Tuesday, September 11, 2018
“ଚରିତ୍ରଂ ହି ପରଂ ବଳଂ” - ୨
ଗୋପବନ୍ଧୁ ଦାସ
![]() |
| ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ବାଳକମାନେ
ତୁମ୍ଭମାନଙ୍କ ପକ୍ଷରେ ଏ କଥା
ବୁଝିବା ଟିକିଏ କଷ୍ଟସାଧ୍ୟ
ହୋଇ ପାରେ । କିନ୍ତୁ ଭାବ ଦେଖି, ତୁମ୍ଭର କୌଣସି କାରଣରୁ ହେଉ ବା ଲୋଭରେ ହେଉ, କିମ୍ୱା
ଅନ୍ୟର ପ୍ରବର୍ତ୍ତନାରେ ହେଉ, ତୁମ୍ଭେ ସେ କାର୍ଯ୍ୟ କରିବାକୁ
ଗଲ । ହୁଏ ତ କହିଲ ବା ମନେ କଲ, ମୁଁ
ଅନିଚ୍ଛାରେ ଏ କାର୍ଯ୍ୟ କଲି ।
କିନ୍ତୁ ଭାବ ଦେଖି, ଅନିଚ୍ଛାରେ
କଲି ଏ କଥାର ଅର୍ଥ କଅଣ ?
ତୁମ୍ଭର
ତ କାର୍ଯ୍ୟଟି କରିବାକୁ ଇଚ୍ଛା
ନ ଥିଲା; ତୁମ୍ଭେ କରିବାରେ ପ୍ରବର୍ତ୍ତିଲ
କିପରି ?
ଇଚ୍ଛା
ନ ଥିଲା ନୁହେଁ । ତୁମ୍ଭେ ବରଂ
କହି ପାର, ଅନିଚ୍ଛା ସତ୍ତ୍ୱେ ତୁମ୍ଭେ
କାର୍ଯ୍ୟରେ ପ୍ରବର୍ତ୍ତିଲ । ତାହାର
ଅର୍ଥ, ପ୍ରଥମେ ତୁମ୍ଭର କୌଣସି
ପ୍ରକାରେ ଇଚ୍ଛା ସେହି ଆଡ଼କୁ
ହୋଇ ନ ଥିଲା କି ?
ଇଚ୍ଛା
ନ ଥାଇ କାର୍ଯ୍ୟଟି କରି ଅଛ କି?
କାର୍ଯ୍ୟଟି
କରିବାକୁ ଇଚ୍ଛାର ଉଦ୍ରେକ ଆଦୌ
ହୋଇ ନ ଥିଲେ, ତୁମ୍ଭେ ସେ କାର୍ଯ୍ୟ
କରିବାକୁ କେବେ ପ୍ରବର୍ତ୍ତିଥାଆନ୍ତ
କି ?
ଠିକ
ଆଲୋଚନା କରି ଦେଖ ବୁଝିବ, ଭୟରେ
ହେଉ, ଶ୍ରଦ୍ଧାରେ ହେଉ, ଲୋଭରେ
ହେଉ ବା ପ୍ରବର୍ତ୍ତନାରେ ହେଉ, ତୁମ୍ଭେ ପ୍ରଥମେ ମନ ମଧ୍ୟରେ
ଇଚ୍ଛାକୁ ସେହି କାର୍ଯ୍ୟ ଆଡ଼କୁ
ଫେରାଇ ଅଛ ଏବଂ ତତ୍ ପରେ କାର୍ଯ୍ୟ
ହୋଇ ଅଛି । ଇଚ୍ଛାଟି ସେହି ଆଡ଼କୁ
କରି ନ ଥିଲେ କାର୍ଯ୍ୟଟି କରି ପାରି ନ ଥାଆନ୍ତ ।
ଏଠାରେ
ଗୋଟିଏ କଥା ତୁମ୍ଭମାନଙ୍କ
ମନରେ ହୋଇ ପାରେ । କାର୍ଯ୍ୟତଃ
କେବଳ ମନୁଷ୍ୟ ଏକା କରେ ନାହିଁ ।
ପଶୁପକ୍ଷୀ ପ୍ରଭୃତି ସମସ୍ତ ପ୍ରାଣୀ
ସର୍ବଦା କାର୍ଯ୍ୟ କରୁ ଅଛନ୍ତି ।
ଟିକିଏ ବୈଜ୍ଞାନିକ ଦୃଷ୍ଟିରେ
ଦେଖିଲେ ଜଣା ଯିବ, ବୃକ୍ଷଲତାଦି
ସ୍ଥାବର ଜୀବମାନଙ୍କର ଜୀବନ ମଧ୍ୟ
ଆମ୍ଭମାନଙ୍କ ଜୀବନ ପରି ଗୋଟିଏ
ଗୋଟିଏ କର୍ମପରମ୍ପରା । ତେବେ
ସେମାନେ କଅଣ ସମସ୍ତେ ଆମ୍ଭରି ପରି
ଇଚ୍ଛାର ଅଧୀନ ହୋଇ କାର୍ଯ୍ୟ
କରନ୍ତି ? ଏ ପ୍ରଶ୍ନର ଅବଶ୍ୟ
ସନୋଷଜନକ ଉତ୍ତର ନାହିଁ । ପଶୁପକ୍ଷୀ
ପ୍ରଭୃତି ଇତର ଜନ୍ତୁମାନଙ୍କର
ମନର ଗତି କ୍ରିୟାର ମୂଳ ଜାଣିବାର
ଅଧିକାର ମନୁଷ୍ୟର ଅଛି ବୋଲି
କୁହାଯାଇ ନ ପାରେ । ଆମ୍ଭେମାନେ
ନିଜ ଅନୁସାରେ ଅପର ମନୁଷ୍ୟର
କ୍ରିୟାମାନ ମନର ଗତି ଓ ହୃଦୟର
ଭାବ ପ୍ରଭୃତି ଆଲୋଚନା କରି ଯାଉ
ଏବଂ ସେହି ମାନଦଣ୍ଡ ଘେନି ଇତର
ଜନ୍ତୁମାନଙ୍କ ମନ ବିଷୟରେ କେତେକ
କଥା ଅନୁମାନ କରୁ । ମାତ୍ର ସେହି
ଅନୁସାରେ ଯେତିକି ଜଣା ପଡ଼ିବ, ସେତିକିରୁ ମୁଁ ଏଠାରେ କିଞ୍ଚିତ କହିବି ।
ଇତର
ଜନ୍ତୁମାନେ କାର୍ଯ୍ୟ କରନ୍ତି ।
ଇଚ୍ଛା ବିନା କ୍ରିୟା ନାହିଁ ।
କାର୍ଯ୍ୟ କରିବା ପୂର୍ବରୁ ତାଙ୍କ
ଭିତରେ ଇଚ୍ଛାର ଉଦ୍ରେକ ହୋଇ ଥିବ ।
ଇଚ୍ଛା ହୁଏ, ତତ୍ପରେ
ସେମାନେ କାର୍ଯ୍ୟ କରନ୍ତି । କିନ୍ତୁ
ସେ ଇଚ୍ଛାକୁ ନିଜେ ନିଜେ ଚଳାଇବାରେ
ଅଧିକାର ସେମାନଙ୍କର ନ ଥାଏ । ଯାହା
ଯେତେବେଳେ ଇଚ୍ଛା ହେବାର ତାହା
ସମ୍ଭବତଃ ସେମାନଙ୍କ ପାଇଁ ଭଗବାନ
ନିର୍ଦ୍ଦେଶ କରି ରଖି ଅଛନ୍ତି । ଏକ ବିଚିତ୍ର ବିଧାନରେ
ବାଧ୍ୟ ହୋଇ ଯେପରି କି ସବୁ ସେମାନେ
କରୁ ଅଛନ୍ତି । ବିଧାତା ସବୁ କାର୍ଯ୍ୟରେ
ଯେପରି କି ତାଙ୍କ ପନ୍ଥା ନିର୍ଦ୍ଦେଶ
କରି ରଖି ଅଛନ୍ତି; କାହିଁକି, ସେମାନେ
ଜାଣନ୍ତି ନାହିଁ । ଇଚ୍ଛା
ଜନ୍ମେ । ଇଚ୍ଛା ଜନ୍ମିଲେ ତାହା
ନିଜେ ନିଜେ କାର୍ଯ୍ୟରେ ପରିଣତ
ହୁଏ ।
ସେମାନେ ବିଧାତାଙ୍କର କଳ
ପରି । ଆମ୍ଭେ କଳରେ ଚକ ଚଳାଇ ଦେଉ, କଳ ଚାଲେ । ବିଧାତା ସେମାନଙ୍କର
ଇଚ୍ଛା ଚଳାଇ ଦିଅନ୍ତି,
ସେମାନେ
କାର୍ଯ୍ୟ କରନ୍ତି । କ୍ଷୁଧା ହୁଏ.
