Friday, November 24, 2017

ପଦ୍ମାବତୀ : ଏକ ତତ୍ତ୍ୱକଥା

ଜ୍ୟୋତି ନନ୍ଦ

ଆଲ୍ଲାଉଦ୍ଦିନ ଖିଲଜିଙ୍କର ଚିତ୍ର
(୧୭ଶ ଶତାବ୍ବୀର ଚିତ୍ର: ୱିକିମିଡିଆ କମନ୍ସ୍ )


ଆଜି ଦେଶବ୍ୟାପୀ ଯେତେବେଳେ "ପଦ୍ମାବତୀ" ବୋଲି ଏକ କାଳ୍ପନିକ କାହାଣୀକୁ ଉପଜୀବ୍ୟ କରି ଏକ ଚଳଚ୍ଚିତ୍ର ଏକ ଐତିହାସିକ ସମୟକାଳର ପୃଷ୍ଟଭୂମୀରେ ନିର୍ମାଣ କରାଯାଇଛି ବୋଲି କୁହାଯାଉଛି । ଏହାର ପୂର୍ଣ୍ଣାଙ୍ଗ ଦୃଶ୍ୟରୂପ ଏଯାଏଁ କାହାର ଗୋଚରକୁ ଆସିନାହିଁ । ତଥାପି ଏଥିରେ ଐତିହାସିକ ବିକୃତି ତଥା ରାଜସ୍ଥାନର ବୀରାଙ୍ଗନାମାନଙ୍କର ଅବମାନନା କରାଯାଇଛି ବୋଲି କିଛି ରାଜନୈତିକ ଏଜେଣ୍ଡା ଯୋଗୁ ଦେଶବ୍ୟାପୀ ପ୍ରତିବାଦ ଉଠିଛି ।


ଆଲ୍ଲାଉଦ୍ଦିନ ଖଲଜି ଏକ ଐତିହାସିକ ଚରିତ୍ର, କିନ୍ତୁ ପଦ୍ନିନୀ ନୁହଁନ୍ତି । ଭାରତବର୍ଷରେ ତାଙ୍କର ଶାସନକାଳରେ ଯେଉଁ ବଜାର ନିୟନ୍ତ୍ରଣ ନୀତି ଅନୁସରଣ କରାଯାଇଥିଲା, ତାହା ଆମର ପିଲାଏ ଇତିହାସରେ ପଢନ୍ତି । ସରଳରେ କହିଲେ, ସମଗ୍ର ବଜାରକୁ ତିନି ଭାଗରେ ବିଭକ୍ତ କରି ଖାଦ୍ୟଶସ୍ୟର ବଜାର, ଘୋଡାର ବଜାର ଓ ବିଳାସ ସାମଗ୍ରୀର ବଜାର ଆକାରରେ ପ୍ରତି ବଜାର ପାଇଁ ଭିନ୍ନ ଭିନ୍ନ କର ନିର୍ଦ୍ଧାରଣ କରି ଆଲ୍ଲାଉଦ୍ଦିନ ରାଜ୍ୟରେ ଦରଦାମ୍‌ର ନିୟନ୍ତ୍ରଣ କରିଥିଲେ, ଆଉ ଏହାକୁ ପ୍ରକୃତପକ୍ଷରେ ସୁପରିଚାଳନା କରିବା ପାଇଁ ବଜାର ନିୟନ୍ତଣ କମିଟିମାନ ଗଠନ କରିଥିଲେ । 

ବଜାରରେ ଯେଉଁ ବ୍ୟବସାୟୀ ଫାଙ୍କିବାର ଚେଷ୍ଟା କରୁଥିଲା, ତାହାକୁ କଠୋରରୁ କଠୋର ଶାସ୍ତି ମିଳୁଥିଲା । ଆମ ପିଲାଏ ଇତିହାସରେ ଆଲ୍ଲାଉଦ୍ଦିନଙ୍କର ପଦ୍ମିନୀ ବୋଲି ଚିତୋରର ଜଣେ ରାଣୀଙ୍କ ସହ ଅସମ-ଏକପାଖିଆ ପ୍ରେମ କାହାଣୀକୁ ଯେତିକି ଜାଣନ୍ତି, ତାହା ଅପେକ୍ଷା ତାଙ୍କର ବଜାର ନିୟନ୍ତ୍ରଣକୁ ଅଧିକ ଜାଣନ୍ତି, କାରଣ ବଜାର ନିୟନ୍ତଣ କଥା ଇତିହାସ ପରୀକ୍ଷାରେ ଆସେ । ପଦ୍ମିନୀ କଥା ଇତିହାସ ନୁହଁ । କୌଣସି ସାହିତ୍ୟ ବହିର ଗପରୁ ପିଲାଙ୍କ ମୁଣ୍ଡରେ ପଶିଯାଇଥାଏ । ଏମିତି ଅନେକ ସାହିତ୍ୟର ଗପ ଇତିହାସରେ ଅନୁପ୍ରବେଶ କରି ଇତିହାସର ସତ୍ୟକୁ ଏକ ବିକୃତିରେ ରୋମାଣ୍ଟିକ ରୂପ ଦେଇ ସତ୍ୟର ଆଭାସ ବୋଲି ପ୍ରତୀୟମାନ ହେଉଥାଏ ।

