Tuesday, February 06, 2018

ଦ୍ରାଘିମା କଅଣ ?


ଅନୁବାଦ - ବିଶ୍ୱଜିତ ଆପଟ

ବିନା ଅକ୍ଷାଂଶରେ ଦ୍ରାଘିମାର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଭୂପୃଷ୍ଠର କୌଣସି ସ୍ଥାନର ଅବସ୍ଥିତି ଜାଣିବାକୁ ହେଲେ ସେହି ସ୍ଥାନର ଅକ୍ଷାଂଶ ସହ ଆଉ କିଛି ଅଧିକ ଜାଣିବାକୁ ହେବ । ଉଦାହରଣ ସ୍ୱରୂପ, ପ୍ରଶାନ୍ତ ମହାସାଗରରେ ଥିବା ଟୋଙ୍ଗା ଦ୍ୱୀପ ଓ ଭାରତ ମହାସାଗରରେ ଥିବା ମରିସସ୍ ଦ୍ୱୀପ ଗୋଟିଏ ସମାକ୍ଷରେଖା ଉପରେ ଅବସ୍ଥିତ ଯାହାର ଅକ୍ଷାଂଶ ହେଉଛି ୨୦° . । ଏବେ ସେମାନଙ୍କ ସଠିକ ସ୍ଥିତି ନିର୍ଣ୍ଣୟ କରିବା ପାଇଁ ଜାଣିବାକୁ ହେବ ଉତ୍ତର ମେରୁ ଠାରୁ ଦକ୍ଷିଣ ମେରୁକୁ ଯୋଡୁଥିବା ଏକ ସନ୍ଦର୍ଭ ରେଖାରୁ ଏହି ସ୍ଥାନଗୁଡିକ କେତେ ଦୂର ପୂର୍ବ ବା ପଶ୍ଚିମରେ ଅବସ୍ଥିତ । ଉତ୍ତର ମେରୁ ଓ ଦକ୍ଷିଣ ମେରୁ ସଂଯୋଗ କରୁଥିବା ଏହି ଅର୍ଦ୍ଧବୃତ୍ତାକାର ସନ୍ଦର୍ଭ ରେଖାଗୁ଼ଡିକୁ ମଧ୍ୟନ୍ଦିନ ରେଖା କୁହାଯାଏ । ଏମାନଙ୍କ ମଧ୍ୟରେ ଦୂରତାକୁ ଦ୍ରାଘିମାର କୋଣ ଦ୍ୱାରା ମପାଯାଏ । ଦ୍ରାଘିମାର ପ୍ରତ୍ୟେକ ଡିଗ୍ରୀ ମିନିଟରେ ବିଭକ୍ତ ହୁଏ ଓ ପ୍ରତ୍ୟେକ ମିନିଟ ସେକେଣ୍ଡରେ ବିଭକ୍ତ ହୁଏ । ମେରୁ ଆଡକୁ ଗଲେ ସେମାନଙ୍କ ମଧ୍ୟରେ ଦୂରତା ଧୀରେ ଧୀରେ ହ୍ରାସ ପାଏ ଓ ମେରୁଠାରେ ଏହା ଶୂନ୍ୟ ହୁଏ ଯେଉଁଠାରେ ସବୁ ମଧ୍ୟନ୍ଦିନ ରେଖା ପରସ୍ପର ସହ ମିଶିଯାଅନ୍ତି ।

ସମାକ୍ଷରେଖାଗୁଡିକର ଦୈର୍ଘ୍ୟ ଭିନ୍ନ ଭିନ୍ନ କିନ୍ତୁ ସବୁ ମଧ୍ୟନ୍ଦିନ ରେଖାଗୁଡିକର ଦୈର୍ଘ୍ୟ ସମାନ । ଏଣୁ ସେମାନଙ୍କୁ କ୍ରମିକ ସଂଖ୍ୟା ଦେବା କଷ୍ଟକର । ପୃଥିବୀର ସବୁ ଦେଶଙ୍କ ସମ୍ମତି କ୍ରମେ ଇଂଲଣ୍ଡର ଗ୍ରୀନିଚ୍ ଠାରେ ସ୍ଥାପିତ ବ୍ରିଟିଶ୍ ରୟାଲ୍ ଏବଜରଭେଟୋରୀ ଦେଇ ଯାଇଥିବା ଦ୍ରାଘିମା ରେଖାଠାରୁ ଗଣନା ଆରମ୍ଭ କରାଯାଇଛି । ଏହି ମଧ୍ୟନ୍ଦିନ ରେଖାକୁ ପ୍ରଧାନ ମଧ୍ୟନ୍ଦିନ ରେଖା କୁହାଯାଏ । ଏହାର ମାନ ୦° ଓ ଏହାଠାରୁ ୧୮୦° ପୂର୍ବକୁ ଓ ୧୮୦° ପଶ୍ଚିମକୁ ଦ୍ରାଘିମା ମପାଯାଇଥାଏ । ପ୍ରଧାନ ମଧ୍ୟନ୍ଦିନ ରେଖା ଓ ୧୮୦° ଦ୍ରାଘିମା ପୃଥିବୀକୁ ଦୁଇ ସମାନ ଭାଗରେ ବିଭକ୍ତ କରିଥାଏ । ପ୍ରଧାନ ମଧ୍ୟନ୍ଦିନ ରେଖାର ପୂର୍ବ ପାର୍ଶ୍ୱସ୍ଥ ଅର୍ଦ୍ଧାଂଶକୁ ପୂର୍ବ ଗୋଲାର୍ଦ୍ଧ ଓ ଅପର ଅର୍ଦ୍ଧାଂଶକୁ ପଶ୍ଚିମ ଗୋଲାର୍ଦ୍ଧ କୁହାଯାଏ । ଏଣୁ କୌଣସି ସ୍ଥାନର ଦ୍ରାଘିମା ଲେଖିଲା ବେଳେ ପୂର୍ବ ପାଇଁ ପୂ. ଓ ପଶ୍ଚିମ ପାଇଁ ପ. ଯୋଡାଯାଏ । ରୋଚକ ତଥ୍ୟଟି ଏହି ଯେ ୧୮୦° ପୂ. ଓ ୧୮୦° . ଦ୍ରାଘିମା ରେଖା ଦ୍ୱୟ ଗୋଟିଏ ହିଁ ରେଖା ଅଟନ୍ତି ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Monday, February 05, 2018

