Thursday, March 16, 2017

ଆମେ ଯେଉଁ ଚା ପିଉ


ଗୋପୀନାଥ ମହାନ୍ତି


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅନେକ ଲୋକ ସକାଳୁ ଉଠି ଚା ପିଅନ୍ତି । କାଉ କା କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଚା ପିଇବା ଦରକାର । ବିଲାତ ପ୍ରଭୃତି ଥଣ୍ଡା ଦେଶରେ ଚା ପିଇଲେ ଦେହ ଗରମ ରହେ । ଥଣ୍ଡା ପଡ଼ିଲେ ଚା ପିଇବା ଭଲ । ବେଶି ଚା ପିଇଲେ ତହିଁରେ ଯେଉଁ ଟାନିନ୍ ବିଷ ଥାଏ, ତଦ୍ୱାରା ଅପକାର ହୁଏ, ଭୋକ ମରିଯାଏ, ପେଟ ଫାମ୍ପେ, କଫ ହୁଏ, ଦେହ ଶୁଖିଯାଏ । ଚା ପିଇଲେ ଝୁଙ୍କରେ କାମ କରିହୁଏ । ପଖାଳ ତୋରାଣି ପିଇଲେ ତହିଁରେ ନିଦ ମାଡେ଼ । କାରଣ ତହିଁରେ ସାମାନ୍ୟ ଭାତ ଉକୁଟି ଯାଇ ସାମାନ୍ୟ ମଦ ହୋଇଯାଇଥାଏ ।

ଇଂରେଜମାନେ ଆସିବା ସଙ୍ଗେ ଭାରତ ବର୍ଷର ଲୋକେ ଚା ପିଇ ଶିଖିଲେ । ପୂର୍ବେ ଚିନ୍ ଦେଶରେ ଲୋକେ ଚା ପିଉଥିଲେ । ଅତି ପୂର୍ବେ ସେମାନେ ଚା ପତ୍ରକୁ ସାଗ ପରି ଖାଉଥିଲେ, ପାଣିକୁ ଫୋପାଡ଼ି ଦେଉଥିଲେ । ଚା ଗୋଟିଏ ଚିନ୍ ଶବ୍ଦ ।

ଚା ଗଛ ଆସାମ, ବ୍ରହ୍ମଦେଶ ଓ ଚିନ ଦେଶର ଜଙ୍ଗଲରେ ବଣୁଆ ହୋଇ ବଢ଼ୁଥିଲା । ଏ ଗଛ ପିଜୁଳି ଗଛ ପରି ଉଚ୍ଚ ହେଉଥିଲା । ବର୍ତ୍ତମାନ ରୀତିମତ ଚା ଗଛ କରାଯାଉଛି, ଗଛକୁ କାଟି କାଟି ଛୋଟ କରାଯାଉଛି । ହିମାଳୟ ପର୍ବତର ତଳି ପାହାଡ଼, ଆସାମ, ଦକ୍ଷିଣର ନୀଳଗିରି ପାହାଡ଼ ଓ ସିଂହଳ ଦ୍ୱୀପରେ ବେଶି ଚା ଚାଷ ହୁଏ ।

ଯେଉଁଠି ହାଲୁକା ବାଲିଆ ମାଟି ଥିବ, ପ୍ରଚୁର ବର୍ଷା ହୋଇ ପାଣି ବୋହିଯାଉଥିବ, ବର୍ଷସାରା ପବନରେ ପାଣି ବାମ୍ଫପୁର୍ଣ ରହିଥିବ, ଓଡ଼ିଶାରେ ଦଶହରା ସମୟରେ ଯେତିକି ଗରମ ହୁଏ, ବର୍ଷସାରା ସେତିକି ଗରମ ହେଉଥିବ, ସେପରି ସ୍ଥାନରେ ଚା ଭଲ ହେବ । ଯେଉଁ ଜମିରେ ପୂର୍ବେ ଘର ଥିଲା, ସେଠି ଚା ଉଧାଇବ ନାହିଁ । କାରଣ ସେଠି ମାଟି ବସିଯାଇଥିବ । ପାହାଡ଼ କଡ଼ରେ କ୍ଷେତ କାଟି ସେଠି ଚା ଲଗାଯାଏ । କାରଣ ସେଠି ବର୍ଷାପାଣି ତଳକୁ ଗଡ଼ି ଆସୁଥାଏ; କିନ୍ତୁ ସବୁକଥା ଭଲ ହେଲେ ପାହାଡ଼ ଅପେକ୍ଷା ତଳେ ଚା ଭଲ ହୁଏ ।

ଆସାମ ପ୍ରଦେଶରେ ଗାରୋ, ଖାସି ପ୍ରଭୃତି ପର୍ବତ ଅଛି । ଉପରେ ହିମାଳୟ, ମଝିରେ ନଈ । ପାହାଡ଼ କଡ଼ରେ ଓ ନଈ ଉପତ୍ୟକାରେ ଚା ଚାଷ ହୁଏ । ଆସାମର ଚା ବଗିଚାରେ କାମ କରିବା ପାଇଁ ଓଡ଼ିଶାରୁ ଅଂସଖ୍ୟ ଲୋକ ସେଠାକୁ ଯାଆନ୍ତି, କାରଣ ଦେଶରେ ଖାଇବାକୁ ମିଳେନାହିଁ; ବିଦେଶକୁ ଗଲେ ମୂଲ ଲାଗି ବଞ୍ଚିବେ ।

