Friday, September 14, 2018

ପିଲାଙ୍କ ଖେଳ କଉତୁକ ଗୀତ - 'କାଠିକି କାଠି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ

 
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କାଠିକି କାଠି ପବନ କାଠି
ଚଢ଼େଇ ଦିଓଟି ଠୁକାଠୁକି ।
ଗୋଟିଏ ମଲା
ଗୋଟିକ ଉପରେ କୋଡ଼ି ପଡ଼ିଲା ।

ପିଲାଙ୍କ ଖେଳ କଉତୁକ ଗୀତ - 'ମୋ ପେଏଁକାଳି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଜୋସେଫ ଆନ୍ତନ ହାପ୍ନର (୧୭୦୯-୧୭୫୬) ଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ର 

ମୋ ପେଏଁକାଳି ବାଜେ
ଲଙ୍ଗଳ ଦେବି
ଜୁଆଳି ଦେବି
ମୋ ପେଇଁକାଳି ବାଜେ ।

ହାତୀ ଦେବି
ଛତି ଦେବି
ମୋ ପେଇଁକାଳି ବାଜେ ।

Tuesday, September 11, 2018

ଚରିତ୍ରଂ ହି ପରଂ ବଳଂ” - ୨


ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବାଳକମାନେ ତୁମ୍ଭମାନଙ୍କ ପକ୍ଷରେ ଏ କଥା ବୁଝିବା ଟିକିଏ କଷ୍ଟସାଧ୍ୟ ହୋଇ ପାରେ । କିନ୍ତୁ ଭାବ ଦେଖି, ତୁମ୍ଭର କୌଣସି କାରଣରୁ ହେଉ ବା ଲୋଭରେ ହେଉ, କିମ୍ୱା ଅନ୍ୟର ପ୍ରବର୍ତ୍ତନାରେ ହେଉ, ତୁମ୍ଭେ ସେ କାର୍ଯ୍ୟ କରିବାକୁ ଗଲ । ହୁଏ ତ କହିଲ ବା ମନେ କଲ, ମୁଁ ଅନିଚ୍ଛାରେ ଏ କାର୍ଯ୍ୟ କଲି । କିନ୍ତୁ ଭାବ ଦେଖି, ଅନିଚ୍ଛାରେ କଲି ଏ କଥାର ଅର୍ଥ କଅଣ ? ତୁମ୍ଭର ତ କାର୍ଯ୍ୟଟି କରିବାକୁ ଇଚ୍ଛା ନ ଥିଲା; ତୁମ୍ଭେ କରିବାରେ ପ୍ରବର୍ତ୍ତିଲ କିପରି ? ଇଚ୍ଛା ନ ଥିଲା ନୁହେଁ । ତୁମ୍ଭେ ବରଂ କହି ପାର, ଅନିଚ୍ଛା ସତ୍ତ୍ୱେ ତୁମ୍ଭେ କାର୍ଯ୍ୟରେ ପ୍ରବର୍ତ୍ତିଲ । ତାହାର ଅର୍ଥ, ପ୍ରଥମେ ତୁମ୍ଭର କୌଣସି ପ୍ରକାରେ ଇଚ୍ଛା ସେହି ଆଡ଼କୁ ହୋଇ ନ ଥିଲା କି ? ଇଚ୍ଛା ନ ଥାଇ କାର୍ଯ୍ୟଟି କରି ଅଛ କି? କାର୍ଯ୍ୟଟି କରିବାକୁ ଇଚ୍ଛାର ଉଦ୍ରେକ ଆଦୌ ହୋଇ ନ ଥିଲେ, ତୁମ୍ଭେ ସେ କାର୍ଯ୍ୟ କରିବାକୁ କେବେ ପ୍ରବର୍ତ୍ତିଥାଆନ୍ତ କି 

ଠିକ ଆଲୋଚନା କରି ଦେଖ ବୁଝିବ, ଭୟରେ ହେଉ, ଶ୍ରଦ୍ଧାରେ ହେଉ, ଲୋଭରେ ହେଉ ବା ପ୍ରବର୍ତ୍ତନାରେ ହେଉ, ତୁମ୍ଭେ ପ୍ରଥମେ ମନ ମଧ୍ୟରେ ଇଚ୍ଛାକୁ ସେହି କାର୍ଯ୍ୟ ଆଡ଼କୁ ଫେରାଇ ଅଛ ଏବଂ ତତ୍ ପରେ କାର୍ଯ୍ୟ ହୋଇ ଅଛି । ଇଚ୍ଛାଟି ସେହି ଆଡ଼କୁ କରି ନ ଥିଲେ କାର୍ଯ୍ୟଟି କରି ପାରି ନ ଥାଆନ୍ତ ।

ଏଠାରେ ଗୋଟିଏ କଥା ତୁମ୍ଭମାନଙ୍କ ମନରେ ହୋଇ ପାରେ । କାର୍ଯ୍ୟତଃ କେବଳ ମନୁଷ୍ୟ ଏକା କରେ ନାହିଁ । ପଶୁପକ୍ଷୀ ପ୍ରଭୃତି ସମସ୍ତ ପ୍ରାଣୀ ସର୍ବଦା କାର୍ଯ୍ୟ କରୁ ଅଛନ୍ତି । ଟିକିଏ ବୈଜ୍ଞାନିକ ଦୃଷ୍ଟିରେ ଦେଖିଲେ ଜଣା ଯିବ, ବୃକ୍ଷଲତାଦି ସ୍ଥାବର ଜୀବମାନଙ୍କର ଜୀବନ ମଧ୍ୟ ଆମ୍ଭମାନଙ୍କ ଜୀବନ ପରି ଗୋଟିଏ ଗୋଟିଏ କର୍ମପରମ୍ପରା । ତେବେ ସେମାନେ କଅଣ ସମସ୍ତେ ଆମ୍ଭରି ପରି ଇଚ୍ଛାର ଅଧୀନ ହୋଇ କାର୍ଯ୍ୟ କରନ୍ତି ? ଏ ପ୍ରଶ୍ନର ଅବଶ୍ୟ ସନୋଷଜନକ ଉତ୍ତର ନାହିଁ । ପଶୁପକ୍ଷୀ ପ୍ରଭୃତି ଇତର ଜନ୍ତୁମାନଙ୍କର ମନର ଗତି କ୍ରିୟାର ମୂଳ ଜାଣିବାର ଅଧିକାର ମନୁଷ୍ୟର ଅଛି ବୋଲି କୁହାଯାଇ ନ ପାରେ । ଆମ୍ଭେମାନେ ନିଜ ଅନୁସାରେ ଅପର ମନୁଷ୍ୟର କ୍ରିୟାମାନ ମନର ଗତି ଓ ହୃଦୟର ଭାବ ପ୍ରଭୃତି ଆଲୋଚନା କରି ଯାଉ ଏବଂ ସେହି ମାନଦଣ୍ଡ ଘେନି ଇତର ଜନ୍ତୁମାନଙ୍କ ମନ ବିଷୟରେ କେତେକ କଥା ଅନୁମାନ କରୁ । ମାତ୍ର ସେହି ଅନୁସାରେ ଯେତିକି ଜଣା ପଡ଼ିବ, ସେତିକିରୁ ମୁଁ ଏଠାରେ କିଞ୍ଚିତ କହିବି ।