ଖାଇବାକୁ
ଇଚ୍ଛା ହୁଏ,
ଖାଦ୍ୟ
ଅନ୍ୱେଷଣ କରିବାର ପ୍ରବୃତ୍ତି
ହୁଏ । ସେମାନେ ତାହା କାର୍ଯ୍ୟରେ
କରନ୍ତି । ପେଟ ପୂରିଗଲେ ବିଶ୍ରାମ
କରନ୍ତି । ଡିମ୍ୱ ଦେବାର ସମୟ ହେଲେ
ସେମାନେ ପ୍ରକୃତି ନିୟମରେ ଯେପରିକି
ବସା ତିଆରି କରିବା ପାଇଁ କୁଟାକାଠି
ଖୋଜି ବୁଲନ୍ତି । କୋକିଳର ଡିମ୍ୱ
ଦେବା ସମୟ ହେଲେ ସେ ସେହି ସର୍ଗତନ୍ତ୍ରର
ନିତ୍ୟ ନିୟମରେ ଚାଳିତ ହୋଇ
ଲୁଚି କରି କୁଆ ବସାରେ ଡିମ୍ୱ ରଖି ଦେଇ
ଆସେ । ଇତ୍ୟାଦି ।
ମାତ୍ର
ଯେ କାରଣରୁ ହେଉ, ସେମାନଙ୍କର
ପ୍ରଥମେ ଇଚ୍ଛାର ଉଦ୍ରେକ ହୁଏ,
ପରେ
କାର୍ଯ୍ୟ ହୁଏ । ଗାଈ ଆମ୍ଭର ଫସଲ
ଖାଇବାକୁ ଆସୁଅଛି । ଭୟ ଦେଖାଇ
ଦେଲେ ସେ ପଳାଇ ଯାଏ । ତାହାର ଇଚ୍ଛା
ହୋଇ ଥିଲା, ଭୟରେ
ତାହା ବଦଳି ଗଲା । ଏହି ପରି ବାହାରରୁ
କୌଣସି ସାକ୍ଷାତ ବାଧ୍ୟା ନ ପାଇଲେ, ସେମାନଙ୍କର ଇଚ୍ଛା ବଦଳେ ନାହିଁ ।
ନିଜେ ଭୂତ ଭବିଷ୍ୟତ ଓ ଫଳାଫଳ
ଆଲୋଚନା କରି ସେମାନେ ଇଚ୍ଛା
ବଦଳାଇ ପାରନ୍ତି ନାହିଁ । ସେ ବଳ
ବା ଅଧିକାର ସେମାନଙ୍କର ନାହିଁ ।
ସେଥି ପାଇଁ ସୃଷ୍ଟିର ଆଦ୍ୟକାଳରୁ
ଏପର୍ଯ୍ୟନ୍ତ ସେମାନଙ୍କର ଜୀବନକ୍ରିୟା
ପରମ୍ପରରେ କୌଣସି ବିଶେଷ ପରିବର୍ତ୍ତନ
ଦେଖା ଯାଇ ନାହିଁ । ଜୀବନ କୌଣସି
କାର୍ଯ୍ୟରେ ସେମାନଙ୍କର ପୁରୋଦୃଷ୍ଟି
ମଧ୍ୟ ନାହିଁ । ଘାସ ଦେଖିଲେ ଛେଳିର
ଖାଇବାକୁ ଇଚ୍ଛା ହୁଏ । ଲୋକେ
ସେହି ଘାସ ଦେଖାଇ ଛେଳିକୁ ହାଣିବାକୁ
ନେଇ ଯାଆନ୍ତି । ଘାସ ଦେଖି ଲୋଭରେ
ଲୋକଟିର ଅନୁସରଣ କଲା ବେଳେ, ଛେଳି
ବିଚାରି ପାରେ ନାହିଁ ଯେ, ହଣା
ହେବା ହିଁ ଫଳ ହେବ ।
ତେବେ
ବୁଝିଲ, ଇତର ଜନ୍ତୁମାନଙ୍କର ହୁଏ
ତ ଇଚ୍ଛାଶକ୍ତି ଅଛି । କିନ୍ତୁ, ପୂର୍ବାପର ବିଚାରରେ ବା ପୁରୋଦୃଷ୍ଟି
ବଳରେ ସେହି ଇଚ୍ଛାକୁ ସଂଯତ କରିବାର
ଅଧିକାର ନାହିଁ । ମନୁଷ୍ୟର ସେହି
ଅଧିକାର ହିଁ ବିଶେଷତ୍ୱ । ଜାଣିଥିବ
ପୂର୍ବ ବିଚାର ବା ପୁରୋଦୃଷ୍ଟି
ବଳରେ ନିଜର ଇଚ୍ଛା ତଥା କ୍ରିୟାକୁ
ଯେ ଯେତିକି ସଂଯତ କରିପାରେ, ସେ
ସେତିକି ପ୍ରକୃତରେ ମନୁଷ୍ୟ
ପଦବାଚ୍ୟ । ତାହାର
ଚରିତ୍ର ସେତିକି ଦୃଢ଼ ଓ ଉନ୍ନତ ।
ଚରିତ୍ର କଥାଟି ଅନେକ ଦିନୁ ଶୁଣିଥିଲ: ଚରିତ୍ର ଭଲ କରିବାକୁ ହେବ; ଚରିତ୍ର
ମାନବର ସର୍ବସ୍ୱ; ଚରିତ୍ର ନ ଥିଲେ
ଜୀବନର ମୂଲ୍ୟ ନାହିଁ; ପ୍ରଭୃତି
ଉପଦେଶ ସମସ୍ତେ ଶୁଣିଅଛ । ମାତ୍ର
ସେ ଚରିତ୍ର କି ବସ୍ତୁ ?
ମାନବ
ଜୀବନରେ ତାହାର ପ୍ରକୃତି ପ୍ରକ୍ରିୟା
କିପରି ଲକ୍ଷ୍ୟ କରା ଯିବ ?
ଅନେକେ
ଏ ସବୁ ସ୍ପଷ୍ଟତଃ ଜାଣି ନ ଥିବେ ।
ମୋଟାମୋଟି ଅଳ୍ପ କଥାରେ ମନେ
ରଖ, ସୁସଂଯତ
ଇଚ୍ଛା ଶକ୍ତି ହିଁ ଚରିତ୍ର ।
ବି.
ଦ୍ର.