ପିଲାଙ୍କ ପାଇଁ ବନ୍ଧୁ ସ୍ୱାଗତ ଗୀତ

ସଙ୍ଗ୍ରାହକ - ଭାରତଚନ୍ଦ୍ର ନାୟକ


ଇଣ୍ଡୋନେସିଆ ଦେଶର ବାଲି ଦ୍ୱୀପର ଗୁଆକାତି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆସିଲ ବନ୍ଧୁ ଭଲ କଲ ବସିବାକୁ ନାହିଁ ଠାଆ ।
ପିଢ଼ା ଖଣ୍ଡେ ଦିଅନ୍ତି ବନ୍ଧୁ ବଢ଼େଇ ଘରେ ବାହା ।।

ପାଣି ଢାଳେ ଦିଅନ୍ତି ବନ୍ଧୁ ଦଦରା ମାଠିଆ ।
ତୋରାଣୀ ମୂନ୍ଦେ ଦିଅନ୍ତି ବନ୍ଧୁ ବାପ ଘରେ ମାଆ ।।

ଚୂଡ଼ା ଗଣ୍ଡେ ଦିଅନ୍ତି ବନ୍ଧୁ କେଉଟୁଣୀକି ଜର ।
ପଇଡ଼ ପୁଞ୍ଜେ ଦିଅନ୍ତି ବନ୍ଧୁ ବାଉରି ଖାଇଛି ମାଡ଼ ।।

ପାନ ଖଣ୍ଡେ ଦେଇଥା'ନ୍ତି ଘରେ ତ ନାହିଁ ଗୁଆ ।
ସାଇପଡ଼ିଶାରୁ ମାଗିଆଣନ୍ତି ଛାଡ଼ୁ ତ ନାହିଁ ଛୁଆ ।।

ପାଣି ଢାଳେ ଦେଇଥାନ୍ତି ଘରେ ତ ନାହିଁ ଲୋଟା ।
ସାଇପଡ଼ିଶାରୁ ମାଗିଆଣନ୍ତି ଗୋଡ଼ଟା ହୋଇଛି ଛୋଟା ।।

ତେଲ ଟିକିଏ ଦିଅନ୍ତି ବନ୍ଧୁ ମୁଣ୍ଡରେ ନାହିଁ ବାଳ ।
ଘଷା ଘଷି କରିଦିଅନ୍ତି ବହିଯାଆନ୍ତା ଝାଳ ।।

ବାଟେଇ ଦେଇ ଯାଆନ୍ତି ବନ୍ଧୁ ଗୋଡ଼ରେ ହୋଇଛି ଘା ।
ଯେଉଁ ବାଟେ ବାଟେ ଅଇଲ ବନ୍ଧୁ ସେହି ବାଟେ ବାଟେ ଯାଆ ।।

ଉତ୍ସ - ମୋର ପୂର୍ବସ୍ମୃତି କଥା । ଲେଖକ - ଭାରତଚନ୍ଦ୍ର ନାୟକ । ପ୍ରଥମ ସଂସ୍କରଣ - ୧୯୬୬ । ଦ୍ୱିତୀୟ ସଂସ୍କରଣ - ୨୦୧୪ । ଦ୍ୱିତୀୟ ସଂ‌ସ୍କରଣର ପ୍ରକାଶକ ଅଗ୍ରଦୂତ (କଟକ) ।

Tuesday, January 30, 2018

ଶିକ୍ଷାବିଧାନରେ ନିଷ୍ଠା

ଗୋପବନ୍ଧୁ ଦାଶ


ଯୁକ୍ତରାଜ୍ୟ ଆମେରିକାର ୱିସ୍କନ୍‌ସିନ୍ ରାଜ୍ୟର ଭିରୋକ୍ୱାଠାରେ ସ୍ଥିତ ଶ‌ିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ପ୍ରଚଳିତ ଶିକ୍ଷାବିଧାନରେ ପରିଦର୍ଶନ-କର୍ମଚାରୀଙ୍କ ସଙ୍ଖ୍ୟା ପୂର୍ବଠାରୁ ଖୁବ୍ ବଢ଼ା ଯାଇଅଛି । ଶିକ୍ଷକମାନଙ୍କୁ ଉପଯୁକ୍ତ କରିବା ନିମନ୍ତେ ସରକାର ସ୍ଥାନେ ସ୍ଥାନେ ଟ୍ରେନିଂ ସ୍କୁଲ ଫିଟାଇ ଅଛନ୍ତି । ଶିକ୍ଷକ ଓ ପରିଦର୍ଶନ କର୍ମଚାରୀମାନଙ୍କୁ ସେହି ସବୁ ଟ୍ରେନିଂ ସ୍କୁଲମାନଙ୍କରେ ପଢ଼ାଇବାକୁ ସରକାରଙ୍କର ମଧ୍ୟ ଭାରି କଟକଣା, ତଥାପି ଏ ଦେଶର ଶିକ୍ଷକ ଓ ପରିଦର୍ଶକ ସାଧାରଣ ଶିକ୍ଷାର କୌଣସି କୌଣସି ମନୋବିଜ୍ଞାନଗତ ବିଧାନ ପ୍ରତି ତାଦୃଶ ନିଷ୍ଠାବାନ ହେବାର ଦେଖାଯାଉ ନାହିଁ । ଟ୍ରେନିଂ ସ୍କୁଲମାନଙ୍କରରେ ଯେଉଁ ସବୁ ବିଧାନ ଶିକ୍ଷା ଦିଆଯାଉଅଛି, ସେ ସବୁ ଯେ ଏକାବେଳେକ ଏ ଦେଶରେ ଚଳିପାରିବ ତାହା ସର୍ବଦା ସମ୍ଭବ ନୁହେଁ । ସରକାରଙ୍କର ବିଧାନ ଯାହା ହେଉ କ୍ଷେତ୍ରରେ କର୍ମ କରିବା ଶିକ୍ଷକ ଓ ପରିଦର୍ଶକମାନଙ୍କର କାର୍ଯ୍ୟ । ଦେଶରେ ପ୍ରଚଳିତ ବିଧାନ ସଙ୍ଗେ ନବ ବିଧାନ ଯଥା ସମ୍ଭବ ମିଶାଇ ନେବାକୁ ହେବ । ନୀରସ ଶିକ୍ଷାକାର୍ଯ୍ୟରେ ସର୍ବଦା ଜୀବନ ଓ ସରସତା ଫୁଟାଇବାକୁ ହେବ । ମାତ୍ର ସରକାରଙ୍କର ଶତ ସଦିଚ୍ଛା ସତ୍ତ୍ୱେ ଏ ଦିଗରେ ବିଶେଷ କାର୍ଯ୍ୟ ହେଉଛି କି ନା ସନ୍ଦେହ ।