ଇତର ଜନ୍ତୁମାନେ କାର୍ଯ୍ୟ କରନ୍ତି । ଇଚ୍ଛା ବିନା କ୍ରିୟା ନାହିଁ । କାର୍ଯ୍ୟ କରିବା ପୂର୍ବରୁ ତାଙ୍କ ଭିତରେ ଇଚ୍ଛାର ଉଦ୍ରେକ ହୋଇ ଥିବ । ଇଚ୍ଛା ହୁଏତତ୍‌ପରେ ସେମାନେ କାର୍ଯ୍ୟ କରନ୍ତି । କିନ୍ତୁ ସେ ଇଚ୍ଛାକୁ ନିଜେ ନିଜେ ଚଳାଇବାରେ ଅଧିକାର ସେମାନଙ୍କର ନ ଥାଏ । ଯାହା ଯେତେବେଳେ ଇଚ୍ଛା ହେବାର ତାହା ସମ୍ଭବତଃ ସେମାନଙ୍କ ପାଇଁ ଭଗବାନ ନିର୍ଦ୍ଦେଶ କରି ରଖି ଅଛନ୍ତି । ଏକ ବିଚିତ୍ର ବିଧାନରେ ବାଧ୍ୟ ହୋଇ ଯେପରି କି ସବୁ ସେମାନେ କରୁ ଅଛନ୍ତି । ବିଧାତା ସବୁ କାର୍ଯ୍ୟରେ ଯେପରି କି ତାଙ୍କ ପନ୍ଥା ନିର୍ଦ୍ଦେଶ କରି ରଖି ଅଛନ୍ତି; କାହିଁକି, ସେମାନେ ଜାଣନ୍ତି ନାହିଁ । ଇଚ୍ଛା ଜନ୍ମେ । ଇଚ୍ଛା ଜନ୍ମିଲେ ତାହା ନିଜେ ନିଜେ କାର୍ଯ୍ୟରେ ପରିଣତ ହୁଏ । 

ସେମାନେ ବିଧାତାଙ୍କର କଳ ପରି । ଆମ୍ଭେ କଳରେ ଚକ ଚଳାଇ ଦେଉ, କଳ ଚାଲେ । ବିଧାତା ସେମାନଙ୍କର ଇଚ୍ଛା ଚଳାଇ ଦିଅନ୍ତି, ସେମାନେ କାର୍ଯ୍ୟ କରନ୍ତି । କ୍ଷୁଧା ହୁଏ. ଖାଇବାକୁ ଇଚ୍ଛା ହୁଏ, ଖାଦ୍ୟ ଅନ୍ୱେଷଣ କରିବାର ପ୍ରବୃତ୍ତି ହୁଏ । ସେମାନେ ତାହା କାର୍ଯ୍ୟରେ କରନ୍ତି । ପେଟ ପୂରିଗଲେ ବିଶ୍ରାମ କରନ୍ତି । ଡିମ୍ୱ ଦେବାର ସମୟ ହେଲେ ସେମାନେ ପ୍ରକୃତି ନିୟମରେ ଯେପରିକି ବସା ତିଆରି କରିବା ପାଇଁ କୁଟାକାଠି ଖୋଜି ବୁଲନ୍ତି । କୋକିଳର ଡିମ୍ୱ ଦେବା ସମୟ ହେଲେ ସେ ସେହି ସର୍ଗତନ୍ତ୍ରର ନିତ୍ୟ ନିୟମରେ ଚାଳିତ ହୋଇ ଲୁଚି କରି କୁଆ ବସାରେ ଡିମ୍ୱ ରଖି ଦେଇ ଆସେ । ଇତ୍ୟାଦି ।

ମାତ୍ର ଯେ କାରଣରୁ ହେଉ, ସେମାନଙ୍କର ପ୍ରଥମେ ଇଚ୍ଛାର ଉଦ୍ରେକ ହୁଏ, ପରେ କାର୍ଯ୍ୟ ହୁଏ । ଗାଈ ଆମ୍ଭର ଫସଲ ଖାଇବାକୁ ଆସୁଅଛି । ଭୟ ଦେଖାଇ ଦେଲେ ସେ ପଳାଇ ଯାଏ । ତାହାର ଇଚ୍ଛା ହୋଇ ଥିଲା, ଭୟରେ ତାହା ବଦଳି ଗଲା । ଏହି ପରି ବାହାରରୁ କୌଣସି ସାକ୍ଷାତ ବାଧ୍ୟା ନ ପାଇଲେ, ସେମାନଙ୍କର ଇଚ୍ଛା ବଦଳେ ନାହିଁ । ନିଜେ ଭୂତ ଭବିଷ୍ୟତ ଓ ଫଳାଫଳ ଆଲୋଚନା କରି ସେମାନେ ଇଚ୍ଛା ବଦଳାଇ ପାରନ୍ତି ନାହିଁ । ସେ ବଳ ବା ଅଧିକାର ସେମାନଙ୍କର ନାହିଁ । 

ସେଥି ପାଇଁ ସୃଷ୍ଟିର ଆଦ୍ୟକାଳରୁ ଏପର୍ଯ୍ୟନ୍ତ ସେମାନଙ୍କର ଜୀବନକ୍ରିୟା ପରମ୍ପରରେ କୌଣସି ବିଶେଷ ପରିବର୍ତ୍ତନ ଦେଖା ଯାଇ ନାହିଁ । ଜୀବନ କୌଣସି କାର୍ଯ୍ୟରେ ସେମାନଙ୍କର ପୁରୋଦୃଷ୍ଟି ମଧ୍ୟ ନାହିଁ । ଘାସ ଦେଖିଲେ ଛେଳିର ଖାଇବାକୁ ଇଚ୍ଛା ହୁଏ । ଲୋକେ ସେହି ଘାସ ଦେଖାଇ ଛେଳିକୁ ହାଣିବାକୁ ନେଇ ଯାଆନ୍ତି । ଘାସ ଦେଖି ଲୋଭରେ ଲୋକଟିର ଅନୁସରଣ କଲା ବେଳେ, ଛେଳି ବିଚାରି ପାରେ ନାହିଁ ଯେ, ହଣା ହେବା ହିଁ ଫଳ ହେବ ।

ତେବେ ବୁଝିଲ, ଇତର ଜନ୍ତୁମାନଙ୍କର ହୁଏ ତ ଇଚ୍ଛାଶକ୍ତି ଅଛି । କିନ୍ତୁ, ପୂର୍ବାପର ବିଚାରରେ ବା ପୁରୋଦୃଷ୍ଟି ବଳରେ ସେହି ଇଚ୍ଛାକୁ ସଂଯତ କରିବାର ଅଧିକାର ନାହିଁ । ମନୁଷ୍ୟର ସେହି ଅଧିକାର ହିଁ ବିଶେଷତ୍ୱ । ଜାଣିଥିବ ପୂର୍ବ ବିଚାର ବା ପୁରୋଦୃଷ୍ଟି ବଳରେ ନିଜର ଇଚ୍ଛା ତଥା କ୍ରିୟାକୁ ଯେ ଯେତିକି ସଂଯତ କରିପାରେ, ସେ ସେତିକି ପ୍ରକୃତରେ ମନୁଷ୍ୟ ପଦବାଚ୍ୟ ତାହାର ଚରିତ୍ର ସେତିକି ଦୃଢ଼ ଓ ଉନ୍ନତ । 

ଚରିତ୍ର କଥାଟି ଅନେକ ଦିନୁ ଶୁଣିଥିଲ: ଚରିତ୍ର ଭଲ କରିବାକୁ ହେବ; ଚରିତ୍ର ମାନବର ସର୍ବସ୍ୱ; ଚରିତ୍ର ନ ଥିଲେ ଜୀବନର ମୂଲ୍ୟ ନାହିଁ; ପ୍ରଭୃତି ଉପଦେଶ ସମସ୍ତେ ଶୁଣିଅଛ । ମାତ୍ର ସେ ଚରିତ୍ର କି ବସ୍ତୁ ? ମାନବ ଜୀବନରେ ତାହାର ପ୍ରକୃତି ପ୍ରକ୍ରିୟା କିପରି ଲକ୍ଷ୍ୟ କରା ଯିବ ? ଅନେକେ ଏ ସବୁ ସ୍ପଷ୍ଟତଃ ଜାଣି ନ ଥିବେ । ମୋଟାମୋଟି ଅଳ୍ପ କଥାରେ ମନେ ରଖ, ସୁସଂଯତ ଇଚ୍ଛା ଶକ୍ତି ହିଁ ଚରିତ୍ର ।

