରିସ୍ଥିତି ରହିଛି- ଯଥାସ୍ଥିତି ବା ଷ୍ଟାଟସ୍ କୋ, ତାହାକୁ ବଜାୟ ରଖିବାର ଦାୟିତ୍ୱ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଓ ଅତି ସୁଚାରୁ ରୂପେ ନିର୍ବାହ କରିଛି । ଆଉ ଏହି ଯଥାସ୍ଥିତିକୁ ବଜାୟ ରଖିବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଶିକ୍ଷାର ଦ୍ୱିତୀୟ କାମ । ପ୍ରଶ୍ନ ହେଉଛି, ଆମକୁ ସେହି ଷ୍ଟାଟସ୍ କୋ କୁ ବଜାୟ ରଖିବାର ଅଛି କି ? ଯେଉଁ ଯଥାସ୍ଥିତିରୁ ବୈଷମ୍ୟ, ହିଂସା, କ୍ରୁରତା ଆଦି ସୃଷ୍ଟି ହୋଇଛି, ଛାତ୍ରମାନଙ୍କ ମନରେ ପ୍ରତିଦ୍ୱନ୍ଦୀ ମନୋଭାବ, ଭୟ ଆଦି ସୃଷ୍ଟି ହୋଇଛି ଯଦି ଆମେ ଏ ସ୍ଥିତିକୁ ବଜାୟ ରଖିବାକୁ ଚାହୁଁ, ତେବେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାଟି ହେଉଛି ସବୁଠାରୁ ଉତ୍ତମ । ବିକଳ୍ପ କାହିଁକି ଖୋଜିବା ? ଆଉ ଯଦି ଆମକୁ ଏ ସ୍ଥିତିକୁ ବଦଳେଇବାର ଅଛି, ତେବେ କେଉଁଠାରେ କି ପ୍ରକାର ପରିବର୍ତ୍ତନ ସବୁ ଆଣିବାକୁ ହେବ ଯାହା ଦ୍ୱାରା କି ସମାଜ ବ୍ୟବସ୍ଥା ବଦଳିବା ସହ ସେଥିରେ ରହୁଥିବା ନାଗରିକମାନଙ୍କର ମଧ୍ୟ ପରିବର୍ତ୍ତନ ଘଟିବ । ବା ନାଗରିକଙ୍କର ପରିବର୍ତ୍ତନ ହେବା ସହ ଭବିଷ୍ୟତରେ ସେମାନଙ୍କ ବାସ ଯୋଗ୍ୟ ସମାଜ ବ୍ୟବସ୍ଥାଟିଏ ଗଢି ଉଠିବ । ଏହି ଦୁଇ ପ୍ରଶ୍ନର ବିଚାର ଯିଏ କରିବେ ମୋ ଦୃଷ୍ଟିରେ ତାହା ହିଁ ନୟୀ ତାଲିମର ଆଲୋଚନା । ମୁଁ ଆଶା କରୁଛି ଯେ ଆପଣମାନେ ଅନୀଲ ଭାଇଙ୍କ ସହ ସାତ ଦିନ ଧରି ଆଲୋଚନା କଲା ବେଳେ ଏହି ବିଷୟରେ ବି ଚର୍ଚ୍ଚା କରିବେ । କେବଳ ଏତିକି ହିଁ କହିବି । ଧନ୍ୟବାଦ ।

No comments:

Post a Comment