ଇଉରୋପର ଚିନ୍ତାଶୀଳ ବ୍ୟକ୍ତିମାନେ ଏ ବିଷୟରେ ସର୍ବଦା ନୂତନ ନୂତନ ମତ ପ୍ରଚାର କରୁଅଛନ୍ତି ଏବଂ ସେ ସବୁ ଯଥାସମ୍ଭବ ଏ ଦେଶକୁ ଆମଦାନି ହୋଇ ଟ୍ରେନିଂ ସ୍କୁଲମାନଙ୍କରେ ଶିକ୍ଷା ଦିଆଯାଉଅଛି । କିନ୍ତୁ ଯେଉଁମାନଙ୍କୁ ତାହା ଶିକ୍ଷା ଦିଆଯାଉଅଛି, ସେମାନେ ସବୁବେଳେ ତାହାର ନୂତନତ୍ୱର ଗାରିମା ଓ ଉପଯୋଗିତା ପ୍ରତି ସମ୍ୟକ ପ୍ରଣିଧାନ ଦେଉ ନାହାନ୍ତି । ସେ ଦିନ ଶିଶୁମାନଙ୍କ ନିମନ୍ତେ ଫ୍ରୋବେଲ ପ୍ରଚଳିତ କିଣ୍ଡର ଗାର୍ଟନ ବିଧାନ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଥିଲା ଶିକ୍ଷକମାନେ ତାକୁ ପଢ଼ି ଆସି କଳର ପିତୁଳା ପରି ନିଜ ନିଜ ସ୍କୁଲମାନଙ୍କର ଆବୃତ୍ତି କରିବାକୁ ଲାଗିଲେ । କିନ୍ତୁ କିଣ୍ଡର ଗାର୍ଗନ ବିଧାନ ଯେ ଶିଶୁମାନଙ୍କର ଭିତରର ଶକ୍ତି ବିକାଶ କରାଇ ଅତର୍କିତ ଭାବରେ ଶିଶୁମାନଙ୍କୁ ବହିଜଗତର ଶକ୍ତିରାଶି ସମ୍ପର୍କରେ ଆଣିବାକୁ ହେବ ବୋଲି କଳ୍ପିତ ହୋଇଥିଲା ଏବଂ ସେଥିରେ କୌଣସି ନୂତନ ଜ୍ଞାନ ନ ଦେଇ ଶିଶୁପ୍ରାଣରେ ସ୍ୱାଭାବିକ ଆତ୍ମବିକାଶ ପନ୍ଥା ଅବଲମ୍ୱନ କରି ଜ୍ଞାନରାଜ୍ୟର ବିଭାଗ ସବୁ ଅଧିକାର କରିବାରେ ଶିଶୁକୁ ସାହାଯ୍ୟ କରିବାକୁ ହେବ, ଏ କଥା କେତେ ଜଣ ଶିଶୁ ଶିକ୍ଷକ ମନ ଦେଇ ଆଲୋଚନା କରିଅଛନ୍ତି ? ଅବଶ୍ୟ ଏଠାରେ କହିବାର ଅଛି, ଫ୍ରୋବେଲ ପ୍ରଦର୍ତ୍ତିତ ପ୍ରଣାଳୀ ଆମ୍ଭମାନଙ୍କୁ ଚାଟଶାଳୀ ଶିକ୍ଷା ପକ୍ଷରେ ନିତାନ୍ତ ନୂତନ ଏବଂ ଦୁଇଟି ବିପରୀତ ଭାବାପନ୍ନ କହିଲେ ଚଳେ । ଏଥିରେ ଶିଶୁକୁ କିଛି ଶିଖାଇବାକୁ ହୁଏ ନାହିଁ । କୌଣସି ନୂତନ ଜ୍ଞାନ ଶିଶୁକୁ ଦେଲେ ଶିଶୁର ମାନସିକ ବିକାଶ ପ୍ରତିହତ ହୁଏ ବୋଲି ଫ୍ରେବେଲଙ୍କର ମତ । ଚାଟଶାଳୀର ଶୋଧୀପଣିକିଆ ସଙ୍ଗେ ଏହା ହଠାତ୍ ଖାପ ଖାଇବ କାହୁଁ ?