ବି. ଦ୍ର. - ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ, ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭, ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହି

ଚରିତ୍ରଂ ହି ପରଂ ବଳଂ” - ୧


ଗୋପବନ୍ଧୁ ଦାସ


ଚିତ୍ର - 'କାମନା' (୧୯୦୬-୧୯୦୭ ମସିହାରେ ଅଙ୍କିତ)
ଚିତ୍ରକର - ଏଡୁଆଡ ମଙ୍କ (୧୮୬୩-୧୯୪୪)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜି ଏ ସଭାରେ ଉପସ୍ଥାନ ଅପେକ୍ଷାକୃତ ଅଳ୍ପ । ଗତ ବର୍ଷ ଏ ସଭାକୁ ଆସିବା ପାଇଁ ଛାତ୍ରମାନଙ୍କୁ ବାଧ୍ୟ କରା ହେଉ ଥିଲା । ଏ ବର୍ଷ ତାହା ହୋଇ ନାହିଁ। ପରୀକ୍ଷାସ୍ୱରୂପ ତୁମ୍ଭମାନଙ୍କର କାର୍ଯ୍ୟରେ ଆଗ୍ରହ ଓ ଆଦର ବଢ଼ାଇବା ନିମନ୍ତେ ସଭାକୁ ଆସିବା ତୁମ୍ଭମାନଙ୍କର ଇଚ୍ଛାଧୀନ କରା ହୋଇ ଅଛି । ଯେଉଁମାନଙ୍କର ଇଚ୍ଛା, ସେମାନେ ସଭାକୁ ଆସୁ ଅଛନ୍ତି । ଯେଉଁମାନେ ସଭାକୁ ଆସୁ ନାହାନ୍ତି, ସେମାନଙ୍କର ହିସାବ ସୁଦ୍ଧା କେହି ରଖୁ ନାହାନ୍ତି । ଏହି ପରି ସଭାକୁ ଆସିବା ନ ଆସିବା ଇଚ୍ଛାଧୀନ ହେବାରୁ, ଉପସ୍ଥାନ ଟିକିଏ ଉଣା ହୋଇ ଅଛି । କିନ୍ତୁ ପ୍ରିୟ ବାଳକମାନେ, ଆଜି ଯେ ଚରିତ୍ରର କଥା ତୁମ୍ଭମାନଙ୍କୁ କୁହାଯିବ, ତାହା ସ୍ଥୂଳତଃ ଏହି ଇଚ୍ଛାର କଥା । କରିବା ନ କରିବା ଇଚ୍ଛାଧୀନ ବୋଲି ଯେବେ ତୁମ୍ଭେମାନେ ଭଲ କଥାରେ ନ ପ୍ରବର୍ତ୍ତିବ, ତାହା ହେଲେ ଜାଣ ଚରିତ୍ର ଗଠନର ମୂଳମନ୍ତ୍ରରେ ତୁମ୍ଭର ଭୁଲ ହେଉ ଅଛି । ଏହି ଯେ ଭଲ କଥାଟିଏ କରିବା ଆଜି ତୁମ୍ଭର ଇଚ୍ଛାଧୀନ ହୋଇ ଅଛି । ଚରିତ୍ର ଗଠନ କରିବାର କାମନା ଥିଲେ ଏହିଠାରେ ତୁମ୍ଭର ପ୍ରଥମ ଅବକାଶ ଜାଣିବ । ଏହିଠାରେ ବା ଏହି ଭଳି କଥାରେ ତୁମ୍ଭ ଚରିତ୍ରଗଠନ ଆରମ୍ଭ ହେବ । ଇଚ୍ଛାକୁ ଭଲ ବାଟରେ ଚଳାଇବାର ସୁବିଧା ଜୀବନରେ ଯେତେବେଳେ ମିଳୁଅଛି, ଯେଡ଼େ କ୍ଷୁଦ୍ର କାର୍ଯ୍ୟରେ ହେଉ ପଛକେ, ତାହା ତୁମ୍ଭେମାନେ ଛାଡ଼ ନାହିଁ । ଛାଡ଼ିଲେ ଚରିତ୍ର ଗଢ଼ି ପାରିବ ନାହିଁ ।


ଇଚ୍ଛା ମନୁଷ୍ୟର ଅନନ୍ତ ମୁଖରେ ବାହାରୁ ଅଛି । ଅନେକ କଥା କରିବାକୁ ତା'ର ଇଚ୍ଛା ହୁଏ, ସେ କାର୍ଯ୍ୟରେ ପରିଣତ କରେ କି ? ନିଜ ଜୀବନକୁ ଥରେ ପରୀକ୍ଷା କରି ଦେଖ । ପ୍ରତି ମୁହୂର୍ତ୍ତରେ ତୁମ୍ଭର କେତେ ଇଚ୍ଛା ହୁଏ । ସବୁ ଇଚ୍ଛା ତୁମ୍ଭେ କଦାପି କାର୍ଯ୍ୟରେ ପରିଣତ କର ନାହିଁ । କେତେ କଥା ଭାବି ଭଲ ମନ୍ଦ ବିଚାର କରି ଫଳାଫଳ କଳ୍ପନାରେ ତୁଳନା କରି ତୁମ୍ଭେ କେତେ ଇଚ୍ଛା ଜବତ୍ କରି ଅଛ । କେତେ ବେଳେ ହୁଏ ତ କର୍ମଶୂନ୍ୟ ହୋଇ ରହିବାକୁ ଇଚ୍ଛା ହୋଇ ଅଛି । ପଢ଼ା ତିଆରି କରିବାକୁ ହେବ ବୋଲି ଭାବି ତୁମ୍ଭେ ସେ ଇଚ୍ଛାକୁ ସଂଯତ କରି ଅଛ । ସଭାକୁ ଯିବାକୁ ତୁମ୍ଭର ଇଚ୍ଛା ହେଉ ନାହିଁ, କଣ ଭାବି ହୁଏ ତ ତୁମ୍ଭେ ସଭାକୁ ଆସିବାକୁ ଇଚ୍ଛା ପ୍ରବର୍ତ୍ତାଇ ଅଛ । ତାସ ଖେଳିବାକୁ ହୁଏ ତ ତୁମ୍ଭେ ତାହା କରି ନାହିଁ । କୌଣସି କୌଣସି କଫ ରୋଗରେ ତୁମ୍ଭର ଜଳପାନର ତୀବ୍ର ଇଚ୍ଛା ଜନ୍ମି ଅଛି । ମାତ୍ର, ଶରୀରର ଆରୋଗ୍ୟ ପ୍ରତି ଲକ୍ଷ୍ୟ ରଖି ତୁମ୍ଭେ ପ୍ରାଣପଣେ ସେ ଇଚ୍ଛା ଅନ୍ୟ ଦିଗକୁ ଫେରାଇ ଅଛ । ଚାଲିବାକୁ ଇଚ୍ଛା ହେଉ ନାହିଁ, କାର୍ଯ୍ୟ ଅନୁରୋଧରେ ଚାଲି ଅଛି । କହିବାକୁ ଇଚ୍ଛା ନାହିଁ, କର୍ତ୍ତବ୍ୟ ବୋଲି କହି ଅଛି । 

