Thursday, March 09, 2017

ଗରମ ଦେଶର ଘାସଭୂଇଁ


ଗୋପୀନାଥ ମହାନ୍ତି


ଫିଲିପାଇନ୍ସ ଦେଶର ତୃଣଭୂମି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗରମ ଜଙ୍ଗଲ ଦେଶର ଦୁଇ ପାଖେ, ଉତ୍ତରରେ ଓ ଦକ୍ଷିଣରେ ଯେଉଁ ଅଞ୍ଚଳ ଅଛି, ସେ ଗରମ ଦେଶର ଘାସଭୂଇଁ । ବସନ୍ତ ଋତୁରେ ଓ ଗ୍ରୀଷ୍ମ ଋତୁର ଆରମ୍ଭରେ ଅଳ୍ପ ବର୍ଷା ହୋଇଯାଏ, ତହିଁରେ ଘାସ ଗଛ କଅଁଳିଯାଏ । ତା ପରେ ଶୀତ ଋତୁରେ ଆଦୌ ବର୍ଷା ନାହିଁ । ଘାସ ଥରେ ବଢ଼ିଗଲେ ତା ପରେ ବର୍ଷା ନ ହେଲେ ସୁଦ୍ଧା ମରେ ନାହିଁ; କିନ୍ତୁ ଆଉ କୌଣସି ଗଛ ଏପରି ରହିପାରିବ ନାହିଁ । ପୁଣି ଏତେ ଅଳ୍ପ ବର୍ଷା ହେଉଥିବାରୁ ଘାସ ଛଡ଼ା ଅନ୍ୟ କିଛି ହୋଇ ପାରେ ନାହିଁ । ତେଣୁ ଏ ଗରମ ଦେଶର ଘାସଭୂଇଁ ।


ଏଠି ଯେଉଁ ଯେଉଁ ଅଞ୍ଚଳରେ ବର୍ଷା ସାମାନ୍ୟ ବେଶୀ, ସେଠି ବୁଦିବୁଦିକିଆ ଜଙ୍ଗଲ ହୁଏ । ତଳେ ଘାସ ଜାଲ ପରି ବାନ୍ଧି ରଖିଥାଏ । ଉପରକୁ ଦୁଇ ଦୁଇ ପୁରୁଷ ଉଚ୍ଚ ହୋଇ ଘାସ ବଢ଼ିଥାଏ । ତହିଁରେ ବାଘ ସିଂହ ଛପି ଛପି ରହିଥାନ୍ତି । ଏଠି ଦୁଇ ପ୍ରକାର ଜନ୍ତୁ ଦେଖାଯାଆନ୍ତି । ଯେଉଁମାନେ ଘାସ ଖାଆନ୍ତି ପୁଣି ଯେଉଁମାନେ ସେମାନଙ୍କୁ ଖାଆନ୍ତି । ଅନେକ ପ୍ରକାର ବଣୁଆ ଛେଳି, ମେଣ୍ଢା, ହରିଣ, ଓଟ, ଗଧ, ଘୋଡ଼ା ଏଠି ଚରି ବୁଲନ୍ତି । ସେମାନଙ୍କୁ ଦୂରକୁ ଦୂରକୁ ଚରି ବୁଲିବାକୁ ହୁଏ ଓ ବାଘ ସିଂହଙ୍କ ଦାଉରୁ ପଳାଇବାକୁ ପଡେ଼ । ତେଣୁ ସେମାନେ ଖୁବ୍ ଶୀଘ୍ର ଦଉଡ଼ି ପାରନ୍ତି । ତଥାପି ସେମାନେ ବାଘ ହାବୁଡେ଼ ପଡ଼ନ୍ତି । ବାଘ ସିଂହ ଯହା ଛାଡ଼ିୁ ଚାଲିଯାଆନ୍ତି, ତାକୁ ବିଲୁଆ, ଗଧିଆ ଶେଷ କରିଦିଅନ୍ତି । ଏମୁ ଚଢେ଼ଇ, ଓଟ ଚଢେ଼ଇ ପ୍ରଭୃତି ବଡ଼ ବଡ଼ ଡେ଼ଣା ନ ଥିବା ଚଢେ଼ଇ ଡେ଼ଙ୍ଗା ଡେ଼ଙ୍ଗା ଗୋଡ଼ରେ ଏଠି ଦୌଡ଼ା ଦୌଡ଼ି କରନ୍ତି । ଯେତେ ଦୂରକୁ ଆଖି ଯାଏ, ଖାଲି ଘାସଭୂଇଁ । ଘସ ଉପରେ ଢେ଼ଉ ଖେଳାଇ ଯାଉଛି ଜୋର ପବନ । ଲୋକେ ଶିକାର କରି ଖାଆନ୍ତି, ନେହିଲେ ପଶୁ ପାଳନ୍ତି । ଏଠି ମକା, ବାଜରା, ଗହମ ପ୍ରଭୃତି ଚାଷ ହୋଇ ପାରେ ।

ଏପରି ଦେଶ ମଧ୍ୟ ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ଗରମ ଜଙ୍ଗଲ ଅଞ୍ଚଳ ଉପରକୁ ଓ ତଳକୁ ରହିଛି ।

No comments:

Post a Comment