Thursday, November 30, 2017

ଡାଏନା ଓ ମାଇକେଲ୍ ପ୍ରେଷ୍ଟନ୍ : କାଳ କପୋଳରେ ଧାରେ ଲୁହ


ଅନୁବାଦ ଓ ଟୀକା - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତାଜମହଲ ମୂଳତଃ ଏକ ହିନ୍ଦୁ ମନ୍ଦିର, ଏ ବିଷୟରେ ଅଦ୍ୟାବଧି ଏକ ବିତର୍କ ଚାଲି ଆସିଛି । ଭାରତର ସ୍ଥାପତ୍ୟ ନିଦର୍ଶନରେ ହିନ୍ଦୁ-ମୁସଲିମ୍ ରୀତିର ତୁଳନାମୂଳକ ଅର୍ଜନ ସମ୍ପର୍କିତ ବିତର୍କ କିଛି ନୂଆ କଥା ନୁହଁ ଏବଂ ସେଇ ବିତର୍କର କଥା ମୂଳ ପ୍ରସଙ୍ଗଟିକୁ ସବୁବେଳେ ଏଡାଇଦେବାର ଚେଷ୍ଟାରେ ଥାଏ । ମୂଳ ପ୍ରସଙ୍ଗଟି ହେଲା ଉଭୟ ହିନ୍ଦୁ ଆଉ ମୁସଲିମ୍ ରୀତିର ସଂଶ୍ଳେଷଣର କଥା । ତାଜମହଲ ହେଉଛି ଉଭୟ ରୀତିର ଏକ ସଂଶ୍ଳେଷଣ । ଉଦାହାରଣ ସ୍ୱରୂପ ଆଡଲସ୍ ହକ୍ସଲେଙ୍କ ପରି ବିଶିଷ୍ଟ ପଣ୍ଡିତ ୧୯୨୦ ମସିହାରେ ଯେମିତି ଲେଖିଥିଲେ,"ତାଜମହଲର ଅଳଙ୍କରଣ ତୁଳନାରେ ହିନ୍ଦୁ ସ୍ଥପତି ମାନଙ୍କର ନିର୍ମିତ ଇମାରତଗୁଡିକର କାରୁକାର୍ଯ୍ୟ ଅନେକ ବେଶି ସମୃଦ୍ଧ ଆଉ ଆକର୍ଷଣୀୟ ।"

ଅବଶ୍ୟ ସାମ୍ପ୍ରତିକ ଦଶକଗୁଡିକରେ କିଛି କିଛି ପ୍ରଥାବିରୋଧୀ ହିନ୍ଦୁ ଐତିହାସିକ ଏଇ ବିତର୍କରେ ନୂତନ ମାତ୍ରା ଯୋଗ କରି ଇଙ୍ଗିତ ଦେବାକୁ ଚେଷ୍ଟା କରୁଛନ୍ତି ଯେ, ଶାହଜାହାନ ଶୂନ୍ୟରୁ ତାଜମହଲ ନିର୍ମାଣ କରିନାହାଁନ୍ତି, ସେ କେବଳ ପୂର୍ବରୁ ଏଇଠି ଅବସ୍ଥିତ ଗୋଟିଏ ଇମାରତ ତଥା ଅମ୍ବରର (ଜୟପୁର)ର ରାଜାଙ୍କ ଦ୍ୱାରା ନିର୍ମିତ ଗୋଟିଏ ରାଜପୁତ ପ୍ରାସାଦ ବା ମନ୍ଦିରର କେବଳ ପରିମାର୍ଜନ କରିଛନ୍ତି ।

