Wednesday, November 15, 2017

ଛାତ୍ରଜୀବନ ଗଠନରେ ଗୋପବନ୍ଧୁ : ଗୁରୁକୁଳ


ଗୋପବନ୍ଧୁ ଦାଶ

ଆର୍ଯ୍ୟସମାଜର ଗୁରୁକୁଳରେ ଛାତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବର୍ତ୍ତମାନ ଅବସ୍ଥାରେ ଆମ୍ଭମାନଙ୍କ ଦେଶରେ ଯାହା ଯାହା ବଡ ଦରକାରୀ ଶିକ୍ଷା ତହିଁ ମଧ୍ୟରେ ସର୍ବପ୍ରଧାନ ଅଟେ । କିନ୍ତୁ ଭାରତର ଶିକ୍ଷା ଅନ୍ୟାନ ଦେଶର ଶିକ୍ଷାଠାରୁ ସମ୍ପୂର୍ଣ୍ଣ ପୃଥକ । ଭାରତର ପ୍ରାଚୀନ ଯୁଗରେ ଛାତ୍ରମାନେ ଶିକ୍ଷା କରୁଥିଲେ - କେବଳ ଶିକ୍ଷାଲାଭ ନିମନ୍ତେ । ପାଣ୍ଡିତ୍ୟ, ଜ୍ଞାନ ବ୍ୟତୀତ ଅଧ୍ୟୟନର ଆଉ କିଛି ସ୍ପର୍ଶସୁଲଭ ଲକ୍ଷ୍ୟ ନଥିଲା । ବହୁ ଶ୍ରମରେ ଉପାର୍ଜିତ ବିଦ୍ୟାକୁ ଲୋକେ ଅର୍ଥ ସଙ୍ଗରେ ବିନିମୟ ବା ବିକ୍ରିୟ କରୁ ନଥିଲେ । ସକଳ ଶ୍ରେଣୀର ଶିକ୍ଷାର ଆଦର୍ଶ ଥିଲା ସରଳ ଜୀବନ ସଙ୍ଗେ ଉଚ୍ଚ ଚିନ୍ତା । ଏହି ସରଳ ଜୀବନ ନିମନ୍ତେ ବାଳକମାନେ ନିଜ ନିଜର କ୍ରିୟାପୁଞ୍ଜ କଠୋର ନିୟମଦ୍ୱାରା ପରିଚାଳିତ କରୁଥିଲେ। ନଗରଜୀବନ ଭାରତର ପ୍ରଥା ନୁହେଁ । ସୁତରାଂ ଛାତ୍ରମାନେ ନଗରରେ ପ୍ରତିଷ୍ଠିତ ବିଦ୍ୟାଳୟରେ ଅଧ୍ୟୟନ କରୁନଥିଲେ । ସେମାନେ ପଲ୍ଲୀରେ ବନ ମଧ୍ୟରେ ଗୁରୁଙ୍କ ଆଶ୍ରମରେ ରହି ସେହିଠାରେ ଜୀବନର ସମସ୍ତ ବିଦ୍ୟାଭ୍ୟାସ କରୁଥିଲେ । ବନର ଫଳମୂଳ ପ୍ରଭୃତି ସୁଖଲଭ୍ୟ ଦ୍ରବ୍ୟରେ ସେମାନଙ୍କର ଉଦର ପୂରଣ ହେଉଥିଲା । 

