Wednesday, March 15, 2017

ଭିନ୍ନ ଭିନ୍ନ ଦେଶରେ ଲୋକେ କିପରି ମାଛ ମାରନ୍ତି


ଗୋପୀନାଥ ମହାନ୍ତି


ଶ୍ରୀଲଙ୍କାରେ ମାଛଧରା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମାଛ ମଣିଷର ଗୋଟିଏ ପ୍ରଧାନ ଖାଦ୍ୟ । ମନୁଷ୍ୟ ସଭ୍ୟ ହୋଇ ମାଛ ଖାଇବାକୁ ଶିଖିନାହିଁ, ଅତି ପୂର୍ବେ ଯେତେବେଳେ ଅସଭ୍ୟ ଥିଲା ଓ ଯେତେବେଳେ ତାକୁ ନିଜର ଖାଦ୍ୟ ସଙ୍ଗ୍ରହ କରିବାକୁ ପଡ଼ୁଥିଲା, ସେଦିନୁ ମାଛ ଖାଉଛି । ସମୁଦ୍ର ଭିତରେ, ସମୁଦ୍ର କୂଳରେ, ସମୁଦ୍ର ଛାଡ଼ି ନଈ ଓ ପୋଖରିରେ, ସବୁଠାରେ ମାଛ ମରାହୁଅନ୍ତି । ସମୁଦ୍ର ଭିତରେ ଯେଉଁଠି ଭୂଇଁ ବୁଡ଼ିଯାଇ ପାଣି ଭିତରେ ଅଳ୍ପ ଖାଲ ହୋଇଯାଇଛି ଓ ଯେଉଁଠି ଥଣ୍ଡା ସୁଅ ପଡ଼ିଛି ସେଠି ପ୍ରଚୁର ମାଛ ରହନ୍ତି । ଅଗହୀର ପାଣିରେ ସମୁଦ୍ର ଦଳ ହୁଏ, ସେଥିରେ ମାଛ ମାନେ ଡ଼ିମ୍ବ ଦିଅନ୍ତି । ତେଣୁ ଏପରି ସ୍ଥାନରେ ଅନେକ ମାଛ ରୁହନ୍ତି । ଉତ୍ତର ସମୁଦ୍ରରେ ଡ଼ଗର୍ ବ୍ୟାଙ୍କ୍, ନିଉ ଫାଉଣ୍ଡ୍-ଲ୍ୟାଣ୍ଡ୍ ପାଖ ଅଗହୀର ସମୁଦ୍ର, ଏଠି ମାଛର ଖଣି । କଡ୍, ହାଲିବର୍ଟ୍, ହ୍ୟାଡ଼କ୍, ଏହିପରି ଜାତିର ମାଛ ଏଠି ମରନ୍ତି । ସମୁଦ୍ର ସୁଅରେ ଅନେକ ଛୋଟ ଛୋଟ ମାଛ ମେରୁ ପ୍ରଦେଶ ଆଡ଼ୁ ଭାସି ଆସନ୍ତି । ବଡ଼ ମାଛମାନେ ଏମାନଙ୍କୁ ଖାଇ ବଞ୍ଚନ୍ତି ।

ସମୁଦ୍ର କୂଳରେ ମଧ୍ୟ ମାଛ ମରନ୍ତି । ମହାଦେଶର ଉପକୂଳରେ ନୋହିଲେ ଦ୍ୱୀପମାନଙ୍କ ପାଖରେ ଯେଉଁଠି ସମୁଦ୍ର ଅଗହୀର, ସେଠି ଅନେକ ପ୍ରକାର ମାଛ ଥାଆନ୍ତି । ତେଣୁ ଜାପାନ ଆଖପାଖରେ ପୃଥିବୀର ସବୁଠାରୁ ବେଶି ମାଛ ମରନ୍ତି । ବଙ୍ଗୋପସାଗର ଉପକୂଳରେ ଅନେକ ମାଛ ରୁହନ୍ତି । 