ଏଇ ସବୁ ଐତିହାସିକମାନଙ୍କ ଦାବୀ ଆପାତତଃ ସ୍ଥାପତ୍ୟ କଳାରେ ମୋଗଲ ମାନଙ୍କର ଅବଦାନକୁ ନ୍ୟୁନ କରି ବିଶ୍ୱଦରବାରରେ ଦେଖାଇବାକୁ ଚାହେଁ। (ଏବେ କେହି କେହି ପ୍ରଶ୍ନ ଉଠେଇଲେଣି ଯେ, ଅନ୍ୟ ସବୁ ମୋଗଲ-ନିର୍ମାଣ ଯଥା ହୁମାୟୁନଙ୍କ କବର ଆଦି କ'ଣ ମୋଗଲମାନେ ପ୍ରକୃତରେ ତିଆରି କରିଛନ୍ତି?) ଏଇ ସବୁ ବିଶେଷ ଐତିହାସିକମାନଙ୍କୁ ଯେ କୌଣସି ପ୍ରେକ୍ଷାପଟରୁ ଆସିଥିବା କୌଣସି ପ୍ରାତିଷ୍ଠାନିକ ଐତିହାସିକମାନଙ୍କର ସମର୍ଥନ ମିଳିନାହିଁ ଏବଂ ସମସାମୟିକ ରାଜପୁତ ବା ମୋଗଲ ବା ଇଉରୋପୀୟ ତଥ୍ୟସୂତ୍ରରୁ ଏହି ବିଷୟର ସମର୍ଥନରେ କୌଣସି ପ୍ରମାଣ ମିଳିପାରିନାହିଁ ।

ଏହିପରି ଉଦ୍ଭଟ ଦାବୀ ମୂଳତଃ ଶାହଜାହାନଙ୍କର ଦୁଇଜଣ ସମସାମୟିକ ଦିନପଞ୍ଜି ରଚୟିତାଙ୍କ ବକ୍ତବ୍ୟର ଉପରେ ନିର୍ଭରଶୀଳ ଯେ, ତାଜମହଲ ଯେଉଁଠି ତିଆରି ହୋଇଛି ସେଇ ଜାଗାଟିକୁ ଅମ୍ବରର ରାଜା ସମ୍ରାଟ ଶାହଜାହାନ୍‌ଙ୍କୁ ଉପହାର ଦେଇଥିଲେ, ଯେଉଁଠି ପୂର୍ବରୁ ଆଉଟହାଉସ୍ ଭଳି ଏକ ନିର୍ମାଣ ଓ ବଗିଚା ରହିଥିଲା ଏବଂ ଏହା ବଦଳରେ ଅମ୍ବରର ରାଜାଙ୍କୁ ଅନ୍ୟତ୍ର ଚାରୋଟି ସମ୍ପତ୍ତି ପ୍ରଦାନ କରାଯାଇଥିଲା । ଏବଂ ଏହା ହେଉଛି ସେଇ ନିର୍ମାଣ ଯାହାକୁ ଭିନ୍ନମତାବଲମ୍ବୀ ଐତିହାସିକମାନେ ଦାବୀ କରନ୍ତି ଯେ, ଶାହଜାହାନ ହିନ୍ଦୁ ବାସ୍ତୁରୀତିର ସ୍ପଷ୍ଟ ନିଦର୍ଶନ ବଜାୟ ରଖି ପରିବର୍ତ୍ତନ କରିଦେଇଛନ୍ତି ।

