Thursday, August 17, 2017

ଉତ୍ତମ ମଧ୍ୟମ

କବି - ଜଗନ୍ନାଥ ପ୍ରସାଦ ଦାସ

ପାଞ୍ଚ ପ୍ରକାରର କୁକୁରଙ୍କର ଚିତ୍ର (୧୫୪୭ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କେଉଁ ଡାକଟି ସବୁଠୁ ଖର
କୁକୁର କହିଲା, ଭୋ ଭୋ
କେଉଁ ତମାଖୁ ସବୁଠୁ ଭଲ
ବିଲୁଆ କହିଲା, ହୁକା ହୋ ।

କେଉଁ ଗୀତଟି ସବୁଠୁ ମିଠା
ବେଙ୍ଗ କହିଲା, କଟର କେଁ
କେଉଁ ମାସଟି ସବୁଠୁ ଚିଟା
ଛେଳି କହିଲା, ମେ ମେ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Monday, August 14, 2017

ଜନ୍ତୁ ପରନ୍ତୁ

କବି - ଜଗନ୍ନାଥ ପ୍ରସାଦ ଦାସ

ମାର୍କୋ ପୋଲୋ (୧୨୫୪-୧୩୨୪) ଝିଙ୍କ ଶିକାର କରୁଥିବାର ଦୃଶ୍ୟ
ତାଙ୍କର ଜୀବଦଶାରେ ପ୍ରକାଶିତ ଦି ଟ୍ରାଭେଲ୍ସ୍ ଅଫ୍ ମାର୍କୋ ପୋଲୋ ବହିରୁ ଉଦ୍ଧୃତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଘୁଷୁରି ଘୁଷୁରୁଥାଏ ବାର ବାଜେ  ବାରହାର
ଚିତା ବାଘ ଚିତା କାଟେ ପାରା ଚଢ଼େ ପାରାର 
ଶାଗୁ ଖାଏ ଶାଗୁଣା କୁଆ କୁଆମଇତା
ମାଙ୍କଡ଼ ମାଙ୍କଡ଼ଚିତ ଭରତିଆ ଭରତା ।

ଚଟିଯାଏ ଚଟିଆ ଓଲୁବନେ ଉଲୁକ
ଗଧ ଯାଏ ଗାଧୋଇ ପେଚ କଷେ ପେଚକ ।

କପି ବସି କପି କରେ ବୁଲୁ ଥାଏ ବୁଲବୁଲ
ହାତ କରି ନିଏ ହାତୀ ମଶା ହୁଏ ମଶଗୁଲ ।

ଝିଙ୍କି ନିଏ ଝିଙ୍କ ଓଟ ନିଏ ଓଟାରି
ହଂସା ଉଡ଼େ ହଂସର ଶାରୀ କହେ, ସରି !

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Sunday, August 13, 2017

ତିନି ରାୟ

କବି - ଜଗନ୍ନାଥ ପ୍ରସାଦ ଦାସ

କବିବର ରାଧାନାଥ ରାୟ (୧୮୪୮-୧୯୦୮)
ଫଟୋ କ୍ରେଡ଼ିଟ  - ୱିକିମିଡ଼ିଆ କମନ୍ସ୍

ତିନି ଜଣ ରାୟ ଥିଲେ ଓଡ଼ିଶାରେ ଏକଦା
କଲମ ତାଙ୍କର ଚାଲୁଥିଲା ସଦା ସର୍ବଦା ।
ଲେଖିଲେ ରାମଶଙ୍କର କାଞ୍ଚିକା-
ବେରୀ ଏବଂ ରାଧାନାଥ ଚିଲିକା
ଗୌରୀଶଙ୍କରଙ୍କର ଦୀପିକା
କହିଲେ ଓଡ଼ିଆ ଲୋକେ : ବାହା ବା ! ବାହା ବା !  

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Saturday, August 12, 2017

କିଏ କେମିତି ଗଲା 

କବି - ଜଗନ୍ନାଥ ପ୍ରସାଦ ଦାସ

ଆମେରିକାର ହ୍ୟାନ୍ୱେଲ୍-ବ୍ରେଣ୍ଟଫୋର୍ଡ଼୍ ଟ୍ରାମ୍ ସେବା (୧୯୧୦ ମସିହା ପାଖାପାଖି)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶତପଥୀ ଗଲେ ଫଟଫଟିରେ
ପିଟର ଚାଲିଲା ସ୍କୁଟର ଧରି
ମାଇକେଲ ଗଲା ସାଇକେଲରେ
ମଟୁ ବାବୁ ଗଲେ ମଟର ଚଢ଼ି ।

ରାମ ବାବୁଙ୍କର ଟ୍ରାମ ସୁବିଧା
ବାସୁ ବାବୁଙ୍କର ଟାଉନ୍ ବସ୍
ପ୍ଲେନରେ ଉଡ଼ିଲେ ମିସେସ ସେନ
ଚାଲି ଚାଲି ଗଲା ଚରଣ ଦାସ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

ଓତା ବାବୁ

କବି - ଜଗନ୍ନାଥ ପ୍ରସାଦ ଦାସ

ଜାପାନୀ ଲେଖା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆସିକାର ଓତାବାବୁ ଖୋଲିଥିଲେ କମ୍ପାନୀ
ନାଁରୁ ଭାବିଲେ ଲୋକେ ଓସାକାର ଜାପାନୀ; 
ଅତି ଖୁସି ହୋଇ ଓତା
ଶିଖିଲେ ଜାପାନୀ କଥା :
ଓହାଇଓ ଗୋଜାଇମାସୁ ଆରିଗାତୋ ତାମାନୀ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Thursday, August 10, 2017

ବୁଲୁ ପଟନାୟକ

କବି - ଜଗନ୍ନାଥ ପ୍ରସାଦ ଦାସ

୧୬୬୫ ମସିହାରେ ବମ୍ବେ ଦୁର୍ଗର ଦୁଇଟି ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବଲାଙ୍ଗୀରପାଟନାର ବୁଲୁ ପଟନାୟକ
ଯାଇଥିଲା ବମ୍ବେକୁ ହେବା ପାଇଁ ନାୟକ,
ହିରୋ ହେବା ନୋହିଲା
ତଥାପି ସେ ରହିଲା -
ହୋଇ ଯାଇ ପାରେ ଯଦି ପ୍ଲେବ୍ୟାକ ଗାୟକ !

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Tuesday, August 01, 2017

ପିଲାଙ୍କ ପାଇଁ କବିତା - 'ଚିଠି'

କବି - ଜଗନ୍ନାଥ ପ୍ରସାଦ ଦାସ

ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଟଙ୍କା ପାଇଁ ବାପାଙ୍କୁ ସେ ଲେଖିଥିଲା ବିକଳେ
ଚିଠିଟି ପଠାଇଥିଲା ଏକ୍ସପ୍ରେସ ଡାକରେ,
ତିନି ମାସ ଚାହିଁ ଚାହିଁ
ଅନେକ ମୋହର ନେଇ
ସେଇ ଚିଠି ପହଞ୍ଚିଲା ଫେରି ତା' ପାଖରେ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।