Tuesday, November 21, 2017

ମୁଣ୍ଡଖେଳ

ଜ୍ୟୋତି ନନ୍ଦ


ଚୀନ ଦେଶରେ ତିଆରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ମୁଣ୍ଡ


ଆଜି ଲେଖାରେ ଗାଳି ମିଳିବ, ଜାଣେ । ସେଇଥି ପାଇଁ ଲେଖାଟି ଦୀର୍ଘ । ଦୀର୍ଘତାର ଆଢୁଆଳରେ ଲୁଚିପଡିବା ବି ଏକ ଭଲ ଧରଣର ଲୁଚକାଳି ବୋଲି ଆପଣମାନଙ୍କୁ ବୁଝାଇ କହିବା ଦରକାର ନାହିଁ ।

ଦୀର୍ଘତା ଏକ ପ୍ରକାର ଗୋଲକଧନ୍ଦା ଯାହା ଗଦ୍ୟକାରର ପୌରାଣିକ ଶମୀବୃକ୍ଷ ବିଶେଷ ।

ଗାଳି ବ୍ୟାପାରରେ ମୁଁ କନଫୁସିଅସ୍ ଙ୍କୁ ଭାରି ମାନେ । ତମେ ଯଦି ଜଣକ ଗାଳିକୁ ଗ୍ରହଣ କରୁନାହଁ, ତେବେ ତାହାର ଗାଳିଟି ତାହାର ନିଜ ପାଖରେ ହିଁ ରହିଯିବ । ବିଚରା ସେଇ ଗାଳିବାଲା ନିଜ ଗାଳିଟି ସହ ତାହା ପରେ କେତେ ଦହସନ୍ତ ହେଉଥିବ ସେକଥା ସେ ନିଜେ ଓ ମାଆ ଗଙ୍ଗା ଉଭୟେ ଜାଣନ୍ତି ।

କନଫୁସିଅସ୍ ଚୀନର ଜଣେ ବୈଚାରିକ ବିଦ୍ୱାନ ବୋଲି ତାଙ୍କର ନାଆଁଟି ଉଲ୍ଲେଖ କଲେ ଆପଣମାନେ କ'ଣ ରୁଷ୍ଟ ହେବେ ?

ଆଜିକାଲି ତ ଆମେ ମୁଣ୍ଡରେ ବି ଚାଇନା ବାଣ ଫୁଟେଇବାକୁ ନାରାଜ । ଅବଶ୍ୟ ଆମେ ବାଣ ବୋଲି ଯେଉଁ ଦରବଟିକୁ ଆମର ବିଜୟଘୋଷ ବୋଲି ପ୍ରକମ୍ପିତ କରିଚାଲିଛୁ, ଖାଲି ଆମେ କ'ଣ ସାରା ପୃଥିବୀ, ସେଇ ବାଣଟିର ମୂଳ ବାରୁଦ ବୋଲି ଯେଉଁ ପଦାର୍ଥ, ତାହା ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀରେ ଜଣେ ଚୈନୀକ ପାଚକଙ୍କର ଉଦ୍ଭାବନ । ନିଶ୍ଚିତ ଭାବରେ ସେଇ ରୋଷେଇଆ ଜଣକ ଆମର ପ୍ରିୟ "ଚାଓ ମିନ୍" ରାନ୍ଧୁନଥିଲା ସେତେବେଳେ । ଏମିତିରେ ଆମର ଫାଷ୍ଟଫୁଡ୍‌ରେ ଯେଉଁ ଚୈନୀକ ଖାଦ୍ୟର ଆୟୋଜନ ହେଉଥାଏ, ଯାହା ତରୁଣମାନଙ୍କ ସହିତ ମୋ ଭଳି କିଛି ଅପରିଣତ ବୟସ୍କଙ୍କର ପ୍ରିୟ ଖାଦ୍ୟ ହୋଇ ରହିଛି, ତାହାକୁ ଚୈନୀକ ମାନେ ଛୁଅଁନ୍ତି ନାହିଁ ବୋଲି ମୁଁ କେଉଁଠି ପଢିଛି । ପ୍ରତ୍ୟକ୍ଷ ଗଣତନ୍ତ୍ର, ଅପ୍ରତ୍ୟକ୍ଷ ଗଣତନ୍ତ୍ର ସହ ଯେମିତି ଭାରତୀୟ ଗଣତନ୍ତ୍ର ବୋଲି ଗଣତନ୍ତ୍ରର ଯେମିତି ତିନୋଟି ପ୍ରକାରଭେଦ କରାଯାଇଛି, ସେମିତି ଇଣ୍ଡିଆନ-ଚାଇନିଜ୍ ଏକ ପ୍ରକାର ଭାରତୀୟ ଖାଦ୍ୟ । ସେ ଯାହାହେଉ ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀର ସେଇ ପାଚକ ଜଣକ କ'ଣ ରାନ୍ଧିବାକୁ ବସିଥିଲେ, ତାହା ଜଣାନାହିଁ, କିନ୍ତୁ ତାହାର ରାନ୍ଧଣାଟି ଏକ ପ୍ରକାର ଘାଣ୍ଟ ଥିଲା । ଆଉ ଏଇ ଅଜ୍ଞାନ ଘାଣ୍ଟରେ ପଡିଥିଲା, ଗନ୍ଧକ, କୋଇଲା ଆଉ ସଲଟ୍‌ପିଟର୍ ବା ପଟାସିଅମ୍ ନାଇଟ୍ରେଟ୍ । ଏଇ ପଟାସିଅମ୍ ନାଇଟ୍ରେଟ୍ ଟି ମାଂସକୁ ବେଶି ଦିନ ସଂରକ୍ଷିତ ରଖିବା କାମରେ ଲାଗେ । ଏଇ ତିନିଟିର ଘାଣ୍ଟରୁ ବାହାରିଲା ଯେଉଁ ଆଲାଦିନ୍‌ର ବଶମ୍ବଦ ଦୈତ୍ୟ, ତାହାକୁ ଆମେ ନାଆଁ ଦେଲୁ ବାରୁଦ ।