ଏହିପରି ତୁମ୍ଭର ଜ୍ଞାନ ହେଲା ଦିନୁ ପଦେ ପଦେ ଇଚ୍ଛାକୁ ସଞ୍ଜତ କରିବା ହିଁ, ତୁମ୍ଭ ଜୀବନର ସମସ୍ତ କ୍ରିୟାରେ ଦେଖାଯିବ । ବରଂ ତୁମ୍ଭ ଜୀବନରେ ଏହାହିଁ ତୁମ୍ଭର ଏକମାତ୍ର କ୍ରିୟା ହୋଇ ଅଛି କହିଲେ ଚଳେ । ପ୍ରାୟଶଃ ଇଚ୍ଛା କୌଣସି ନା କୌଣସି ପ୍ରକାର ସଂଯମ ମୂଳରେ ନ ଥାଇ କର୍ମ ନାହିଁ । ଏହା ହିଁ ତୁମ୍ଭର ଜୀବନ ହୋଇ ଅଛି ।

ଜୀବନ କେତେଗୁଡ଼ିଏ କର୍ମର ସମଷ୍ଟି ମାତ୍ର । କର୍ମପରମ୍ପରା ଛଡ଼ା ଜୀବନରେ ଆଉ କିଛି ନାହିଁ ବୋଲା ଯାଇ ପାରେ । ବସିବା, ଶୋଇବା, ଚାଲିବା, ପଢ଼ିବା, ଖାଇବା, ହସିବା, କହିବା, ଶୁଣିବା, ଏପରି କି ଚିନ୍ତା କରିବା ମଧ୍ୟ ଗୋଟିଏ ଗୋଟିଏ କ୍ରିୟା । ଏହି ସମସ୍ତ କ୍ରିୟାପ୍ରବାହ ମଧ୍ୟରେ ଜୀବନ ଚାଲି ଅଛି । କିନ୍ତୁ କ୍ରିୟା ତ ବାହାରରେ ଦେଖା ଯାଏ । ଏହାର ମୂଳ କେଉଁଠାରେ ? ଟିକିଏ ଆଲୋଚନା କର, ବୁଝିବ ପ୍ରତ୍ୟେକ କ୍ରିୟାର ମୂଳରେ ଗୋଟିଏ ଇଚ୍ଛା ଅଛି । ପ୍ରଥମରେ ଗୋଟିଏ ଇଚ୍ଛା ହୁଏ । ପରେ କ୍ରିୟା ସେହି ଅନୁସାରେ ଦେଖା ଦିଏ । ବରଂ ଏପରି କୁହା ଯାଇ ପାରେ ଯେ, ଇଚ୍ଛାଟି ଦୃଢ଼ ଓ ବଳଶାଳୀ ହେଲେ ତୁମ୍ଭେ ବାଧ୍ୟ ହୋଇ କାର୍ଯ୍ୟ କର । ଆହୁରି ଟିକିଏ ଭଲ କରି କହିଲେ କୁହାଯିବ, ଇଚ୍ଛାଟି ଦୃଢ଼଼ ହେଲେ ତାହା ନିଜେ କାର୍ଯ୍ୟର୍ ପରିଣତ ହୋଇ ଥାଏ । ସେହି ଇଚ୍ଛାଟି କାର୍ଯ୍ୟ ରୂପେ ଦେଖା ଦିଏ । ଇଚ୍ଛାକୁ କାର୍ଯ୍ୟର ମାନସବୀଜ ବୋଲି କୁହା ଯାଇ ପାରେ । ଚାଲିବାର ଆବଶ୍ୟକ ତୁମ୍ଭେ ପ୍ରଥମେ ମନରେ ଏକଥା ଭାବି ଗୋଡ଼ ଉଠାଇ ପକାଇବାର ଇଚ୍ଛା କର । ଗୋଡ଼ କେତେ ବେଳେ ଅପରିଜ୍ଞାତ ଭାବରେ ଯେପରି କି ନିଜେ ଉଠି ପଡ଼ି ଗଲା ଇଚ୍ଛା ହିଁ ଜାଣ ସମସ୍ତ କ୍ରିୟାର ମୂଳ । ଇଚ୍ଛା ବିନା କ୍ରିୟା ଅସମ୍ଭବ ।

ବି. ଦ୍ର. - ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ, ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭, ମସିହାରେ ଛପାଯାଇଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହି

Sunday, September 09, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବିହାର ବିଦ୍ୟାପୀଠରେ ସମାବର୍ତ୍ତନ ଭାଷଣ:୩'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ଅହମଦାବାଦର ଆଶ୍ରମରେ ସ୍ଥିତ ଗାନ୍ଧୀଙ୍କର ଅରଟ ( ୱିକିମିଡିଆ କମନ୍ସ୍)

ଦରିଦ୍ର ଲୋକକୁ ଶିକ୍ଷା ଦେବାର ଉଦ୍ଦେଶ୍ୟ ଥିବା କହି, ଅଥଚ ପ୍ରକୃତରେ ସେମାନଙ୍କୁ ସେଥିରେ ବଞ୍ଚିତ କରି, ସେହିମାନଙ୍କଠାରୁ ଶୋଷିତ ଧନରେ କିପରି ପ୍ରାସାଦୋପମ ସୌଧମାନ ନିର୍ମାଣ କରିବାର ଉନ୍ମତ୍ତତା ଦେଖା ଯାଇଛି ,ସେ ବିଷୟରେ ଗାନ୍ଧୀଜୀ ତତ୍‌ପରେ ବର୍ଣ୍ଣନା କରିଥିଲେ । 

“ଏଲହାବାଦର ଲକ୍‌ନମିକ୍ ଇନ୍‌ଷ୍ଟିଟ୍ୟୁଟ୍ ଦେଖିଯିବାର ସୌଭାଗ୍ୟ ଥରେ ମୋର ହୋଇଥିଲା । ଅଧ୍ୟାପକ ଜୀଭନ୍‌ସ୍ ସାହେବ ମୋତେ ଏସବୁ ବୁଲାଇ ଦେଖାଇଲା ବେଳେ କହିଲେ ଯେ, ଏଥିରେ ତିରିଶ ଲକ୍ଷ ଟଙ୍କା (ମୁଁ ଯଦି ଠିକ କହୁଥାଏ ) ଖର୍ଚ୍ଚ ହୋଇଛି । ତାହା ଶୁଣି ମୋର ହୃତକମ୍ପ ହେଲା । ଲକ୍ଷଲକ୍ଷ ଲୋକଙ୍କୁ ଭୋକିଲା ନ ରଖିଲେ ଏପରି ପ୍ରାସାଦତୁଲ୍ୟ କୋଠା ଘର ତିଆରି ହୋଇ ପାରିବ ନାହିଁ । ଦିଲ୍ଲୀ କଥା ବି ଠିକ୍ ସେଇଆ । 

ରେଲ୍ ବିଭାଗରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଯେଉଁ ସବୁ ଉନ୍ନତି ହୋଇଛି , ସେ ଆଡ଼କୁ ମଧ୍ୟ ଦୃଷ୍ଟି ପକାନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ଦେଖିବେ, ସେହି ଏକା ନୀତି ସଙ୍ଖ୍ୟାଲଘିଷ୍ଠ ସୁବିଧାବାଦୀ କେତେକଙ୍କର ଲାଗି ସବୁ ସୁବିଧା କରା ଯାଇଛିସଙ୍ଖ୍ୟାଗରିଷ୍ଠ ଦରିଦ୍ର ଜନସାଧାରଣଙ୍କୁ ଅବହେଳିତ କରା ଯାଇଛି । ଏହାକୁ ଶୟତାନର ନୀତି ଛଡ଼ା ଆଉ କଣ କୁହା ଯାଇ ପାରେ

