Monday, November 20, 2017

ଆଲୁଅ ବଦଳିଗଲା

ପୋଲି ସେନଗୁପ୍ତ


୧୯୧୬ ମସିହାରେ ଶିଶୁ ଶ୍ରମିକ ତେଲ ପେଡ଼ୁଥିବାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମୁଁ ତ ଥଟ୍ଟା କରୁଥିଲି । ଜନପଥର ବ୍ୟସ୍ତବହୁଳ ଛକରେ ଖବରକାଗଜ ବିକୁଥିବା ଗୋଟିଏ କୁନି ପିଲା ପାଇଁ ଗୋଟିଏ ଟାହୁଲି । ମୁଁ ଯେତେବେଳେ ସାଇକେଲ ଚଢ଼ିଯିବି, ସେ ଇଂରାଜୀ ଖବରକାଗଜ ଧରି ମୋ ପଛେ ପଛେ ଗୋଡ଼େଇବ । ଆଉ ଇଂରାଜୀ ଓ ହିନ୍ଦୀ ଶବ୍ଦର ମିଶାମିଶି ଏକ ଖେଚେଡ଼ି ଭାଷାରେ ସନ୍ଧ୍ୟାର ମୂଖ୍ୟ ଖବରଗୁଡ଼ିକ ଚିତ୍କାର କରି ଡାକିଦେଇଯିବ । ଏ ଥର ମୁଁ ଫୁଟପାଥ୍ ପାଖରେ ଅଟକି ଗଲି । ଆଉ ତାକୁ ହିନ୍ଦୀ ଖବରକାଗଜ ଖଣ୍ଡିଏ ମାଗିଲି । ଆଶ୍ଚର୍ଯ୍ୟରେ ତା ମୁହଁ ଖୋଲା ହିଁ ରହିଗଲା ।

ସେ ପଚାରିଲା, ‘ତୁମକୁ ହିନ୍ଦୀ ଜଣା’ ? ମୁଁ ଖବରକାଗଜର ପଇସା ଦଉଦଉ କହିଲି “ଆଉ ନୁହେଁ ତ କଅଣ” । କାହିଁକି ? “ତୁମେ କଅଣ ଭାବୁଥିଲ ?”

ସେ ଟିକେ ଅଟକିଗଲା, ଆଉ କହିଲା, “କିନ୍ତୁ ତୁମେ ତ ପୁରା ଇଂରେଜ୍ ଲାଗ । ତୁମକୁ ହିନ୍ଦୀ ବି ପଢ଼ି ଆସେ ?”

ମୁଁ କହିଲି, “ନିଶ୍ଚିତ ଭାବରେ”, ଏଥର ମୁଁ ଟିକିଏ ଅଧୈର୍ଯ୍ୟ ହୋଇ କହିଲି “ମୋତେ ହିନ୍ଦୀ କହି ଆସେ, ପଢ଼ି ଆସେ, ଆଉ ଲେଖି ବି ଆସେ । ମୁଁ ସ୍କୁଲ୍ ରେ ହିନ୍ଦୀକୁ ଗୋଟିଏ ସବ୍‌ଜେକ୍ଟ  ଭାବରେ ପଢ଼େ ।”

ବିଷୟ” ? ସେ ପଚାରିଲା । ଯିଏ କେବେ ଇସ୍କୁଲ୍ ଯାଇନି, ତାକୁ ମୁଁ ବିଷୟ କଅଣ ବୋଲି କେମିତି ବୁଝାଇପାରିଥାଆନ୍ତି ? “ହୁଁ । ଏଇଟା ଗୋଟେ ଜିନିଷ” ବୋଲି ମୁଁ କହିବାକୁ ଆରମ୍ଭ କଲି, ହେଲେ ସେତିକି ବେଳକୁ ଟ୍ରାଫିକ୍ ଆଲୁଅ ବଦଳିଗଲା ଓ ମୋ ପଛରୁ ଆସୁଥିବା ହର୍ଣ୍ଣର ଆୱାଜ୍ ଶତଗୁଣରେ ବଢ଼ିଗଲା । ମୁଁ ନିଜକୁ ବାକି ଟ୍ରାଫିକ୍ ସହିତ ଠେଲିହୋଇ ଆଗକୁ ବଢ଼ିବାକୁ ଛାଡ଼ିଦେଲି ।

ତାହା ପର ଦିନ ବି ସେ ସେହିଠାରେ ହିଁ ଥିଲା । ମୋତେ ଦେଖି ହସୁଥିଲା ଓ ଗୋଟି ହିନ୍ଦୀ ଖବରକାଗଜ ବଢ଼ାଇଦେଇ କହିଲା, “ଆପଣଙ୍କ କାଗଜ । ଏବେ ମୋତେ କୁହନ୍ତୁ ଏ ସବଜେକ୍ଟ୍ ଜିନିଷଟି କଅଣ”? ଇଂରାଜୀ ଶବ୍ଦଟି ତା ଓଠରେ ଟିକିଏ ବିଚିତ୍ର ଲାଗୁଥିଲା । ଏହା ଇଂରାଜୀରେ ତାହାର ଅନ୍ୟ ଅର୍ଥଟି - ଅନ୍ୟ କାହା ଦ୍ୱାରା ଶାସିତ ହେବା - ଭଳି ଶୁଣାଯାଉଥିଲା ।