ସେତେବେଳେ ଚୀନ୍‌ର ପାକଶାଳାରେ ସବୁବେଳେ ପଟାସିଅମ୍ ନାଇଟ୍ରେଟ୍ ମାଂସକୁ ବେଶି ଦିନ ସତେଜ ରଖିବା ପାଇଁ, ଗନ୍ଧକ ଜାଳେଣୀର ଉତ୍ତାପକୁ ଅଧିକ କରିବା ପାଇଁ, ଆଉ କୋଇଲା ଖାସ୍ ଜାଳେଣୀ ପାଇଁ ମହଜୁଦ ହୋଇ ରହୁଥିଲା । ଏଇ ତିନୋଟି ମିଶି ବାରୁଦ ହୋଇ ବାହାରିଲେ ।

ଚୈନୀକମାନେ ପ୍ରଥମେ ବାରୁଦକୁ ଯୁଦ୍ଧ କ୍ଷେତ୍ରକୁ ନେଇ ନ ଥିଲେ । ସେମାନେ ଦେଖିଲେ ଏଇ ବାରୁଦକୁ ଫମ୍ପା ବାଉଁଶନଳୀରେ ଭର୍ତ୍ତି କରି ନିଆଁ ଲଗାଇଲେ ତାହା ଖୁବ୍ ଧମାକଦାର ଶବ୍ଦ କରି ଆକାଶକୁ ଉଠିଯାଉଛି । ସେଇଠୁ ସେମାନଙ୍କ ମୁଣ୍ଡକୁ ଗୋଟିଏ ସୁନ୍ଦର ବୁଦ୍ଧି ଜୁଟିଲା ।ଏଇ ଜୋରଦାର୍ ଶବ୍ଦ ଆଉ ଆଲୁଅକୁ ଆଉ ଆକାଶମୁଖୀ ଶୂନ୍ୟତାର ତୀବ୍ର ଗତିକୁ ବ୍ୟବହାର କରାଯାଇପାରିବ । ଏହାକୁ ବ୍ୟବହାର କରାଯାଇ ପାରିବ ସେମାନଙ୍କୁ ଭୟଭୀତ କରି ଏଠାରୁ ତଡିଦେବା ପାଇଁ । ସେମାନେ, ମାନେ ଯେତେକ ଦୁଷ୍ଟ ଆତ୍ମା ଅଛନ୍ତି, ଏଇଠେ ସେମାନଙ୍କୁ ଆକାଶକୁ ତଡିଦିଆଯାଇ ପାରିବ । ପରେ ଏହାକୁ ବିବାହରେ, ବିଜୟରେ, ଆଉ ନୂଆବର୍ଷରେ ଉତ୍ସବପାଳନର ଅଂଶ ହିସାବରେ ବ୍ୟବହାର କରାଗଲା । ସେମାନେ ବାରୁଦର ବି ଗୋଟିଏ କାବ୍ୟିକ ନାମକରଣ କରିଥିଲେ, "ଉଡନ୍ତା ନିଆଁର ତୀର" । ମୁଁ କବିଟିଏ ହୋଇଥିଲେ ମୋର ସଙ୍କଳନ ପାଇଁ ଏଇ ନିଆଁର ତୀରରେ ଖପ୍ କରି ଲାଖ ବିନ୍ଧିଥାନ୍ତି । ଏ ଜନ୍ମରେ ହେଲାନାହିଁ ।

"ଉଡନ୍ତା ନିଆଁର ତୀର" ଆଉ ପରେ କବିତା ହୋଇ ରହିଲା ନାହିଁ । ରହିପାରିଲା ନାହିଁ । ତ୍ରୟୋଦଶ ଶତାବ୍ଦୀରେ ଜର୍ମାନୀର ଜଣେ ସାଧୁ ବେରଥୋଲଡ୍ ସ୍କୁୱାଜ୍ ଏଥିରେ ପ୍ରକୃତରେ ନିଆଁ ଲଗାଇବା କହିଲେ ଯାହା ବୁଝାଏ, ସେଇ କାମଟି କଲେ । ଏଇ ସାଧୁଟି ତିଆରି କରିଥିଲା ପୃଥିବୀର ସର୍ବପ୍ରଥମ ଆଗ୍ନେୟାସ୍ତ୍ର । ସାଧୁ ଆଉ ଆଗ୍ନେୟାସ୍ତ୍ର ଭିତରେ ସମ୍ପର୍କକୁ ଅଧିକ କହିବାର ଆବଶ୍ୟକତା ନାହିଁ । ତାହା ପୂର୍ବରୁ ଜଣେ କଳ୍ପନାପ୍ରବଣ ଚୈନୀକଙ୍କୁ ଆମର ଜାଣିବା ଉଚିତ । ତାଙ୍କର ନାଆଁ ୱାନ୍ ହୁ । ୱାନ୍ ହୁ ବାରୁଦକୁ ଉତ୍ସବ ପାଳନ ବ୍ୟତୀତ ଅନ୍ୟ କେଉଁ ପ୍ରାୟୋଗିକ କୌଶଳ ହିସାବରେ ବ୍ୟବହାର କରିହେବ, ସେଇ କଥାରେ ମନ ଦେଇଥିଲେ । ସେ ପ୍ରଥମେ ବ୍ୟୋମଜାନଟିଏ ତିଆରିକଲେ ।
 