ଗୁରୁ ଯେ ଛାତ୍ରମାନଙ୍କର କେବଳ ଅଧ୍ୟୟନ ନିୟନ୍ତ୍ରିତ କରୁଥିଲେ ତାହା ନୁହେଁ ଚରିତ୍ର ଗଠନରେ ଗୁରୁ ପ୍ରଧାନ ସହାୟ ଥିଲେ । ପିତୃମାତୃସୁଲଭ ଏପରି ଭାବରେ ଲାଳିତ ପାଳିତ ଓ ନିୟନ୍ତ୍ରିତ ହୋଇଗଲା ଭତ୍ତାରେ ବାଳକମାନେ ସଂସାରରେ ପ୍ରବେଶ କରୁଥିଲେ । ସେତେବେଳେ ପ୍ରତ୍ୟେକ ବ୍ୟକ୍ତିର ଚତୁର୍ଦ୍ଦଗରେ ନିଷ୍ଠାର ସତ୍ୟର ଧର୍ମର ଜ୍ଞାନର ଗୋଟିଏ କ୍ଷୁଦ୍ରମଣ୍ଡଳୀ । ଆହୁରି ପୁଣି ଅଧ୍ୟାପନାରେ ଅର୍ଥ ଗ୍ରହଣ ନଥିଲା । ଅଧ୍ୟୟନରେ ଅର୍ଥ ବ୍ୟୟ ହେଉ ନଥିଲା । ସୁତରାଂ ପ୍ରତ୍ୟେକ ବାଳକ ନିଜର ଇଚ୍ଛା ଓ ଅଭିରୁଚି ଅନୁସାରେ ଶିକ୍ଷା ପାଇପାରୁଥିଲା ।

ବର୍ତ୍ତମାନ କିନ୍ତୁ ଏ ସବୁ ବଦଳି ଯାଇଅଛି । ଭାରତରେ ଶିକ୍ଷାର ସେ ପୁଣ୍ୟ ଆଦର୍ଶ ଆଉ ନାହିଁ । ଅଧ୍ୟାପନାରେ ସେ ସ୍ନେହ, ପ୍ରୀତି, ଆଦର ନାହିଁ କି ଅଧ୍ୟୟନରେ ସେ ନିଷ୍ଠା ସେ ସରଳତା ଆଉ ନାହିଁ । ପାଶ୍ଚାତ୍ୟ ସଙ୍ଘର୍ଷରେ ପ୍ରାଚ୍ୟ ଆଦର୍ଶର ଯେ ଘୋର ପରିବର୍ତ୍ତନ ଘଟିଛି ଶିକ୍ଷା ପ୍ରଣାଳୀର ପରିବର୍ତ୍ତନ ହିଁ ତହିଁ ମଧ୍ୟରେ ପ୍ରଥମ । ଭାରତରେ ପାଶ୍ଚାତ୍ୟ ଅନୁଷ୍ଠାନମାନଙ୍କର ଅନୁକରଣ କରାଯାଉଛି । କିନ୍ତୁ ଏ ଅନୁକରଣରେ କଦାପି ଭାରତର ମୁକ୍ତି ହେବ ନାହିଁ । ଭାରତ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କଠାରୁ ପୃଥକ । ବର୍ତ୍ତମାନ କେବଳ ଅନୁକରଣ କରି ସେହି ଅନ୍ୟାନ୍ୟ ଦେଶମାନଙ୍କ ସଙ୍ଗେ ମିଶିଯିବା ଭାରତ ପକ୍ଷରେ ସହଜ ହୋଇପାରେ, କିନ୍ତୁ ତାହାହେଲେ ଭାରତର ସେ ମହତ୍ତ୍ୱ ସେ ବିଶେଷତ୍ତ୍ୱ ବହୁ ଯୁଗବ୍ୟାପୀ ସେ ସରସତା କ୍ରିୟାକଳାପ ଓ ଜୀବନ ନୀତିରେ ଅନ୍ୟାନ୍ୟ ଆଦର୍ଶ ନିଜର ସଭ୍ୟତା ମଧ୍ୟରୁ ଉଦ୍‌ଘାଟିତ କରିବାର ଭାରତର ସେ ପୁଣ୍ୟ ଅଧିକାର ଆଉ ବେଶି ଦିନ ରହିବ ନାହିଁ । ନାନା ଆପଦ-ବିପଦରେ ବାରମ୍ୱାର ବିଜାତୀୟମାନଙ୍କ ଆକ୍ରମଣ ମଧ୍ୟରେ ଭାରତ ଏତେକାଳ ନିଜର ଯେଉଁ ଆଦର୍ଶ ଓ ଜଗତର ଶିକ୍ଷଣୀୟ ବ୍ୟକ୍ତିତ୍ତ୍ୱ ଅକ୍ଷୁର୍ଣ୍ଣ ରଖିଅଛି ତାହା ଲେପ ପାଇଯିବ । ଏଥି ପାଇଁ ବର୍ତ୍ତମାନ ଭାରତବାସୀର କର୍ତ୍ତବ୍ୟ ସେହି ପ୍ରାଚୀନ ଶିକ୍ଷାପ୍ରଣାଳୀ ପୁଣି ଯେପରି ଦେଶରେ ଚଳେ ସେ ବିଷୟରେ ଯତ୍ନବାନ ହେବା ।