ସମୟର ସହିତ ଏଇ ମୂଳ ନିର୍ମାଣଟିର ବର୍ଣ୍ଣନା ସମ୍ପର୍କରେ ହିନ୍ଦୁ ଲେଖକମାନଙ୍କର ବକ୍ତବ୍ୟ ବିତର୍କର ଚାପରେ ପଡି ପରିବର୍ତ୍ତିତ ହୋଇ କେତେବେଳେ ପ୍ରାସାଦରୁ ଏକ ଶିବମନ୍ଦିର ଯାହାର ନାଆଁ "ତାଜୋ-ମହାଳୟା" ହୋଇ ଯାଇଛି, ଆଉ ସେଇଠୁ ଉତ୍ପତ୍ତି ହୋଇଛି ତାଜମହଲ ବୋଲି ନାଆଁଟି । ସେମାନେ ଆହୁରି ଦାବୀ କରନ୍ତି ଯେ, ଆଗରୁ ଥିବା ଭୂଗର୍ଭସ୍ଥ ସୁଡଙ୍ଗ ପଥଟିଏକୁ ଇଟା ଦ୍ୱାରା ବନ୍ଦ କରି ଦିଆଯାଇଛି, କାରଣ ସେଇ ସୁଡଙ୍ଗପଥ ଦେଇ ଶିବଙ୍କ ପ୍ରତିମା ପାଖକୁ ଯିବାକୁ ହେଉଥିଲା ।
ଏଇ ସବୁ ଯୁକ୍ତିର ବିରୁଦ୍ଧରେ ଶକ୍ତିଶାଳୀ ପାଲଟା ଯୁକ୍ତି ହେଉଛି, ମକବରା ବା କବର ନିର୍ମାଣର ପୂର୍ଣ୍ଣାଙ୍ଗ ବିବରଣୀ ଦରବାରର ନିଯୁକ୍ତ ଐତିହାସିକ କର୍ତ୍ତୃକ ପ୍ରଣୀତ ବା ଇଉରୋପୀୟ ପର୍ଯ୍ୟବେକ୍ଷକମାନଙ୍କ ଦ୍ୱାରା ରଚିତ ହୋଇଅଛି । ଯେପରି ଇଉରୋପୀୟ ପିଟର ମଣ୍ଡି ଯିଏ କି ତାଜମହଲ ନିର୍ମାଣର କାମ ଆରମ୍ଭ ହେବା ସମୟରେ ଉପସ୍ଥିତ ଥିଲେ, ସେ ଏଇ ବିଷୟଟିକୁ ସନ୍ଦେହାତୀତ ଭାବରେ ଲିପିବଦ୍ଧ କରିଯାଇଛନ୍ତି ଯେ, ନିର୍ମାଣ କାମ ମୂଳଦୁଆରୁ ଆରମ୍ଭ ହୋଇଥିଲା । ଶାହଜାହାନଙ୍କ ଦିନପଞ୍ଜିର ରଚୟିତା ଲାହୋରୀ "ପାଣିର ସ୍ତର" ପର୍ଯ୍ୟନ୍ତ ଖୋଳାଯାଇ "ମୂଳଦୁଆ ସ୍ଥାପନ" ବିଷୟରେ ଲେଖିଛନ୍ତି ।

ପିଟର ମଣ୍ଡି ଲିପିବଦ୍ଧ କରିଛନ୍ତି ଯେ,"ମକବରା କାମ ଆରମ୍ଭ ହୋଇଛି" । ନିର୍ମାଣ ସ୍ଥାନରେ ଯଦି ଆଗରୁ କୌଣସି ଉଲ୍ଲେଖଯୋଗ୍ୟ ନିର୍ମାଣ ରହିଥାଆନ୍ତା, ତେବେ ମମତାଜଙ୍କ ମୃତ୍ୟୁ ପୂର୍ବରୁ ଅନ୍ୟାନ୍ୟ ପର୍ଯ୍ୟବେକ୍ଷକ ମାନେ ଆଗ୍ରା ଆସିଥିଲେ ସେମାନେ ସେ କଥାର ଅବଶ୍ୟ ଉଲ୍ଲେଖ କରିଥାନ୍ତେ । ମୋଗଲ ସମ୍ରାଟ ବାବର ଯେତେବେଳେ ପ୍ରଥମେ ଆଗ୍ରା ଆସିଥିଲେ, ସେତେବେଳେ ତାଙ୍କର ଏଇ ନିର୍ମାଣ-କଥାଟିର ଉଲ୍ଲେଖ ନ କରିବାର କୌଣସି କାରଣ ନଥିଲା ଏବଂ ସେ ଆଗ୍ରାର ଆଖପାଖକୁ ଦେଖି ଏକରକମ ହତାଶ ହୋଇ ପଡିଥିଲେ । (ମହାମନା ବାବର ଜାଣିନଥିଲେ ଯେ, ପ୍ରାୟ ଶହେ ବର୍ଷ ପରେ ତାଙ୍କର ବଂଶଧରଙ୍କୁ ଠିକ୍ ଏଇ ଜାଗାରେ ଗୋଟିଏ ମକବରା ନିର୍ମାଣ କଲା ପରେ ପ୍ରମାଣ ଦେବାକୁ ପଡିବ ଯେ, ଏ ଜାଗାଟା ଆଗରୁ ଫାଙ୍କା ଥିଲା ବୋଲି ଆଉ ଫାଙ୍କା ଜାଗାରେ କାମ ଆରମ୍ଭ ହୋଇଛି ବୋଲି ।)