କିନ୍ତୁ ବର୍ତ୍ତମାନ ଶିକ୍ଷକମାନଙ୍କୁ ପାଠଟୀକା କରିବାକୁ ଶିକ୍ଷା ଦିଆଯାଉଅଛି ହାରବାଟ ସାହେବଙ୍କ ପଞ୍ଚସୋପାନ ପଦ୍ଧତି ସେଥିରେ ପ୍ରଧାନ ଅବଲମ୍ୱନ । ଏ ପଦ୍ଧତିରେ ନୂତନତ୍ୱ ବିଶେଷ ନାହିଁ । ମନୋବିଜ୍ଞାନରେ ଏହାର ମୂଳ ଦେଖି ବସିଲେ ଫ୍ରୋବେଲ ପଦ୍ଧତିର ଏହା ସମ୍ପୂର୍ଣ୍ଣ ବିପରୀତ । ଆମ୍ଭମାନଙ୍କର ପ୍ରାଚୀନ ଚାଟଶାଳୀ ଶିକ୍ଷାଦାନ ରୀତି ବୈଜ୍ଞାନିକ ଭାବରେ ଆଲୋଚନା କଲେ ସେଥିରେ ପଞ୍ଚସୋପାନ ପଦ୍ଧତି ଅଛି । ବସ୍ତୁତଃ ନୂତନ ଜ୍ଞାନ ଦେବା ହିଁ ପଞ୍ଚସୋପାନ ପଦ୍ଧତିର ଲକ୍ଷ୍ୟ । ଛାତ୍ରର ଆତ୍ମାବିକାଶ ଅବାନ୍ତର ଫଳ ମାତ୍ର । ତେଣୁ ଶିକ୍ଷାବିଧାନରେ ଏହି ଏ ପଦ୍ଧତି ବର୍ତ୍ତମାନ ପାଇଁ ଆମ୍ଭମାନଙ୍କ ଦେଶରେ ବିଶେଷ ଉପଯୋଗୀ । ଶିକ୍ଷାରେ ଯେଉଁ ଶିଳ୍ପ ଚଳି ଆସୁଥିଲା ଏହା ତାହାର ବୈଜ୍ଞାନିକ ଆଲୋଚନା ମାତ୍ର । ସୁଖର କଥା ଯେଉଁମାନଙ୍କ ହାତରେ ଦେଶର ସାଧାରଣ ଶିକ୍ଷାର ଭାର ଅଛିସେମାନେ ଏ ସବୁ ଆଲୋଚନା ପ୍ରତି ଆସ୍ଥାଦାନ ହେଉଅଛନ୍ତି ନିଜର ଶିକ୍ଷାପଦ୍ଧତିକୁ ବୈଜ୍ଞାନିକ ପ୍ରଣାଳୀରେ ଚଳାଇବାକୁ ପ୍ରୟାସ କରୁଅଛନ୍ତି । ଏ ସମ୍ପର୍କରେ ଆମ୍ଭେମାନେ ଏହି ପତ୍ରରେ ପ୍ରକାଶିତ କଟକ ବିରିବାଟି ଗୁରୁ ଟ୍ରେନିଂ ସ୍କୁଲ ପଣ୍ଡିତ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ପଢ଼ାଇବାରେ ପଞ୍ଚସୋପାନ ପଦ୍ଧତି ଶୀର୍ଷକ ପ୍ରବନ୍ଧ ପ୍ରତି ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରୁଅଛୁଁ । ପଞ୍ଚସୋପାନ ପଦ୍ଧତିର ବିଜ୍ଞାନ କାର୍ଯ୍ୟରେ କିପରି ଅନୁବର୍ତ୍ତନ କରିବାକୁ ହେବତାହା ସେ ଯଥାସାଧ୍ୟ ଉଦାହରଣରେ ବୁଝାଇଅଛନ୍ତି । ତାଙ୍କର ପ୍ରବନ୍ଧ ପଞ୍ଚସୋପାନ ପଦ୍ଧତିର ବୈଜ୍ଞାନିକ ବ୍ୟାଖ୍ୟା ଶିକ୍ଷକ ସାଧାରଣଙ୍କୁ ଦେଇଅଛି । ଏହାଛଡ଼ା ଏ ପ୍ରବନ୍ଧ ପଢ଼ାଇବା ଶିଳ୍ପ ସଙ୍ଗେ ବିଜ୍ଞାନ ମିଳାଇ ଆଲୋଚନା କରିବା ନିମନ୍ତେ ଶିକ୍ଷକ ଓ ପରିଦର୍ଶକମାନଙ୍କର ଆଗ୍ରହ ଜନ୍ମାଇବା ବୋଲି ଆଶା ହୁଏ । ଟ୍ରେନିଂ ସ୍କୁଲରେ ଶିକ୍ଷାଦିଆଯାଏ ବୋଲି କଳଚାଞ୍ଚରେ ତିଆରି କଲେ ହେଲା ନାହିଁ । ମୌଳିକ ଆଲୋଚନା ବିନା କୌଣସି ବିଧାନରେ ସରସତା ବା ସଜୀବତା ଆସିବା ସମ୍ଭବ ନୁହେଁ ।

(ସତ୍ୟବାଦୀ ୨ୟ ଖଣ୍ଡ, ପ୍ରଥମ ଓ ଦ୍ୱିତୀୟ ସଂଖ୍ୟା ୧୯୧୬)

Monday, January 29, 2018

ପୃଥିବୀର ତାପମଣ୍ଡଳ

ଅନୁବାଦ - ବିଶ୍ୱଜିତ ଆପଟ


ପୃଥିବୀର ଜଳବାୟୁ ମଣ୍ଡଳ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)

କର୍କଟକ୍ରାନ୍ତି ଓ ମକରକ୍ରାନ୍ତି ମଧ୍ୟସ୍ଥ ସମାକ୍ଷରେଖାଗୁଡିକରେ ମଧ୍ୟାହ୍ନର ସୂର୍ଯ୍ୟ ବର୍ଷରେ ଅତି କମରେ ଥରୁଟିଏ ହେଲେ ମଧ୍ୟ ଠିକ୍ ମୁଣ୍ଡ ଉପରେ ରହେ । ଏଣୁ ଏହି ଅଞ୍ଚଳ ସୂର୍ଯ୍ୟଠାରୁ ସର୍ବାଧିକ ଉତ୍ତାପ ପାଇଥାଏ । ଏହାକୁ ଗ୍ରୀଷ୍ମମଣ୍ଡଳ କୁହାଯାଏ ।

କର୍କଟକ୍ରାନ୍ତି ଓ ମକରକ୍ରାନ୍ତି ମଧ୍ୟସ୍ଥ ଅଞ୍ଚଳକୁ ଛା଼ଡି ଦେଲେ ଅନ୍ୟ କୌଣସି ସମାକ୍ଷରେଖାରେ ମଧ୍ୟାହ୍ନର ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ରହେ ନାହିଁ । ମେରୁ ଆଡକୁ ଗଲେ ସୂର୍ଯ୍ୟକିରଣ ତୀର୍ଯ୍ୟକ ଭାବରେ ପଡେ । ଏଣୁ କର୍କଟକ୍ରାନ୍ତି ଓ ସୁମେରୁ ବୃତ୍ତର ମଧ୍ୟବର୍ତ୍ତୀ ଅଞ୍ଚଳ ଓ ମକରକ୍ରାନ୍ତି ଓ କୁମେରୁ ବୃତ୍ତର ମଧ୍ୟବର୍ତ୍ତୀ ଅଞ୍ଚଳକୁ ନାତିଶୀତୋଷ୍ଣ ମଣ୍ଡଳ କୁହାଯାଏ ।

ଉଭୟ ଗୋଲାର୍ଦ୍ଧରେ ମେରୁ ବୃତ୍ତ ଓ ମେରୁ ମଧ୍ୟବର୍ତ୍ତୀ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ । କାରଣ ଏହି ଅଞ୍ଚଳରେ ସୂର୍ଯ୍ୟ ଦିଗବଳୟରୁ ବେଶୀ ଉପରକୁ ଯାଏ ନାହିଁ । ସୂର୍ଯ୍ୟକିରଣ ଖୁବ୍ ତୀର୍ଯ୍ୟକ ଭାବେ ପଡେ ଓ ଖୁବ୍ କମ୍ ଉତ୍ତାପ ମିଳେ । ଏଣୁ ଦୁଇ ଗୋଲାର୍ଦ୍ଧରେ ଥିବା ଏହି ଦୁଇ ଅଞ୍ଚଳକୁ ହିମମଣ୍ଡଳ କୁହାଯାଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Sunday, January 28, 2018