- ଏହି
ଲେଖାଟି ସତ୍ୟବାଦୀ
ପତ୍ରିକାର
୨ୟ ଖଣ୍ଡରେ,
୮ମରୁ
୧୨ଶ ସଙ୍ଖ୍ୟାଗୁଡ଼ିକରେ,
୧୯୧୭,
ମସିହାରେ
ଛପା ଯାଇ ଥିଲା । ଏହା ମୂଳତଃ
ସତ୍ୟବାଦୀ ବିଦ୍ୟାଳୟର କେତେକ
ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ
କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ
।
“ଚରିତ୍ରଂ ହି ପରଂ ବଳଂ” - ୧
ଗୋପବନ୍ଧୁ ଦାସ
![]() |
| ଚିତ୍ର - 'କାମନା' (୧୯୦୬-୧୯୦୭ ମସିହାରେ ଅଙ୍କିତ) ଚିତ୍ରକର - ଏଡୁଆଡ ମଙ୍କ (୧୮୬୩-୧୯୪୪) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଇଚ୍ଛା
ମନୁଷ୍ୟର ଅନନ୍ତ ମୁଖରେ ବାହାରୁ ଅଛି ।
ଅନେକ କଥା କରିବାକୁ ତା'ର ଇଚ୍ଛା
ହୁଏ, ସେ କାର୍ଯ୍ୟରେ ପରିଣତ କରେ
କି ? ନିଜ
ଜୀବନକୁ ଥରେ ପରୀକ୍ଷା କରି ଦେଖ ।
ପ୍ରତି ମୁହୂର୍ତ୍ତରେ ତୁମ୍ଭର
କେତେ ଇଚ୍ଛା ହୁଏ । ସବୁ ଇଚ୍ଛା
ତୁମ୍ଭେ କଦାପି କାର୍ଯ୍ୟରେ ପରିଣତ
କର ନାହିଁ । କେତେ କଥା ଭାବି ଭଲ
ମନ୍ଦ ବିଚାର କରି ଫଳାଫଳ କଳ୍ପନାରେ
ତୁଳନା କରି ତୁମ୍ଭେ କେତେ ଇଚ୍ଛା
ଜବତ୍ କରି ଅଛ । କେତେ ବେଳେ ହୁଏ ତ
କର୍ମଶୂନ୍ୟ ହୋଇ ରହିବାକୁ ଇଚ୍ଛା
ହୋଇ ଅଛି । ପଢ଼ା ତିଆରି କରିବାକୁ
ହେବ ବୋଲି ଭାବି ତୁମ୍ଭେ ସେ
ଇଚ୍ଛାକୁ ସଂଯତ କରି ଅଛ । ସଭାକୁ
ଯିବାକୁ ତୁମ୍ଭର ଇଚ୍ଛା ହେଉ ନାହିଁ, କଣ ଭାବି ହୁଏ ତ ତୁମ୍ଭେ ସଭାକୁ
ଆସିବାକୁ ଇଚ୍ଛା ପ୍ରବର୍ତ୍ତାଇ ଅଛ ।
ତାସ ଖେଳିବାକୁ ହୁଏ ତ ତୁମ୍ଭେ
ତାହା କରି ନାହିଁ । କୌଣସି କୌଣସି
କଫ ରୋଗରେ ତୁମ୍ଭର ଜଳପାନର ତୀବ୍ର
ଇଚ୍ଛା ଜନ୍ମି ଅଛି । ମାତ୍ର, ଶରୀରର
ଆରୋଗ୍ୟ ପ୍ରତି ଲକ୍ଷ୍ୟ ରଖି
ତୁମ୍ଭେ ପ୍ରାଣପଣେ ସେ ଇଚ୍ଛା
ଅନ୍ୟ ଦିଗକୁ ଫେରାଇ ଅଛ । ଚାଲିବାକୁ
ଇଚ୍ଛା ହେଉ ନାହିଁ, କାର୍ଯ୍ୟ
ଅନୁରୋଧରେ ଚାଲି ଅଛି । କହିବାକୁ
ଇଚ୍ଛା ନାହିଁ, କର୍ତ୍ତବ୍ୟ ବୋଲି
କହି ଅଛି ।
ଏହିପରି ତୁମ୍ଭର ଜ୍ଞାନ
ହେଲା ଦିନୁ ପଦେ ପଦେ ଇଚ୍ଛାକୁ
ସଞ୍ଜତ କରିବା ହିଁ, ତୁମ୍ଭ ଜୀବନର
ସମସ୍ତ କ୍ରିୟାରେ ଦେଖାଯିବ । ବରଂ
ତୁମ୍ଭ ଜୀବନରେ ଏହାହିଁ ତୁମ୍ଭର
ଏକମାତ୍ର କ୍ରିୟା ହୋଇ ଅଛି କହିଲେ
ଚଳେ । ପ୍ରାୟଶଃ ଇଚ୍ଛା କୌଣସି ନା
କୌଣସି ପ୍ରକାର ସଂଯମ ମୂଳରେ ନ
ଥାଇ କର୍ମ ନାହିଁ । ଏହା ହିଁ ତୁମ୍ଭର
ଜୀବନ ହୋଇ ଅଛି ।
ଜୀବନ
କେତେଗୁଡ଼ିଏ କର୍ମର ସମଷ୍ଟି ମାତ୍ର ।
କର୍ମପରମ୍ପରା ଛଡ଼ା ଜୀବନରେ ଆଉ
କିଛି ନାହିଁ ବୋଲା ଯାଇ ପାରେ । ବସିବା,
ଶୋଇବା,
ଚାଲିବା, ପଢ଼ିବା, ଖାଇବା, ହସିବା, କହିବା, ଶୁଣିବା, ଏପରି କି ଚିନ୍ତା କରିବା
ମଧ୍ୟ ଗୋଟିଏ ଗୋଟିଏ କ୍ରିୟା ।
ଏହି ସମସ୍ତ କ୍ରିୟାପ୍ରବାହ ମଧ୍ୟରେ
ଜୀବନ ଚାଲି ଅଛି । କିନ୍ତୁ କ୍ରିୟା
ତ ବାହାରରେ ଦେଖା ଯାଏ । ଏହାର ମୂଳ
କେଉଁଠାରେ ?
ଟିକିଏ
ଆଲୋଚନା କର,
ବୁଝିବ
ପ୍ରତ୍ୟେକ କ୍ରିୟାର ମୂଳରେ ଗୋଟିଏ
ଇଚ୍ଛା ଅଛି । ପ୍ରଥମରେ ଗୋଟିଏ
ଇଚ୍ଛା ହୁଏ । ପରେ କ୍ରିୟା ସେହି
ଅନୁସାରେ ଦେଖା ଦିଏ । ବରଂ ଏପରି
କୁହା ଯାଇ ପାରେ ଯେ, ଇଚ୍ଛାଟି ଦୃଢ଼
ଓ ବଳଶାଳୀ ହେଲେ ତୁମ୍ଭେ ବାଧ୍ୟ
ହୋଇ କାର୍ଯ୍ୟ କର । ଆହୁରି ଟିକିଏ
ଭଲ କରି କହିଲେ କୁହାଯିବ, ଇଚ୍ଛାଟି
ଦୃଢ଼଼ ହେଲେ ତାହା ନିଜେ କାର୍ଯ୍ୟର୍
ପରିଣତ ହୋଇ ଥାଏ । ସେହି ଇଚ୍ଛାଟି
କାର୍ଯ୍ୟ ରୂପେ ଦେଖା ଦିଏ । ଇଚ୍ଛାକୁ
କାର୍ଯ୍ୟର ମାନସବୀଜ ବୋଲି
କୁହା ଯାଇ ପାରେ । ଚାଲିବାର ଆବଶ୍ୟକ
ତୁମ୍ଭେ ପ୍ରଥମେ ମନରେ ଏକଥା ଭାବି
ଗୋଡ଼ ଉଠାଇ ପକାଇବାର ଇଚ୍ଛା କର ।
ଗୋଡ଼ କେତେ ବେଳେ ଅପରିଜ୍ଞାତ ଭାବରେ
ଯେପରି କି ନିଜେ ଉଠି ପଡ଼ି ଗଲା ।
ଇଚ୍ଛା ହିଁ ଜାଣ ସମସ୍ତ
କ୍ରିୟାର ମୂଳ । ଇଚ୍ଛା ବିନା
କ୍ରିୟା ଅସମ୍ଭବ ।
ବି.
ଦ୍ର.