ସମାନ ଭାବରେ ଇଉରୋପୀୟ ମାନେ ଯେପରିକି ଯେଶୁଇଟ୍ ଫାଦର୍ ମନସାରେଟ୍, ଯିଏ ୧୫୮୦ରୁ ୧୫୮୨ ଭିତରେ ଅନେକ ଥର ଆଗ୍ରା ପରିଭ୍ରମଣ କରିଥିଲେ, ବା ସାର୍ ଟମାସ୍ ରୋ ଯିଏ ଆଗ୍ରା ସମ୍ପର୍କରେ ବିସ୍ତାରିତ ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କର ବିବରଣୀରେ ସପ୍ତଦଶ ଶତାବ୍ଦୀର ପ୍ରଥମ ଭାଗରେ ଆଗ୍ରାର ଦରବାରୀ ଜୀବନ କଥା ଲେଖିଯାଇଛନ୍ତି, ଏବଂ ଓଲନ୍ଦାଜ ବ୍ୟବସାୟୀ ପ୍ଲେସାର୍ତ, ଯିଏ ୧୬୨୦ରୁ ୧୬୨୭ ମସିହା ଭିତରେ ଅନେକଥର ଆଗ୍ରା ଆସିଛନ୍ତି, ଯମୁନା କୂଳର ପ୍ରାସାଦ ଓ ବଗିଚାର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ଲିପିବଦ୍ଧ କରିଛନ୍ତି, ଏଇ ସମସ୍ତ ପୂର୍ବ ଉଲ୍ଲେଖ ଇଉରୋପୀୟମାନଙ୍କର ବିବରଣୀରେ ଆଗ୍ରାର ଏଇ ସ୍ଥାନରେ କୌଣସି ପୂର୍ବରୁ ଅବସ୍ଥିତ ନିର୍ମାଣର ସୂଚନା କରାଯାଇ ନାହିଁ ।

ଅନ୍ୟ ପକ୍ଷରେ ଅମ୍ବରର ରାଜା, ଯିଏ ତାଜମହଲ ପାଇଁ ଜମି ଉପହାର ଦେଇଥିଲେ, ତାଙ୍କର ରାଜକୀୟ ମହାଫେଜଖାନାରେ ଅନ୍ୟତ୍ର ଯେତେ ସମସ୍ତ ନିର୍ମାଣ ପ୍ରକଳ୍ପ ଯଥା ମନ୍ଦିର ଆଦିର ଉଲ୍ଲେଖ ରହିଛି, ମାତ୍ର ଆଗ୍ରାରେ କୌଣସି ନିର୍ମାଣ ଥିବାର ଉଲ୍ଲେଖ ନାହିଁ । ତାହା ଛଡା ତାଜମହଲରେ ହିନ୍ଦୁ ସ୍ଥାପତ୍ୟ ରୀତିର ବୈଶିଷ୍ଟ୍ୟ, ଯେପରିକି "ଛତ୍ରୀ"ର ବହୁଳ ବ୍ୟବହାର ମୂଳତଃ ଆକବରଙ୍କ ସମୟରୁ ମୋଗଲ ସ୍ଥାପତ୍ୟରେ ବହୁଳ ଭାବରେ ଅନୁସୃତ ହୋଇ ଆସୁଥିଲା, ଯାହାକୁ ଆମେ ହିନ୍ଦୁ ଆଉ ମୁସଲିମ୍ ସଂଶ୍ଳେଷର ଫଳଶୃତି ବୋଲି କହିପାରିବା ।