ବିଦ୍ୟାର୍ଥୀଙ୍କ ଭୋଜନ ବ୍ୟବସ୍ଥା

ଗୋପବନ୍ଧୁ ଦାଶ


ହଙ୍ଗେରୀ ଦେଶର ବୁଦାପେଷ୍ଟର ହଷ୍ଟେଲର ଚିତ୍ର (ୱିକିମିଡିଆ କମନ୍ସ୍)


ଆଜିକାଲି ଶିକ୍ଷାବିଧାନ ଯେପରି ହୋଇଅଛି, ସେଥିରେ ଯାହାର ଧନ ନାହିଁ ସେ ପଢ଼ି ପାରିବ ନାହିଁ । ସେବ କାଳେ ଏ ଦେଶର ରୀତି ଏପରି ନ ଥିଲା । ଶିକ୍ଷାରେ ଧନୀ ଦରିଦ୍ରର ପାର୍ଥକ୍ୟ ନ ଥିଲା । ବିଦ୍ୟାର୍ଥ ଗୁରୁଙ୍କ ନିକଟରେ ପହଞ୍ଚିଲେ ତାଙ୍କର ଯେଉଁ କୌଣସି ମତେ ପଢ଼ିବାର ବ୍ୟବସ୍ଥା ହେଉଥିଲା । ଶିକ୍ଷାର୍ଥୀମାନଙ୍କ ଭରଣପୋଷଣ ନିମନ୍ତେ ସମାଜ ଏବଂ ରାଜା ଆପାଣକୁ ଦାୟୀ ମନେ କରୁଥିଲେ । ପିତାର କର୍ତ୍ତବ୍ୟ କେବଳ ଗୁରୁଗୃହକୁ ପଠାଇବା । ତହିଁ ପରେ ଇତିକର୍ତ୍ତବ୍ୟତା ଗୁରୁଙ୍କ ଉପରେ ଏବଂ ସମାଜ ଉପରେ । ଆଜିକାଲି ଦରିଦ୍ର ଛାତ୍ରମାନଙ୍କ ସାହାଯ୍ୟ ଉଦ୍ଦେଶ୍ୟରେ ଅନେକ ସ୍ଥଳେ ଗରିବ-ଛାତ୍ରପାଣ୍ଠି ବ୍ୟକ୍ତିଗତ ଭାବରେ ମଧ୍ୟ କେହି କେହି ଧନୀ ଏବଂ ପଦସ୍ଥ ବ୍ୟକ୍ତି ଗରିବ ଛାତ୍ରମାନଙ୍କୁ ଅର୍ଥ ସାହାଯ୍ୟ କରିଥାଆନ୍ତି । କିନ୍ତୁ ଏ ଶ୍ରେଣୀର ଛାତ୍ର ସଙ୍ଖ୍ୟା ଏତେ ଅଧିକ ଯେ ଅର୍ଥ ସାହାଯ୍ୟର ଯେତେ ପ୍ରକାର ଭିନ୍ନ ଭିନ୍ନ ପନ୍ଥା ଫିଟପାରେ ତେତେ ଭଲ ।

ମାନ୍ଦ୍ରାଜ ଅଞ୍ଚଳରେ ଦେଖାଯାଏକେତେକ ବ୍ୟକ୍ତି ପାଳି କରି ନିଜ ନିଜ ଘରେ ଛାତ୍ରମାନଙ୍କୁ ଖାଇବାକୁ ଦିଅନ୍ତି । ନଗଦ ଅର୍ଥ ସାହାଯ୍ୟ ଅପେକ୍ଷା ଏ ପନ୍ଥା ଅନେକଙ୍କ ପକ୍ଷେ ସୁବିଧାଜନକ । ଘରେ ଆଠ ଦଶ ଜଣର ରୋଷେଇ ହୁଏ । ସେଥିରେ ଜଣେ ଦୁଇ ଜଣ ଛାତ୍ର ମାସ ମଧ୍ୟରେ କେତେ ଦିନ ଖାଇଲେ ଜଣାପଡିବ ନାହିଁ । କୌଣସି କୌଣସି ପରିବାରରେ ବେହିସାବ ଖର୍ଚ୍ଚରେ ଯେତେ ନଷ୍ଟ ହୁଏ ସେଥିରେ ନିୟମିତରୂପେ କେତୋଟି ଅଭାବଗ୍ରସ୍ଥ ଛାତ୍ର ସ୍ୱଚ୍ଛନ୍ଦ ଚଳିପାରନ୍ତି । ଏ ବ୍ୟବସ୍ଥା ଦ୍ୱାରା ଛାତ୍ର ରନ୍ଧନକଷ୍ଟରୁ ଅବ୍ୟାହତି ପାଇବ । ସେ ଯଦି କୌଣସି ଛାତ୍ର ଦଳ ମଧ୍ୟରେ ଥାଏତାହା ହେଲେ ସାହାଯ୍ୟଧନରୁ ଚାକର ପୂଜାରୀଙ୍କ ବେତନ ଦେବାକୁ ପଡିବ । ପୁଣି ସାହାଯ୍ୟକାରୀଙ୍କଠାରେ ନଗଦ ପଇସା ନ ଥିଲେ ଅନେକ ସମୟରେ ଛାତ୍ରକୁ ବାରମ୍ବାର ଫେରିବାକୁ ପଡ଼େ । କିନ୍ତୁ ପାରିବାରିକ ପରିସର ମଧ୍ୟରେ ଥରେ ତାହାର ସ୍ଥାନ ଓ ସମୟ ନିରୂପିତ ହୋଇଗଲେ ଏ ସବୁ ଅସୁବିଧା ଘଟିବ ନାହିଁ । ଶିଳ୍ପସାହିତ୍ୟସମାଜ ସଂସ୍କାର ସମସ୍ତଙ୍କ ମୂଳରେ ଶିକ୍ଷା । ସାମାନ୍ୟ ପ୍ରାଥମିକ ଶିକ୍ଷା ହେଉ ପଛକେ ଦେଶବାସୀ ତାହା ପାଆନ୍ତି। ଏଥି ନିମନ୍ତେ ଯାହା ଶକ୍ତିରେ ଯାହା ଅଛି, ସେ ତାହା ନ ଦେଲେ କର୍ତ୍ତବ୍ୟରେ ହାନି ହେବ ।

(ସତ୍ୟବାଦୀ ୨ୟ ଖଣ୍ଡ ପ୍ରଥମ ଓ ଦ୍ୱିତୀୟ ସଂଖ୍ୟା ୧୯୧୬)