ହ୍ରଦମାନଙ୍କରୁ କିପରି ମାଛ ମରନ୍ତି ତାହା ତୁମେ ମାନେ ଜାଣିବ । ଅଂଶୁପା ହ୍ରଦ ଓ ଚିଲିକା ହ୍ରଦର ମାଛ ଓଡ଼ିଶାରେ ପ୍ରଧାନ । ନଈ ମାଛ ଓଡ଼ିଶାର ପ୍ରଧାନ ଖାଦ୍ୟ । ଜୁଆରିଆ ନଈରେ ସମୁଦ୍ରରୁ ମାଛ ଉଠି ଆସନ୍ତି । ମହାନଦୀର ମୂହାଣ ପାଖରେ ଏପରି ମାଛ ଧରା ହୁଅନ୍ତି । ମାଇଲ ମାଇଲ ଲମ୍ବା ବଡ଼ ଜାଲ ସିଧା କରି ବସାଇ ଦିଆହୁଏ । ଜୁଆର ପାଣି ତା ଉପରେ ମାଡ଼ିଯାଏ । ଯେତେବେଳେ ଜୁଆର ପାଣି ସମୁଦ୍ରକୁ ଲେଉଟିଯାଏ ମାଛମାନେ ଜାଲ ଭିତରେ ପଡ଼ି ପାକୁ ପାକୁ ହେଉଥାନ୍ତି । 

ଅସଭ୍ୟ ମନୁଷ୍ୟ ବୈଜ୍ଞାନିକ ଉପାୟରେ ମାଛ ମାରି ଜାଣି ନ ଥିଲେ । କିନ୍ତୁ ଆଜିକାଲି ପୋଖରିରେ ଜାଆଁଳା ରଖି ଲୋକେ ମାଛ ବଢ଼ାଉଛନ୍ତି । ମାଛ ତ ମାଛ, ଆମେରିକାରେ ଲୋକେ ପୋଖରିରେ ବେଙ୍ଗ ଜାଆଁଳା ରଖି ବଢ଼ାଉଛନ୍ତି, କାରଣ ସେମାନେ ଭାରି ବେଙ୍ଗ ଖାଆନ୍ତି । 

ମାଛ ଚଞ୍ଚଳ ସଢ଼ିଯାଏ, ତେଣୁ ତାକୁ ବିକ୍ରୀ କରି ପଠାଇବାକୁ ଲୋକେ ଅନେକ ଉପାୟ କରିଥାନ୍ତି । ଓଡ଼ିଶାର ତଳହଟିରେ ମାଛର ପେଟକୁ କାଟି ଅନ୍ତ ବାହାର କରି ନେଇ ତାକୁ ସମୁଦ୍ରର ଲୁଣି ବାଲିରେ ପୋତି ରଖି ଶୁଖୁଆ କରନ୍ତି । ବିଦେଶକୁ ସଜ ମାଛ ପଠାଇବାକୁ ହେଲେ ମାଛକୁ ବରଫରେ ବନ୍ଦ କରି ପଠାନ୍ତି । ଚିଲିକା କୂଳଯାକ ଦେଖିବ ବରଫକଳ ବସିଛି, ସେଠି ବରଫ ତିଆରି ହେଉଛି, ମାଛସବୁ ବରଫରେ ଘୋଡ଼ାହୋଇ ବିଦେଶ ଯାଉଛନ୍ତି । କଡ଼୍, ହ୍ୟାଲିବଟ୍ ପ୍ରଭୃତି ମାଛର ତେଲ ଭାରି ଉପକାରୀ । ତାକୁ ଖାଇଲେ ଲୋକେ ମୋଟା ହୋଇଯିବେ, କାରଣ ମନୂଷ୍ୟର ଦରକାରୀ ଭିଟାମିନ୍ ନାମକ ଖାଦ୍ୟ ତହିଁରେ ଅଛି । ପ୍ରତ୍ୟେକ ମାଛର ତେଲ ଉପକାରୀ ।

No comments:

Post a Comment