ଭାରତୀୟ ଶିବ ମନ୍ଦିର ଥିବାର କଥାଟି ବଡ ବିଭ୍ରାନ୍ତି ସୃଷ୍ଟି କରିଛି । କାରଣ ଏଠାରେ ମନ୍ଦିର ନିର୍ମାଣ ପରେ ତାହାକୁ ବିକ୍ରି କରାଯାଏ ନାହିଁ, ଆଉ ଶାହଜାହାନ ଜମି ଅଧିଗ୍ରହଣ କଲାବେଳେ ଏହିପରି ଅମଙ୍ଗଳଜନକ କାମ କେବେହେଲେ କରିବେ ନାହିଁ । ତାହା ଛଡା ଅମ୍ବରର ରାଜା ହିନ୍ଦୁ ଧର୍ମର ଏକ ବିଶେଷ ପନ୍ଥାର ଅନୁଗାମୀ, ଯେଉଁ ମାନେ ଶିବ ମନ୍ଦିରରେ ଉପାସନା କରନ୍ତି ନାହିଁ । ସମ୍ଭବତଃ ଏହି ସବୁ ଯୁକ୍ତି ଠାରୁ ନିର୍ଭରଯୋଗ୍ୟ ଯୁକ୍ତିଟି ହେଲା, ଆମର ପରିଚିତ କୌଣସି ହିନ୍ଦୁ ମନ୍ଦିର ଦେଖିବାକୁ ତାଜମହଲ ଭଳି ନୁହଁ ।

ଏଇ ପ୍ରସଙ୍ଗରେ ଧର୍ମୀୟ ବିଭକ୍ତିର ଆଉ ଏକ ଦିଗରୁ ଆଗତ ବିତର୍କ ଟି ହେଉଛି, ୧୯୪୭ ମସିହାରେ ଭାରତ ବିଭାଜନ ପରେ ସ୍ଥାପିତ ୱାକଫ୍ ବୋର୍ଡ ଦାତବ୍ୟ ପ୍ରତିଷ୍ଠାନ ଯାହା ପରିତ୍ୟକ୍ତ ମୁସଲମାନ କବରଆଦିର ରକ୍ଷଣାବେକ୍ଷଣ ପାଇଁ ସ୍ଥାପିତ ହୋଇଥିଲା । ସେମାନେ ସମ୍ପ୍ରତି ତାଜମହଲର ଅଭିଭାବକତ୍ୱ ଦାବୀ କରନ୍ତି, ଯାହାଦ୍ୱାରା ସେମାନେ ଶରିଆ ଆଇନ୍ ର କଠୋର ଧର୍ମୀୟ ଅନୁଶାସନ ଭିତରେ ଅବସ୍ଥାନ କରି ଏହାର ରକ୍ଷଣାବେକ୍ଷଣ କରି ପାରନ୍ତେ । ୨୦୦୫ ମସିହାରେ ଭାରତର ସୁପ୍ରିମ କୋର୍ଟ ସେମାନଙ୍କର ଦାବୀକୁ ଅଗ୍ରାହ୍ୟ କରିଦିଏ ଏଇଥି ପାଇଁ ଯେ, ମୋଗଲ୍ ଆଉ ବ୍ରିଟିଶ ଉଭୟଙ୍କ ଅମଳରୁ ତାଜମହଲ ରାଷ୍ଟ୍ର ବା ରାଜାର ସମ୍ପତ୍ତି ହିସାବରେ ପରିଗଣିତ ହୋଇଛି ଏବଂ ଯାହା ଆଇନତଃ ସ୍ୱାଧୀନ ଭାରତରେ କ୍ଷମତା ହସ୍ତାନ୍ତର ପରେ ଜାତୀୟ ସମ୍ପତ୍ତିରେ ପରିଣତ ହୋଇଛି ।

ଏହିଭଳି ମତବିରୋଧ ମତାନୈକ୍ୟ ସନ୍ଦେହ ନାହିଁ ଅବ୍ୟାହତ ରହିବ, ଠିକ୍ ଯେମିତି ସାଢେ ତିନି ଶହ ବର୍ଷ ତଳେ ତାଜମହଲ୍ ବର୍ଣ୍ଣିଏର୍ ଯାହା କହିଥିଲେ ସେମିତି ଭାସ୍ୱର ହୋଇ ରହିଥିବ "ବିଶ୍ୱର ବିସ୍ମୟ" ହିସାବରେ, ଓ ଶାହଜାହାନ୍‌ଙ୍କ ମାନସପଟରେ ଥିବା ଏହାର ପ୍ରାଥମିକ ସ୍ୱରୂପଟି ଚିରକାଳ ରହିଥିବ ଆମମାନଙ୍କ ପାଇଁ ରହସ୍ୟାବୃତ୍ତ ହୋଇ ।