- ଏହି
ଲେଖାଟି ସତ୍ୟବାଦୀ
ପତ୍ରିକାର
୨ୟ ଖଣ୍ଡରେ,
୮ମରୁ
୧୨ଶ ସଙ୍ଖ୍ୟାଗୁଡ଼ିକରେ,
୧୯୧୭,
ମସିହାରେ
ଛପାଯାଇଥିଲା । ଏହା ମୂଳତଃ
ସତ୍ୟବାଦୀ ବିଦ୍ୟାଳୟର କେତେକ
ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ
କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ
।
Sunday, September 09, 2018
ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବିହାର ବିଦ୍ୟାପୀଠରେ ସମାବର୍ତ୍ତନ ଭାଷଣ:୩'
ଅନୁବାଦକ - ଚିତ୍ତରଞ୍ଜନ ଦାସ
![]() |
| ଅହମଦାବାଦର ଆଶ୍ରମରେ ସ୍ଥିତ ଗାନ୍ଧୀଙ୍କର ଅରଟ ( ୱିକିମିଡିଆ କମନ୍ସ୍) |
ଦରିଦ୍ର
ଲୋକକୁ ଶିକ୍ଷା ଦେବାର ଉଦ୍ଦେଶ୍ୟ
ଥିବା କହି, ଅଥଚ ପ୍ରକୃତରେ ସେମାନଙ୍କୁ
ସେଥିରେ ବଞ୍ଚିତ କରି, ସେହିମାନଙ୍କଠାରୁ ଶୋଷିତ ଧନରେ କିପରି ପ୍ରାସାଦୋପମ
ସୌଧମାନ ନିର୍ମାଣ କରିବାର ଉନ୍ମତ୍ତତା
ଦେଖା ଯାଇଛି ,ସେ
ବିଷୟରେ ଗାନ୍ଧୀଜୀ ତତ୍ପରେ
ବର୍ଣ୍ଣନା କରିଥିଲେ ।
“ଏଲହାବାଦର ଲକ୍ନମିକ୍ ଇନ୍ଷ୍ଟିଟ୍ୟୁଟ୍ ଦେଖିଯିବାର ସୌଭାଗ୍ୟ ଥରେ ମୋର ହୋଇଥିଲା । ଅଧ୍ୟାପକ ଜୀଭନ୍ସ୍ ସାହେବ ମୋତେ ଏସବୁ ବୁଲାଇ ଦେଖାଇଲା ବେଳେ କହିଲେ ଯେ, ଏଥିରେ ତିରିଶ ଲକ୍ଷ ଟଙ୍କା (ମୁଁ ଯଦି ଠିକ କହୁଥାଏ ) ଖର୍ଚ୍ଚ ହୋଇଛି । ତାହା ଶୁଣି ମୋର ହୃତକମ୍ପ ହେଲା । ଲକ୍ଷଲକ୍ଷ ଲୋକଙ୍କୁ ଭୋକିଲା ନ ରଖିଲେ ଏପରି ପ୍ରାସାଦତୁଲ୍ୟ କୋଠା ଘର ତିଆରି ହୋଇ ପାରିବ ନାହିଁ । ଦିଲ୍ଲୀ କଥା ବି ଠିକ୍ ସେଇଆ ।
ରେଲ୍ ବିଭାଗରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଯେଉଁ ସବୁ ଉନ୍ନତି ହୋଇଛି , ସେ ଆଡ଼କୁ ମଧ୍ୟ ଦୃଷ୍ଟି ପକାନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ଦେଖିବେ, ସେହି ଏକା ନୀତି - ସଙ୍ଖ୍ୟାଲଘିଷ୍ଠ ସୁବିଧାବାଦୀ କେତେକଙ୍କର ଲାଗି ସବୁ ସୁବିଧା କରା ଯାଇଛି । ସଙ୍ଖ୍ୟାଗରିଷ୍ଠ ଦରିଦ୍ର ଜନସାଧାରଣଙ୍କୁ ଅବହେଳିତ କରା ଯାଇଛି । ଏହାକୁ ଶୟତାନର ନୀତି ଛଡ଼ା ଆଉ କଣ କୁହା ଯାଇ ପାରେ ?
ମୁଁ ଯଦି ପ୍ରକୃତ ସତ କହେ, ଯାହା କହିଛି ସେଥିରୁ ଆଉ କମ୍ କହି ପାରିବ ନାହିଁ; ଯେଉଁମାନେ ଏପରି ଏକ ପ୍ରଣାଳୀର ପରିକଳ୍ପନା କରିଛନ୍ତି, ସେମାନଙ୍କ ସହିତ ମୋର ବିବାଦ ନାହିଁ । ସେମାନେ ୟା ଛଡ଼ା ଆଉ ବି କିଛି କରି ନ ଥାଆନ୍ତେ । ହାତୀ ପିମ୍ଫୁଡ଼ି କଥା ଅବା କିପରି ଭାବିବ ? ଦକ୍ଷିଣ ଆଫ୍ରିକା ପ୍ରତିନିଧିଦଳର ସଭ୍ୟରୂପେ ଥରେ ସାର୍ ଲେମେଲ୍ ଗ୍ରିଫେନ୍ ତାଙ୍କ ବକ୍ତୃତାରେ କହିଥିଲେ, ବିଦା ବା ମଇ ଦିଆ ହେଲା ବେଳେ କଷ୍ଟ ପାଇଥିବା ବେଙ୍ଗ ହିଁ ତାହାର ଯନ୍ତ୍ରଣା ଜାଣେ ।
ଆମ୍ଭମାନଙ୍କର ବିଭିନ୍ନ ବ୍ୟାପାରରେ ଭାର ସେମାନଙ୍କ ହାତରେ । ଆମେ ଯେପରି ଆମ ଅବସ୍ଥା ସୁଧାରି ବ୍ୟବସ୍ଥା କରି ପାରିବୁଁ, ଯେତେ ସଦିଚ୍ଛା ପୋଷଣ କଲେ ବି ସେମାନଙ୍କର ଭିତରୁ ଖୁବ ଭଲ ଲୋକଙ୍କ ଦେଇ ସେ କଥା ହୋଇ ପାରିବ ନାହିଁ । କାରଣ ସେମାନଙ୍କର ପରିକଳ୍ପନା ଆମର ଠିକ୍ ଓଲଟା । ସେମାନେ କେତେ ଜଣ ଲାଭ ମାରି ନେବା ଲୋକଙ୍କ ହିତ ଦୃଷ୍ଟିରୁ ବିଚାର କରନ୍ତି । ମାତ୍ର ଆମେ କୋଟି କୋଟି ନିରନ୍ନ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଚାର କରୁଁ ।“
“ଏଲହାବାଦର ଲକ୍ନମିକ୍ ଇନ୍ଷ୍ଟିଟ୍ୟୁଟ୍ ଦେଖିଯିବାର ସୌଭାଗ୍ୟ ଥରେ ମୋର ହୋଇଥିଲା । ଅଧ୍ୟାପକ ଜୀଭନ୍ସ୍ ସାହେବ ମୋତେ ଏସବୁ ବୁଲାଇ ଦେଖାଇଲା ବେଳେ କହିଲେ ଯେ, ଏଥିରେ ତିରିଶ ଲକ୍ଷ ଟଙ୍କା (ମୁଁ ଯଦି ଠିକ କହୁଥାଏ ) ଖର୍ଚ୍ଚ ହୋଇଛି । ତାହା ଶୁଣି ମୋର ହୃତକମ୍ପ ହେଲା । ଲକ୍ଷଲକ୍ଷ ଲୋକଙ୍କୁ ଭୋକିଲା ନ ରଖିଲେ ଏପରି ପ୍ରାସାଦତୁଲ୍ୟ କୋଠା ଘର ତିଆରି ହୋଇ ପାରିବ ନାହିଁ । ଦିଲ୍ଲୀ କଥା ବି ଠିକ୍ ସେଇଆ ।
ରେଲ୍ ବିଭାଗରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଯେଉଁ ସବୁ ଉନ୍ନତି ହୋଇଛି , ସେ ଆଡ଼କୁ ମଧ୍ୟ ଦୃଷ୍ଟି ପକାନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ଦେଖିବେ, ସେହି ଏକା ନୀତି - ସଙ୍ଖ୍ୟାଲଘିଷ୍ଠ ସୁବିଧାବାଦୀ କେତେକଙ୍କର ଲାଗି ସବୁ ସୁବିଧା କରା ଯାଇଛି । ସଙ୍ଖ୍ୟାଗରିଷ୍ଠ ଦରିଦ୍ର ଜନସାଧାରଣଙ୍କୁ ଅବହେଳିତ କରା ଯାଇଛି । ଏହାକୁ ଶୟତାନର ନୀତି ଛଡ଼ା ଆଉ କଣ କୁହା ଯାଇ ପାରେ ?
