Sunday, November 05, 2017

ମହା ଚତୁର କାଉ


ନନ୍ଦିତା ମହାନ୍ତି


ଚିତ୍ରକର - ଆମେରିକୀୟ ଚିତ୍ରକର ମିଲୋ ୱିଙ୍ଗ୍ (୧୮୮୮-୧୯୫୬)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସେଥର ଭାରି ଗରମ ପଡିଥାଏ । ଆକାଶରୁ ବର୍ଷୁଥାଏ ନିଆଁ । ପାଣିର ଘୋର ଅଭାବ ଚାରିଆଡେ, ଲୋକମାନେ ତ୍ରାହି ତ୍ରାହି ଡାକୁଥାନ୍ତି । ଦିନେ ବୁଢା ଦ୍ଵିପ୍ରହରରେ ଦୁଇଟି କାଉ ଉଡି ଯାଉଥିଲେ ଆକାଶରେ, ମାଆ ଆଉ ଛୁଆ କାଉ । ଦୁଇଜଣ ଯାକ ପ୍ରଚଣ୍ଡ ରୌଦ୍ରତାପରେ କ୍ଳାନ୍ତ ଓ ଶ୍ରାନ୍ତ । ଛୁଆ କାଉଟି ଏବେ ନୂଆ ନୂଆ ଉଡିବା ଶିଖିଥାଏ । ସେଥିପାଇଁ ସିଏ ବେଶୀ ଥକି ପଡୁ ଥାଏ । ସିଏ ଉଡି ଉଡି ଯାଇ ବସି ପଡିଲା ଗୋଟିଏ ଗଛ ଡାଳରେ । ମାଆକୁ ଚାହିଁ କହିଲା, “ମୁଁ ଆଉ ଉଡି ପାରିବିନି । ମୁଁ ଥକି ପଡିଲିଣି । ଶୋଷରେ ମୋ ତଣ୍ଟି ଶୁଖି ଯାଉଛି । ଟୋପେ ପଣି ନ ପିଇଲେ ମୁଁ ମରିଯିବି ।" 

ମାଆ କାଉ ବିଚରା କରେ କଣ ? ଛୁଆ କାଉର ଏଇ ଅବସ୍ଥା ଦେଖି ମାଆ କାଉ ବ୍ୟସ୍ତ ହେଇ ପଡିଲା । ଖେଦି ଗଲା ଚାରି ଦିଗକୁ । ଟିକେ ଦୂରରେ ଗୋଟେ ବନ୍ଦ କେବିନ ପଛ ପଟକୁ ଥୁଆ ହେଇଥିଲା ଗୋଟେ ପୁରୁଣା ମାଠିଆ । ତା ଭିତରେ କିଛି ପାଣି ଥିଲା । ହେଲେ ପୋଷେ ହବ ପାଣି ଥିଲା ମାଠିଆର ଖୁବ ତଳକୁ । ମାଆ କାଉ ବହୁତ ଚେଷ୍ଟା କଲା । ହେଲେ ପାଣି ଯାଏଁ ଗଲାନି ତାହାର ଚଞ୍ଚୁ, ବହୁତ କସରତ ପରେ ବି । 

ସିଏ ଛୁଆ କାଉକୁ ଡାକି କହିଲା “ତୋର ସେଇ ‘ଚତୁର କାଉ’ ଗପ ମନେ ଅଛିଟି ? ତୁ ଯେତେବେଳେ ଖୁବ ଛୋଟ ଥିଲୁ, ଆଉ ଅଝଟିଆ ହଉଥିଲୁ, ସେତେବେଳେ କେତେ ଥର ସେଇ କାହାଣୀ ମୁଁ ତୋତେ ଶୁଣେଇଛି । ତୋର ମନେ ଅଛିଟି  ? ସିଏ କେମିତି ଛୋଟ ଛୋଟ ଗୋଡି ନେଇ ହାଣ୍ଡିରେ ପକେଇଲା । ପାଣି ଉପରକୁ ଉଠି ଆସିଲା, ଆଉ ସିଏ ପାଣି ପିଇ ଉଡିଗଲା ଆନନ୍ଦରେ । ଆ’, ମୋ ସାଙ୍ଗେ ମିଶି ଗୋଡି ଆଣି ମାଠିଆରେ ପକା । ପାଣି ଉପରକୁ ଉଠି ଆସିବ ଆଉ ଆମେ ପାଣି ପିଇ ଉଡି ଯିବା ।“ 

ଏହା କହି ସାରି ମାଆ କାଉ ଖଣ୍ଡେ ଖଣ୍ଡେ ଗୋଡି ଆଣି ପକେଇବାକୁ ଲାଗିଲା ହାଣ୍ଡିରେ । ଛୁଆ କାଉ ଚୁପଚାପ ବସି ରହିଥାଏ ସେମିତି । ମାଆ କାଉ ବିରକ୍ତ ହେଇ କହିଲା । “ଆରେ ଆଣୁନୁ ଗୋଡି । ଦୁଇ ଜଣ ମିଶି ଗୋଡି ପକେଇଲେ ପାଣି ଶୀଘ୍ର ଉପରକୁ ଉଠି ଆସିବ । ନହେଲେ ଏ ଯଉ ଖରା, ପାଣି ବିନା ହଁସା ଉଡିଯିବ ଜାଣିଥା’ । ଛୁଆ କାଉଟି ଖଣ୍ଡି ଉଡା ଦେଇ ଥରେ ଉଡି ଆସିଲା କେବିନ ଚାରିପଟେ । ଫେରି ଆସିଲା ଚଞ୍ଚୁରେ ଗୋଟେ ପୁରୁଣା ଷ୍ଟ୍ର ଧରି । ଷ୍ଟ୍ର ଟିକୁ ମାଠିଆରେ ବୁଡେଇ ଦେଇ ପାଣି ପିଇଲା । ପେଟେ ପାଣି ପିଇ ଟିକେ ସାଷ୍ଟମ ହେଲା ପରେ ମାଆକୁ ଚାହିଁ କହିଲା, “ଦୁନିଆ ଯାଇ କଉଠି ପହଞ୍ଚିଲାଣି, ତୁ ସେଇ ଗୋଡିଠି ଅଟକିଛୁ ? ସେ ମରହଟ୍ଟିଆ ଯୁଗ ଆଉ ଅଛି ନା ? ତୁ ମୋତେ “ଚତୁର କାଉ“ ଗପ ଶୁଣଉଥିଲୁ । ମୁଁ ମୋ ଛୁଆଙ୍କୁ ‘ମହାଚତୁର କାଉ‘ ଗପ ଶୁଣେଇବି । ମାଆ କାଉ ଚୁପ ହେଇ ଶୁଣୁଥିଲା ଛୁଆ କାଉ କଥା, ଆଉ ମନେ ମନେ ଭାବୁଥିଲା । କଥାଟିଏ ଥିଲା “ଯିଏ ଚଢେ ଘୋଡା , ତା ପୁଅ ଥୋଡା ଥୋଡା“ । ହେଲେ ଏବେ, “ଯିଏ ଚଢେ ଘୋଡା , ତା ପୁଅ ତହୁଁ ବଡା ବଡା ।

No comments:

Post a Comment