Saturday, January 27, 2018

ଅକ୍ଷାଂଶ ଓ ଦ୍ରାଘିମା


ଅନୁବାଦ - ବିଶ୍ୱଜିତ ଆପଟ


ଅକ୍ଷାଂଶ ଓ ଦ୍ରାଘିମା (ୱିକିମିଡିଆ କମନ୍ସ୍)

ପୂର୍ବ ଅଧ୍ୟାୟରେ ତୁମେ ପଢିଛ ଯେ ଆମ ଗ୍ରହ ପୃଥିବୀ ସମ୍ପୂର୍ଣ୍ଣ ଗୋଲାକାର ନୁହେଁ । ଏହା ଉତ୍ତର ଓ ଦକ୍ଷିଣ ମେରୁ ପାଖରେ ଟିକେ ଚେପଟା ଓ ମଧ୍ୟଭାଗରେ ଟିକେ ସ୍ଫୀତ । ଏହା କୁପରି ଦିଶେ ତୁମେ କଳ୍ପନା କରିପାରୁଛ ? ଏହାର ଏକ ଧାରଣା ପାଇବା ପାଇଁ ଶ୍ରେଣୀଗୃହରେ ଥିବା ଗ୍ଲୋବକୁ ତୁମେ ଭଲଭାବରେ ନିରୀକ୍ଷଣ କର । ଗ୍ଲୋବ ପୃଥିବୀର ଛୋଟ ଆକାରରେ ଏକ ବାସ୍ତବିକ ପ୍ରତିରୂପ ଅଟେ ।

ବିଭିନ୍ନ ଆକାର ଓ ପ୍ରକାରର ଗ୍ଲୋବ ରହିଛି ; ବଡ ଗ୍ଲୋବ – ଯେଉଁଗୁଡିକୁ ନେବାଆଣିବା କଷ୍ଟ, ପକେଟରେ ରଖିପାରିବା ଭଳି ଗ୍ଲୋବ ତଥା ବେଲୁନ ପରି ଗ୍ଲୋବ ଯାହାକୁ ଫୁଲାଯାଇପାରିବ ଓ ଯାହା ନେବାଆଣିବା ପାଇଁ ମଧ୍ୟ ସହଜ । ଗ୍ଲୋବ ସ୍ଥିର ରହେ ନାହିଁ । କୁମ୍ଭାର ଚକ ଅଥବା ନଟୁ ପରି ଏହାକୁ ବୁଲାଯାଇପାରେ । ଗ୍ଲୋବ ଉପରେ ଦେଶ, ମହାଦେଶ ଓ ମହାସାଗରଗୁଡିକୁ ସେମାନଙ୍କର ବାସ୍ତବ ଆକାର ଅନୁଯାୟୀ ଦର୍ଶାଯାଇଥାଏ ।

ପୃଥିବୀ ପରି ଏକ ବିଶାଳ ଗୋଲକରେ କୌଣସି ଏକ ବିନ୍ଦୁର ଅବସ୍ଥିତିକୁ ବର୍ଣ୍ଣନା କରିବା ଏକ କଠିନ ବ୍ୟାପାର । ତେବେ ପ୍ରଶ୍ନ ହେଉଛି ପୃଥିବୀ ପୃଷ୍ଠରେ କୌଣସି ସ୍ଥାନକୁ କିପରି ଚିହ୍ନଟ କରିବା ? ଏଥିପାଇଁ ଆମକୁ କିଛି ରେଖା ଓ ବିନ୍ଦୁମାନଙ୍କ ଦ୍ୱାରା ଗଠିତ ଏକ ସନ୍ଦର୍ଭର ଆବଶ୍ୟକତା ରହିଛି ।

ତୁମେ ଦେଖିଥିବ ଯେ ଗୋଟିଏ ଛୁଞ୍ଚି ଗ୍ଲୋବ ମଧ୍ୟ ଦେଇ ଢଳି ପଡିଥିବା ଅବସ୍ଥାରେ ରହିଥାଏ । ଏହା ଗ୍ଲୋବର ଅକ୍ଷଯେଉଁ ଦୁଇଟି ବିନ୍ଦୁ ଦେଇ ସେହି ଛୁଞ୍ଚିଟି ଯାଇଥାଏ, ସେଗୁଡିକ ଦୁଇ ମେରୁକୁ ସୂଚାଇଥାଆନ୍ତି – ଉତ୍ତର ମେରୁ ଓ ଦକ୍ଷିଣ ମେରୁ । ଗ୍ଲୋବକୁ ଏହି ଛୁଞ୍ଚି ଚାରିପାଖରେ ପୃଥିବୀର ଗତି ପରି ପଶ୍ଚିମରୁ ପୂର୍ବକୁ ବୁଲାଯାଇପାରିବ । କିନ୍ତୁ ମନେ ରଖ ଯେ ଏ ଦୁଇଟି ଜିନିଷରେ ଗୋଟିଏ ଫରକ ଅଛି – ପୃଥିବୀରେ ବାସ୍ତବରେ ଏପରି କୌଣସି ଛୁଞ୍ଚି ନାହିଁ । ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲେ ଯାହା ଏକ କାଳ୍ପନିକ ରେଖା ଅଟେ ।

ଆଉ ଗୋଟିଏ କାଳ୍ପନିକ ରେଖା ଗ୍ଲୋବକୁ ଦୁଇ ସମାନ ଭାବରେ ବିଭକ୍ତ କରେ । ଏହାକୁ ବିଷୁବବୃତ୍ତ କୁହାଯାଏ । ପୃଥିବୀର ଉତ୍ତର ଭାଗରେ ଥିବା ଅଂଶଟିକୁ ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଭାଗରେ ଥିବା ଅଂଶକୁ ଦକ୍ଷିଣ ଗୋଲାର୍ଦ୍ଧ କୁହାଯାଏ । ଏହି ଦୁଇଟି ସମାନ ଅର୍ଦ୍ଧେକ ଅଟନ୍ତି ।