ମୁଁ ଯଦି ପ୍ରକୃତ ସତ କହେ, ଯାହା କହିଛି ସେଥିରୁ ଆଉ କମ୍ କହି ପାରିବ ନାହିଁ; ଯେଉଁମାନେ ଏପରି ଏକ ପ୍ରଣାଳୀର ପରିକଳ୍ପନା କରିଛନ୍ତି, ସେମାନଙ୍କ ସହିତ ମୋର ବିବାଦ ନାହିଁ । ସେମାନେ ୟା ଛଡ଼ା ଆଉ ବି କିଛି କରି ନ ଥାଆନ୍ତେ । ହାତୀ ପିମ୍ଫୁଡ଼ି କଥା ଅବା କିପରି ଭାବିବ ? ଦକ୍ଷିଣ ଆଫ୍ରିକା ପ୍ରତିନିଧିଦଳର ସଭ୍ୟରୂପେ ଥରେ ସାର୍ ଲେମେଲ୍ ଗ୍ରିଫେନ୍ ତାଙ୍କ ବକ୍ତୃତାରେ କହିଥିଲେ, ବିଦା ବା ମଇ ଦିଆ ହେଲା ବେଳେ କଷ୍ଟ ପାଇଥିବା ବେଙ୍ଗ ହିଁ ତାହାର ଯନ୍ତ୍ରଣା ଜାଣେ ।
ଆମ୍ଭମାନଙ୍କର ବିଭିନ୍ନ ବ୍ୟାପାରରେ ଭାର ସେମାନଙ୍କ ହାତରେ । ଆମେ ଯେପରି ଆମ ଅବସ୍ଥା ସୁଧାରି ବ୍ୟବସ୍ଥା କରି ପାରିବୁଁ, ଯେତେ ସଦିଚ୍ଛା ପୋଷଣ କଲେ ବି ସେମାନଙ୍କର ଭିତରୁ ଖୁବ ଭଲ ଲୋକଙ୍କ ଦେଇ ସେ କଥା ହୋଇ ପାରିବ ନାହିଁ । କାରଣ ସେମାନଙ୍କର ପରିକଳ୍ପନା ଆମର ଠିକ୍ ଓଲଟା । ସେମାନେ କେତେ ଜଣ ଲାଭ ମାରି ନେବା ଲୋକଙ୍କ ହିତ ଦୃଷ୍ଟିରୁ ବିଚାର କରନ୍ତି । ମାତ୍ର ଆମେ କୋଟି କୋଟି ନିରନ୍ନ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଚାର କରୁଁ ।“
ସେହି
କାରଣରୁ ସ୍ୱଭାବତଃ ଚରଖାର ଆଶ୍ରୟ
ନେବାକୁ ହେବା ଏବଂ ବର୍ତ୍ତମାନ
ସବୁପ୍ରକର ବ୍ୟବସ୍ଥାର ମୂଳ ଓ
ଚକିର ମାଣିଖୁଣ୍ଟି ପରି ଏହାକୁ
ଧରିବାକୁ ହେବ ବୋଲି ସେ କହିଲେ ।
‘ସ୍ନାତକମାନେ ସେମାଙ୍କର ଉପାଧି ଗ୍ରହଣ କରନ୍ତୁ, ଯେ କୌଣସି ବିଷୟରେ ଶିକ୍ଷା ଲାଭ କରନ୍ତୁ ପଛକେ, ଚରଖା ସେ ସବୁରି କେନ୍ଦ୍ର ହୋଇ ରହୁ । ଚରଖାର ଉଦ୍ଦେଶ୍ୟ ସାଧନ କରିବା ଦିଗରୁ ଅର୍ଥନୀତି ଓ ବିଜ୍ଞାନ ପଢ଼ା ଯାଉ । ଚରଖାକୁ ଅନ୍ଧାର କୋଣକୁ ଫିଙ୍ଗି ଦିଅ ନାହିଁ । ସୂର୍ଯ୍ୟ ସୌରଜଗତର ଯେପରି କେନ୍ଦ୍ର, ଆମର ସବୁ ପ୍ରକାର କାର୍ଯ୍ୟର ଚରଖା ସେହିପରି କେନ୍ଦ୍ର ହୋଇ ରହୁ । ଏହା ନ ହେଲେ ବିଦ୍ୟାପୀଠଗୁଡ଼ିକ କେବଳ ସେହି ନାମରେ ହିଁ ପର୍ଯ୍ୟବସିତ ହୋଇ ରହିବ ।
କାଉନ୍ସିଲ ଜରିଆରେ ଉନ୍ନତ କରିବାକୁ ହେଲେ ବ୍ରିଟିଶ ପାର୍ଲିଆମେଣ୍ଟ ପ୍ରତି ଦୃଷ୍ଟିପାତ କରିବାକୁ ହେବ ବୋଲି ଯାହା ଲର୍ଡ ଅର୍ଭିନ୍ କହି ଥିଲେ, ତାହା ଠିକ୍ କଥା ତାଙ୍କ ଉପରେ କୌଣସି ଦୃଷ୍ଟିରୁ ଭାବି ପାରିବେ ନାହିଁ । ତାଙ୍କ ପ୍ରଣାଳୀର ସୂର୍ଯ୍ୟ ଲଣ୍ଡନ, ଆମ ପ୍ରଣାଳୀରେ ସୂର୍ଯ୍ୟ ଚରଖା । ମୁଁ ଏପରି କହିବା ଦ୍ୱାରା ଭୁଲ କରି ପାରୁଥାଏଁ । ମୋର ଭୁଲ ନ ବୁଝିବା ପର୍ଯ୍ୟନ୍ତ ମୁଁ ଏହାକୁ ଗଣ୍ଠିଧନ କରିଥିବି, ମୋର ମତ ବଦଳାଇ ପାରିବି ନାହିଁ ।
ଚରଖା ଦ୍ୱାରା କାହାରି କିଛି କ୍ଷତି ହେବାର ଆଶଙ୍କା ନାହିଁ । ବରଂ ଚରଖାକୁ ଭୁଲିଲେ ଆମର, ଏପରି କି ମୁଁ କହିପାରେ ସାରା ଦୁନିଆର, ସର୍ବନାଶ ହେବ । ଯେଉଁ ଯୁଦ୍ଧରେ ମିଥ୍ୟାକୁ ସର୍ବୋଚ୍ଚ ଧର୍ମ ରୂପେ ପ୍ରଚାର କରା ଯାଉ ଥିଲା । ସେହି ଯୁଦ୍ଧ ପରେ ଇଉରୋପ କିପରି ଅନୁଭବ କରୁ ଅଛି, ତାହା ଆମେ ଜାଣୁଁ । ଯୁଦ୍ଧର ପରିଣାମାରେ ଦୁନିଆ ଆଜି ଅସ୍ତବ୍ୟସ୍ତ ।
ଆଜି ଭାରତକୁ ଯେପରି ଚରଖା ଆଶ୍ୱାସନା ଦେଉଛି, କାଲି ସାରା ଦୁନିଆକୁ ସେହି ପରି ଦେବ । କାରଣ ଏହା କେବଳ ସଙ୍ଖ୍ୟାଗରିଷ୍ଠ ଉପହାର ଦୃଷ୍ଟିରୁ ହୋଇ ନାହିଁ, ସମସ୍ତଙ୍କର ମଙ୍ଗଳ ଏହାର ଲକ୍ଷ୍ୟ । ଭୁଲ କରିଥିବା ଲୋକକୁ ମୁଁ ସେତେବେଳେ ଦେଖେ, ନିଜକୁ ନିଜେ କହେ, ମୁଁ ବି ଦିନେ ଏପରି ଥିଲି । ମୁଁ ଏହି ରୂପେ ପ୍ରତ୍ୟେକଙ୍କ ସହିତ ଜ୍ଞାତିଭାବ, ଏକାତ୍ମତା ସ୍ଥାପନ କରେ ଏବଂ ଅନୁଭବ କରେ, ସବୁଠାରୁ ଦୀନହୀନ ଲୋକ ସୁଖୀ ନ ହେବା ପର୍ଯ୍ୟନ୍ତ ମୁଁ ସୁଖୀ ହୋଇ ପାରିବି ନାହିଁ ।