ମୁଁ ଯଦି ପ୍ରକୃତ ସତ କହେ, ଯାହା କହିଛି ସେଥିରୁ ଆଉ କମ୍ କହି ପାରିବ ନାହିଁ; ଯେଉଁମାନେ ଏପରି ଏକ ପ୍ରଣାଳୀର ପରିକଳ୍ପନା କରିଛନ୍ତି, ସେମାନଙ୍କ ସହିତ ମୋର ବିବାଦ ନାହିଁ । ସେମାନେ ୟା ଛଡ଼ା ଆଉ ବି କିଛି କରି ନ ଥାଆନ୍ତେ । ହାତୀ ପିମ୍ଫୁଡ଼ି କଥା ଅବା କିପରି ଭାବିବ ? ଦକ୍ଷିଣ ଆଫ୍ରିକା ପ୍ରତିନିଧିଦଳର ସଭ୍ୟରୂପେ ଥରେ ସାର୍ ଲେମେଲ୍ ଗ୍ରିଫେନ୍ ତାଙ୍କ ବକ୍ତୃତାରେ କହିଥିଲେବିଦା ବା ମଇ ଦିଆ ହେଲା ବେଳେ କଷ୍ଟ ପାଇଥିବା ବେଙ୍ଗ ହିଁ ତାହାର ଯନ୍ତ୍ରଣା ଜାଣେ । 

ଆମ୍ଭମାନଙ୍କର ବିଭିନ୍ନ ବ୍ୟାପାରରେ ଭାର ସେମାନଙ୍କ ହାତରେ । ଆମେ ଯେପରି ଆମ ଅବସ୍ଥା ସୁଧାରି ବ୍ୟବସ୍ଥା କରି ପାରିବୁଁ, ଯେତେ ସଦିଚ୍ଛା ପୋଷଣ କଲେ ବି ସେମାନଙ୍କର ଭିତରୁ ଖୁବ ଭଲ ଲୋକଙ୍କ ଦେଇ ସେ କଥା ହୋଇ ପାରିବ ନାହିଁ । କାରଣ ସେମାନଙ୍କର ପରିକଳ୍ପନା ଆମର ଠିକ୍ ଓଲଟା । ସେମାନେ କେତେ ଜଣ ଲାଭ ମାରି ନେବା ଲୋକଙ୍କ ହିତ ଦୃଷ୍ଟିରୁ ବିଚାର କରନ୍ତି । ମାତ୍ର ଆମେ କୋଟି କୋଟି ନିରନ୍ନ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଚାର କରୁଁ ।“

ସେହି କାରଣରୁ ସ୍ୱଭାବତଃ ଚରଖାର ଆଶ୍ରୟ ନେବାକୁ ହେବା ଏବ‌ଂ ବର୍ତ୍ତମାନ ସବୁପ୍ରକର ବ୍ୟବସ୍ଥାର ମୂଳ ଓ ଚକିର ମାଣିଖୁଣ୍ଟି ପରି ଏହାକୁ ଧରିବାକୁ ହେବ ବୋଲି ସେ କହିଲେ ।

ସ୍ନାତକମାନେ ସେମାଙ୍କର ଉପାଧି ଗ୍ରହଣ କରନ୍ତୁ, ଯେ କୌଣସି ବିଷୟରେ ଶିକ୍ଷା ଲାଭ କରନ୍ତୁ ପଛକେ, ଚରଖା ସେ ସବୁରି କେନ୍ଦ୍ର ହୋଇ ରହୁ । ଚରଖାର ଉଦ୍ଦେଶ୍ୟ ସାଧନ କରିବା ଦିଗରୁ ଅର୍ଥନୀତି ଓ ବିଜ୍ଞାନ ପଢ଼ା ଯାଉ । ଚରଖାକୁ ଅନ୍ଧାର କୋଣକୁ ଫିଙ୍ଗି ଦିଅ ନାହିଁ । ସୂର୍ଯ୍ୟ ସୌରଜଗତର ଯେପରି କେନ୍ଦ୍ର, ଆମର ସବୁ ପ୍ରକାର କାର୍ଯ୍ୟର ଚରଖା ସେହିପରି କେନ୍ଦ୍ର ହୋଇ ରହୁ । ଏହା ନ ହେଲେ ବିଦ୍ୟାପୀଠଗୁଡ଼ିକ କେବଳ ସେହି ନାମରେ ହିଁ ପର୍ଯ୍ୟବସିତ ହୋଇ ରହିବ । 

କାଉନ୍‌ସିଲ ଜରିଆରେ ଉନ୍ନତ କରିବାକୁ ହେଲେ ବ୍ରିଟିଶ ପାର୍ଲିଆମେଣ୍ଟ ପ୍ରତି ଦୃଷ୍ଟିପାତ କରିବାକୁ ହେବ ବୋଲି ଯାହା ଲର୍ଡ ଅର୍‌ଭିନ୍ କହି ଥିଲେ, ତାହା ଠିକ୍ କଥା ତାଙ୍କ ଉପରେ କୌଣସି ଦୃଷ୍ଟିରୁ ଭାବି ପାରିବେ ନାହିଁ । ତାଙ୍କ ପ୍ରଣାଳୀର ସୂର୍ଯ୍ୟ ଲଣ୍ଡନ, ଆମ ପ୍ରଣାଳୀରେ ସୂର୍ଯ୍ୟ ଚରଖା । ମୁଁ ଏପରି କହିବା ଦ୍ୱାରା ଭୁଲ କରି ପାରୁଥାଏଁ । ମୋର ଭୁଲ ନ ବୁଝିବା ପର୍ଯ୍ୟନ୍ତ ମୁଁ ଏହାକୁ ଗଣ୍ଠିଧନ କରିଥିବି, ମୋର ମତ ବଦଳାଇ ପାରିବି ନାହିଁ । 

ଚରଖା ଦ୍ୱାରା କାହାରି କିଛି କ୍ଷତି ହେବାର ଆଶଙ୍କା ନାହିଁ । ବରଂ ଚରଖାକୁ ଭୁଲିଲେ ଆମର, ଏପରି କି ମୁଁ କହିପାରେ ସାରା ଦୁନିଆର, ସର୍ବନାଶ ହେବ । ଯେଉଁ ଯୁଦ୍ଧରେ ମିଥ୍ୟାକୁ ସର୍ବୋଚ୍ଚ ଧର୍ମ ରୂପେ ପ୍ରଚାର କରା ଯାଉ ଥିଲା । ସେହି ଯୁଦ୍ଧ ପରେ ଇଉରୋପ କିପରି ଅନୁଭବ କରୁ ଅଛି, ତାହା ଆମେ ଜାଣୁଁ । ଯୁଦ୍ଧର ପରିଣାମାରେ ଦୁନିଆ ଆଜି ଅସ୍ତବ୍ୟସ୍ତ । 

ଆଜି ଭାରତକୁ ଯେପରି ଚରଖା ଆଶ୍ୱାସନା ଦେଉଛି, କାଲି ସାରା ଦୁନିଆକୁ ସେହି ପରି ଦେବ । କାରଣ ଏହା କେବଳ ସଙ୍ଖ୍ୟାଗରିଷ୍ଠ ଉପହାର ଦୃଷ୍ଟିରୁ ହୋଇ ନାହିଁସମସ୍ତଙ୍କର ମଙ୍ଗଳ ଏହାର ଲକ୍ଷ୍ୟ । ଭୁଲ କରିଥିବା ଲୋକକୁ ମୁଁ ସେତେବେଳେ ଦେଖେନିଜକୁ ନିଜେ କହେମୁଁ ବି ଦିନେ ଏପରି ଥିଲି । ମୁଁ ଏହି ରୂପେ ପ୍ରତ୍ୟେକଙ୍କ ସହିତ ଜ୍ଞାତିଭାବ, ଏକାତ୍ମତା ସ୍ଥାପନ କରେ ଏବଂ ଅନୁଭବ କରେସବୁଠାରୁ ଦୀନହୀନ ଲୋକ ସୁଖୀ ନ ହେବା ପର୍ଯ୍ୟନ୍ତ ମୁଁ ସୁଖୀ ହୋଇ ପାରିବି ନାହିଁ । 

