Friday, November 17, 2017

ଭାରତରେ ବିବିଧତା



ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଭାରତ ବିବିଧତାରେ ଭରା ଗୋଟିଏ ଦେଶ । ଆମେ ନାନା ପ୍ରକାରର ଭାଷାରେ କଥାବାର୍ତ୍ତା କରୁ । ଆମେ ଅନେକ ଭିନ୍ନଭିନ୍ନ ପ୍ରକାରର ଖାଇବା ଜିନିଷ ଖାଉ । ଆମେ ନାନାଦି ପର୍ବପର୍ବାଣୀ ପାଳନ କରୁ ଓ ଅଲଗା ଅଲଗା ଧର୍ମ ଆଚରଣ କରୁ । କିନ୍ତୁ ତୁମେ ଯଦି ଏ ବିଷୟରେ ଭାବି ବସିବ ତାହାହେଲେ ତୁମର ଏହା ଅବବୋଧ ହେବ ଯେ ଆମେ ଅନେକ ଏପରି ଜିନିଷ କରୁ ଯାହା ପ୍ରାୟତଃ ଏକା ପ୍ରକାରର । ମାତ୍ର କେବଳ ଆମେ ତାହା ଅଲଗା ଅଲଗା ଭାବରେ କରୁ ।... ଦୁଇଶହ ବର୍ଷର ଆଗର ସମୟ କାଳରେ ରେଳଗାଡ଼ିଉଡାଜାହାଜବସ୍ କିମ୍ବା କାର୍ ଆମର ଜୀବନର ଅଂଶ ବନିବା ଆଗରୁ ଲୋକେ ଦୁନିଆର ଗୋଟିଏରୁ ଅନ୍ୟ ଭାଗକୁ ଜାହାଜରେଘୋଡ଼ାରେଓଟରେ ବା ଚାଲିଚାଲି ଯାଉଥିଲେ ।

ଅନେକ ସମୟରେ ଲୋକେ ନୂଆ ଜେଗା ଖୋଜି ଯାଉଥିଲେ; ସେ ବସା ବାନ୍ଧି ରହିବା ପାଇଁ ହେଉ, ନହେଲେ ବେପାର ବଣିଜ କରିବା ପାଇଁ ହେଉ । ଯେହେତୁ ଯାତାୟାତ କରିବା ପାଇଁ ଏତେ ସମୟ ଲାଗୁଥିଲା, ଯେ ଥରେ ଲୋକେ ଗୋଟିଏ ଜେଗାକୁ ଗଲେ ସେହିଠାରେ ହିଁ ରହିଯାଉଥିଲେ, ଅଧିକାଂଶ ସମୟରେ ଦୀର୍ଘ କାଳ ପାଇଁ । ଅନେକ ଲୋକ ଘର ଛାଡ଼ି ଯାଉଥିଲେ କାରଣ ଦୁର୍ଭିକ୍ଷ ଓ ମରୁଡ଼ି କାରଣରୁ ଖାଦ୍ୟାଭାବ ଦେଖା ଦେଉଥିଲା । କିଛି ଲୋକ କାମ ଖୋଜି ବିଦେଶ କରିଯାଉଥିଲେ, ତ ଅନ୍ୟମାନେ ଯୁଦ୍ଧଯୋଗୁଁ ବାସ୍ତୁହରା ହୋଇ ଦେଶ ଛାଡ଼ୁଥିଲେ ।

ନୂଆ ଜେଗାରେ ଘର କରି ରହିଲା ପରେ, ବେଳେବେଳେ ଲୋକଙ୍କୁ ଟିକେ ବଦଳିବାକୁ ହେଉଥିଲା । କେତେବେଳେ ସେମାନେ ନିଜ ଭାବରେ ଚିରାଚରିତ ପୁରୁଣା ପରମ୍ପରାକୁ ଧରି ମଧ୍ୟ ଚଳିଯାଇପାରୁଥିଲେ । ଏହିପରି ଭାବରେ ତାଙ୍କର ଭାଷା, ଖାଦ୍ୟପେୟ, ସଙ୍ଗୀତ ଓ ଧର୍ମ ଇତ୍ୟାଦିରେ ନୂଆ ଓ ପୁରୁଣା ଫେଣ୍ଟାଫେଣ୍ଟି ହୋଇ, ଖେଚେଡ଼ି ହୋଇ, ଏହି ସାଂସ୍କୃତିକ ମିଶ୍ରଣରୁ କିଛି ନୂତନ ଓ ଭିନ୍ନ ମଧ୍ୟ ବାହାରୁ ଥିଲା ।