ଦୁଇଟି ଗୁଡି ଆଉ ତାହା ମଝିରେ ନିଜେ ବସିବା ପାଇଁ ଗୋଟିଏ କାଠ ଚଉକି ଆଉ ତାହାକୁ ଆକାଶକୁ ପଠାଇବା ପାଇଁ ବୟାଳିଶଟି ରକେଟ ସଦୃଶ ବାଣରେ ତିଆରି ସେଇ ବ୍ୟୋମଜାନ । ୱାନ୍ ହୁ ନିଜେ ଆରାମରେ ସେଇ କାଠଚଉକିରେ ବସି ନିଜର ସହଯୋଗୀ ମାନଙ୍କୁ ଅଗ୍ନିସଞ୍ଜୋଗର ନିର୍ଦ୍ଦେଶ ଦେଲେ । ଆକାଶ ଯାତ୍ରା ଆରମ୍ଭ ହେଲା । କିଛି ସମୟ ପରେ କିନ୍ତୁ ଆକାଶରୁ ଖସିପଡିଲା କାଗଜ ଗୁଡି, କାଠ ଚଉକି, ଆଉ ୱାନ୍ ହୁଙ୍କର ଶରୀରର ଅବଶେଷ, ପାଉଁଶ ହୋଇ । ତେଣୁ ୱାନ୍ ହୁ ହେଉଛନ୍ତି ବାଣ-ବ୍ୟବସାୟର ସର୍ବପ୍ରଥମ ନଥିଭୂକ୍ତ ଶହୀଦ ।

ପ୍ରାୟ ସପ୍ତଦଶ ଶତାବ୍ଦୀ ବେଳକୁ ବିଗତ ଆଠ ଶତାବ୍ଦୀ ଧରି ଦିଶି ଆସୁଥିବା ହଳଦିଆ ଆଉ ଇଷତ ଲାଲ ଅମ୍ବର୍ ରଙ୍ଗର ବାଣକୁ ରଙ୍ଗୀନ କରାଗଲା ।  ବାଣରେ ରଙ୍ଗଦେବା କାମଟି ଆରମ୍ଭ ହୋଇଥିଲା ପ୍ରସିଦ୍ଧ ବରବୋଁ ରାଜବଂଶର ଚର୍ଚ୍ଚିତ ରାଜପ୍ରାସାଦ ଭର୍ସାଇରେ, ରାଜକୀୟ ବ୍ୟସନ ପାଇଁ । ତାହାପରଠାରୁ ପୃଥିବୀରେ ବାଣମାନ ରଙ୍ଗୀନ ହୋଇଗଲେ ।

କହିବା କଥା ହେଉଛି ଚୀନ୍‌ର ବାରୁଦରେ ଆମେ ନିଆଁ ଲଗାଉଛୁ ବୋଲି କହିଲେ, କଥାଟି ପ୍ରତୀକ ଦୃଷ୍ଟିରୁ ସେମିତି ଭୁଲ ହୋଇଯିବ ନାହିଁ । ଆମର ଏବେ ଯେହେତୁ ଚୀନ୍ ଶବ୍ଦରେ ଦେଶପ୍ରେମଭିତ୍ତିକ ଆପତ୍ତି ରହିଛି, ତେଣୁ ଗାଳି କଥାଟି ଯଦି କେଉଁ ମୁଣ୍ଡକୁ ଆସିଯାଏ, ଆଉ କ'ଣ କରାଯିବ ?  ମୁଣ୍ଡରେ ତ ଏଇଲେ ଚାଇନା ବାଣ ଫୁଟିଗଲା !

ଆଜିକାଲି ମହାଭାରତର ଚରିତ୍ରଟିକୁ ଉଦ୍ଧାର କରି ଉଦ୍ଧତ କଣ୍ଠରେ କହିଲେ ତାହା ଗାଳି ହେବନାହିଁ, ଲୋକକଥାକୁ ଉଦ୍ଧାର କରି କହିଲେ ତାହା ତ ଆଦୌ ଗାଳି ନୁହଁ, କିନ୍ତୁ ତମେ ଯଦି ଇତିହାସର ପୃଷ୍ଠା ଖୋଲିଲ, ତାହାହେଲେ ଆଜିର ଆମର ଯେଉଁ ଭାରତର ଅର୍ଥନୀତି ତଥା ଇତିହାସର ବିଶାରଦ ସାମାଜିକଗଣମାଧ୍ୟମନିବାସୀ ଭାରତବାସୀ ମାନେ ଅଛନ୍ତି, ସେମାନଙ୍କର ସ୍ୱପତ୍ନୀ ସହିତ ତମର ରାଖିବନ୍ଧା ସମ୍ପର୍କ ହୋଇଯିବା କଥାଟି ଥୟ ।