ଏଣୁ ବିଷୁବବୃତ୍ତ ପୃଥିବୀ ଉପରେ ଏକ କାଳ୍ପନିକ ବୃତ୍ତ ଅଟେ । ପୃଥିବୀ ଉପରେ ବିଭିନ୍ନ ସ୍ଥାନର ଅବସ୍ଥିତି ଜାଣିବା ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସନ୍ଦର୍ଭ ଅଟେ । ବିଷୁବବୃତ୍ତ ଠାରୁ ମେରୁ ଯାଏଁ ସମସ୍ତ ସମାନ୍ତର ବୃତ୍ତଗୁଡିକୁ ସମାକ୍ଷରେଖା କୁହାଯାଏ । ସମାକ୍ଷରେଖାଗୁଡିକ ମଧ୍ୟରେ ଥିବା କୌଣିକ ଦୂରତାକୁ ଅକ୍ଷାଂଶ କୁହାଯାଏ ଯାହା ଡିଗ୍ରୀ ଦ୍ୱାରା ମାପ କରାଯାଏ ।

ବିଷୁବବୃତ୍ତଟି ୦ ଡିଗ୍ରୀ ବା ୦° ଅକ୍ଷାଂଶ ଅଟେ । ଦୁଇ ମେରୁ ଦେଇ ବୃତ୍ତଟିଏ ଅଙ୍କନ କଲେ ବିଷୁବବୃତ୍ତ ଠାରୁ ଦୁଇ ମେରୁର ଦୂରତା ଏହି ବୃତ୍ତର ଏକ-ଚତୁର୍ଥାଂଶ ହେବ । ଏଣୁ ମେରୁର ଅକ୍ଷାଂଶ ହେବ ୩୬୦° ର ୧/୪ ଅର୍ଥାତ୍ ୯୦° ଉତ୍ତର ଗୋଲାର୍ଦ୍ଧରେ ୯୦° ଅକ୍ଷାଂଶଟି ଉତ୍ତର ମେରୁକୁ ସୂଚାଏ ଓ ଦକ୍ଷିଣ ଗୋଲାର୍ଦ୍ଧରେ ୯୦° ଅକ୍ଷାଂଶଟି ଦକ୍ଷିଣ ମେରୁକୁ ସୂଚାଏ ।

ବିଷୁବବୃତ୍ତର ଉତ୍ତରରେ ଅବସ୍ଥିତ ସବୁ ସମାକ୍ଷରେଖାଗୁଡିକୁ ଉତ୍ତର ଅକ୍ଷାଂଶ କୁହାଯାଏ ଓ ଦକ୍ଷିଣରେ ଥିବା ସବୁ ସମାକ୍ଷରେଖାଗୁଡିକୁ ଦକ୍ଷିଣ ଅକ୍ଷାଂଶ କୁହାଯାଏ ।

ପ୍ରତ୍ୟେକ ଅକ୍ଷାଂଶର ମାନ ସହିତ ଏହାର ଦିଗ ଅର୍ଥାତ ଉତ୍ତର କିମ୍ବା ଦକ୍ଷିଣ ଲେଖାଯାଇଥାଏସାଧାରଣତଃ ଏହାକୁ ଉ. ବା ଦ. ଲେଖାଯାଏ । ଉଦାହରଣ ସ୍ୱରୂପ, ମହାରାଷ୍ଚ୍ରରେ ଥିବା ଚନ୍ଦ୍ରପୁର ଓ ବ୍ରାଜିଲ୍ (ଦକ୍ଷିଣ ଆମେରିକା) ରେ ଅବସ୍ଥିତ ବେଲୋ ହୋରିଜାଣ୍ଚ୍ ସ୍ଥାନ ଦୁଇଟି ୨୦° ଅକ୍ଷାଂଶ ଉପରେ ରହିଛନ୍ତି । କିନ୍ତୁ ଚନ୍ଦ୍ରପୁର ବିଷୁବବୃତ୍ତର ୨୦° ଉତ୍ତରରେ ଓ ବେଲୋ ହୋରିଜାଣ୍ଟ୍ ବିଷୁବବୃତ୍ତର ୨୦° ଦକ୍ଷିଣରେ ଅବସ୍ଥିତ । ଏଣୁ ଆମେ କହିବା ଯେ, ଚନ୍ଦ୍ରପୁର ୨୦° . ଅକ୍ଷାଂଶରେ ଓ ବେଲୋ ହୋରିଜାଣ୍ଟ ୨୦° ଦକ୍ଷିଣ ଅକ୍ଷାଂଶ ଉପରେ ଅବସ୍ଥିତ । ଚିତ୍ର କ୍ରମାଙ୍କ ୨.୨ ରୁ ସ୍ପଷ୍ଟ ଜଣାପଡୁଛି ଯେ ଯେମିତି ଆମେ ବିଷୁବବୃତ୍ତରୁ ଦୂରକୁ ଯିବା ଅକ୍ଷାଂଶଗୁଡିକର ଆକାର କ୍ରମେ ହ୍ରାସ ପାଇବ । 

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Tuesday, January 23, 2018

ଉତ୍କଳରେ ଶିକ୍ଷା ଆନ୍ଦୋଳନ

ଗୋପବନ୍ଧୁ ଦାଶ


ଡେକାନ ଏଜୁକେସନ ସୋସାଇଟିର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦିନ ଥିଲା ଯେବେ ବିଦ୍ୟାଳୟକୁ ପିଲା ପଠାଇବା ଲାଗି ଲୋକଙ୍କୁ ପ୍ରବର୍ତ୍ତାଇବାକୁ ପଡୁଥିଲା । ସ୍ଥାନେ ସ୍ଥାନେ ଏବେ ମଧ୍ୟ ସେ ଅବସ୍ଥା ଅଛି । କିନ୍ତୁ ମୋଟ ଉପରେ ଆଜିକାଲି ଓଡ଼ିଶାର ଚାରିଆଡେ ଶିକ୍ଷା ନିମନ୍ତେ ଲୋକଙ୍କର ଆଗ୍ରହ ଦେଖାଯାଉଅଛି । ଶିକ୍ଷିତ ଓ ନେତୃସ୍ଥାନୀୟ ବ୍ୟକ୍ତିମାନେ ଏତେବେଳେ ଅବସ୍ଥା ଜାଣି ବ୍ୟବସ୍ଥା କରିବା ଉଚିତ । ପଢ଼ିବାକୁ ଅନେକ ଛାତ୍ର ବ୍ୟାକୁଳ । ପଢାଇବାକୁ ଅଭିଭାବକ ମଧ୍ୟ ବ୍ୟାକୁଳ । କିନ୍ତୁ ଅନେକଙ୍କର ଉପାୟ ନାହିଁ । ତଥାପି ପୁରାତନ ବିଦ୍ୟାଳୟ କଥା ଛାଡ଼ନ୍ତୁ ନୂତନ ବିଦ୍ୟାଳୟମାନ ଅତି ଅଳ୍ପ ସମୟ ମଧ୍ୟରେ ଜନାକୀର୍ଣ୍ଣ ହୋଇ ଯାଉଅଛି । ତେଣୁ ଆହୁରି ନୂତନ ବିଦ୍ୟାଳୟ ସ୍ଥାପନ ହେଉଅଛି । ସୁଖର କଥା ସ୍ଥାନେ ସ୍ଥାନେ ଲୋକେ ଏ ଆବଶ୍ୟକତା ବୁଝୁଛନ୍ତି ଏବଂ ନୂତନ ବିଦ୍ୟାଳୟ ସ୍ଥାପନ ଲାଗି ଯତ୍ନ କରୁଅଛନ୍ତି ।

