Friday, March 31, 2017

ସୂର୍ଯ୍ୟ 


ଫକୀର ମୋହନ ସେନାପତି


ତ୍ରୁନ୍ଧୋଲ୍ମ ସୂର୍ଯ୍ୟରଥ (ଦିନାମାର ଦେଶ, ୧୩୫୦ ଖ୍ରୀଷ୍ଟପୂର୍ବ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସୂର୍ଯ୍ୟ ଏକ ମହାଗ୍ରହ । ଏହି ମହାଗ୍ରହ ଯେଉଁ ଜଗତର କେନ୍ଦ୍ର, ତାହାକୁ ସୌରଜଗତ ବୋଲି । ଆମ୍ଭମାନଙ୍କର ବାସଭୂମି ଏହି ପୃଥିବୀ ସୌରଜଗତର ଅନ୍ତର୍ଭୁକ୍ତ । ଆମ୍ଭେମାନେ ସୂର୍ଯ୍ୟଠାରୁ ତେଜ ଓ ଆଲୋକ ପ୍ରାପ୍ତ ହୋଇ ପ୍ରାଣଧାରଣ କରୁଅଛୁଁ । ଗ୍ରହ, ଉପଗ୍ରହ, ଧୂମକେତୁ ଓ ଉଲ୍କାପିଣ୍ଡ ନାମରେ ଅନେକ ଜ୍ୟୋତିଷ୍କ ଅନୁକ୍ଷଣ ସୂର୍ଯ୍ୟମଣ୍ଡଳକୁ ପ୍ରଦକ୍ଷିଣ କରୁଛନ୍ତି ଏବଂ ଅନନ୍ତ ଆକାଶରେ ସୂର୍ଯ୍ୟାକର୍ଷଣରେ ରକ୍ଷିତ ହୋଇ ଅଛନ୍ତି । ଯେଉଁ ସକଳ ଜ୍ୟୋତିଷ୍କ କେବଳ ସୂର୍ଯ୍ୟକୁ ପ୍ରଦକ୍ଷିଣ କରନ୍ତି ସେମାନଙ୍କୁ ଗ୍ରହ ଓ ଯେଉଁ ଜ୍ୟୋତିଷ୍କମାନେ କୌଣସି ଗ୍ରହକୁ ପ୍ରଦକ୍ଷିଣ କରନ୍ତି ସେମାନଙ୍କୁ ଉପଗ୍ରହ ବୋଲି । ଆଉ ଗୃହମାର୍ଜନୀ ପହଁରା ସଦୃଶ ଯେଉଁ ଜ୍ୟୋତିଷ୍କ ସୂର୍ଯ୍ୟକୁ ପ୍ରଦକ୍ଷିଣ କରେ, ତାହାର ନାମ ଧୂମକେତୁ ।

ଉଲ୍କାପିଣ୍ଡମାନ କେତେକ ଭଗ୍ନ ଗ୍ରହ, ସେମାନ ସୂର୍ଯ୍ୟ ଚାରିଆଡ଼େ ଭ୍ରମଣ କରୁଁ କରୁଁ ଯେଉଁ ଗ୍ରହର ନିକଟବର୍ତ୍ତୀ ହୁଏ, ସେଥିରେ ଆକୃଷ୍ଟ ହୋଇ ପଡ଼ିଯାଏ ।

ସୂର୍ଯ୍ୟର ଆକାର ଗୋଲ, ଉତ୍ତର ଦକ୍ଷିଣରେ କିଞ୍ଚିତ୍ ଚେପା । ସୂର୍ଯ୍ୟର ବ୍ୟାସ ପ୍ରାୟ ୪୪୩୫୦୦  କୋଶ । ୨୫ ଦିନ ୮ ଘଣ୍ଟା ୯ ମିନିଟ୍ ରେ ଏ ଥରେ ସ୍ୱକୀୟ ନାଭିକୁ ବେଷ୍ଟନ କରଇ । ପୃଥିବୀଠାରୁ ସୂର୍ଯ୍ୟ ୪୭୫୦୦୦୦୦ କ୍ରୋଶ ଦୂରରେ ଅବସ୍ଥିତ ଏବଂ ପୃଥିବୀଠାରୁ ୧୩୮୪୪୭୨ ଗୁଣ ବଡ଼ ଅଟେ । ସବୁ ଗ୍ରହକୁ ଠୁଳକଲେ ଯେତେ ହେବ ସୂର୍ଯ୍ୟ ତାହାଠାରୁ ୮୩୮ ଗୁଣ ବଡ଼ ।