ସବୁ ଲୋକ ଘରମୁଁହା, ତାହା ଭିତରୁ କିଛି ଗାଳିମୁଁହା ।

ଆପଣମାନେ ଦୟାକରି କିଛି ଦିହକୁ ନେବେ ନାହିଁ । ଆଜି ଲେଖାଟି ଦେଖିବେ କେବଳ ମୁଣ୍ଡକୁ ଆଧାର କରି ଲେଖା ହୋଇଛି । ଯେହେତୁ ଏହା ମୁଣ୍ଡ ବିଷୟରେ, ତେଣୁ ଆପଣମାନଙ୍କୁ ମୁଣ୍ଡ ଖେଳାଇବା ପାଇଁ ଅନୁରୋଧ କରିବି ।

ରାଜନୀତିରେ ସବୁଠୁ ବଡ ଖେଳ ହେଉଛି ମୁଣ୍ଡଖେଳ । ଥରେ ଯଦି କିଏ କେଉଁ ବାଟରେ ଆମ ମୁଣ୍ଡକୁ କିଣିପାରିଲା, ତେବେ ଜାଣିବେ ଯେତେକ କିଲ୍ଲା ଅଛି ସବୁ ତାହାର ଫତେ ।

ଛବିରେ ଯେଉଁ ମୁଣ୍ଡଟି ଅଛି ସେଇ ମୁଣ୍ଡଟି ଆମର ପ୍ରିୟ ସର୍ଦ୍ଦାର, ଯାହାଙ୍କୁ ବର୍ଦ୍ଦୋଳିର ସର୍ଦ୍ଦାର ବୋଲି କୁହାଯାଏ, ସେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ମୁଣ୍ଡ । ଆମର ରାଜନୈତିକ ଚିନ୍ତକମାନେ ବିବେଚନା କରିଥାନ୍ତି ଯେ, ଆମର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୁଣ୍ଡଟି ଅବିକଳ ରହିଥିଲା ସର୍ଦ୍ଦାର ବଲ୍ଲଭଭାଇଙ୍କ ଦେହରେ ଆଉ ପଣ୍ଡିତ ଜହରଲାଲ୍‌ଙ୍କ ଦେହରେ ରହିଥିଲା ଗାନ୍ଧିଜୀଙ୍କ ହୃଦୟ । ପଣ୍ଡିତଜୀ ଆଉ ସର୍ଦ୍ଦାର ପଟେଲ୍‌ଙ୍କୁ ଏକାଠି କରି ଆମ ରାଜନୀତିରେ ଗାନ୍ଧିଜୀଙ୍କ ଅବର୍ତ୍ତମାନରେ ତାଙ୍କର ଧାରାବାହିକ ପ୍ରଭାବକୁ ଭାରତୀୟ ମାନେ ଅନୁଭବ କରିଆସିବା ସହ ଗାନ୍ଧୀବାଦକୁ ଏକ ସର୍ବଜନସ୍ୱୀକୃତି ପ୍ରଦାନ କରିଥିଲେ ।

ରାଜନୈତିକ ସ୍ଥିତିକୁ ବହାଲ ତବିୟତ୍‌ରେ ରଖିବା ପାଇଁ କିଏ କିଏ ଗାନ୍ଧିଜୀଙ୍କ ଗଣ୍ଡି ଆଉ ମୁଣ୍ଡକୁ ଅଲଗା କରି ଦେଖାଇବାର କୌଶଳ କରିପାରନ୍ତି ।

ଗଣ୍ଡି ଆଉ ମୁଣ୍ଡ କୁ ଅଲଗା କରିବା କିଛି ନୂଆ କଥା ନୁହଁ ।

ରେନେଁ ଦେକାର୍ତ୍ତେ ମଣିଷ ଶରୀରକୁ ବିଚାର ଦୃଷ୍ଟିରୁ ମୁଣ୍ଡ ଆଉ ଗଣ୍ଡି ବୋଲି ଯେଉଁ ଦୁଇଟି ଏକକରେ ଯାନ୍ତ୍ରିକ ବିଭାଜନ କରିଦେଲେ, ତାହା ପରଠାରୁ ବିତର୍କ ଆରମ୍ଭ ହୋଇଗଲା ସବୁ ବିଚାରବନ୍ତ ମଣିଷ ମାନଙ୍କର ଭିତରେ, ମଣିଷ ଟି କେଉଁଠି ଥାଏ, ମୁଣ୍ଡରେ ନା ଗଣ୍ଡିରେ ? ତାହା ପୂର୍ବରୁ ଏଇ ମୁଣ୍ଡ ଆଉ ଗଣ୍ଡି କୁ ନେଇଁ ଏଇ ଶ୍ରେଷ୍ଠତ୍ୱର ବିବାଦ ଆମ ଚିନ୍ତା ଚେତନାରେ ଢେର୍ ଦିନୁ ଚାଲି ଆସିଛି ।