ଏହି ଦୃଷ୍ଟିରୁ ଚରଖାରୁ ଆପଣମାନଙ୍କର ଶିକ୍ଷାର କେନ୍ଦ୍ର ରୂପେ ଗ୍ରହଣ କରିବାକୁ ମୁଁ ଇଚ୍ଛା କରେ । ଯେପରି ପ୍ରହ୍ଲାଦ ସବୁ ବେଳେ ଭଗବାନଙ୍କୁ ଦେଖୁ ଥିଲା, ସେପରି ଆପଣମାନଙ୍କର ସମସ୍ତ ଶିକ୍ଷା ବା ପାଣ୍ତିତ୍ୟ ଅରଟର ତାତ୍ପର୍ଯ ହୃଦୟଙ୍ଗମ କରିବା ଦିଗରେ ଲାଗୁ ।  ଅରଟକୁ ଦରିଦ୍ରତମ ବ୍ୟକ୍ତିର ମୁଖ୍ୟ ଅବଲମ୍ୱନ ରୂପେ ପ୍ରତିଷ୍ଠା କରିବା ନିମିତ୍ତ ଆମର ବିଜ୍ଞାନକାରିଗରୀ ଓ ଆମର ଅର୍ଥନୀତିର ସଦ୍‌ବ୍ୟବହାର ହେବା ଆବଶ୍ୟକ ଅଟେ । 

ମୁଁ ଜାଣେ ଯେ ଗୁଜୁରାତ ବିଦ୍ୟାପୀଠରେ ଆମେ ଏ ଦିଗରେ ବିଶେଷ କୃତକାର୍ଯ୍ୟ ହୋଇନାହୁଁ । ଆପଣମାନେ ମଧ୍ୟ ଏହା କରୁ ନାହାନ୍ତି । କୌଣସି ଅଭିଯୋଗ କରିବାର ଭାବ ରଖି ମୁଁ ଏକଥା କହୁ ନାହିଁ । ମୋର ହୃଦୟର ଯନ୍ତ୍ରଣା ପ୍ରକାଶ କରୁଛି ମାତ୍ର । ଆପଣମାନେ ଏସବୁ ହୃଦୟଙ୍ଗମ କରନ୍ତୁ ଏହା ହିଁ ମୋର କାମନା ।

ବି.ଦ୍ର. -  ବିହାର ବିଦ୍ୟାପୀଠର ବାର୍ଷିକ ଉତ୍ସବରେ ଗାନ୍ଧୀଜୀ ଛାତ୍ରମାନଙ୍କୁ ଯେଉଁ ଭାଷଣ ଶୁଣଇଥିଲେ ତାହାର ବିବରଣୀ ଦେସାଇ ଏହିଠାରେ ଦେଇଛନ୍ତି । ଏହି ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ'ରେତା୧୦--୧୯୨୭ରିଖରେ ଛପାଯାଇଥିଲା । 

Saturday, September 08, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବିହାର ବିଦ୍ୟାପୀଠରେ ସମାବର୍ତ୍ତନ ଭାଷଣ:୨'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ଥମାସ ବାବିଙ୍ଗଟନ ମାକଲେ (୧୮୦୦-୧୮୫୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତତ୍‌ପରେ ସେ ଅସହଯୋଗ ଅନୁଷ୍ଠାନଗୁଡ଼ିକର ଦୁଇଟି ରୂପ ବିଷୟରେ କହିଲେ । ସରକାର ସହିତ ସବୁ ପ୍ରକାର ଫଟକ ତୁଟାଇ ଦେବା ଫଳରେ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକ ଅଭବାତ୍ମକ ଦିନଟି ହାସଲ କରିଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନ ଛାଡ଼ି ଦେବାକୁ ଯେଉଁ ଛାତ୍ର ଓ ଶିକ୍ଷକମାନଙ୍କୁ ସେ ଆହ୍ୱାନ କରି ଥିଲେ, ସେମାନଙ୍କ ବିଷୟ ଭାବି ସେ ଅନୁତପ୍ତ ନୁହନ୍ତି ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କର ପୂର୍ବ ଅନୁଷ୍ଠାନକୁ ଫେରି ଯାଇଛନ୍ତି, ଅସନ୍ତୁଷ୍ଟ ଓ ଦୁଃଖିତ ହୋଇଛନ୍ତି ବୋଲି ସେ ମଧ୍ୟ ଅନୁତପ୍ତ ନୁହନ୍ତି । ସେହିମାନଙ୍କ ପାଇଁ ସେ ଟିକିଏ ଦୁଃଖିତ ହୋଇଥିଲେ କାରଣ ସେମାନଙ୍କ ପ୍ରତି ତାଙ୍କର ଗଭୀର ସହାନୁଭୂତି ଥିଲା । ମାତ୍ର ସେ ଏଥିପାଇଁ ଅନୁତପ୍ତ ନୁହନ୍ତି ।

ଏହି ସବୁ ଦୁଃଖ-କଷ୍ଟ ପ୍ରତିଦିନ ଆମକୁ ଭୋଗିବାକୁ ହେବ ଏବଂ ଆମର ଭୋଗିବା ଉଚିତ ମଧ୍ୟ । ସତ୍ୟପାଳନ ଗୋଲାପ-ପୃଷ୍ପର ଶଯ୍ୟାରେ ଶୟନ ପରି ଯଦି ପ୍ରୀତପ୍ରଦ ହୋଇ ଥାଆନ୍ତା, ବିନା ଆୟାସରେ ସୁଖେ ସହଜେ ଯଦି ଏହା ମିଳି ଯାଉଥା'ନ୍ତାତେବେ ସତ୍ୟପାଳନରେ ଆଉ କୌଣସି ସୌନ୍ଦର୍ଯ୍ୟ ବା ସରସତା ନ ଥା'ନ୍ତା । ସୃଷ୍ଟି ପ୍ରଳୟ ହୋଇଗଲେ ମଧ୍ୟ ସତ୍ୟପଥରେ ଆମକୁ ଦୃଢ଼ ରହିବାକୁ ହେବ । ସତ୍ୟ ଅନୁସରଣ କରିବାକୁ ଯାଇ ସମୁଦାୟ ପୃଥିବୀ ସହିତ ଭାରତକୁ ଯଦି ହରାଇବାକୁ ପଡ଼େ, ସେଥିରେ ଯାଏ ଆସେ କଣ 

ଈଶ୍ୱରଙ୍କର କୃପାରେ ଭାରତକୁ ମିଶାଇ ଆମ୍ଭମାନଙ୍କର ପ୍ରିୟ ବସ୍ତ୍ରଗୁଡ଼ିକ ଫେରି ପାଇବୁଁ, ଏହି ଦୃଢ଼ ବିଶ୍ୱାସ ପୋଷଣ କରି ଯଦି ମୃତ୍ୟୁ ପର୍ଯ୍ୟନ୍ତ ସତ୍ୟକୁ ଅବଲମ୍ୱନ କରିବୁ, ତେବେ ଆମ୍ଭେମାନେ ସତ୍ୟର ପ୍ରକୃତ ଭକ୍ତ ହୋଇ ପାରିବୁଁ । ଅନେକ ଶିକ୍ଷକ ଓ ଅଧ୍ୟାପକ ବଡ଼ ବିଚଳିତ ଓ କେତେକ ଅନଶନ କ୍ଲିଷ୍ଟ, ଏହା ମୁଁ ଜାଣେଁ । ଜାତୀୟ ବାୟୁମଣ୍ତଳରୁ ଉପଯୁକ୍ତ ଭାବରେ ଶୁଦ୍ଧ କରିବାକୁ ହେଲେ, ଏହି ପରି ତପଶ୍ଚର୍ଯ୍ୟ ଆବଶ୍ୟକ ।“