ସୁଖର ବିଷୟ ଏ ଦିଗରେ ଚେଷ୍ଟାର ଆରମ୍ଭ ଭାରତରେ ଦେଖାଯାଇଅଛି ପଞ୍ଜାବର ଆର୍ଯ୍ୟସମାଜ କିପରି ଏକ ମହତ ଆୟୋଜନରେ ବ୍ରତୀ ହୋଇଅଛନ୍ତି ତାହା ବୋଧହୁଏ ଅନ‌େକଙ୍କୁ ଜଣା ଅଛି । ଆର୍ଯ୍ୟ ସମାଜ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ । ଏହି ସମାଜର ଲୋକମାନେ ସକଳ ବିଷୟରେ ହିନ୍ଦୁମାନଙ୍କ ସଙ୍ଗେ ସମାନ । ତେବେ ବୈଦିକ ଯୁଗର ପରବର୍ତ୍ତୀ ଆଚାର ଅନୁଷ୍ଠାନ ଜାତିଭେଦ, ପ୍ରତିମାପୂଜା ପ୍ରଭୃତି କେତେକ କଥା ମାନନ୍ତି ନାହିଁ । ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଧାନ ଓ ବୈଦିକ ଧର୍ମ ଏମାନେ ସବୁଠାରେ ପ୍ରଚାର କରନ୍ତି । ପ୍ରାୟ ପାଞ୍ଚ ବର୍ଷ ପୂର୍ବେ କାହାନଚନ୍ଦ୍ର ବର୍ମା ନାମକ ଜଣେ ଆର୍ଯ୍ୟ ସମାଜର ପ୍ରଚାରକ ଓଡିଶାରେ ଆସି କେତେଗୋଟି ବକ୍ତୃତା ଦେଇଥିଲେ । ରେଙ୍ଗୁନ ମାନ୍ଦ୍ରାଜ, କଲିକତା ପ୍ରଭୃତି ସହରରେ ଆର୍ଯ୍ୟସମାଜର ଶାଖାମାନ ସ୍ଥାପିତ ହୋଇଅଛି । ପ୍ରଚାର କରିବା ଏ ଶାଖାମାନଙ୍କର କାର୍ଯ୍ୟ । ଏହି ଶାଖାମାନଙ୍କରରୁ ପ୍ରଚାରକମାନେ ଭାରତର ନାନାସ୍ଥାନରେ ବୁଲି ପ୍ରଚାର କରିବାର ଅନେକଙ୍କୁ ଜଣାଅଛି ଏବଂ ରାମକୃଷ୍ଠ ସମ୍ପ୍ରଦାୟର ଲୋକଙ୍କ ପରି ଆମେରିକା, ଜାପାନ ପ୍ରଭୃତିରେ ଶାଖା-ସମାଜ ସ୍ଥାପନ କରିବାର ଉଦ୍ଦେଶ୍ୟ ଏମାନଙ୍କର ଅଛି ବୋଲି ଶୁଣାଯାଏ ।

ଭାରତର ଯୁବକମାନଙ୍କର ଚରିତ୍ରଗଠନ କାମନାରେ ଏମାନେ ନାନା ଉପାୟ ଅବଲମ୍ୱନ କରୁଅଛନ୍ତି । ସ୍କୁଲ କଲେଜ, ଗୁରୁକୁଳ ପ୍ରଭୃତିର ପ୍ରତିଷ୍ଠା ସେମାନଙ୍କର ମଧ୍ୟରୁ କେତେଗୋଟି । ସ୍କୁଲ କଲେଜର ଛାତ୍ରମାନେ ସାଧାରଣ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିମନ୍ତେ ପଢିଥାନ୍ତି । ଲହୋରର ଦୟାନନ୍ଦ ଆଙ୍ଗ୍ଲୋବେଦିକ୍ କଲେଜ, ପଞ୍ଜାବ ଅନ୍ୟାନ ଉଚ୍ଚ ଇଂରାଜୀ ସ୍କୁଲ ଜଳନ୍ଧରର କନ୍ୟା ମହାବିଦ୍ୟାଳୟ ଏହି ଶ୍ରେଣୀର ଅନ୍ତର୍ଗତ । କିନ୍ତୁ ଗୁରୁକୁଳ ଆଶ୍ରମରେ ରହି ପଢୁଥିବା ବାଳକମାନେ ଏମାନଙ୍କ ପରି ସାଧାରଣ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଦିଅନ୍ତି ନାହିଁ । ସେମାନଙ୍କ ନିମନ୍ତେ ଅନ୍ୟ ବିଧାନ ଅଛି । ଚାକିରୀ ରୂପ ମାପ କାଠିରେ ମାପ ହେବା ଭଳି ବିଦ୍ୟା ଉପାର୍ଜନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ ।