ସରଳ ଗପଟିଏ କହିବି । ଗପଟି ସୋମଦେବ ବିରଚିତ "କଥା ସରିତ ସାଗର"ରୁ ଗୃହିତ । ଜଣେ ରାଜା ପୁଅ ଆଉ ମନ୍ତ୍ରୀ ପୁଅ ପିଲାଟି ଦିନରୁ ଜଡା ତେଲ ଆଉ ମେଣ୍ଢା ବାଳ ପରି ସାଙ୍ଗ, ଦି ଜଣଯାକ ସଙ୍ଗାତ । ଅତି ଅଲ୍ୟଳ ରାଜା ପୁଅଟି ଦେଖିବାକୁ ପତଳା ଆଉ ମନ୍ତ୍ରୀ ପୁଅଟି ବେଶ୍ ଡଉଲଡାଉଲ । ଦି ଜଣ ଯାକ ଏକାଠି ଚନ୍ଦ୍ରକଳା ପରି ବଢିଲେ । ଯେହେତୁ ଦୁଇଜଣଙ୍କ ଭବିଷ୍ୟତ ସୁରକ୍ଷିତ, ତେଣୁ ସେମାନଙ୍କର ପୃଥିବୀରେ ଖାଲି ଆନନ୍ଦର ମଳୟ ପବନ ବୋହୁଥିଲା ବୋଲି ଜାଣ । ଏହାପରେ ରାଜପୁତ୍ର ଗୋଟିଏ ପରମାସୁନ୍ଦରୀ ରାଜକନ୍ୟାକୁ ବିବାହ କଲା । ମନ୍ତ୍ରୀପୁଅଟି ସବୁଦିନ ନିୟମିତ ରାଜକୀୟ ବ୍ୟାୟାମଶାଳାକୁ ଯାଉଥାଏ, ଆଉ ଅପେକ୍ଷା କରୁଥାଏ କେଉଁ ପରମାସୁନ୍ଦରୀ ମନ୍ତ୍ରୀକନ୍ୟାର ଜୟମାଳା ତାହା ପାଇଁ ତିଆରିବାକୁ ବିଧାତା ବିଧାନ କରିଛି । 

ଥରେ ପାରିଧିକୁ ତିନିହେଁ ମାନେ ରାଜାପୁଅ,ତାହାର ପତ୍ନୀ ଆଉ ସାଙ୍ଗ ମନ୍ତ୍ରୀପୁଅ ବାହାରିଲେ । ଘୋର ଅଗନାଅଗନି ବନସ୍ତ । ସେଇଠି କାହାଣୀର ଖଳନାୟକ ଭାବରେ ସୁନ୍ଦର ମେକ୍‌ଅପ୍‌ରେ ପହଞ୍ଚିଗଲା ଗୋଟିଏ ଡକାଏତ୍ । ହାତରେ ଚକ୍‌ଚକ୍ ତଲୁଆର । ଏହା ନାରୀବାଦୀ ବିମର୍ଶର କଥା ନୁହଁ, ରାଜକନ୍ୟାଙ୍କୁ ଛାଡି ଆର ଦୁଇ ସୁନ୍ଦର ସୁକୁମାରଙ୍କର ଗଣ୍ଡିଠୁ ମୁଣ୍ଡକୁ ଅଲଗା କରିଦେଲା ସେ ପାପିଷ୍ଠ । ତାହା ପରେ ତାହାର କାହାଣୀରେ ପ୍ରୟୋଜନ ଶେଷ । ଉଭେଇ ଗଲା, ଯେମିତି ଆସିଥିଲା ସେମିତି । 

ପ୍ରାଚୀନ ଗଳ୍ପକଳାରେ ଉଭାନ୍ ବିଷୟଟିକୁ ଏକ ଚମତ୍କାର ବ୍ୟବହାରିକ କୌଶଳ ହିସାବରେ ବ୍ୟବହାର କରାଯାଇଛି । ଆଜି କାଲି କିଏ କିଏ ବି ସେମିତି କରନ୍ତି । ସେ ଯାହାହେଉ, ଏବେ ରାଜକନ୍ୟା ଏଇଠି ଦୁଇଟି ମୁଣ୍ଡ ଆଉ ଦୁଇଟି ଗଣ୍ଡି ସହ କ'ଣ କରିବ ? ଆକୁଳରେ କାନ୍ଦିବା ବ୍ୟତୀତ ଆଉ କିଛି କରିବାର ନାହିଁ ତାହାର । ରାଜକନ୍ୟାର କାନ୍ଦଣା ତମ ଆମର ଶଶିଦେଈ କାନ୍ଦ ନୁହଁ । ତାହାର ପ୍ରଭାବ କୋଟି ତପସ୍ୟାଠୁ ବଳି ।  ଏବେ ପୁଣି କାହାଣୀରେ ଉଭାନ୍ କୌଶଳର ପ୍ରୟୋଗ । ଉଭାନ୍ ହେବାକୁ ପହଞ୍ଚିଗଲେ ସ୍ୱୟଂ ବନଦେବୀ ।କହିଲେ, ଗଣ୍ଡି ଆଉ ମୁଣ୍ଡକୁ ଯୋଡି ତାହା ଉପରେ ପାଖ ଝରଣାର ପାଣି ଆଣି ଛିଞ୍ଚିଦେ । ବଞ୍ଚିଯିବେ । ରାଜକନ୍ୟା ଆମ କାହାଣୀର ପ୍ରାଚୀନ ବାର୍ବି ଡଲ୍, ତାହା କଲା । କାହାଣୀଟି ମଧୁରରେ ଶେଷ ହେଲା । ଦୁଇ ସାଙ୍ଗ ଗାଢ ନିଦରୁ ଉଠିଲା ପରେ କୁଣ୍ଢାକୁଣ୍ଢି ହେଲେ ।