ଏହା ଅସହଯୋଗ ଆନ୍ଦୋଳନର ଅଭାବତ୍ମକ ସ୍ୱରୂପ । ତାହା କାର୍ଯ୍ୟରେ ପରିଣତ ହୋଇଛି ଓ ଯଥେଚିତ ପରିମାଣରେ ପ୍ରାୟଶ୍ଚିତ୍ତ ହୋଇଛିଜାଣି ଗାନ୍ଧୀଜୀ ଆନନ୍ଦ ପ୍ରକାଶ କରିଥିଲେ । ଏହି ଦ୍ୱୈତ ଜଗତରେ ଅସହଯୋଗର ଆହୁରି ଏକ ଭାବାତ୍ମକ ରୂପ ମଧ୍ୟ ଅଛି । ତାହା କଷ୍ଟସାଧ୍ୟ ହେଲେ ମଧ୍ୟ ତାର ଫଳ ସ୍ଥାୟୀ । ଏହି ପରି ବିଦ୍ୟାପୀଠ ବ୍ୟତୀତ ଆଉ କେଉଁଠାରେ ବା ସେ ଉଦ୍ଦେଶ୍ୟ ପୂର୍ଣ୍ଣ ହେବ ? ତତ୍‌ପରେ ଭାରତ ଓ ଇଉରୋପରେ ପ୍ରଚଳିତ ଶିକ୍ଷା-ପ୍ରଣାଳୀକୁ ସେ ତୁଳନା କରିଥିଲେ ।

ଇଉରୋପରେ ଲୋକମାନଙ୍କର ପ୍ରକୃତିର ବୈଶିଷ୍ଟ୍ୟ ଦୃଷ୍ଟିରୁ ଶିକ୍ଷା ଅନୁସୃତ ହୁଏ । ଜନସାଧାରଣଙ୍କର ସଂସ୍କୃତି ଓ ପ୍ରତିଭାର ବିଭିନ୍ନତା ଦୃଷ୍ଟିରୁ ତିନୋଟି ବିଭିନ୍ନ ଦେଶରେ ଏକା ବିଷୟ ତିନୋଟି ବିଭିନ୍ନ ପ୍ରଣାଳୀରେ ଶିକ୍ଷା ଦିଆ ଯାଇ ଥାଏ । ଆମର ଦାସମନୋବୃତ୍ତି ହେତୁ ଇଂରାଜୀ ଆଦର୍ଶକୁ ଅନୁକରଣକାରୀ ରୂପେ ତିଆରି କରି ଦେବା ହେଉଛି, ବର୍ତ୍ତମାନ ପ୍ରଚଳିତ ଶିକ୍ଷାପ୍ରଣାଳୀର ଉଦ୍ଦେଶ୍ୟ । ଏଥିରେ କୌଣସି ନୂତନତ୍ୱ ନାହିଁ । 

ଯେଉଁମାନେ ଆମକୁ କେବେ ହେଲେ ଜାଣିବାକୁ ଯତ୍ନ କରନ୍ତି ନାହିଁ, ସେହିପରି ଅଜ୍ଞ ବ୍ୟକ୍ତିମାନଙ୍କ ଉପରେ ସବୁ ସମର୍ପ ଦେବା ଫଳରେ ଆମର ଏହିପରି ଦଶା ହୋଇଛି । ବିଚରା ମ୍ୟାକଲେ, ସେ କଣ କରନ୍ତେ ? ଆମର ସଂସ୍କୃତ ସାହିତ୍ୟ ଯେ କୁସଂସ୍କାରପୂର୍ଣ୍ଣ, ଏହା ତାଙ୍କର ବଦ୍ଧମୂଳ ବିଶ୍ୱାସ ଥିଲା । ପାଶ୍ଚାତ୍ୟ ସଂସ୍କୃତି ରୂପରେ ସେ ଆମକୁ ରସାୟନ ଦେଇ ପାରିବେ ବୋଲି ପ୍ରକୃତରେ ଚିନ୍ତା କରିଥିଲେ । ଅଜ୍ଞତାବଶତଃ ସେ ଆମର ଯେଉଁ ଅନିଷ୍ଟ କରି ଅଛନ୍ତିସେଥି ପାଇଁ ତାଙ୍କୁ ନିନ୍ଦା କରିବାଟା ଆମ ପକ୍ଷରେ ଉଚିତ ହେବ ନାହିଁ ।

ଇଂରାଜୀ ଭାଷା ଆମ ଶିକ୍ଷାର ମାଧ୍ୟମ ହେବା ଫଳରେ ଆମେ ଆମର ମୌଳିକତା ହରାଇ ବସିଛୁଁ । ପକ୍ଷବିହୀନ ପକ୍ଷୀ ସଦୃଶ ଆମର ଦଶା ହୋଇଛି । କିରାଣି ବା ସମ୍ପାଦକ କାମ କରିବା ଆମ ଜୀବନର ଚରମ ଆକାଙ୍‌କ୍ଷା ହୋଇଛି । ଲର୍ଡ ସିଂହଙ୍କ ପରି ଜଣେ ଅଧେ ପ୍ରଚଳିତ ପ୍ରଣାଳୀରୁ ଉତୁର ପାରନ୍ତି; ପ୍ରତ୍ୟେକେ ଖୁବ୍ ବେଶୀ ହେଲେ ଏ ବିଦେଶୀ ବଡ଼ କଳର ଗୋଟାଏ ଗୋଟାଏ ଅଙ୍ଗ ରୂପେ କାମ କରୁଛନ୍ତି। ମୋଜାଫରପୁରରେ ଗୋଟିଏ ପିଲା ଆସି ମୋତେ ପଚାରିଲା, ରାଷ୍ଟ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରିବା ଦ୍ୱାରା ଦିନେ ସେ ଲାଟସାହେବ ହୋଇ ପାରିବ କି ? ମୁଁ ତାକୁ କହିଲି, "ନାତୁମେ ଜଣେ ଗାଉଁଲି ଲାଟ ହେବ । ମାତ୍ର ଲର୍ଡ ସିଂହ ହୋଇ ପାରିବ ନାହିଁ । ଲର୍ଡ ବାର୍କେନ୍‌ହେଡ଼ କେବଳ ତୁମକୁ ତାହା କରି ଦେଇ ପାରିବେ ।"

ବି.ଦ୍ର. -  ବିହାର ବିଦ୍ୟାପୀଠର ବାର୍ଷିକ ଉତ୍ସବରେ ଗାନ୍ଧୀଜୀ ଛାତ୍ରମାନଙ୍କୁ ଯେଉଁ ଭାଷଣ ଶୁଣଇଥିଲେ ତାହାର ବିବରଣୀ ଦେସାଇ ଏହିଠାରେ ଦେଇଛନ୍ତି । ଏହି ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ'ରେତା୧୦--୧୯୨୭ରିଖରେ ଛପାଯାଇଥିଲା । 

Friday, September 07, 2018


ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବିହାର ବିଦ୍ୟାପୀଠରେ ସମାବର୍ତ୍ତନ ଭାଷଣ:୧'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ସ୍ପେନ ଦେଶର ସ୍ଥାପତ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ଗାନ୍ଧୀଜୀଙ୍କର ଏହି ଭାଷଣକୁ ଏକ ବକ୍ତୃତା ପରିବର୍ତ୍ତେ ହୃଦୟଗ୍ରାହୀ କଥୋପକଥନ ବୋଲି କୁହା ଯାଇ ପାରେ । ଛାତ୍ରମାନଙ୍କ ଉପରନ୍ତୁ ସାଧାରଣ ଲୋକେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେହି ଜନସାଧାରଣ ଗାନ୍ଧୀଜୀଙ୍କ ପୂର୍ଣ୍ଣ ବିଶ୍ୱାସ-ଭାଜନ ହୋଇ ପାରି ଥିଲେ । କାରଣ ,ସେମାନେ ଯେ କେବଳ ଗାନ୍ଧୀଜୀଙ୍କର ବକ୍ତୃତା ଶୁଣୁଥିଲେ, ତାହା ନୁହେଁ, ହୃଦୟର ସେହି ନୀରବ ଭାଷା ବୁଝୁ ଥିଲେ । ତାଙ୍କର ସେହି କଥୋପକଥନ ନାନା ବୈଚତ୍ର୍ୟହୃଦୟର ବ୍ୟାକୁଳତା ଓ ଆତ୍ମଜୀବନ ନାନା ଉଦାହରଣରେ ଭରପୁର ହୋଇଥିଲା । 