ଭାରତର ପ୍ରାଚୀନ ମହତ୍ତ୍ୱ ବହୁ ପରିମାଣରେ ଭାରତୀୟର ବ୍ରହ୍ମଚର୍ଯ୍ୟ ଯୋଗରୁ ସମ୍ଭବ ହୋଇଥିଲା । ବର୍ତ୍ତମାନ ସେ ବ୍ରହ୍ମଚର୍ଯ୍ୟର ଚିହ୍ନ ସୁଦ୍ଧା ଏ ଦେଶରେ ଦେଖାଯାଏ ନାହିଁ । ତାହା ହିଁ ବର୍ତ୍ତମାନ ଦୁର୍ଗତିର କାରଣ । ଗୁରୁକୁଳ ଆଶ୍ରମର ବିଶେଷତ୍ୱ ଏହି ଯେ ତହିଁରେ କାଣ୍ଡିଠାରେ ଯେଉଁ ଗୁରୁକୁଳ ଆଶ୍ରମ ସ୍ଥାପିତ ହୋଇଅଛି ତାହାର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ । ଏ ପ୍ରବନ୍ଧରେ ସେହି ଆଶ୍ରମ କଥା କିଛି ଲେଖାଯିବ ।

କୁହାଯାଇଅଛି ଯେ ଭାରତରେ ଶିକ୍ଷା ପ୍ରଣାଳୀ ଅନ୍ୟାନ୍ୟ ଦେଶମାନଙ୍କର ଶିକ୍ଷାପ୍ରଣାଳୀଠାରୁ ସମ୍ପୂର୍ଣ୍ଣ ଭିନ୍ନ । ପାଶ୍ଚାତ୍ୟ ଦେଶମାନଙ୍କରରେ ଶିକ୍ଷାମନ୍ଦିର ଗୋଟିଏ ମିଳନ ମଣ୍ଡପ ସଦୃଶ । ଛାତ୍ର ଓ ଶିକ୍ଷକ ଉଭୟେ ଦିବସର କେତେକ ସମୟ ଗୋଟିଏ ଘର ମଧ୍ୟରେ କଟାନ୍ତି । ଏହା ବର୍ତ୍ତମାନ ଭାରତର ପ୍ରଚଳିତ ପ୍ରଥା ହୋଇଅଛି । କିନ୍ତୁ ପ୍ରାଚୀନ ଭାରତର ଶିକ୍ଷା ଦିଆଯାଉଥିଲା ଗୁରୁଙ୍କ ଗୃହରେ । ବର୍ତ୍ତମାନ ଆମ୍ଭେମାନେ ଏ କଥା ପାଶୋରି ପକାଇଅଛୁ ଏବଂ କୌଣସି କ୍ରମେ ଜାଣିପାରିଲେ ଭାରତର ଅନ୍ୟାନ୍ୟ ଅନେକ ଅନୁଷ୍ଠାନ ପରି ଏହାକୁ ମଧ୍ୟ ଅନାଦର କରିଥାଉଁ । ତାହାର କାରଣ କଣ କଲେ ଗୁରୁଗୃହ ବର୍ତ୍ତମାନ ମଧ୍ୟ ଦେଶର ସମସ୍ତ ଶିକ୍ଷା ନିମନ୍ତେ ବିହିତ ବିଧାନ କରିପାରିବ ସେ କଥା ଆମ୍ଭେମାନେ ବୁଝିପାରୁ ନାହୁଁ । କାହାରି କାହାରି ମତ ଯେ ଗୁରୁ-ଗୃହରେ ଶିକ୍ଷାଦାନର ବ୍ୟବସ୍ଥା ପୁଣି କରାଗଲେ ଭାରତର ଅମଙ୍ଗଳ ଘଟିପାରେ ।