ଯେଉଁ ଗଛରୁ ମଞ୍ଜି ନିଆଯାଏ, ତାକୁ ସେହିପରି ଛାଡ଼ି ଦିଅନ୍ତି । ସେ ତିରିଶ ଚାଳିଶ ଫୁଟ ଉଚ୍ଚକୁ ବଢ଼ିଯାଏ । ଦଶହରା ଦେବୀ ପୂଜା ସମୟରେ ଗଛରେ ପହିଲି ମୁଥ ଫୁଲ ଧରେ, ପୁଣି ଆର ମୁଥକ ଫୁଲ ଧରିବା ପାଇଁ ହରିତାଳିକା ପର୍ଯ୍ୟନ୍ତ ଚାଲିଯାଏ । ମଞ୍ଜି ପାଚୁ ପାଚୁ ବରଷେ ଚାଲିଯାଏ । ତା ପରେ ମଞ୍ଜିକୁ ତୋଳି ଲଗାଇବା ପାଇଁ ବିଦେଶକୁ ପଠାଇ ଦିଅନ୍ତି । ମଞ୍ଜି ବେଶି ଦିନ ଘରେ ରହିଗଲେ ଆଉ ଗଛ ହୁଏ ନାହିଁ । ତା ପରେ ମଞ୍ଜି ତଳି ପକାଇବା ପାଇଁ କ୍ଷେତ ତିଆରି ହୁଏ । ତହିଁରେ ଗୋବର ଦେଇ ମାଟିକୁ ଖୁବ ଭଲ କରି ଠିକଣା କରାଯାଏ । ପାଣି ଯିବା ପାଇଁ ସିଅ କାଟି ଦିଆଯାଏ । ଛାଡ଼ି ଛାଡ଼ି ଇଞ୍ଚେ ଲେଖାଏଁ ଗହିରକୁ ମଞ୍ଜି ପୋତି ଦିଅନ୍ତି । ଗଛ ଉଠିବା ମାତ୍ରେ ତା ଉପରେ ମସିଣା ବା ଘାସ ଚେକା ଦେଇ ଛାମୁଡ଼ିଆ ବାନ୍ଧି ଦିଅନ୍ତି । ଛ ମାସ ବା ବର୍ଷକର ଚାରା ହେଲେ ସେଠୁ ଉଠାଇ ନେଇ ଅଲଗା କ୍ଷେତରେ ରୋପି ଦିଅନ୍ତି । ଏ ଜମିକୁ ବଡ଼ ସାବଧାନରେ ତିଆରି କରାଯାଇଥାଏ । ଘାସର ଚେର, ଗଛର ଖୁଣ୍ଟା ଯାହା କିଛି ଥାଏ, ଜମିକୁ ଚାଷ କରିସାରି ସେ ସବୁ ଓପାଡ଼ି ଫୋପାଡ଼ି ଦିଅନ୍ତି । ତା ପରେ ବଡ଼ ବଡ଼ ଗାତ କରି ତହିଁରେ ଚାରା ଗୁଡ଼ିକୁ ମାଟି ମିଶା କରି ଆଣି ପୋତି ଦିଅନ୍ତି । ପରେ ସୁବିଧା ଦେଖି ଖତ, ଗୋବର, ଘର ଅଳିଆ ବା ପିଡ଼ିଆ ସାର ଦିଅନ୍ତି ।

ଗଛ ରୋପିସାରିଲା ପରଠାରୁ କୁଲିମାନଙ୍କର ପରିଶ୍ରମ ବଢେ଼ । କାରଣ ବର୍ଷାରେ କେତେ ଏଣୁ ତେଣୁ ବାଜେ ଗଛ ଆଉ ଘାସ ଉଠେ । ସେ ଗୁଡ଼ାକୁ ଗୋଟି ଗୋଟି କରି ଉପାଡ଼ିବାକୁ ପଡେ଼ । ବେଶି ବର୍ଷା ହେଲେ ବେଶି ଅଗଛିଆ ଉଠେ; ତେଣୁ ପାଣ କାଦୁଅରେ ତିନ୍ତି ବୁଡ଼ି ଆଣ୍ଠେଇ ପଡ଼ି ଖଟିବାକୁ ହୁଏ ।