ସେ ଆରମ୍ଭରୁ ଆଶା କରିଥିଲେ ସ୍ନାତକମାନେ ସେଦିନ ଯେଉଁ ଶପଥ ଗ୍ରହଣ କରିଛନ୍ତି, ସେହି ଅନୁସାରେ ଜୀବନଯାପନ କରିବେ । ଗୁଜୁରାତ ବିଦ୍ୟାପୀଠର ସମାବର୍ତ୍ତନ ଉତ୍ସବ ସମୟରେ ସେ ଯେପରି କହିଥିଲେଯଦି ସେହିପରି ଏ ବିଦ୍ୟାପୀଠ ଜଣେ ମାତ୍ର ଆଦର୍ଶଛାତ୍ର ଓ ଜଣେ ମାତ୍ର ଆଦର୍ଶ ଶିକ୍ଷକ ବାହାର କରି ପାରେ, ତେବେ ତାହାର ତିଷ୍ଠି ରହିବା ଯଥାର୍ଥତାର ଅଧିକ ପ୍ରତିପାଦିତ ହୋଇ ଯିବ, ନୋହିଲେ ଏପରି ଅନୁଷ୍ଠାନଗୁଡ଼ିକର କାର୍ଯ୍ୟ ତେବେ କଣ ? ଯେତେ କମ୍ ହେଉ ପଛକେ, ସେହି ପବିତ୍ର ପ୍ରଶାନ୍ତ ରତ୍ନମାନଙ୍କୁ ଆବିଷ୍କାର କରିବା ଏହାର କାର୍ଯ୍ୟ ନୁହେଁ କି ? ତାହା ପରେ ସେ ତାଙ୍କର ଦକ୍ଷିଣ ଆଫ୍ରିକାର ଗୋଟିଏ ସ୍ମୃତି ଉଦ୍ଧାର କରି କହିଲେ ।

ମୁଁ ଆଫ୍ରିକାରେ କୋଡ଼ିଏ ବର୍ଷ ରହିଲି । ସେଠାରେ ଥିବା ହୀରାଖଣ ଦେଖି ଯିବାକୁ ଥରେ ହେଲେ ଭାବି ନାହିଁ । କାରଣ ଭୟ ଥାଏ, କାଳେ ମୋତେ ଅସ୍ଫୁଶ୍ୟ ବୋଲି ଅନୁମତି ମିଳିବ ନାହିଁ, ଫଳରେ ଅପମାନ ପାଇବି । କିନ୍ତୁ,ଯେତେବେଳେ ଗୋଖଲେ ସେଠାରେ ଥିଲେ, ,ତାଙ୍କୁ ସେଠିକାର ପ୍ରଧାନ ଶିଳ୍ପସମ୍ପଦ ଦେଖାଇବାର କର୍ତ୍ତବ୍ୟ ମୁଁ ଅନୁଭବ କଲି । ତାଙ୍କର ଅପମାନିତ ହେବାର ଭୟ ନ ଥିଲା । ତେଣୁ, ଆମେ ସବୁଠାରୁ ବଡ଼ ଖଣିକୁ ଯାଇଥିଲୁ । 

ସେଠାରେ ଯାହା ଦେଖିଲି ମୁଁ ତାହା ଏ ପର୍ଯ୍ୟନ୍ତ ଭୁଲି ଯାଇ ନାହିଁ । ପର୍ବତ ସମାନ ଗଦା ଗଦା ହୋଇ ମାଟି ଓ ପଥର ରହିଛି ମାତ୍ର ହୀରା ନାହିଁ । ଲକ୍ଷ ଲକ୍ଷ ମହଣ ମାଟି-ପଥର ଖୋଲି ଲକ୍ଷଲକ୍ଷ ଲୋକଙ୍କ ଶକ୍ତି-କ୍ଷୟ ହେଲା ପରେ ହାତଗଣତି କେତେଟା ମୂଲ୍ୟବାନ ପଥର ମିଳେ । କେତେ ବର୍ଷର ପରିଶ୍ରମ ଫଳରେ ଲକ୍ଷଲକ୍ଷ ସ୍ୱର୍ଣ୍ଣମୁଦ୍ରାର ବ୍ୟୟରେ ଜାରଙ୍କ ମୁକୁଟରେ ଶୋଭିତ ହୀରକ ଓ କୋହୀନୁର ହୀରକଠାରୁ ବଡ଼ ଏକ ପ୍ରସ୍ତରଖଣ୍ତ ଯେତେବେଳେ କଲୀନନ୍ ପାଇଲେ ଓ ନିଜ ନାମ ଅନୁସାରେ ତାହାର ନାମକରଣ କଲେ, ସେତେବେଳେ ତାଙ୍କର ଆନନ୍ଦ କେତେ ହୋଇଥିବ, ତୁମେ ଅନୁମାନ କର । ସେ ମନେ କଲେ ଯେପରି ଜୀବନର କର୍ତ୍ତବ୍ୟ ଶେଷ ହୋଇଗଲା । 

ଆମେ ଯଦି ଏକ କୃତ୍ରିମ ସମ୍ପଦର ଆହରଣରେ ଏତେ ଶ୍ରମ ଓ ଅର୍ଥ ବ୍ୟୟ କରିବାକୁ କୁଣ୍ଠିତ ନୋହୁଁ, ତେବେ ମାନବରତ୍ନ ଆହରଣରେ ଆମକୁ କେତେ ଖର୍ଚ୍ଚ କରିବାକୁ ବା ନ ପଡ଼ିବ ଏହିପରି ମନୋଭାବ ରଖି ଆମମାନଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ

ଏହା ଗୋଟିଏ ଭଲ ଉପମା ରସ୍କିନ୍‌ଙ୍କର “ଆତ୍ମର ନିର୍ମାଣ” ଏହି ଶବ୍ଦ ପୁଞ୍ଜି କରିବାଠାରୁ ଏହା ଆହୁରି ଉପାଦେୟ । କେବଳ ଈଶ୍ୱରଙ୍କ ଶକ୍ତିରେ ଆତ୍ମା ତିଆରି ହୋଇ ପାରିବ । ଯ।ହା ଭଗବାନଙ୍କର ଗନ୍ତାଘରରେ ଆଗରୁ ସଞ୍ଚିତ ରହିଛି, ତାହାକୁ କେବଳ ଖୋଜି ବାହାର କରିବା ଈଶ୍ୱର ମଣିଷର କାର୍ଯ୍ୟ ।

ବି.ଦ୍ର. -  ବିହାର ବିଦ୍ୟାପୀଠର ବାର୍ଷିକ ଉତ୍ସବରେ ଗାନ୍ଧୀଜୀ ଛାତ୍ରମାନଙ୍କୁ ଯେଉଁ ଭାଷଣ ଶୁଣଇଥିଲେ ତାହାର ବିବରଣୀ ଦେସାଇ ଏହିଠାରେ ଦେଇଛନ୍ତି । ଏହି ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ'ରେ, ତା୧୦--୧୯୨୭ରିଖରେ ଛପାଯାଇଥିଲା ।