କିନ୍ତୁ ବଡ ସୌଭଗ୍ୟ କଥା ଆର୍ଯ୍ୟସମାଜ ଅନେକଙ୍କର ଏ ଆଶଙ୍କାକୁ ଅମୂଳକ ବୋଲି ପ୍ରମାଣିତ କରିବାକୁ ସମର୍ଥ ହୋଇଅଛନ୍ତି ।

ଗୁରୁକୁଳ ପ୍ରତିଷ୍ଠାମାନଙ୍କର ଉଦ୍ଦେଶ୍ୟ ଅତି ମହତ । ସେମାନେ ଆଶା କରନ୍ତି ଗୁରୁକୁଳ ବ୍ରହ୍ମଚାରୀ ଛାତ୍ରମାନେ ଜୀବନକୁ ସଞ୍ଜତ କରି ସବଳ ଓ ଶିକ୍ଷିତ ହେବେ ଏବଂ ତତ୍‌ପରେ ତ୍ୟାଗଦ୍ୱାରା ଦେଶରେ ପୁନାରାୟ ଆର୍ଯ୍ୟ ଆଦର୍ଶ ପ୍ରତିଷ୍ଠିତ କରିବେ । ଆହୁରି ସେମାନଙ୍କର ବିଶ୍ୱାସ ସୁବିବେଚନାର ସହିତ ଗୃହିତ ପାଶ୍ଚାତ୍ୟଦେଶର ନିୟନ୍ତ୍ରିତ କ୍ରିୟାକଳାପ ସଙ୍ଗେ ପ୍ରାଚ୍ୟର ସରଳତା ନ ମିଶିଲେ ଭାରତର ବହୁମୁଖୀ ଉନ୍ନତି ସାଧିତ ହୋଇପାରିବ ନାହିଁ । ସୁତରାଂ ଆଶ୍ରମର ବ୍ରହ୍ମଚାରୀମାନେ ବେଦ ଉପନିଷଦ, ସାହିତ୍ୟ, ଦର୍ଶନ ପ୍ରଭୃତି ସଂସ୍କୃତରେ ପଢିବା ସଙ୍ଗେ ସଙ୍ଗେ ଇଉରୋପର ଆଧୁନିକ ଶିକ୍ଷଣୀୟ ବିଷୟମାନ ହିନ୍ଦୀଭାଷାରେ ଶିକ୍ଷା କରନ୍ତି । ପ୍ରାଚ୍ୟ-ପାଶ୍ଚାତ୍ୟର ଭାବରାଶି ଏକତ୍ର ମିଳିଲେ ହିଁ ଉଭୟ ମହାରାଜ୍ୟର ମିଳନ ସମ୍ଭବ । ଅନ୍ୟ ପ୍ରକାର ମିଳନର ଚେଷ୍ଟା ନୈସର୍ଗିକ ନୁହେଁ । ସୁତରାଂ ତାହା ଅସାଧ୍ୟ ।