ଗତ କେତେ ମାସ ମଧ୍ୟରେ ଗଞ୍ଜାମର ସୋରାଡ଼ା ଖଲ୍ଲିକୋଟ ଆସ୍କା ଏହି ତିନି ସ୍ଥାନରେ ନୂତନ ବିଦ୍ୟାଳୟମାନ ସ୍ଥାପିତ ହୋଇଅଛି । ସେ ସବୁ ଅଞ୍ଚଳର ଶିକ୍ଷିତ ବ୍ୟକ୍ତିମାନେ ଉତ୍ସାହ ଓ ସ୍ୱାର୍ଥତ୍ୟାଗ ସହକାରେ କାର୍ଯ୍ୟ ଆରମ୍ଭ କରିଅଛନ୍ତି । ଅତି ଅଳ୍ପ ଦିନ ମଧ୍ୟରେ ଶତଶତ ଛାତ୍ର ପ୍ରବେଶ କରିଅଛନ୍ତି । ସମ୍ପ୍ରତି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋର ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପରିଣତ କରିବାର ଆୟୋଜନ ଚାଲିଅଛି । କନିକାର ଉତ୍ସାହୀ ରାଜା ମହୋଦୟ ନିଜଗଡ଼ ବିଦ୍ୟାଳୟକୁ ଉଚ୍ଚ ଇଂରାଜୀ ବିଦ୍ୟାଳୟ କରିବାରେ ବନ୍ଦୋବସ୍ତ କରୁଅଛନ୍ତି । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଏପରି ଉଦ୍ୟମ ଦେଖିଲେ ପ୍ରାଣରେ ବାସ୍ତବିକ ଆହ୍ଲାଦ ଆସେ । ଏହି ସବୁ କ୍ଷୁଦ୍ର ବୃହତ୍ ସ୍ଥାନୀୟ ଶିକ୍ଷା ଉଦ୍ୟମମାନଙ୍କୁ ଶୃଙ୍ଖଳାବଦ୍ଧ କରି ଗୋଟିଏ ଜାତୀୟ ଶିକ୍ଷା ଆନ୍ଦୋଳନର ଅଙ୍ଗୀଭୂତ କରିବା ଆବଶ୍ୟକ ହୋଇଅଛି । କେବଳ ସେକେଣ୍ଡେରୀ ସ୍କୁଲରେ ପାସକଲେ କିମ୍ୱା ମାଟ୍ରିକ୍ୟୁଲେସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଯଥେଷ୍ଟ ହେଲା ନାହିଁ । ବର୍ତ୍ତମାନ ଶିକ୍ଷାର ଏପରି କ୍ରମ ନିର୍ଦ୍ଦିଷ୍ଟ ହେବା ଆବଶ୍ୟକ ହୋଇଅଛି ଯେପରି କି ଗଞ୍ଜାମ ଓଡିଶା ମଧ୍ୟରେ ଶିକ୍ଷାର ବିଷୟ ଓ ପ୍ରଣାଳୀରେ ବିଶେଷ କିଛି ପାର୍ଥକ୍ୟ ନ ରହିବ । ପୁଣି ସ୍ୱଳ୍ପ ବ୍ୟୟରେ କିପରି ସୁଶିକ୍ଷା ଦିଆଯିବ, ତହିଁର ବ୍ୟବସ୍ଥା କରିବା ଅତୀବ ପ୍ରଯୋଜନ । ଶିକ୍ଷା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ଏବଂ ବ୍ୟାବହାରିକ ଶିଳ୍ପ ଜ୍ଞାନର ବୃଦ୍ଧି ଲାଗି ଉପାୟ ଉଦ୍‌ଭାବିତ ହେବା ଉଚିତ ।

ସ୍କୁଲରେ ଦେଶର ଅବସ୍ଥା ଓ ଅଭାବ ଏବଂ ଭବିଷ୍ୟତର ସମ୍ଭାବନା ପ୍ରଭୃତି ସକଳ ବିଷୟ ପ୍ରତି ଲକ୍ଷ୍ୟ ରଖି ସମସ୍ତ ଶିକ୍ଷାନୁଷ୍ଠାନ ପରିଚାଳିତ ହେବା ଉଟିତ । ସମଗ୍ର ଉତ୍କଳଭାଷୀ ପ୍ରଦେଶରେ ଏହି ଉଦ୍ଦେଶ୍ୟରେ ଏକ ଶିକ୍ଷା ସଙ୍ଘ ଗଠିତ ହେଲେ ଅସଙ୍ଗତ ହେବନାହିଁ । ମହାରାଷ୍ଟ୍ର ରାଜ୍ୟରେ ଦାକ୍ଷିଣାତ୍ୟ ଶିକ୍ଷା ସଙ୍ଘ (ଡେକାନ୍ ଏଜୁକେସନ୍ ସୋସାଇଟି) ବହୁ ଦିନରୁ କାର୍ଯ୍ୟକରି ଆସୁଅଛି । ପୁନା ଫର୍ଗୁସନ କଲେଜ ଏହି ସଙ୍ଘର କାର୍ଯ୍ୟ । ବଙ୍ଗଳାରେ ଜାତୀୟ ଶିକ୍ଷା ସମିତି ଅନ୍ୟାନ୍ୟ ଭାରତର ନାନା ଅଞ୍ଚଳରେ ଦେଖାଯାଏ । ସମୂହ ଚେଷ୍ଟାରେ ଯେ କାର୍ଯ୍ୟ ଶୀଘ୍ର ଅନେକ ଦୂର ଅଗ୍ରସର ହେବ, ଏହା ବୋଲିବା ବାହୁଲ୍ୟ ।

(ସତ୍ୟବାଦୀ, ୧ମ ଖଣ୍ଡ ୬ଷ୍ଠ ସଂଖ୍ୟା-୧୯୧୫)