ଏହି ଦୃଷ୍ଟିରୁ ଚରଖାରୁ ଆପଣମାନଙ୍କର ଶିକ୍ଷାର କେନ୍ଦ୍ର ରୂପେ ଗ୍ରହଣ କରିବାକୁ ମୁଁ ଇଚ୍ଛା କରେ । ଯେପରି ପ୍ରହ୍ଲାଦ ସବୁ ବେଳେ ଭଗବାନଙ୍କୁ ଦେଖୁ ଥିଲା, ସେପରି ଆପଣମାନଙ୍କର ସମସ୍ତ ଶିକ୍ଷା ବା ପାଣ୍ତିତ୍ୟ ଅରଟର ତାତ୍ପର୍ଯ ହୃଦୟଙ୍ଗମ କରିବା ଦିଗରେ ଲାଗୁ । ଅରଟକୁ ଦରିଦ୍ରତମ ବ୍ୟକ୍ତିର ମୁଖ୍ୟ ଅବଲମ୍ୱନ ରୂପେ ପ୍ରତିଷ୍ଠା କରିବା ନିମିତ୍ତ ଆମର ବିଜ୍ଞାନ, କାରିଗରୀ ଓ ଆମର ଅର୍ଥନୀତିର ସଦ୍ବ୍ୟବହାର ହେବା ଆବଶ୍ୟକ ଅଟେ ।
ମୁଁ ଜାଣେ ଯେ ଗୁଜୁରାତ ବିଦ୍ୟାପୀଠରେ ଆମେ ଏ ଦିଗରେ ବିଶେଷ କୃତକାର୍ଯ୍ୟ ହୋଇନାହୁଁ । ଆପଣମାନେ ମଧ୍ୟ ଏହା କରୁ ନାହାନ୍ତି । କୌଣସି ଅଭିଯୋଗ କରିବାର ଭାବ ରଖି ମୁଁ ଏକଥା କହୁ ନାହିଁ । ମୋର ହୃଦୟର ଯନ୍ତ୍ରଣା ପ୍ରକାଶ କରୁଛି ମାତ୍ର । ଆପଣମାନେ ଏସବୁ ହୃଦୟଙ୍ଗମ କରନ୍ତୁ - ଏହା ହିଁ ମୋର କାମନା ।
ବି.ଦ୍ର. - ବିହାର ବିଦ୍ୟାପୀଠର ବାର୍ଷିକ ଉତ୍ସବରେ ଗାନ୍ଧୀଜୀ ଛାତ୍ରମାନଙ୍କୁ ଯେଉଁ ଭାଷଣ ଶୁଣଇଥିଲେ ତାହାର ବିବରଣୀ ଦେସାଇ ଏହିଠାରେ ଦେଇଛନ୍ତି । ଏହି ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ'ରେ, ତା୧୦-୨-୧୯୨୭ରିଖରେ ଛପାଯାଇଥିଲା ।
Saturday, September 08, 2018
ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବିହାର ବିଦ୍ୟାପୀଠରେ ସମାବର୍ତ୍ତନ ଭାଷଣ:୨'
ଅନୁବାଦକ - ଚିତ୍ତରଞ୍ଜନ ଦାସ
![]() |
| ଥମାସ ବାବିଙ୍ଗଟନ ମାକଲେ (୧୮୦୦-୧୮୫୯) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ତତ୍ପରେ
ସେ ଅସହଯୋଗ ଅନୁଷ୍ଠାନଗୁଡ଼ିକର
ଦୁଇଟି ରୂପ ବିଷୟରେ କହିଲେ ।
ସରକାର ସହିତ ସବୁ ପ୍ରକାର ଫଟକ
ତୁଟାଇ ଦେବା ଫଳରେ ପ୍ରତିଷ୍ଠିତ
ଅନୁଷ୍ଠାନଗୁଡ଼ିକ ଅଭବାତ୍ମକ
ଦିନଟି ହାସଲ କରିଛନ୍ତି । ସରକାରୀ
ଶିକ୍ଷାନୁଷ୍ଠାନ ଛାଡ଼ି ଦେବାକୁ
ଯେଉଁ ଛାତ୍ର ଓ ଶିକ୍ଷକମାନଙ୍କୁ
ସେ ଆହ୍ୱାନ କରି ଥିଲେ,
ସେମାନଙ୍କ
ବିଷୟ ଭାବି ସେ ଅନୁତପ୍ତ ନୁହନ୍ତି
। ସେମାନଙ୍କ
ମଧ୍ୟରୁ କେତେକ ସେମାନଙ୍କର ପୂର୍ବ
ଅନୁଷ୍ଠାନକୁ ଫେରି ଯାଇଛନ୍ତି,
ଅସନ୍ତୁଷ୍ଟ
ଓ ଦୁଃଖିତ ହୋଇଛନ୍ତି ବୋଲି ସେ
ମଧ୍ୟ ଅନୁତପ୍ତ ନୁହନ୍ତି ।
ସେହିମାନଙ୍କ ପାଇଁ ସେ ଟିକିଏ
ଦୁଃଖିତ ହୋଇଥିଲେ କାରଣ ସେମାନଙ୍କ
ପ୍ରତି ତାଙ୍କର ଗଭୀର ସହାନୁଭୂତି
ଥିଲା । ମାତ୍ର ସେ ଏଥିପାଇଁ ଅନୁତପ୍ତ
ନୁହନ୍ତି ।
“ଏହି
ସବୁ ଦୁଃଖ-କଷ୍ଟ
ପ୍ରତିଦିନ ଆମକୁ ଭୋଗିବାକୁ ହେବ
ଏବଂ ଆମର ଭୋଗିବା ଉଚିତ ମଧ୍ୟ ।
ସତ୍ୟପାଳନ ଗୋଲାପ-ପୃଷ୍ପର
ଶଯ୍ୟାରେ ଶୟନ ପରି ଯଦି ପ୍ରୀତପ୍ରଦ
ହୋଇ ଥାଆନ୍ତା, ବିନା ଆୟାସରେ ସୁଖେ
ସହଜେ ଯଦି ଏହା ମିଳି ଯାଉଥା'ନ୍ତା, ତେବେ
ସତ୍ୟପାଳନରେ ଆଉ କୌଣସି ସୌନ୍ଦର୍ଯ୍ୟ
ବା ସରସତା ନ ଥା'ନ୍ତା । ସୃଷ୍ଟି
ପ୍ରଳୟ ହୋଇଗଲେ ମଧ୍ୟ ସତ୍ୟପଥରେ
ଆମକୁ ଦୃଢ଼ ରହିବାକୁ ହେବ । ସତ୍ୟ
ଅନୁସରଣ କରିବାକୁ ଯାଇ ସମୁଦାୟ
ପୃଥିବୀ ସହିତ ଭାରତକୁ ଯଦି ହରାଇବାକୁ
ପଡ଼େ, ସେଥିରେ ଯାଏ ଆସେ କଣ ?
ଈଶ୍ୱରଙ୍କର
କୃପାରେ ଭାରତକୁ ମିଶାଇ ଆମ୍ଭମାନଙ୍କର
ପ୍ରିୟ ବସ୍ତ୍ରଗୁଡ଼ିକ ଫେରି
ପାଇବୁଁ,
ଏହି
ଦୃଢ଼ ବିଶ୍ୱାସ ପୋଷଣ କରି ଯଦି
ମୃତ୍ୟୁ ପର୍ଯ୍ୟନ୍ତ ସତ୍ୟକୁ
ଅବଲମ୍ୱନ କରିବୁ,
ତେବେ
ଆମ୍ଭେମାନେ ସତ୍ୟର ପ୍ରକୃତ ଭକ୍ତ
ହୋଇ ପାରିବୁଁ । ଅନେକ ଶିକ୍ଷକ ଓ
ଅଧ୍ୟାପକ ବଡ଼ ବିଚଳିତ ଓ କେତେକ
ଅନଶନ କ୍ଲିଷ୍ଟ, ଏହା ମୁଁ ଜାଣେଁ
। ଜାତୀୟ ବାୟୁମଣ୍ତଳରୁ ଉପଯୁକ୍ତ
ଭାବରେ ଶୁଦ୍ଧ କରିବାକୁ ହେଲେ,
ଏହି ପରି
ତପଶ୍ଚର୍ଯ୍ୟ ଆବଶ୍ୟକ ।“
ଏହା
ଅସହଯୋଗ ଆନ୍ଦୋଳନର ଅଭାବତ୍ମକ
ସ୍ୱରୂପ । ତାହା କାର୍ଯ୍ୟରେ ପରିଣତ
ହୋଇଛି ଓ ଯଥେଚିତ ପରିମାଣରେ
ପ୍ରାୟଶ୍ଚିତ୍ତ ହୋଇଛି, ଜାଣି
ଗାନ୍ଧୀଜୀ ଆନନ୍ଦ ପ୍ରକାଶ କରିଥିଲେ
। ଏହି ଦ୍ୱୈତ ଜଗତରେ ଅସହଯୋଗର
ଆହୁରି ଏକ ଭାବାତ୍ମକ ରୂପ ମଧ୍ୟ
ଅଛି । ତାହା କଷ୍ଟସାଧ୍ୟ ହେଲେ
ମଧ୍ୟ ତାର ଫଳ ସ୍ଥାୟୀ । ଏହି ପରି
ବିଦ୍ୟାପୀଠ ବ୍ୟତୀତ ଆଉ କେଉଁଠାରେ
ବା ସେ ଉଦ୍ଦେଶ୍ୟ ପୂର୍ଣ୍ଣ ହେବ ?