ଓଃ! ସବଜେକ୍ଟ୍ ପଢ଼ିବା ପାଇଁ କିଛି ଜିନିଷ”, ମୁଁ କହିଲି । ଆଉ ଠିକ୍ ସେତେବେଳେ ନାଲି ଆଲୁଅ ଜଳିଉଠିବାରୁ, ମୁଁ ତାକୁ ପଚାରିଲି, “ତୁମେ କେବେ ସ୍କୁଲ୍ ଯାଇଛ”? “କେବେ ବି ନୁହେଁ”, ସେ କହିଲା । ଆଉ ସେ ଗର୍ବର ସହ ଯୋଡ଼ିଲା, “ମୁଁ ଏତିକି ବଡ଼ ହେଇଥିଲା ବେଳେ କାମ କରିବାକୁ ଆରମ୍ଭ କଲି” । ସେ ନିଜକୁ ମୋର ସାଇକେଲ୍ ର ସିଟ୍ ସହ ମାପିଦେଲା । ଆଉ କହିଲା, “ପ୍ରଥମେ ପ୍ରଥମେ ମୋ ମା ମୋ ସହିତ ଆସୁଥିଲା । ଏବେ ମୁଁ ନିଜେ ସବୁ କାମ କରିପାରୁଛି ।”

ତୁମ ମା ଏବେ କେଉଁଠି ?” ବୋଲି ମୁଁ ପଚାରିଲି । ମାତ୍ର ଠିକି ସେତିକି ବେଳକୁ ଟ୍ରାଫିକ୍ ଆଲୁଅ ବଦଳିଗଲା ଆଉ ମୁଁ ଆଗକୁ ବଢ଼ିଗଲି । ମୁଁ ତାକୁ ମୋ ପଛରୁ କେଉଁଠୁ ଚିଲ୍ଲାଇ କହିବାର ଶୁଣିଲି, “ସେ ମିରଟରେ”… ବାକିତକ ଆୱାଜ୍ ରେ କେଉଁଠି ବୁଡ଼ିଗଲା ।

ତାହା ପରଦିନ ସେ କହିଲା, “ମୋ ନାଁ ସମୀର” । ଆଉ ତା ପରେ ସେ ଲାଜର ସହ ପଚାରିଲା, “ଆଉ ତୁମର ନାଁ କଅଣ ?” ଆଶ୍ଚର୍ଯ । ମୋର ସାଇକେଲ ଟିକେ ଥରିଗଲା । ମୁଁ କହିଲି, “ମୋ ନା ବି ସମୀର ।” “କଅଣ” । ତାର ଆଖି ଚକମକ କଲା । ମୁଁ ତା ଆଡ଼କୁ ଅନାଇ ହସିଲି, ଆଉ କହିଲି, “ହଁ । ସମୀର ହନୁମାନଙ୍କର ବାପାଙ୍କର ଆଉ ଗୋଟେ ନାଁ ।” ସେ ବିଜୟୀ ଭାବରେ କହିଲା, “ତୁମେ ହେଲ ଏକ ନମ୍ବର ସମୀର ଆଉ ମୁଁ ହେଲି ଦୁଇ ନମ୍ବର ସମୀର । “ହଁ ତମେ ସେମିତି କିଛି କହିପାର” ବୋଲି ମୁଁ ଉତ୍ତର ଦେଲି ଆଉ ହାତ ବଢ଼େଇଦେଇ କହିଲି, “ହାତ ମିଳାଅ, ଦୁଇ ନମ୍ବର ସମୀର ।” ତା ହାତ ମୋ ହାତ ଭିତରେ ଗୋଟିଏ ଛୋଟିଆ ଚଢ଼େଇ ଭଳି ରହିଗଲା । ମୁଁ ସାଇକେଲ ଚଢ଼ାଇ ଚାଲିଗଲାବେଳକୁ ତା ହାତର ଉଷ୍ମତା ମୁଁ ଅନୁଭବ କରିପାରୁଥିଲି ।

ଆସନ୍ତା ଦିନ, ସେ ମୋତେ ଦେଖି ସବୁଦିନ ଭଳି ହସିଲାନାହିଁ । “ମିରଟରେ ଗଣ୍ଡଗୋଳ ଚାଲିଛି”, ସେ କହିଲା । “ସେଠି ଦଙ୍ଗାରେ ଅନେକ ଲୋକଙ୍କୁ ମାରୁଛନ୍ତି” । ମୁଁ ମୁଖ୍ୟଖବର ଉପରେ ଆଖି ପକାଇଲି । ସାମ୍ପ୍ରଦାୟିକ ଦଙ୍ଗା ଚାଞ୍ଚଲ୍ୟକର ଖବର ଭାବରେ ପେଶ ହୋଇଥିଲା । “କିନ୍ତୁ ସମୀର”, ମୁଁ ଆରମ୍ଭ କଲି । “ମୁଁ ଜଣେ ମୁସଲମାନ୍ ସମୀର ।” ସେ ଉତ୍ତରରେ କହିଲା, “ମୋର ସବୁ ଲୋକ ମିରଟରେ ଅଛନ୍ତି” । ତା ଆଖି ଲୁହରେ ଭରିଗଲା । ଆଉ ମୁଁ ଯେତେବେଳେ ତାର କାନ୍ଧକୁ ଛୁଇଁଲି, ସେ ମୁହଁ ଟେକି ଅନାଇଲା ନାହିଁ ।

ତା' ପର ଦିନ, କି ଅପରଦିନ, କି ଆଉ କେବେବି ମୁଁ ତାକୁ ଆଉ ଛକରେ ଦେଖିବାକୁ ପାଇଲି ନାହିଁ । କେଉଁ ଖବରକାଗଜ, ସେ ହିନ୍ଦୀ ହେଉ କି ଇଂରାଜୀ, ମୋତେ କହିପାରିବେ ନାହିଁ ଯେ ସମୀର କୁଆଡ଼େ ଚାଲିଯାଇଛି ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମାଜ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ୍ ଆଣ୍ଡ୍ ପଲିଟିକାଲ ଲାଇଫ୍ - ୧' ର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ । 

No comments:

Post a Comment