ଶୀତଦିନ ହୋଇ ଆସିଲେ ଚା ଗଛକୁ ଛାଣ୍ଟି ଦିଆଯାଏ । କାରଣ ଛାଣ୍ଟି ଦେଲେ ଗଛ ଝଙ୍କା ହେବ ଓ ତହିଁରେ ବେଶି ପତ୍ର ହେବ । ଏହି ଛାଣ୍ଟିବା କାମଟି ବଡ଼ କଷ୍ଟ ଓ ଏଥିରେ ଅନେକ ବୁଦ୍ଧି ଦରକାର ପଡେ଼ । ଗଛକୁ ଆଦୌ ଉପରୁକୁ ବଢ଼ିବାକୁ ଦିଆଯାଏ ନାହିଁ । ମାର୍ଚ୍ଚ ମାସ ହୋଇଗଲେ ପତ୍ର ଖୁଣ୍ଟିବା ଆରମ୍ଭ ହୁଏ । କୁଲିମାନେ ପିଠିରେ ଟୋକେଇ ଝୁଲାଇ ଅଗଅଗର କଅଁଳିଆ ପତ୍ର ଖୁଣ୍ଟିବାରେ ଲାଗି ଯାଆନ୍ତି । ଏ କଅଁଳିଆ ପତ୍ର ହିଁ ଭଲ ଚା ହୁଏ । ସ୍ଥାନେ ସ୍ଥାନେ ପାହାଡ଼ ଉପରୁ ତେର୍ଛା ହୋଇ ତଳକୁ ତାର ଟଣା ହୋଇଥାଏ । ଟୋକେଇ ପୂରିଗଲେ ତାକୁ ତାରରେ ଗଳାଇ ଦିଅନ୍ତି । ସେ କାରଖାନାକୁ ସଡ଼୍ ସାଡ଼୍ ଖସିଆସେ ।

କାରଖାନାରେ ପ୍ରଥମେ ପତ୍ରଗୁଡ଼ାକୁ ଦିନ ଗୋଟାଏ ବନ ବାଉଁସ ଡ଼ାଲାରେ ମଉଳିବାକୁ ରଖି ଦିଆଯାଏ । ତା ପରେ ସେଗୁଡ଼ାକୁ ମେସିନ୍ ରେ ପକାଯାଏ । କଳରେ ପତ୍ରଗୁଡ଼ାକ ଚିପି ହୋଇ ଦଳି ହୋଇଯାଏ । ତା ଭିତରୁ ରସ ବାହାରି ଉପରଯାକ ଲାଗିଯାଏ । ଗୋଟିଏ ସନ୍ତସନ୍ତିଆ ଥଣ୍ଡା ଅନ୍ଧାର ଘରେ ଖୁବ ପରିଷ୍କୃତ ପରିଛନ୍ନ କରି ଅନ୍ୟ ଡ଼ାଲା ମାନଙ୍କରେ ପତ୍ରଗୁଡ଼ାକୁ ରଖି ଦିଆଯାଏ । ପ୍ରାୟ ଛ ଘଣ୍ଟା ରଖିବା ଉତାରୁ ପତ୍ରଗୁଡ଼ାକ କସରା ହୋଇଯାଏ । ତହିଁରୁ ଚା ର ବାସ୍ନା ବାହାରେ । 

ଏ ସମୟଟି ଜଗିବାର କଥା । କାରଣ ବେସି ବେଳ ବା ଅଳ୍ପ ବେଳ ହୋଇଗଲେ ଚା ନଷ୍ଟ ହୋଇଯିବ । ତାହା ଉତାରୁ ଏ ଡ଼ାଲା ଭିତରେ ବିଜୁଳି ପଙ୍ଖା ସାହାଯ୍ୟରେ ଖୁବ ଗରମ ପବନ ଫୁଙ୍କା ଯାଇ ପତ୍ରଗୁଡ଼ାକୁ ଶୁଖାଯାଏ । ତହୁଁ ଗୋଟାଏ ମସ୍ତବଡ଼ ଚାଲୁଣିରେ ପୁରାଇ ବଡ଼ ପତ୍ର, ଛୋଟ ପତ୍ର ଓ ଗୁଣ୍ଡିକୁ ଅଲଗା କରାଯାଏ । ତା ପରେ ଶେଷରେ ଥରେ ସେକିଦେଇ ଅନ୍ୟ କୋଠରିକୁ ବନ୍ଦକରିବାପାଇଁ ନିଆଯାଏ । ସେଠି କାଠର ବାକ୍ସ ଭିତରେ ଶିସା ପାତିଆ ଦେଇ ତହିଁରେ ଚା କୁ ବନ୍ଦ କରାଯାଏ । ଯେପରିକି ବାହାର ପବନ ଆଦୌ ପଶି ପାରିବ ନାହିଁ । ପବନ ପଶିଲେ ଚା ଖରାପ ହୋଇଯିବ ।

ଅତଏବ ଆମେ ଯେଉଁ ଚା ଖାଉଛୁ ତହିଁରେ ଏତେ ପରିଶ୍ରମ ଓ ଏତେ ଉପାୟ ହୋଇ ସେ ଆମର ଚା କେଟଲିକୁ ଆସୁଛି । ଗୋଟାଏ କପ ଚାକୁ ଚାରି ପଇସା ଦାମ, ତେଣୁ ବୁଝିପାରୁଛ, ଚା ଗଛ ନୁହେଁ ସେ ଟଙ୍କା ଗଛ । ସେଥିପାଇଁ ଏତେ ଯତ୍ନ ଏତେ ପରିଶ୍ରମ । 

No comments:

Post a Comment