ସମସ୍ତ ମଧ୍ୟଯୁଗୀୟ ରାଜାମାନେ ନିରଙ୍କୁଶ ସ୍ୱୈରାଚାରୀ ଥିଲେ । କ୍ଷମତାର ଅଳିନ୍ଦରେ ସେମାନଙ୍କର ନିର୍ମମତା ଆଉ ବ୍ୟଭିଚାରର କାହାଣୀ କାହାକୁ ଅବିଦିତ ନୁହଁ । ଧର୍ମକୁ ନେଇ ରାଜା ଆଉ ରାଜା ଭିତରେ ଫରକ ନାହିଁ । ସେମାନେ କେବଳ ଗୋଟିଏ ଗୋଷ୍ଠୀ ଯିଏ ନିରଙ୍କୁଶ କ୍ଷମତା ଭୋଗିବାର ଅଭିପ୍ସାକୁ ଚରିତାର୍ଥ କରୁଥାଏ । ତେଣୁ ଇତିହାସ ଦୃଷ୍ଟିରୁ ବ୍ୟକ୍ତିଗତ ଜୀବନର ସ୍ୱୈରାଚାର ଗୋଟିଏ ପଟେ, ଆଉ ଶାସନ ପରିଚାଳନା ଅନ୍ୟ ପଟେ ।

ଯଦି ତାଙ୍କର ବଜାର ନିୟନ୍ତ୍ରଣ ନୀତିକୁ ଆଧାର କରି କୁହାଯିବ ଯେ, ଆଲ୍ଲାଉଦ୍ଦିନ ଖଲଜି ହେଉଛନ୍ତି ଭାରତରେ ଆମର ଜିଏସ୍‌ଟି ଭଳି ଏକ ବଜାର ବ୍ୟବସ୍ଥାର ଆଦ୍ୟ ପ୍ରବକ୍ତା, ତେବେ ଏଇ ତଥ୍ୟଟି ଐତିହାସିକ ସତ୍ୟ ଉପରେ ଆଧାରିତ ହେଲେ ବି, ଅନେକଙ୍କୁ ରୁଚିକର ହେବ ନାହିଁ ।

ଆପଣମାନେ ଜାଣନ୍ତି ପଦ୍ମିନୀ ବା ପଦ୍ମାବତୀ ମାଲିକ୍ ମହମ୍ମଦ ଜୟସୀଙ୍କ କାବ୍ୟ "ପଦ୍ମାବତ୍"ର ମୂଖ୍ୟ ନାୟିକା । ମାଲିକ୍ ମହମ୍ମଦଙ୍କ ସମୟ କାଳ ହେଉଛି ଖ୍ରୀଷ୍ଟାବ୍ଦ ୧୪୭୭ ରୁ ୧୫୪୨ । ଏହି କାବ୍ୟର ପ୍ରାରମ୍ଭରେ ସେ ଲେଖିଛନ୍ତି, "ଯିଏ ଏହାକୁ ପାଠ କରିବ ସେ ମୋତେ ସ୍ମରଣ କରିବ ।"

ଆଜି ଆମକୁ ମାଲିକ୍ ମହମ୍ମଦ ଜୟସୀଙ୍କୁ ସ୍ମରଣ କରିବାକୁ ପଡୁଛି । ଏହି କାବ୍ୟଟିକୁ ଇଂରାଜୀରେ ଏ. ଜି. ଶିରେଫ୍ ବୋଲି ଜଣେ ଭାରତୀୟ ଅମଲା ଅନୁବାଦ କରିଥିଲେ, ଆଉ ଏଇ ଇଂରେଜୀ ଅନୁବାଦଟି ୧୯୪୪ରେ ପ୍ରକାଶିତ ହୋଇଥିଲା । ଏବେ ଜୟସୀଙ୍କ "ପଦ୍ମାବତୀ" ର ସେଇ ବିଶେଷ ଅଂଶଟିର ଅନୁବାଦକୁ ପଢାଯାଉ ।