ସୂର୍ଯ୍ୟରୁ ଯେ ପ୍ରଖର ତେଜ ଆସଇ ତାହା ତାହାର ନିଜ ଅଙ୍ଗଜାତ ନୁହଇ, ସୂର୍ଯ୍ୟର ଚତୁର୍ଦିଗରେ ଏକ ପ୍ରକାର ତେଜୋମୟ ବାୟୁରାଶି ଅଛି; ସେହି ବାୟୁ ରାଶିରୁ ଜ୍ୟୋତିଃ ଆସି ପୃଥିବ୍ୟାଦି ଗ୍ରହରେ ପତିତ ହୁଅଇ । ଗ୍ରହମାନେ ନିଜ କକ୍ଷରେ ଭ୍ରମଣ କରୁଁ କରୁଁ ଯେଉଁ ଗ୍ରହର ଯେଉଁ ପାର୍ଶ୍ୱ ସୂର୍ଯ୍ୟଆଡ଼କୁ ପଡ଼ଇ ସେ ପାର୍ଶ୍ୱ ଆଲୋକିତ ଓ ତାହାର ବିପରୀତ ପାର୍ଶ୍ୱ ଅନ୍ଧକାର ବିଶିଷ୍ଟ ହୋଇଥାଏ ।

ସୂର୍ଯ୍ୟାଲୋକରେ ଅବଶ୍ୟ ଜୀବମାନେ ବାସ କରୁଅଛନ୍ତି । ଆମ୍ଭେମାନେ ସୂର୍ଯ୍ୟଠାରୁ କିଛି କମ ପାଞ୍ଚକୋଟୀ କ୍ରୋଶ ଦୂରରେ ରହି ତହିଁରୁ ଆସୁଥିବା କିରଣ ସହିପାରୁନାହୁଁ, ତେବେ କିପରି ସେ ଜୀବମାନେ ସେ ଅସହନୀୟ ତେଜ ସହିପାରୁଅଛନ୍ତି ? ଏଥିରେ ସନ୍ଦେହ କରିବା ବୃଥା । ପରମ ବିଜ୍ଞାନବିତ୍ ପରମେଶ୍ୱର ସେଠା ଜୀବମାନଙ୍କୁ ଏଭଳି ଅଙ୍ଗବିଶିଷ୍ଟ କରି ନିର୍ମାଣ କରିଅଛନ୍ତି ଯେ ସେମାନଙ୍କର ସେ ମହାତେଜ ନିକଟରେ ଥିବା ଯୋଗୁଁ କୌଣସି କଷ୍ଟ ଅନୁଭବ ହେଉନାହିଁ ।

ସୂର୍ଯ୍ୟ ଏକଠାବରେ ସ୍ଥିର ନୁହଇ । ଗ୍ରହ ଉପଗ୍ରହାଦି ଘେନି ନିୟତ ଆକାଶ ପଥରେ ଧାବିତ ହେଉଅଛି; ତେଣୁ ଶନି, ବୁଧ, ବୃହଷ୍ପତି, ଶୁକ୍ର, ପୃଥିବୀ ଓ ମଙ୍ଗଳାଦି ଗ୍ରହମାନଙ୍କର ସୂର୍ଯ୍ୟଠାରୁ ଯେଉଁ ଦୂରତା ତାହାର ଯେ କୌଣସି ଉଣା ଅଧିକ ହେଉଅଛି ଏମନ୍ତ ନୁହଇ, ସଦା ଏକଭାବରେ ରହିଅଛି ।      

No comments:

Post a Comment