ଅନେକ ଜାଗାର ଇତିହାସ ଆମକୁ ଏହା ଦର୍ଶାଏ ଯେ ସେଠିକାର ଜନଜୀବନ ଓ ସଂସ୍କୃତି କେତେ ଭିନ୍ନଭିନ୍ନ ପ୍ରକାରର ସାଂସ୍କୃତିକ ପ୍ରଭାବରୁ ତିଆରି ହୋଇଛି । ନିଜର ଅନନ୍ୟ ସଂସ୍କୃତି ଯୋଗୁଁ ଅଞ୍ଚଳଗୁଡ଼ିକ ମଧ୍ୟରେ ବିବିଧତା ଦେଖାଯିବା ଆରମ୍ଭ କଲା ।ସେହିପରି ଭାବରେ, ଲୋକେ ନିଜର ଭୌଗଳିକ ପରିବେଶ ସହିତ ଖାପ ଖୁଆଇ ଚଳିବାକୁ ଲାଗିଲେ, ସେହି ପ୍ରକ୍ରିୟାରୁ ମଧ୍ୟ ବିବିଧତା ସୃଷ୍ଟି ହୁଏ । ଉଦାହରଣ ସ୍ୱରୂପ, ସାଗର କୂଳରେ ଜୀବନଧାରଣ କରିବା ଓ ପର୍ବତାଞ୍ଚଳରେ ବସବାସ କରିବା ଦୁଇଟି ପୂରା ଅଲଗା ଜିନିଷ ।

ଖାଲି ଏହା ନୁହେଁ ଯେ ଲୋକଙ୍କର ଖାଦ୍ୟପେୟ ଓ ପୋଷାକ ଇତ୍ୟାଦି ଅଲଗା । ସେମାନେ ଯେଉଁ କାମ ସବୁ କରି ପରିବାର ପୋଷନ୍ତି, ସେଗୁଡ଼ିକ ମଧ୍ୟ ଭିନ୍ନଭିନ୍ନ । ସହରମାନଙ୍କରେ ଅନେକ ସମୟରେ ଏହା ମନେରଖିବା କଷ୍ଟକର ହୋଇପରେ କି କେତେମାତ୍ରାରେ ଆମର ଜନଜୀବନ ଆମର ଭୌତିକ ବାତାବରଣ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଏହାର କାରଣ ହେଲା କି ସହରବଜାରମାନଙ୍କରେ ଲୋକେ ପ୍ରାୟତଃ ନିଜର ଖାଦ୍ୟଶସ୍ୟ ଓ ପନିପରିବା ଇତ୍ୟାଦି ନିଜେ ଚାଷକରି ଉପୁଯାଆନ୍ତି ନାହିଁ । ସେମାନେ ବଜାରରୁ ଖାଦ୍ୟଦ୍ରବ୍ୟ ଓ ଅନ୍ୟ ଆବଶ୍ୟକୀୟ ଜିନିଷ ବଜାରରୁ ହିଁ କିଣନ୍ତି ।... ବିଭିନ୍ନ ସଂସ୍କୃତିର ପ୍ରଭାବ ପଡ଼ିବା କେବଳ ଅତୀତର କଥା ନୁହେଁ । ଆମର ସମସାମୟିକ ଜୀବନରେ ମଧ୍ୟ ଆମେ ଯେତେବେଳେ ଜୀବିକା ଅର୍ଜନ ପାଇଁ ସ୍ଥାନରୁ ସ୍ଥାନାନ୍ତର ହେଲାବେଳେ ଆମର ସାଂସ୍କୃତିକ ପରମ୍ପରା ଓ ଜୀବନଶୈଳୀ ଆମର ନୂଆ ବାସସ୍ଥାନର ଅଂଶବିଶେଷ ବନିଯାଏ । ସେହିପରିଭାବରେ ଆମେ ଆମର ନିଜର ପଡ଼ିଶାରେ ମଧ୍ୟ ଭିନ୍ନଭିନ୍ନ ଜନଗୋଷ୍ଠୀର ଲୋକମାନଙ୍କ ସହିତ ମିଶି ଚଳୁଛୁ । ପରସ୍ପରର କାମ କରିବାର ବାଟ ବିଷୟରେ ଜାଣିବା ତଥା ନିଜର ଓ ଅନ୍ୟର ଜୀବନ, ପରମ୍ପରା ଓ ଚଳଣୀ ବିଷୟରେ ଗପଟିମାନ ଶୁଣିବାରେ ଆମେ ଆମର ଦୈନନ୍ଦିନ ଜୀବନ ଅତିବାହିତ କରୁ । 

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମାଜ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ୍ ଆଣ୍ଡ୍ ପଲିଟିକାଲ ଲାଇଫ୍ - ୧' ର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ । 

No comments:

Post a Comment