ଦୁଇ ସାଙ୍ଗ ରାଜାପୁଅ ଆଉ ମନ୍ତ୍ରୀପୁଅ କଥାଟି ଜାଣି ପାରିଲେ ନାହିଁ । କିନ୍ତୁ ରାଜକନ୍ୟାର ଆଖିରେ ବିସ୍ମୟ । ଗୋଟିଏ ଭୁଲ ହୋଇଯାଇଛି । ରାଜକନ୍ୟାର ସାମ୍ନାରେ ଯେଉଁ ଦୁଇଟି ଜୀବନ୍ତ ଚରିତ୍ର ଏଇଲେ ଉପସ୍ଥିତ, ସେମାନେ ଏବେ ପ୍ରକୃତରେ ଗୋଟିଏ ଗୋଟିଏ ବିସ୍ମୟ ।ରାଜପୁତ୍ରର ମୁଣ୍ଡରେ ଲାଗିଛି ମନ୍ତ୍ରୀପୁଅର ଗଣ୍ଡି ଆଉ ମନ୍ତ୍ରୀପୁଅର ମୁଣ୍ଡରେ ରାଜାପୁଅର ଗଣ୍ଡି । ଘଟଣାକୁ ଜାଣିବା ପରେ ଦୁହେଁ ପରସ୍ପରକୁ ଅବାକ୍ ହୋଇ ଚାହିଁ ରହିଲେ । ସେହି ଅଗନାଅଗନି ବନସ୍ତରେ କୁଲାଟିଏ ଢାଉଁ କରି ପଡିଲା ଭଳି ସେତେବେଳେ କହିଥିଲା ଆମର ପରିଚିତା ରାଜକନ୍ୟା ଆନୁନାସିକ ଗଳାରେ, ଏଁ, ମୁଁ ଏବେ କିସ ବୁଦ୍ଧି କରିବି ? କିଏ ସେ ହବ ମୋ ଗର୍ଭରେ ବଢୁଥିବା ସନ୍ତାନର ପିତା ?

ସେଇଠି ପ୍ରଥମେ ପୃଥିବୀ ଜାଣିଲା ଯେ ଆମର ରାଜକନ୍ୟା ଗର୍ଭବତୀ । ଏମିତିରେ ଅନେକ ଗର୍ଭଜନିତ ଘଟଣାକୁ ନେଇ ଆମର ପ୍ରାଚୀନ କାହାଣୀ ଈର୍ଷାଦ୍ୱେଷ ଆଉ ହର୍ଷ ମୁଖର । ସମସ୍ତ ନିରିମାଖୀମାନେ ଯେମିତି କାଞ୍ଚନଫୁଲ ହୋଇ ଫୁଟିଯାଇଛନ୍ତି ଆମ କାହାଣୀର ବଗିଚାରେ, ଖାଲି ଅପେକ୍ଷା କରିଛନ୍ତି ଆମର ହାତବଢାଇବାର ଆକୁଳ ଡାକକୁ ।

ରାଜକନ୍ୟାର ସମସ୍ୟାର ସମାଧାନ ଆମ ହାତରେ ଅଗନାଅଗନି ବନସ୍ତରେ ନଥିଲା । ଆମ ହାତରେ ଥିଲେ ଆମେ ଉଭାନ୍ ତତ୍ତ୍ୱକୁ ପ୍ରୟୋଗ କରି ଦୈବୀବାଣୀଟିଏ ତ ସୃଷ୍ଟି କରି ସମସ୍ୟାର ସମାଧାନ କରିଦେଇଥାଆନ୍ତୁ । ତେଣୁ କାହାଣୀଟି ରାଜାଙ୍କ ଦରବାରକୁ ଗଲା ।ରାଜା ପାତ୍ରମନ୍ତ୍ରୀଙ୍କ ସହ ଢେର୍ ବିଚାର କଲେ । ଅବଶ୍ୟ ରାଜାପୁଅ ଓ ମନ୍ତ୍ରୀପୁଅର ପାରସ୍ପରିକ ଶରୀର ବିନିମୟଟି କ୍ଷମତାର ଅଳିନ୍ଦରେ ଏକ ସମନ୍ୱୟଭିତ୍ତିକ ଆନନ୍ଦର ସଞ୍ଚାର କରିଥିଲେ ହେଁ ସେଇ କଥା କହିବା ଭଳି ଆଧୁନିକ ଆମ ପ୍ରାଚୀନ କାହାଣୀକାର ମାନେ ନଥିଲେ।ଶେଷରେ ରାଜାଙ୍କ ବିଚାରରେ ନିଷ୍କର୍ଷ ଟି ହେଲା, ରାଜାପୁଅର ମୁଣ୍ଡ ଥିବା ଦେହଟି ରାଜକନ୍ୟାର ଆଗାମୀ ସନ୍ତାନର ବାପା । ମୁଣ୍ଡଟି ହେବ ଗଣ୍ଡିର ଏକମାତ୍ର ନିର୍ଣ୍ଣାୟକ । ମୁଣ୍ଡର ସାର୍ବଭୌମତ୍ୱକୁ ପ୍ରତିପାଦନ କରୁଥିବା ଏହି ଭାରତୀୟ କାହାଣୀକୁ ଉପଜୀବ୍ୟ କରି ନୋବେଲ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଜର୍ମାନ ଲେଖକ ଟମାସ୍ ମ୍ୟାନ୍ "ଦି ଟ୍ରାନସପୋଜଡ୍ ହେଡସ୍"ବୋଲି ଉପନ୍ୟାସଟିଏ ଲେଖିଛନ୍ତି ।