ଗୁରୁକୁଳ ଛାତ୍ରମାନେ କି ଉପାୟରେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି ଏବଂ ଜୀବନ ଗଠନ କରଥାନ୍ତି ଏହା ସମ୍ୟକ ଜଣାଇବାକୁ ଏଠାରେ ସେମାନଙ୍କର ଦୈନନ୍ଦିନ କ୍ରିୟାକଳାପର ଗୋଟିଏ କ୍ଷୁଦ୍ର ବିବରଣ ଦିଆଯିବା ବିହିତ । ଗୁରୁକୁଳର ବ୍ରହ୍ମଚାରୀମାନେ ଦୁଇ ଶ୍ରେଣୀରେ ବିଭକ୍ତ । ବୟସ୍କ ଛାତ୍ରମାନେ ପ୍ରତିଦିନ ସକାଳ ୪ଘଣ୍ଟା ବେଳେ ଏବଂ ବାଳକ ଛାତ୍ରମାନେ ୪ଘଣ୍ଟା ଅଧେରେ ନିଦରୁ ଉଠନ୍ତି । ଉଭୟ ସମୟରେ ଘଣ୍ଟା ବଜାଯାଏ । ତତ୍‌ପରେ ବ୍ୟାୟାମ ପ୍ରଭୃତି କରିବାକୁ ହୁଏ । ସେତେବେଳେ ଉପଯୁକ୍ତ ତତ୍ତ୍ୱାବଧାରକ ସେମାନଙ୍କ ପାଖରେ ଥାନ୍ତି । ବ୍ୟାୟାମ ପରେ ଗଙ୍ଗାରେ ସ୍ନାନ କରିବାକୁ ହୁଏ । ସ୍ନାନ ବେଳେ ସମସ୍ତେ ସନ୍ତରଣ କରନ୍ତି ଏବଂ ଏଥିରେ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ହରିଦ୍ୱାରରେ ଓଡିଶା ଅପେକ୍ଷା ଶୀତର ପ୍ରାବଲ୍ୟ ଅତ୍ୟନ୍ତ ବେଶି । ସେହି କାରଣରୁ ବେଶି ଶୀତ ପଡ଼ିଲେ ଛାତ୍ରମାନେ ସ୍ନାନ ଗୃହରେ ସ୍ନାନ କରନ୍ତି । ସ୍ନାନ ପରେ ୫ଘଣ୍ଟା ଅଧେଠାରୁ ୬ଘଣ୍ଟା ପର୍ଯ୍ୟନ୍ତ ବ୍ରହ୍ମଚାରୀମାନେ ସନ୍ଧ୍ୟା, ଅଗ୍ନିହୋତ୍ର ପ୍ରଭୃତି ଶାସ୍ତ୍ରୀୟ ଯଜ୍ଞାନୁଷ୍ଠାନ କରନ୍ତି । ତତ୍ପରେ ଦୁଧ ବା ଅନ୍ୟ କିଛି ଲଘୁ ଆହାର ଖାଇ ୬ଘଣ୍ଟା ୧୫ମିନିଟରୁ ୧୦ଘଣ୍ଟା ଅଧେ ପର୍ଯ୍ୟନ୍ତ ବିଦ୍ୟାଳୟରେ ପଢ଼ାଶୁଣା କରନ୍ତି । ପଢ଼ାର ଅବ୍ୟବହିତ ପରେ ଭୋଜନ । ସମସ୍ତେ ନିରାମିଷ ଭୋଜନ କରନ୍ତି । ଭୋଜନ ଉତ୍ତାରେ ୨ଘଣ୍ଟା ୪୫ମିନିଟ୍‌ ଯାଏ ବିଶ୍ରାମର ସମୟ । ସେତେବେଳେ ବୟସ୍କ ଛାତ୍ରମାନେ ପୁସ୍ତକାଳୟରୁ ପୁସ୍ତକ ପ୍ରଭୃତି ନେଇ ପଢ଼ାଶୁଣା [କରନ୍ତି] । ଗ୍ରୀଷ୍ମକାଳରେ ପଢ଼ାଶୁଣାର ସମୟ ଘଣ୍ଟେ ଦୁଇଘଣ୍ଟା ଊଣା କରି ଦିଆଯାଏ । ସନ୍ଧ୍ୟାବେଳେ ପିଲାମାନେ ନାନାପ୍ରକାର ଖେଳରେ ଯୋଗ ଦିଅନ୍ତି । ତତ୍‌ପରେ ପୁଣି ଆହ୍ନିକ ଅଗ୍ନିହୋତ୍ର ପ୍ରଭୃତି କରିବାକୁ ହୁଏ ଏବଂ ଏହାର ଠିକ୍ ପରେ ଭୋଜନ । ଭୋଜନ ଉତ୍ତାରୁ ଏବଂ ରାତି ୯ଘଣ୍ଟା ପର୍ଯ୍ୟନ୍ତ ଦିନର ପାଠ ଆବୃତ୍ତି କରାଯାଏ । ୯ଘଣ୍ଟାବେଳେ ଶୋଇବାର ନିୟମ । ସାନ ପିଲାମାନେ ଅଧଘଣ୍ଟା ଆଗରୁ ଶୋଇଥାନ୍ତି । ଛାତ୍ରମାନଙ୍କୁ ଦୈନିନ୍ଦିନ କାର୍ଯ୍ୟରେ ଲିପ୍ତ ରଖିବାକୁ ହୁଏ ଏବଂ ସପ୍ତାହକେ ଥରେ ଛାତ୍ରମାନେ ନିଜେ ରନ୍ଧନ କରିଥାନ୍ତି ।