(" କାଳ କପୋଳରେ ଧାରେ ଲୁହ" ଶୀର୍ଷକଟି କବିଗୁରୁ ରବୀନ୍ଦ୍ରନାଥଙ୍କ ମନ୍ତବ୍ୟରୁ ନିଆଯାଇଛି । କବିଗୁରୁ ତାଜମହଲ ସମ୍ପର୍କରେ ଏଇ ମନ୍ତବ୍ୟଟି ଦେଇଥିଲେ । ଉପରର ଲେଖାଟି "ଏ ଟିଅର୍ ଡ୍ରପ୍ ଅନ୍ ଦି ଚିକ୍ ଅଫ୍ ଟାଇମ୍: ଦି ଷ୍ଟୋରୀ ଅଫ୍ ତାଜମହଲ୍" ପୁସ୍ତକର ଏକ କ୍ଷୁଦ୍ର ଅଂଶର ଅନୁବାଦ । ଏଇ ବହିଟି  ପ୍ରକାଶିତ ହୋଇଛି ୨୦୦୮ ମସିହାରେ । ସେତେବେଳକୁ ତାହାର ଲେଖକ ଦୁଇ ଜଣ ଥିଲେ, ଡାଏନା ପ୍ରେଷ୍ଟନ୍ ଆଉ ମାଇକେଲ୍ ପ୍ରେଷ୍ଟନ୍ । ପରେ ସବୁ ବଦଳିଗଲା । 

ଏଇ ଲେଖକ ଦମ୍ପତ୍ତି ନିଜ ପାଇଁ ଗୋଟିଏ ନାଆଁ ବାଛିଲେ ଆଲେକ୍ସ ରଥରଫୋର୍ଡ । ଏଇ ନାମରେ ମୋଗଲ୍‌ମାନଙ୍କର ଇତିହାସକୁ ଭିତ୍ତି କରି ଅତ୍ୟନ୍ତ ରୋଚକ ଢଙ୍ଗରେ ସେମାନେ ଅଦ୍ୟାବଧି ଛଅ ଖଣ୍ଡ ବହି ପାଠକମାନଙ୍କୁ ଉପହାର ଦେଇ ଆସିଛନ୍ତି । ଆମର ଯେଉଁମାନେ ଲେଖକ ଦମ୍ପତ୍ତି ଅଛନ୍ତି, ସେମାନେ ନିଜ ଦୁଇଜଣଙ୍କ ପାଇଁ ଗୋଟିଏ ସୁନ୍ଦର ନାଆଁ ବାଛି, ଏକ ଯୁଗ୍ମ ସୃଜନ କର୍ମ କରି ପାରନ୍ତି । ଏଇ ଉପଦେଶଟି ବିନାମୂଲ୍ୟରେ ବିତରିତ ।

ବର୍ତ୍ତମାନ ସମୟରେ ସବୁଠୁ ଜଟିଳତମ ବିଷୟ ହେଉଛି ଇତିହାସ । ଏହା ଉପରେ କିଛି କହିବା ଅର୍ଥ ଗୋଟିଏ ଖଣ୍ଡାଧାରରେ ଚାଲିଲା ଭଳି କଥା । ପ୍ରେମ ପାଳନ ଜନିତ ଖଣ୍ଡାଧାରରେ ଚାଲିବା ଶ୍ରେୟସ୍କର । ଇତିହାସକୁ କାହିଁକି ଜୀବଧନ କରିବା ? କ'ଣ କରାଯିବ, ଯେତେ ଯାହା କଲେ ଯେତେ ରାଜା ଉଚ୍ଚ କଣ୍ଠରେ ଚୁଙ୍ଗା ଫୁଙ୍କିଲେ, ଇତିହାସ ବଦଳି ଯିବ ନାହିଁ । ଯାହା ଘଟିଯାଇଛି ଯାଇଛି, ଆଉ ତାହାକୁ ବଦଳାଇବାକୁ ତାକତ କାହାର ନାହିଁ, ଯିଏ ଯେତେ କ୍ଷମତାଶାଳୀ ହେଉନା କାହିଁକି ।)

No comments:

Post a Comment