ତତ୍ପରେ
ଭାରତ ଓ ଇଉରୋପରେ ପ୍ରଚଳିତ
ଶିକ୍ଷା-ପ୍ରଣାଳୀକୁ
ସେ ତୁଳନା କରିଥିଲେ ।
“ଇଉରୋପରେ
ଲୋକମାନଙ୍କର ପ୍ରକୃତିର ବୈଶିଷ୍ଟ୍ୟ
ଦୃଷ୍ଟିରୁ ଶିକ୍ଷା ଅନୁସୃତ ହୁଏ
। ଜନସାଧାରଣଙ୍କର ସଂସ୍କୃତି ଓ
ପ୍ରତିଭାର ବିଭିନ୍ନତା ଦୃଷ୍ଟିରୁ
ତିନୋଟି ବିଭିନ୍ନ ଦେଶରେ ଏକା
ବିଷୟ ତିନୋଟି ବିଭିନ୍ନ ପ୍ରଣାଳୀରେ
ଶିକ୍ଷା ଦିଆ ଯାଇ ଥାଏ । ଆମର
ଦାସମନୋବୃତ୍ତି ହେତୁ ଇଂରାଜୀ
ଆଦର୍ଶକୁ ଅନୁକରଣକାରୀ ରୂପେ
ତିଆରି କରି ଦେବା ହେଉଛି, ବର୍ତ୍ତମାନ
ପ୍ରଚଳିତ ଶିକ୍ଷାପ୍ରଣାଳୀର
ଉଦ୍ଦେଶ୍ୟ । ଏଥିରେ କୌଣସି ନୂତନତ୍ୱ
ନାହିଁ ।
ଯେଉଁମାନେ ଆମକୁ କେବେ ହେଲେ
ଜାଣିବାକୁ ଯତ୍ନ କରନ୍ତି ନାହିଁ,
ସେହିପରି
ଅଜ୍ଞ ବ୍ୟକ୍ତିମାନଙ୍କ ଉପରେ ସବୁ
ସମର୍ପ ଦେବା ଫଳରେ ଆମର ଏହିପରି
ଦଶା ହୋଇଛି । ବିଚରା ମ୍ୟାକଲେ, ସେ କଣ କରନ୍ତେ ?
ଆମର ସଂସ୍କୃତ ସାହିତ୍ୟ ଯେ କୁସଂସ୍କାରପୂର୍ଣ୍ଣ, ଏହା ତାଙ୍କର ବଦ୍ଧମୂଳ ବିଶ୍ୱାସ ଥିଲା । ପାଶ୍ଚାତ୍ୟ ସଂସ୍କୃତି ରୂପରେ ସେ
ଆମକୁ ରସାୟନ ଦେଇ ପାରିବେ ବୋଲି ପ୍ରକୃତରେ ଚିନ୍ତା କରିଥିଲେ ।
ଅଜ୍ଞତାବଶତଃ ସେ ଆମର ଯେଉଁ ଅନିଷ୍ଟ କରି ଅଛନ୍ତି, ସେଥି ପାଇଁ
ତାଙ୍କୁ ନିନ୍ଦା କରିବାଟା ଆମ
ପକ୍ଷରେ ଉଚିତ ହେବ ନାହିଁ ।
ଇଂରାଜୀ
ଭାଷା ଆମ ଶିକ୍ଷାର ମାଧ୍ୟମ ହେବା
ଫଳରେ ଆମେ ଆମର ମୌଳିକତା ହରାଇ
ବସିଛୁଁ । ପକ୍ଷବିହୀନ ପକ୍ଷୀ
ସଦୃଶ ଆମର ଦଶା ହୋଇଛି । କିରାଣି
ବା ସମ୍ପାଦକ କାମ କରିବା ଆମ ଜୀବନର
ଚରମ ଆକାଙ୍କ୍ଷା ହୋଇଛି । ଲର୍ଡ
ସିଂହଙ୍କ ପରି ଜଣେ ଅଧେ ପ୍ରଚଳିତ
ପ୍ରଣାଳୀରୁ ଉତୁର ପାରନ୍ତି;
ପ୍ରତ୍ୟେକେ
ଖୁବ୍ ବେଶୀ ହେଲେ ଏ ବିଦେଶୀ ବଡ଼
କଳର ଗୋଟାଏ ଗୋଟାଏ ଅଙ୍ଗ ରୂପେ
କାମ କରୁଛନ୍ତି। ମୋଜାଫରପୁରରେ
ଗୋଟିଏ ପିଲା ଆସି ମୋତେ ପଚାରିଲା, ରାଷ୍ଟ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ
କରିବା ଦ୍ୱାରା ଦିନେ ସେ ଲାଟସାହେବ
ହୋଇ ପାରିବ କି ?
ମୁଁ
ତାକୁ କହିଲି, "ନା, ତୁମେ
ଜଣେ ଗାଉଁଲି ଲାଟ ହେବ । ମାତ୍ର
ଲର୍ଡ ସିଂହ ହୋଇ ପାରିବ ନାହିଁ ।
ଲର୍ଡ ବାର୍କେନ୍ହେଡ଼ କେବଳ ତୁମକୁ
ତାହା କରି ଦେଇ ପାରିବେ ।"
ବି.ଦ୍ର. - ବିହାର ବିଦ୍ୟାପୀଠର ବାର୍ଷିକ ଉତ୍ସବରେ ଗାନ୍ଧୀଜୀ ଛାତ୍ରମାନଙ୍କୁ ଯେଉଁ ଭାଷଣ ଶୁଣଇଥିଲେ ତାହାର ବିବରଣୀ ଦେସାଇ ଏହିଠାରେ ଦେଇଛନ୍ତି । ଏହି ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ'ରେ, ତା୧୦-୨-୧୯୨୭ରିଖରେ ଛପାଯାଇଥିଲା ।
Friday, September 07, 2018
ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବିହାର ବିଦ୍ୟାପୀଠରେ ସମାବର୍ତ୍ତନ ଭାଷଣ:୧'
ଅନୁବାଦକ - ଚିତ୍ତରଞ୍ଜନ ଦାସ
![]() |
| ସ୍ପେନ ଦେଶର ସ୍ଥାପତ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) |
ଗାନ୍ଧୀଜୀଙ୍କର
ଏହି ଭାଷଣକୁ ଏକ ବକ୍ତୃତା ପରିବର୍ତ୍ତେ
ହୃଦୟଗ୍ରାହୀ କଥୋପକଥନ ବୋଲି
କୁହା ଯାଇ ପାରେ । ଛାତ୍ରମାନଙ୍କ
ଉପରନ୍ତୁ ସାଧାରଣ ଲୋକେ ମଧ୍ୟ
ସେଠାରେ ଉପସ୍ଥିତ ଥିଲେ । ସେହି
ଜନସାଧାରଣ ଗାନ୍ଧୀଜୀଙ୍କ ପୂର୍ଣ୍ଣ
ବିଶ୍ୱାସ-ଭାଜନ
ହୋଇ ପାରି ଥିଲେ । କାରଣ ,ସେମାନେ
ଯେ କେବଳ ଗାନ୍ଧୀଜୀଙ୍କର ବକ୍ତୃତା
ଶୁଣୁଥିଲେ,
ତାହା ନୁହେଁ,
ହୃଦୟର
ସେହି ନୀରବ ଭାଷା ବୁଝୁ ଥିଲେ ।
ତାଙ୍କର ସେହି କଥୋପକଥନ ନାନା ବୈଚତ୍ର୍ୟ, ହୃଦୟର
ବ୍ୟାକୁଳତା ଓ ଆତ୍ମଜୀବନ ନାନା
ଉଦାହରଣରେ ଭରପୁର ହୋଇଥିଲା ।
ସେ
ଆରମ୍ଭରୁ ଆଶା କରିଥିଲେ ସ୍ନାତକମାନେ
ସେଦିନ ଯେଉଁ ଶପଥ ଗ୍ରହଣ କରିଛନ୍ତି, ସେହି
ଅନୁସାରେ ଜୀବନଯାପନ କରିବେ ।
ଗୁଜୁରାତ ବିଦ୍ୟାପୀଠର ସମାବର୍ତ୍ତନ
ଉତ୍ସବ ସମୟରେ ସେ ଯେପରି କହିଥିଲେ, ଯଦି
ସେହିପରି ଏ ବିଦ୍ୟାପୀଠ ଜଣେ ମାତ୍ର
ଆଦର୍ଶଛାତ୍ର ଓ ଜଣେ ମାତ୍ର ଆଦର୍ଶ
ଶିକ୍ଷକ ବାହାର କରି ପାରେ, ତେବେ
ତାହାର ତିଷ୍ଠି ରହିବା ଯଥାର୍ଥତାର
ଅଧିକ ପ୍ରତିପାଦିତ ହୋଇ ଯିବ,
ନୋହିଲେ
ଏପରି ଅନୁଷ୍ଠାନଗୁଡ଼ିକର କାର୍ଯ୍ୟ
ତେବେ କଣ ?