"ମୁଁ ସାଧୁ ମାନଙ୍କୁ କହିଲି ଏହାର ଅର୍ଥ କ'ଣ ? ସେମାନେ ପ୍ରତ୍ୟୁତ୍ତର ଦେଲେ, "ଏତିକି ଆମକୁ ଜ୍ଞାତ, ଉର୍ଦ୍ଧ୍ୱ ଆଉ ଅଧରେ ଥିବା ସମସ୍ତ ଚତୁର୍ଦ୍ଦଶ ଭୂବନ ମଣିଷ ଶରୀରରେ ଅବସ୍ଥିତ । ଆମେ ଶରୀରକୁ କରିବା ଚିତୋର, ମନ ହେଉଛି ରାଣା, ହୃଦୟ ହେଉଛି ସିଂହଳ ଓ ବୁଦ୍ଧି ହେଉଛି ପଦ୍ମିନୀ ନାରୀ । ଶୁକ ପକ୍ଷୀ ହେଉଛି ଆମର ଅଧ୍ୟାତ୍ମଗୁରୁ, ଯିଏ ଆମକୁ ପରମକୁ ନିକଟ ହେବାର ବାଟ ଦେଖାଇଥାଏ । ବିନା ଗୁରୁରେ ପରମ କାହୁଁ ମିଳିବ ? ନାଗମତୀ ହେଉଛି ଏଇ ପୃଥିବୀର ସୁଖ, ଯିଏ ଏଇ ସୁଖରେ ବାନ୍ଧି ହୋଇଗଲା, ତାହାର ଆଉ ମୁକ୍ତି ନାହିଁ । ରାଘବ ହେଉଛି ସଇତାନର ବାହକ ଏବଂ ସୁଲତାନ୍ ଆଲ୍ଲାଉଦ୍ଦିନ ହେଉଛି ମାୟା । ଏହି ପ୍ରେମ ଗପକୁ ଏଇ ଭଳି ବିଚାର କର । ଯଦି କିଛି ଦୈବ-ନିର୍ଦ୍ଦେଶ ପ୍ରାପତ ହେଉଛ ତେବେ ତାହାକୁ ଗ୍ରହଣ କର ।

ତୁର୍କି, ଆରବିକ୍ ଆଉ ହିନ୍ଦି, ସବୁ ଭାଷାରେ ତାହା ଅଛି, ସମସ୍ତେ ପ୍ରେମର ମାର୍ଗକୁ ପାଳନ କରିଥାନ୍ତି ।"

ଏଇ ପ୍ରସ୍ତାବନାଟିରୁ ସ୍ଫଷ୍ଟ ଅନୁମାନ ଯେ "ପଦ୍ମାବତୀ" ଗୋଟିଏ ରହସ୍ୟବାଦୀ କାବ୍ୟ । ତେଣୁ ରହସ୍ୟବାଦରେ ଐତିହାସିକ ପ୍ରେକ୍ଷାପଟ ଓ ବିକୃତି କୁ ଖୋଜିବାର ପ୍ରାସଙ୍ଗିକତା ଆପଣମାନଙ୍କ ଉପରେ ।

ଆଜିର ରାଜସ୍ଥାନରେ ନାରୀମାନଙ୍କ ମଧ୍ୟରେ ଶତକଡା ୪୭ ଭାଗ ଅଶିକ୍ଷିତା, ଶତକଡା ୪୦ ଭାଗ ନାରୀ ୧୯ ବର୍ଷରୁ କମ୍ ବୟସରେ ମାଆ, ଶତକଡା ୪୩ ଭାଗ ମହିଳା ବିବାହଯୋଗ୍ୟା ବୟସରୁ ତଳେ ବିବାହିତା ଏବଂ ରାଜସ୍ଥାନରେ ପୁରୁଷ ଓ ନାରୀ ମଧ୍ୟରେ ଅନୁପାତ ହେଉଛି ୧୦୦୦ ପୁରୁଷରେ ୮୯୩ ଜଣ ନାରୀ । ଏଇ ପରିସଙ୍ଖ୍ୟାନରୁ ସାମ୍ପ୍ରତିକ ପଦ୍ମିନୀମାନଙ୍କର ଅବସ୍ଥିତି କେତେ ଗୌରବୋଜ୍ଜଳ, ତାହା ଆପଣମାନେ ବିଚାର କରିପାରନ୍ତି, ଯେତେବେଳେ ଆମେ ତଥାକଥିତ ଇତିହାସର ପଦ୍ମିନୀ ପ୍ରତି ସମ୍ବେଦନଶୀଳ ହେଉଛୁ ।

ସାମ୍ପ୍ରତିକ ପଦ୍ମିନୀମାନେ ଆପଣମାନଙ୍କୁ କରୁଣ ଦୃଷ୍ଟିରେ ଚାହିଁଛନ୍ତି ।

No comments:

Post a Comment