ମୁଣ୍ଡର ପ୍ରାଧାନ୍ୟ ଆମ ସମାଜରେ ସବୁବେଳେ ରହିଆସିଛି । ଆପଣ ଦେଖିବେ ଆମର ବର୍ଣ୍ଣ ବ୍ୟବସ୍ଥାରେ ଯିଏ ଯେତିକି ଶାରିରୀକ ଶ୍ରମ କରେ, ତାହାର ବର୍ଣ୍ଣ ସେତିକି ତଳେ । ସେହି ଦୃଷ୍ଟିରୁ ଆମର ଏଇଠି ଯେତେକ କବି ଅଛନ୍ତି, ସେମାନେ ସମସ୍ତେ ବ୍ରାହ୍ମଣ, ଆଉ ଆମେ ଗଦ୍ୟଲେଖକ ମାନେ ଜାତିରେ ଶୁଦ୍ର । ଆମର ସ୍ଥାନଟି ତେଣୁ ତଳେ ରହିବା ନିଧାର୍ଯ୍ୟ ।

ମୁଣ୍ଡ ସମ୍ପର୍କରେ ପୃଥିବୀର ସବୁଠାରୁ ଅପରିଷ୍କାର ସ୍ୱୈରାଚାରୀ ଜଣକ ଗୋଟିଏ ବିପ୍ଳବ ଆରମ୍ଭ କରିଥିଲେ ତାଙ୍କ ରାଜ୍ୟରେ । ସେଇ ଅପରିଷ୍କାର ସ୍ୱୈରାଚାରୀ ଜଣକ ହେଉଛନ୍ତି ଚୀନ୍‌ର ଚେୟାରମାନ୍ ମାଓ ସେ ତୁଙ୍ଗ୍ । ଅପରିଷ୍କାର ଏଇଥିପାଇଁ ଯେ, ସେ କଦବା କ୍ୱଚିତ ଗାଧୋଇବାକୁ ଇଚ୍ଛା କରିଥାନ୍ତି । ତାଙ୍କର ସେଇ କ୍ୱଚିତ ଗାଧୋଇବା କଥାଟି କହିବାକୁ ସେତେ ରୁଚିକର ନୁହଁ । ଉଲଗ୍ନ ନାରୀମାନେ ଦେହରେ ସ୍ପଞ୍ଜ୍‌ର ଓଦା ଜାକେଟ୍‌ମାନ ଗଳାଇ ମାଓଙ୍କୁ ଆଲିଙ୍ଗନ କରିବା ଦ୍ୱାରା ଯେତିକି ଓଦା କରିଥାନ୍ତି ସେତିକି ହେଉଛି ତାଙ୍କର ଗାଧୁଆ । ସେ ଜୀବନରେ କେବେ ଦାନ୍ତ ଘଷି ନାହାଁନ୍ତି । ଇଚ୍ଛା ହେଲେ ଚା'ରେ କୁଳୁକୁଞ୍ଚା କରନ୍ତି ବେଳେ ବେଳେ । ସେଇଥିପାଇଁ ଏଇ କ୍ଷମତାବାନ ସ୍ୱୈରାଚାରୀ ଜଣକଙ୍କର ଦାନ୍ତଗୁଡିକ ନିହାତି ଶ୍ରୀହୀନ ଥିଲେ । 

ତାହା ଛଡା ଚେୟାରମ୍ୟାନ ମାଓ ଝାଡା ଗଲା ପରେ ଆଦୌ ପାଣି ଢାଳୁ ନଥିଲେ । ଏପରିକି ତାଙ୍କର ପ୍ରାସାଦର ବଗିଚାରେ ଗୋଲାପ ଗଛର ମୂଳରେ ନିଃସଙ୍କୋଚରେ ଝାଡା ଫେରିବାର ବିରଳ ପାର୍ଥୀବ କୃତିତ୍ୱଟି ଏଇ ଏସୀୟ ସ୍ୱୈରାଚାରୀର ରହିଛି । କୌଣସି ମୋଗଲ୍ ନରପତି ଭଳି ହଜାରେରୁ ଅଧିକ ରମଣୀଙ୍କ ଅନ୍ତରଙ୍ଗ ସାନ୍ନିଧ୍ୟରେ ରହୁଥିବା ମାଓଙ୍କ ମୁହଁର ଭାଷା ତାଙ୍କର ମୁହଁ ଭଳି ଦୁର୍ଗନ୍ଧଯୁକ୍ତ । ତାହାର ଉଦାହରଣକୁ ଡ୍ୟାସ୍ ଡ୍ୟାସ୍ ରେ ଲେଖିବା ରୁଚିକୁ ବାଧିବ । ତାଙ୍କର ପ୍ରିୟତମ ଆନନ୍ଦ ଥିଲା ଯେକୌଣସି ସ୍ଥାନରେ ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ସଭା ସମିତିରେ ସଶବ୍ଦରେ ପଶ୍ଚାତ୍‌ବାୟୁ ତ୍ୟାଗ କରିବା । ଯଦି ତମ ମୁହଁରେ ତାହା ଦୁର୍ଗନ୍ଧ ବୋଲି ଚେୟାରମ୍ୟାନ ମାଓ ପଢିନେଲେ, ତାହା ହେବ ତମର ପୃଥିବୀର ଶେଷ ଦିନ ।

ସେହି ମହାନ କ୍ଷମତାଶାଳୀ ସ୍ୱୈରାଚାରୀ ମାଓ ମୁଣ୍ଡକୁ ପରିଷ୍କାର କରି ରଖିବା ପାଇଁ ଗୋଟିଏ ବିପ୍ଳବର ଆହ୍ୱାନ ଦେଇଥିଲେ । ତାହାକୁ ସାଂସ୍କୃତିକ ବିପ୍ଳବ ବୋଲି କୁହାଯାଏ । ଗୋଟିଏ ସର୍ବହରାର ଗଣ୍ଡି ଉପରେ ବୁର୍ଜୁଆ ମୁଣ୍ଡଟିଏ ଗଜୁରି ଉଠି ପାରେ, ଆଉ ସେଇ ପ୍ରକାର ମୁଣ୍ଡଟିକୁ ବିଶୋଧନ କରିବା ପାଇଁ ମାଓ ସାଂସ୍କୃତିକ ବିପ୍ଳବର ପରିକଳ୍ପନା ।

ଏବେ ଆସିବା ମୂଖ୍ୟ ପ୍ରସଙ୍ଗକୁ । ଗଣ୍ଡି, ମୁଣ୍ଡ, ଚୀନ୍ ଆଉ ଗାଳି, ଏହାର ପ୍ରାସଙ୍ଗିକତାଟି କେଉଁଠି ?

ଛବିରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କର ଯେଉଁ ମୁଣ୍ଡଟି ଏଇଠି ସଂଲଗ୍ନ କରାଯାଇଛି, ସେଇଠି କିଛି ପରିମାଣରେ ରହିଛି ଏଇ ପ୍ରସଙ୍ଗ ।

ଏଠାରେ ନିବେଦିତ ନିମ୍ନ ଲିଖିତ ତଥ୍ୟ ଇଂରେଜୀ ଖବରକାଗଜ ଦି ନିଉ ଇଣ୍ଡିଆନ ଏକ୍ସପ୍ରେସରୁ, ୨୦୧୫ ଅକ୍ଟୋବର ୨୦ ସଙ୍ଖ୍ୟାରୁ ଗୃହିତ ।

ଆପଣ ଜାଣନ୍ତି ଆମର ପୋଷାକପ୍ରିୟ ପ୍ରଧାନମନ୍ତ୍ରୀ ଗୁଜୁରାଟର ନର୍ମଦା ଜିଲ୍ଲାର ସାଧୁ ବେତ୍ ବୋଲି ଜାଗାରେ "ଷ୍ଟାଚ୍ୟୁ ଅଫ୍ ୟୁନିଟି" ନାମରେ ପୃଥିବୀ ସବୁଠାରୁ ବଡ଼, ଅର୍ଥାତ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇଙ୍କର ଏକ ପ୍ରତିମା ନିର୍ମାଣର ପରିକଳ୍ପନା କରିଛନ୍ତି । ତିନି ହଜାର କୋଟି ଟଙ୍କାର ଖର୍ଚ୍ଚ ଅଟ୍ଟକଳରେ ତିଆରି ହେବାକୁ ଥିବା ଲୌହମାନବଙ୍କର ପ୍ରତିମା ନିର୍ମାଣ କାମଟି ବିଶିଷ୍ଟ କମ୍ପାନୀ ଲାର୍ସନ ଆଣ୍ଡ୍ ଟୁବ୍ରୋ କୁ ଦିଆଯାଇଛି । ସେଇ ଅନୁସାରେ ଭାରତରେ ପ୍ରତିମାର ଗଣ୍ଡି ଅଂଶର କାମ ଚାଲିଛି ।

ଆମର କଥାଟି ହେଉଛି ସର୍ଦ୍ଦାର ଙ୍କ ମୁଣ୍ଡକୁ ନେଇ । ଏଇ ମୁଣ୍ଡ ଭାଗଟି ଅନ୍ୟତ୍ର ପ୍ରସ୍ତୁତ ହୋଇ ଆସିଛି ଏଠାରେ ଯୋଡା ହେବା ପାଇଁ ।ସର୍ଦ୍ଦାରଙ୍କର ଏଇ ସୁନ୍ଦର ମୁଣ୍ଡଟିକୁ ନିର୍ମାଣ କରିଛନ୍ତି ଜିଆଙ୍ଗକ୍ସି ଟକ୍ୟୁଇନ୍ ମେଟାଲ୍ କ୍ରାଫ୍ଟସ୍ କର୍ପୋରେସନ୍, ଯାହା ଚୀନ୍ ର ନାନଚାଙ୍ଗ୍ ପ୍ରଦେଶରେ ଅବସ୍ଥିତ ।

ଏହାପରେ ଚୀନ୍‌ର ମୁଣ୍ଡ ଆଉ ଭାରତର ଗଣ୍ଡିକୁ ନେଇ ଅନେକ ରାଜନୈତିକ ମୁଣ୍ଡଖେଳ ଚାଲିବ, ଯାହାଠୁ ଶହେ କୋଶ ନିରାପଦ ଦୂରତ୍ୱରେ ରହିଥିବେ ସାଧାରଣ ଜନତା, ନିଜର ତେଲ ଲୁଣର ସଂସାରରେ । ସେମାନେ ଅନେକାଂଶରେ ବିଶ୍ୱାସ କରନ୍ତି, ବୁଦ୍ଧଙ୍କର ସେଇ କଥାରେ, ଯେଉଁଠି କୁହାଯାଇଛି ଦିବ୍ୟଜ୍ଞାନ ଲଭିବାର ପ୍ରାଥମିକ ଆବଶ୍ୟକତା ହେଉଛି,  ସୁସ୍ଥ ମୁଣ୍ଡଟି ସହ ସୁସ୍ଥ ଗଣ୍ଡିଟିଏର ସଞୋଜନ ।

ପୃଥିବୀର ସବୁଠୁ ମଧୁରତମ ଗାଳି ଟି ଆପଣମାନେ ଜାଣନ୍ତି । ତାହା ହେଉଛି, ତୋ ମୁଣ୍ଡ ଆଉ ଗଣ୍ଡି । ନୁହଁ ?


No comments:

Post a Comment