ଯେତେ
କମ୍ ହେଉ ପଛକେ, ସେହି ପବିତ୍ର
ପ୍ରଶାନ୍ତ ରତ୍ନମାନଙ୍କୁ ଆବିଷ୍କାର
କରିବା ଏହାର କାର୍ଯ୍ୟ ନୁହେଁ
କି ? ତାହା ପରେ ସେ ତାଙ୍କର ଦକ୍ଷିଣ ଆଫ୍ରିକାର
ଗୋଟିଏ ସ୍ମୃତି ଉଦ୍ଧାର କରି କହିଲେ
।
“ମୁଁ
ଆଫ୍ରିକାରେ କୋଡ଼ିଏ ବର୍ଷ ରହିଲି । ସେଠାରେ ଥିବା ହୀରାଖଣ ଦେଖି
ଯିବାକୁ ଥରେ ହେଲେ ଭାବି ନାହିଁ । କାରଣ ଭୟ ଥାଏ, କାଳେ ମୋତେ ଅସ୍ଫୁଶ୍ୟ
ବୋଲି ଅନୁମତି ମିଳିବ ନାହିଁ,
ଫଳରେ
ଅପମାନ ପାଇବି । କିନ୍ତୁ,ଯେତେବେଳେ
ଗୋଖଲେ ସେଠାରେ ଥିଲେ, ,ତାଙ୍କୁ
ସେଠିକାର ପ୍ରଧାନ ଶିଳ୍ପସମ୍ପଦ
ଦେଖାଇବାର କର୍ତ୍ତବ୍ୟ ମୁଁ ଅନୁଭବ
କଲି । ତାଙ୍କର ଅପମାନିତ ହେବାର
ଭୟ ନ ଥିଲା । ତେଣୁ, ଆମେ ସବୁଠାରୁ
ବଡ଼ ଖଣିକୁ ଯାଇଥିଲୁ ।
ସେଠାରେ
ଯାହା ଦେଖିଲି ମୁଁ ତାହା ଏ ପର୍ଯ୍ୟନ୍ତ
ଭୁଲି ଯାଇ ନାହିଁ । ପର୍ବତ ସମାନ
ଗଦା ଗଦା ହୋଇ ମାଟି ଓ ପଥର ରହିଛି ମାତ୍ର ହୀରା ନାହିଁ । ଲକ୍ଷ
ଲକ୍ଷ ମହଣ ମାଟି-ପଥର
ଖୋଲି ଲକ୍ଷଲକ୍ଷ ଲୋକଙ୍କ ଶକ୍ତି-କ୍ଷୟ
ହେଲା ପରେ ହାତଗଣତି କେତେଟା
ମୂଲ୍ୟବାନ ପଥର ମିଳେ । କେତେ
ବର୍ଷର ପରିଶ୍ରମ ଫଳରେ ଲକ୍ଷଲକ୍ଷ
ସ୍ୱର୍ଣ୍ଣମୁଦ୍ରାର ବ୍ୟୟରେ
ଜାରଙ୍କ ମୁକୁଟରେ ଶୋଭିତ ହୀରକ
ଓ କୋହୀନୁର ହୀରକଠାରୁ ବଡ଼ ଏକ
ପ୍ରସ୍ତରଖଣ୍ତ ଯେତେବେଳେ କଲୀନନ୍
ପାଇଲେ ଓ ନିଜ ନାମ ଅନୁସାରେ ତାହାର
ନାମକରଣ କଲେ,
ସେତେବେଳେ
ତାଙ୍କର ଆନନ୍ଦ କେତେ ହୋଇଥିବ,
ତୁମେ
ଅନୁମାନ କର । ସେ ମନେ କଲେ ଯେପରି
ଜୀବନର କର୍ତ୍ତବ୍ୟ ଶେଷ ହୋଇଗଲା
।
ଆମେ ଯଦି ଏକ କୃତ୍ରିମ ସମ୍ପଦର
ଆହରଣରେ ଏତେ ଶ୍ରମ ଓ ଅର୍ଥ ବ୍ୟୟ
କରିବାକୁ କୁଣ୍ଠିତ ନୋହୁଁ, ତେବେ
ମାନବରତ୍ନ ଆହରଣରେ ଆମକୁ କେତେ
ଖର୍ଚ୍ଚ କରିବାକୁ ବା ନ ପଡ଼ିବ
ଏହିପରି ମନୋଭାବ ରଖି ଆମମାନଙ୍କୁ
କାର୍ଯ୍ୟ କରିବାକୁ ପଡ଼ିବ
।
ଏହା
ଗୋଟିଏ ଭଲ ଉପମା - ରସ୍କିନ୍ଙ୍କର
“ଆତ୍ମର ନିର୍ମାଣ” - ଏହି
ଶବ୍ଦ ପୁଞ୍ଜି କରିବାଠାରୁ ଏହା
ଆହୁରି ଉପାଦେୟ । କେବଳ ଈଶ୍ୱରଙ୍କ
ଶକ୍ତିରେ ଆତ୍ମା ତିଆରି ହୋଇ ପାରିବ
। ଯ।ହା ଭଗବାନଙ୍କର ଗନ୍ତାଘରରେ
ଆଗରୁ ସଞ୍ଚିତ ରହିଛି, ତାହାକୁ କେବଳ
ଖୋଜି ବାହାର କରିବା ଈଶ୍ୱର ମଣିଷର
କାର୍ଯ୍ୟ ।
ବି.ଦ୍ର. - ବିହାର
ବିଦ୍ୟାପୀଠର ବାର୍ଷିକ ଉତ୍ସବରେ
ଗାନ୍ଧୀଜୀ ଛାତ୍ରମାନଙ୍କୁ ଯେଉଁ
ଭାଷଣ ଶୁଣଇଥିଲେ ତାହାର ବିବରଣୀ
ଦେସାଇ ଏହିଠାରେ ଦେଇଛନ୍ତି । ଏହି ଲେଖାଟି ପ୍ରଥମେ 'ୟଙ୍ଗ
ଇଣ୍ତିଆ'ରେ,
ତା୧୦-୨-୧୯୨୭ରିଖରେ ଛପାଯାଇଥିଲା ।
Subscribe to:
Posts (Atom)