ଗୁରୁକୁଳର ନୈତିକ ଶିକ୍ଷା ଅତି ସୁନ୍ଦର ପ୍ରଣାଳୀରେ ଦିଆହୁଏ । ଶିକ୍ଷକମାନଙ୍କ ସହିତ ସବୁବେଳେ ରହିଲେ ଏବଂ‌ ଚରିତ୍ରଗଠନ ଉପଯୋଗୀ ନାନା କାର୍ଯ୍ୟ କଲେ ନୀତିଶିକ୍ଷା ହୁଏ । କେବଳ ନୀତିଶିକ୍ଷାଗୁଡିଏ ମୁଖସ୍ଥ କରି ରଖିଲେ କୌଣସି ବିଶେଷ ଫଳ ହୁଏ ନାହିଁ । ଗୁରୁକୁଳ ଛାତ୍ରମାନେ ବାହାରରେ ସମସ୍ତ ଅନିଷ୍ଟକର ପ୍ରଭାବରୁ ବିଚ୍ଛିନ୍ନ ହୋଇ ଶିକ୍ଷକମାନଙ୍କ ସଙ୍ଗରେ ଦିନରାତି କଟାଇଥାନ୍ତି । ସୁଖଦୁଃଖରେ ଶୟନ-ଜାଗରଣରେ କ୍ରୀଡ଼ା ପଠନରେ ଗୁରୁ ହିଁ ଶିଷ୍ୟଙ୍କର ସଖା । ଛାତ୍ରମାନଙ୍କର ପଢ଼ାଶୁଣା ସ୍ୱାସ୍ଥ୍ୟ ପ୍ରଭୃତି ସକଳ ବିଷୟ ଗୁରୁବର୍ଗ ଏପରି ଦକ୍ଷତାର ସହିତ ଚଳାନ୍ତି ଯେ ତାଙ୍କର କୌଣସି କଥାରେ କିଛି ଅଭାବ ରହେନାହିଁ । ସବୁଠାରେ ଶୃଙ୍ଖଳା, ସୌନ୍ଦର୍ଯ୍ୟ ରାଜତ୍ୱ କରୁଥାଏ । ଲର୍ଡ଼ କର୍ଜନ ଏହି ଗୁରୁକୁଳର ଭୂୟସୀ ପ୍ରଶଂସା ତାଙ୍କର ଗୋଟିଏ ବକ୍ତୃତାରେ କରିଥିଲେ। ବସ୍ତୁତଃ ଗୁରୁ ଯେଉଁଠାରେ ଶିଷ୍ୟକୁ ସୁଖ ଦୁଃଖ ହର୍ଷ-ଆମୋଦ ମଧ୍ୟରେ ପରୀକ୍ଷା କରିପାରନ୍ତି ତାହାର ସମସ୍ତ ଚିତ୍ତବୃତ୍ତିକୁ ନିୟମିତ କରନ୍ତି ଏବଂ ତାର ଭବିଷ୍ୟତ ଜୀବନକୁ ନିଜ ଅଙ୍ଗୁଳିରେ ଗଠନ କରନ୍ତି, ସେହିଠାରେ ହିଁ ପ୍ରକୃତ ବିଦ୍ୟାଳୟ । ସେହିଠାରେ ହିଁ ବାଳକ ତାର ଉପଯୁକ୍ତ ଶିକ୍ଷା ପାଏ ।


(ସତ୍ୟବାଦୀ, ପ୍ରଥମ ଭାଗ ପ୍ରଥମ ସଂଖ୍ୟା-୧୯୧୫)

No comments:

Post a Comment